ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁ ହେଲେ ବି ଓଡ଼ିଶା ଉପରେ ଦେଖାଇବ ପ୍ରଭାବ, ଆଜି ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର, ୧୬ା୧୧ (ବନ୍ଦନା ସେଠୀ): ପୁଣି ଘାରିଲା ବାତ୍ୟା ଭୟ। ଇତିମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହୋଇ ରବିବାର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ସୋମବାର ବାତ୍ୟା ‘ଅକ୍ୱାନ’ ସୃଷ୍ଟିହେବ। ପରବର୍ତ୍ତୀ ସମୟରେ ଆହୁରି ଶକ୍ତିଶାଳୀ ହୋଇ ୧୭ ତାରିଖ ମଙ୍ଗଳବାର ବେଳକୁ ଭୀଷଣ ଓ ପରବର୍ତ୍ତୀ ୨ଦିନ ମଧ୍ୟରେ ଅର୍ଥାତ୍‌ ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେବ। ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ସର୍ବାଧିକ ୧୪୫ କି.ମି. ରହିବ। ଅତି ଭୀଷଣ ବାତ୍ୟା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆନ୍ଧ୍ରପ୍ରଦେଶ ଉପକୂଳ ମୁହଁା ହେବା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ସିଷ୍ଟମର ଗତିପଥ ସ୍ପଷ୍ଟ ହେବା ପରେ ହିଁ ପ୍ରକୃତ ସ୍ଥଳଭାଗ ଏବଂ ପ୍ରଭାବ କେଉଁଠି କେତେ ରହିବ, ସେନେଇ ଠିକ୍‌ ଆକଳନ କରାଯାଇପାରିବ। ତେବେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁ ହେଲେ ବି ଓଡ଼ିଶା ଉପରେ ପ୍ରଭାବ ଦେଖାଇବ। ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା, ପବନ ହେବ। ୧୮ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ ଜିଲାରେ ଝଡ଼ବର୍ଷା ସହ ୪୦ ରୁ ୫୦ କି.ମି. ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ୧୯ରୁ ରାଜ୍ୟରେ ବର୍ଷା ଓ ପବନର ପରିମାଣ ବଢ଼ିବା ସହ ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୫୦ ରୁ ୬୦ କି.ମି. ବେଗରେ ପବନ ବହିବା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି।

ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାକୁ ଝଡ଼ବର୍ଷା ସହ ସର୍ବାଧିକ ୬୦ କି.ମି. ବେଗରେ ପବନ ବହିବା ନେଇ ଓ୍ବାର୍ନିଂ ଦିଆଯାଇଛି। ୨୦ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ସର୍ବାଧିକ ୬୦ କି.ମି. ପର୍ଯ୍ୟନ୍ତ ଝଟ୍‌କା ପବନ ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଏବଂ ବଲାଙ୍ଗୀରକୁ ପ୍ରବଳ ବର୍ଷା ପବନ ପାଇଁ ୟେଲୋ ଓ୍ବାର୍ନିଂ ରହିଛି। ସେହିପରି ୨୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ଏବଂ ଅନ୍ୟ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Dharitri – Odisha’s No.1 Odia Daily

Share