ପରୀକ୍ଷା ସଂସ୍କାର ଚିନ୍ତା

ଦେଶରେ ବିଭିନ୍ନ ପରୀକ୍ଷାରେ ବାରମ୍ବାର ହେଉଥିବା ପ୍ରଶ୍ନପତ୍ର ପ୍ରଘଟକୁ ରୋକିବାରେ କେନ୍ଦ୍ର ସରକାରଙ୍କ ବିଫଳତା ପରିପ୍ରେକ୍ଷୀରେ ଉତ୍ତରଦାୟିତ୍ୱ ଦାବି କରି ଦିଲ୍ଲୀର ଜନ୍ତରମନ୍ତରରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଶେଷରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସମାପ୍ତ ହୋଇଛି। ଏହି ଆନ୍ଦୋଳନ ଦେଢ଼ମାସ ତଳୁ ଆରମ୍ଭ ହୋଇଥିଲେ ମଧ୍ୟ ସରକାର ସେମାନଙ୍କ ସହ କୌଣସି ଆଲୋଚନା ନ କରି ଅଣଦେଖା କରିଥିଲେ। ଶେଷରେ ସେମାନେ ଯେତେବେଳେ ୨୦ ଜୁଲାଇରେ ସଂସଦ ମାର୍ଚ୍ଚର ଡାକରା ଦେଇଥିଲେ, ସେତେବେଳେ ମଧ୍ୟ ସରକାର ସେମାନଙ୍କୁ ବଳପ୍ରୟୋଗ କରି ଚୁପ୍‌ କରିବାକୁ ଚେଷ୍ଟା କରିଥିଲେ। ଦୀର୍ଘଦିନ ଧରି ଭାଜପାର ଭୋଟବ୍ୟାଙ୍କ ରହିଆସିଥିବା ମଧ୍ୟବିତ୍ତ ପରିବାର ଭିତରୁ ଆକ୍ରୋଶ ଦେଖିବାକୁ ମିଳିଥିଲା। ସରକାରୀ ଦମନକୁ ଭ୍ରୂକ୍ଷେପ ନ କରି ଜେନ୍‌-ଜିମାନେ ରାସ୍ତାକୁ ଓହ୍ଲାଇଥିଲେ। ପରିସ୍ଥିତି ସମ୍ଭାଳିବାକୁ ପ୍ରଧାନମନ୍ତ୍ରୀ ସାମନାକୁ ଆସିଥିଲେ ମଧ୍ୟ ତାହା ବହୁତ ବିଳମ୍ବ ହୋଇଯାଇଥିଲା। ଜେନ୍‌-ଜିଙ୍କୁ ଫ୍ରେଣ୍ଡସ୍‌ ବୋଲି ସମ୍ବୋଧନ କରି ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ତିନି ତିନୋଟି ଭିଡିଓ ଜରିଆରେ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ଦେଲେ ମଧ୍ୟ ତାହା ସେମାନଙ୍କୁ ପ୍ରଭାବିତ କରିପାରି ନ ଥିଲା। ଶେଷରେ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେଇଥିଲେ।
ଦେଶରେ ଲଗାତର ପ୍ରଶ୍ନପତ୍ର ଲିକ୍‌ ଘଟଣା ପରିପ୍ରେକ୍ଷୀରେ ସରକାରଙ୍କ ପରୀକ୍ଷା ପରିଚାଳନା ବ୍ୟବସ୍ଥା ଉପରୁ ଛାତ୍ରୀଛାତ୍ରଙ୍କ ଭରସା ତୁଟିଯିବା ସ୍ବାଭାବିକ ଥିଲା। କାରଣ କେନ୍ଦ୍ର ସରକାରଙ୍କ ଗତ ବାରବର୍ଷର ଶାସନକାଳରେ ଉଭୟ ଜାତୀୟ ଓ ରାଜ୍ୟସ୍ତରରେ ଆୟୋଜିତ ବିଭିନ୍ନ ପରୀକ୍ଷା ମଧ୍ୟରୁ ୧୫୨ଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଛି ଏବଂ ଏହା ଯୋଗୁ ଦେଶର ପ୍ରାୟ ୬ କୋଟିରୁ ଅଧିକ ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି। ଉପରୋକ୍ତ ୧୫୨ଟି ପରୀକ୍ଷା ମଧ୍ୟରୁ ୪୯ଟି ପରୀକ୍ଷାକୁ ପୁଣି ଥରେ ଆୟୋଜନ କରିବାକୁ ପଡ଼ିଛି। ୨୨ଟି ପରୀକ୍ଷାକୁ ପ୍ରଶ୍ନପତ୍ର ଲିକ୍‌ ଯୋଗୁ ଆୟୋଜନ ହେବା ପୂର୍ବରୁ ବାତିଲ କରାଯାଇଛି। ଗତ ୧୨ ବର୍ଷ ଭିତରେ ପ୍ରଶ୍ନପତ୍ର ଲିକ୍‌ର ଘଟଣାରେ ମୋଟ ୧୪୮ଟି ଆପରାଧିକ ମାମଲା ଦେଶର ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ଦାଏର ହୋଇଛି। ଆଶ୍ଚର୍ଯ୍ୟର କଥା, ଏଯାଏ ଗୋଟିଏ ବି ମାମଲାରେ ଦଣ୍ଡବିଧାନ ହୋଇନାହିଁ। ଅଧିକାଂଶ ମାମଲାରେ ଅଭିଯୁକ୍ତମାନେ ଅତି ସହଜରେ ଜେଲରୁ ବାହାରି ପୁଣିଥରେ ପେପର୍‌ ଲିକ୍‌ ଅପରାଧର ସାମ୍ରାଜ୍ୟରେ ନିଜକୁ ସାମିଲ କରାଇବା ଦେଖିବାକୁ ମିଳିଛି। ଯଦି ଦେଶର ପରୀକ୍ଷା ବ୍ୟବସ୍ଥାରେ ସବୁକିଛି ଠିକ୍‌ ଚାଲିଥିଲା, ତା’ହେଲେ ଶିକ୍ଷମନ୍ତ୍ରୀଙ୍କ ଇସ୍ତଫା ପୂର୍ବରୁ ସରକାରଙ୍କୁ ଏନ୍‌ଟିଏର ୪୭ ଜଣ ଅଧିକାରୀଙ୍କୁ (ଏକ ଚତୁର୍ଥାଂଶ) ଦୁର୍ନତୀରେ ସାମିଲ ଅଭିଯୋଗରେ ସିଧାସଳଖ ବରଖାସ୍ତ କରିବାକୁ ପଡ଼ିଲା କାହିଁକି ? ଏଥିରୁ ଦେଶର ଶିକ୍ଷା ମନ୍ତ୍ରଣାଳୟ ବିଶେଷ କରି ପରୀକ୍ଷା ପରିଚାଳନାରେ ଚାଲିଥିବା କେଳେଙ୍କାରୀଟି ସ୍ପଷ୍ଟ ପ୍ରମାଣିତ ହେଉଛି।
ପରିତାପର ବିଷୟ, ପ୍ରଶ୍ନପତ୍ର ଲିକ୍‌ କରି ଦେଶର ଅନେକ କୋଟି ପିଲାଙ୍କ ଭବିଷ୍ୟତ ସହିତ ଯେଉଁମାନେ ଖେଳୁଛନ୍ତି, ସେମାନଙ୍କର କୌଣସି ପ୍ରକାର ଅସୁବିଧା ହେଉନି। ବାରମ୍ବାର ପ୍ରଶ୍ନପତ୍ର ଲିକ୍‌ ସତ୍ତ୍ୱେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କର ଉତ୍ତରଦାୟିତ୍ୱ ଥିବା ଦେଖାଯାଉନାହିଁ। ଏନ୍‌ଇଇଟି ପରୀକ୍ଷାର ପେପର୍‌ ଲିକ୍‌ ହେବା ଫଳରେ ଆଜି ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟର ୨୧ ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି। ଏହା କୌଣସି ଛୋଟିଆ ଘଟଣା ନୁହେଁ। ଉତ୍ତରଦାୟିତ୍ୱହୀନ ବ୍ୟବସ୍ଥା ଦ୍ୱାରା ଏସବୁ ଗୋଟିଏ ଗୋଟିଏ ସଂସ୍ଥାଗତ ହତ୍ୟା (ଇନଷ୍ଟିଚ୍ୟୁଶନାଲ ମର୍ଡର) ବୋଲି କୁହାଯିବା ଠିକ୍‌ ହେବ। କାରଣ ଯଦି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇ ନ ଥାନ୍ତା, ତା’ହେଲେ ଏହି ପିଲାମାନେ ଆତ୍ମହତ୍ୟା କରି ନ ଥାନ୍ତେ।
