ବରଗଡ଼,୨୫।୬(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରି ଟୋକନ ପାଇବାରୁ ବଞ୍ଚିତ ହେବା ପରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗ୍ରାମର ଯୁବଚାଷୀ ଗୋପାଳକୃଷ୍ଣ ସାହୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଟୋକନ ପାଇ ନଥିବା ଯୋଗୁ ସେ ଧାନବିକ୍ରିରୁ ବଞ୍ଚିତ ହୋଇଥିବା ଏବଂ ଧାର କରଜ କରି ମା’ ଚିନିପାନିଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ୫୦ହଜାର ଟଙ୍କା ମଧ୍ୟ ପରିଶୋଧ କରି ପାରି ନଥିବା ଗୋପାଳକୃଷ୍ଣ ଇଚ୍ଛାମୃତ୍ୟୁ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ତାଙ୍କ ଧାନ ବିକ୍ରିବଟା ପାଇଁ କିଛି ଠୋସ୍ ପ୍ରତିଶୃତି ମିଳି ନଥିବାବେଳେ ଗୋପାଳକୃଷ୍ଣଙ୍କ ମା’ଙ୍କ ଅସୁସ୍ଥତା ଓ ଚିକିତ୍ସା ପାଇଁ ଆର୍ଥିକ ଅଭାବକୁ ଦୃଷ୍ଟିରେ ରଖି ବରଗଡ଼ ଜିଲା ପ୍ରଶାସନ ଗୋପାଳକୃଷ୍ଣଙ୍କ ପରିବାରକୁ ଜିଲା ରେଡ଼କ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ସହାୟତା ରାଶିର ଏକ ଚେକ୍ ପ୍ରଦାନ କରିଛନ୍ତି । ଗୋପାଳକୃଷ୍ଣଙ୍କ ଆବେଦନରେ ଉଲ୍ଲେଖ ଥିବା ମା’ଙ୍କ ଅସୁସ୍ଥତାକୁ ଗମ୍ଭୀରତାର ସହ ନେଇ ପ୍ରଶାସନ ପକ୍ଷରୁ ମାନବିକତା ଦୃଷ୍ଟିକୋଣରୁ ଏବଂ ବୃଦ୍ଧାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏହି ତତ୍କାଳ ସରକାରୀ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି ।
ଜିଲାପାଳ ଆଦିତ୍ୟ ଗୋୟଲଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ତହସିଲଦାର ମାନସ ରଞ୍ଜନ ପଣ୍ଡା ଗୋପାଳକୃଷ୍ଣଙ୍କ ବାସଭବନରେ ପହଞ୍ଚି ଅସୁସ୍ଥ ବୃଦ୍ଧା ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ଚେକ୍ ପ୍ରଦାନ କରିଥିଲେ । ସହାୟତା ରାଶି ପ୍ରଦାନ ସମୟରେ ପଦ୍ମପୁରର ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ଏବଂ ଗୋପାଳକୃଷ୍ଣଙ୍କ ମା’ଙ୍କୁ ସହାୟତା ଚେକ୍ ପ୍ରଦାନ କରାଯାଇଥିଲା । ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେକୌଣସି ଅଭାବୀ ରୋଗାକ୍ରାନ୍ତ ନାଗରିକଙ୍କୁ ଜୀବନରକ୍ଷାକାରୀ ସହାୟତା ଯୋଗାଇଦେବା ପ୍ରଶାସନର ଦାୟିତ୍ୱ ଏବଂ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଭାବେ ଅସୁସ୍ଥ ମହିଳାଙ୍କ ଚିକିତ୍ସା ସହାୟତା ନିମନ୍ତେ ହିଁ ଉଦ୍ଦିଷ୍ଟ ।ଏଥିସହିତ ପରିବାରର ଧାନ ବିକ୍ରି ସମ୍ବନ୍ଧୀୟ ଅନ୍ୟ କୌଣସି ସମସ୍ୟା ପ୍ରଶାସନିକ ନିୟମାନୁସାରେ ତୁରନ୍ତ ତଦନ୍ତ କରାଯାଇ ଉପଯୁକ୍ତ ସମାଧାନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ଗୁରୁବାର ସେ ଏବଂ ଟୋକନ ପାଇବାରୁ ବଞ୍ଚିତ ଗ୍ରାମର ଅନ୍ୟ ଚାଷୀମାନେ ମେଲଛାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିକୁ ଯାଇଥିଲେ ଏବଂ ସମିତି ସମ୍ପାଦକଙ୍କୁ ଭେଟି ଟୋକନ ପ୍ରଦାନ ପାଇଁ ଯଦି କିଛି ସନ୍ଦେହ ରହିଛି, କ୍ଷେତ୍ର ପରିଦର୍ଶନ ସହିତ ଯାଞ୍ଚ କରି ତ୍ୱରିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ବୋଲି ଗୋପାଳକୃଷ୍ଣ କହିଛନ୍ତି। ତେବେ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ସେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସହିତ ଆବେଦନ କରିଥିବା ସତ୍ତ୍ୱେ କାହିଁକି ତାଙ୍କୁ ଧାନବିକ୍ରି ଟୋକନ ମିଳି ନାହିଁ, ସେ ମଧ୍ୟ ଜାଣି ପାରୁ ନାହାନ୍ତି ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପଚାରିଲେ ମଧ୍ୟ ସେ ନେଇ କିଛି ସ୍ପଷ୍ଟ କରୁ ନାହାନ୍ତି ବୋଲି ଗୋପାଳକୃଷ୍ଣ କହିଛନ୍ତି ।