ଜେନ୍‌-ଜିଙ୍କୁ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ ପେପର ଲିକ୍‌ରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ତ୍ୱରିତ ବିଚାର ପାଇଁ ଫାଷ୍ଟଟ୍ରାକ୍‌ କୋର୍ଟ ଗଠନ କରିବାକୁ କହିଛନ୍ତି। କଠୋର ଦଣ୍ଡ ଦେବା ପାଇଁ ଏକ ନୂତନ ବିଲ୍‌ ଆଣିିଛନ୍ତି। କିନ୍ତୁ ତାଙ୍କ ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ଏନ୍‌ଇଇଟି -୨୦୨୪ ପେପର୍‌ ଲିକ୍‌ କେଳେଙ୍କାରୀର ମାଷ୍ଟରମାଇଣ୍ଡ ସଞ୍ଜୀବ ମୁଖିଆଙ୍କ ବିରୋଧରେ ସିବିଆଇ ପ୍ରମାଣ ଦେଇ ନ ପାରିବାରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ସେତେବେଳେ ପୋଲିସ ଓ ସମ୍ପୂର୍ଣ୍ଣ ଜାତୀୟ ଗଣମାଧ୍ୟମ ଚିତ୍କାର କରି ଏହି ବ୍ୟକ୍ତି ମାଷ୍ଟର ମାଇଣ୍ଡ ବୋଲି ଦାବି କରୁଥିଲେ। ଅତଏବ ସିବିଆଇ ତା’ ବିରୋଧରେ ପ୍ରମାଣ ଯୋଗାଡ଼ କରି ନ ପାରିବା ଆମ ବ୍ୟବସ୍ଥାର ଗାଲରେ ଏକ ଶକ୍ତ ଚାପୁଡ଼ା ଭଳି ହୋଇଛି। ଏଠାରେ ପ୍ରଶ୍ନ ଉଠେ, ଯଦି ସେ ମାଷ୍ଟରମାଇଣ୍ଡ ନ ଥିଲା, ତା’ହେଲେ ଏନ୍‌ଇଇଟି-୨୦୨୪ ପରୀକ୍ଷାର ପେପର ଲିକ୍‌ର ଅସଲ ଅପରାଧୀ ସବୁ କୁଆଡ଼େ ଗଲେ। ଏହି ଘଟଣାରୁ ଦେଶରେ ପରୀକ୍ଷା କେଳେଙ୍କାରୀର ଚେର କେତେ ଗଭୀରରେ ରହିଛି ଏବଂ କେତେ ଶକ୍ତିଶାଳୀ ତାହା ପୁଣିଥରେ ପ୍ରମାଣିତ ହୋଇଛି। ପ୍ରଧାନମନ୍ତ୍ରୀ ପେପର ଲିକ୍‌ ରୋକିବା ପାଇଁ ଯେଉଁ ବିଲ୍‌ ଓ ଫାଷ୍ଟଟ୍ରାକ୍‌ କୋର୍ଟ କରିବା କଥା କହିଛନ୍ତି ତାହା କେବଳ ପିଲାଙ୍କ ମନ ବୁଝାଇବା ଭଳି ହୋଇଛି। କାରଣ ତାଙ୍କ ସରକାର ହିଁ ଏ ସଂକ୍ରାନ୍ତରେ ଏକ ଆଇନ ୨୦୨୪ରେ ପ୍ରଣୟନ କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ତା’ଦ୍ୱାରା ଜଣେ ବି ଅପରାଧୀ ଦଣ୍ଡିତ ହୋଇନାହାନ୍ତି। ବର୍ତ୍ତମାନ ସେଥିରେ କେବଳ ଦଣ୍ଡର ପରିମାଣକୁ ବୃଦ୍ଧି କରି ନୂତନ ବିଲ୍‌ ଅଣାଯାଉଛି। ଆଇନକୁ କେବଳ କଠୋର କିମ୍ବା ଫାଷ୍ଟଟ୍ରାକ୍‌ କୋର୍ଟ କରିଦେଲେ ଅପରାଧଙ୍କୁ ଦଣ୍ଡ ମିଳିବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ;ଯାହା ସଞ୍ଜୀବ ମୁଖିଆଙ୍କ ଖଲାସରୁ ସ୍ପଷ୍ଟ ପ୍ରମାଣିତ ହେଉଛି।
ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ର ଏହା ପ୍ରଥମ କିମ୍ବା ଶେଷ ଘଟଣା ନୁହେଁ। ପୂର୍ବରୁ ଅନ୍ୟ ସରକାରଙ୍କ ସମୟରେ ଦେଶରେ ବିଭିନ୍ନ ରାଜ୍ୟରେ ପେପର ଲିକ୍‌ ହେଉଥିଲା। କିନ୍ତୁ ତାହା କାଁ ଭାଁ ହେଉଥିଲା, ଆଜି ପରି ଏତେ ବ୍ୟାପକ ନ ଥିଲା। କିନ୍ତୁ ଏହି ସରକାର ସମୟରେ ଏଭଳି ଘଟଣାରେ କେବଳ ଲଗାତର ବୃଦ୍ଧି ଘଟିନି ବରଂ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି। ଏନ୍‌ଟିଟି, ସିୟୁଇଟି, ସିବିଏସ୍‌ଇ, କ୍ଳାଟ୍‌ ପରି ପରୀକ୍ଷାଗୁଡ଼ିକରେ ଲଗାତର ଦୁର୍ନୀତି ଓ ପେପର ଲିକ୍‌ ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି। ଗୋଟିଏ ହେଉଛି ଉତ୍ତରଦାୟିତ୍ୱର ଅଭାବ ଏବଂ ଅନ୍ୟଟି ପରୀକ୍ଷା ପଦ୍ଧତିର ଘରୋଇକରଣ। ଭାଜପା ସରକାର ଆଣିଥିବା ନୂତନ ଶିକ୍ଷାନୀତି ମଧ୍ୟ ଶିକ୍ଷାର ଏହି ଘରୋଇକରଣକୁ ଖୋଲାଖୋଲି ପ୍ରୋତ୍ସାହିତ କରୁଛି। ଏହା ଅନ୍ତର୍ଗତ ପରୀକ୍ଷା ପରିଚାଳନାକୁ କେନ୍ଦ୍ରୀକୃତ କରି ଏନ୍‌ଟିଏ ଗଠନ କରାଯାଇଛି ଏବଂ ତାହା ଜରିଆରେ ଦେଶର ପରୀକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଘରୋଇ ଆଉଟ୍‌ସୋର୍ସିଂ କମ୍ପାନୀଗୁଡ଼ିକ ହାତରେ ଟେକି ଦେଇଛନ୍ତି। ଏପରିକି ପ୍ରତିବର୍ଷ ୨୭୦ରୁ ଊର୍ଦ୍ଧ୍ୱ ପରୀକ୍ଷା ପରିଚାଳନା କରୁଥିବା ଏନ୍‌ଟିଏରେ ମାତ୍ର ୨୪ ଜଣ ନିୟମିତ କର୍ମଚାରୀ ଥିବା ବେଳେ ବିଭିନ୍ନ ଘରୋଇ ସଂସ୍ଥା ଦ୍ୱାରା ନିୟୋଜିତ ୧୯୭ ଜଣ ଆଉଟସୋର୍ସିଂ କର୍ମଚାରୀ ଅଛନ୍ତି। ଯଦିଓ ସରକାରୀ ପରୀକ୍ଷା ବୋଲି କୁହାଯାଉଛି, କିନ୍ତୁ ସମ୍ପୂର୍ଣ୍ଣ ପରୀକ୍ଷା ପରିଚାଳନା ଅର୍ଥାତ୍‌ ପରୀକ୍ଷାର ପ୍ରଶ୍ନପତ୍ର ତିଆରି କରିବାଠାରୁ ଆରମ୍ଭ କରି ତାକୁ ଛାପିବା, ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା, ମୂଲ୍ୟାୟନ, ପରୀକ୍ଷଫଳ ବାହାର କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଅନେକ ଘରୋଇ ସଂସ୍ଥାଙ୍କ ଦୟାରେ ଛାଡ଼ି ଦିଆଯାଇଛି। ସରକାର ଜାଣିବା ଦରକାର ଯେ ପରୀକ୍ଷା କୌଣସି ଲାଭଜନକ ବ୍ୟବସାୟ ନୁହେଁ। ଏହା ଗୋଟେ ମଣିଷର ଜୀବନ ଗଢ଼ିବାର ମାଧ୍ୟମ। ଅନ୍ୟପଟେ ଘରୋଇ ସଂସ୍ଥାଙ୍କ ପାଇଁ ପରୀକ୍ଷା ହେଉଛି ଏକ ଲାଭ ପାଇବାର ମାଧ୍ୟମ। ତେଣୁ ସେସବୁ ସଂସ୍ଥାଗୁଡ଼ିକ ପ୍ରଶ୍ନପତ୍ର ଚୋରି ର଼୍ୟାକେଟ୍‌ର ଅଂଶବିଶେଷ ହେବା ସହଜ। ଏଭଳି ଏକ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ବିଫଳ ହେବା ସ୍ବାଭାବିକ ଥିଲା।
ମୋ: ୯୪୩୭୧୬୬୩୯୧

Odisha’s No.1 Odia Daily