Categories: ଖେଳ

ୟୁରୋପିଆନ ଚାମ୍ପିୟନଶିପ୍‌: ଭାରତୀୟ ଶୁଟରଙ୍କ ଦମ୍‌ଦାର ପ୍ରଦର୍ଶନ

ଓସିଜେକ୍‌(କ୍ରୋଏସିଆ), ୨୭।୫: ଏଠାରେ ଚାଲିଥିବା ୟୁରୋପିଆନ ଚାମ୍ପିୟନଶିପ୍‌ରେ ତାରକା ଶୁଟର ସୌରଭ ଚୌଧୁରୀଙ୍କ ନେତୃତ୍ୱରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଶୁଟରମାନେ ମିକ୍ସଡ ଏୟାର ପିସ୍ତଲ ଓ ଏୟାର ରାଇଫଲ ଇଭେଣ୍ଟରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି।
ମିନିମମ୍‌ କ୍ୱାଲିଫାଇଂ ସେକ୍‌ସନ (ଏମ୍‌କ୍ୟୁଏସ୍‌)ରେ ଗେଷ୍ଟ ଶୁଟରଭାବେ ଅଂଶଗ୍ରହଣ କରି ଏଲାଭେନିଲ ଭାଲାରିଭାନ ଓ ଦିବ୍ୟାଂଶ ସିଂ ପାନଓ୍ବାର ପ୍ରଥମ କ୍ୱାଲିଫାଇଂ ରାଉଣ୍ଡରେ ୬୩୦.୬ ପଏଣ୍ଟ ସ୍କୋର କରିଥିଲେ। ୫୧ଟି ଯୋଡି ମଧ୍ୟରୁ ଏହି ଭାରତୀୟ ଯୋଡି ଦ୍ୱିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ଜାଏନେଟ ଡଉଏଷ୍ଟାଡ୍‌ ଓ ହେନେରିକ ଲାର୍ସନଙ୍କୁ ନେଇ ଗଠିତ ନରଓ୍ବେ ଯୋଡି ୬୩୨.୦ ସ୍କୋର କରି ଶୀର୍ଷରେ ରହିଥିଲେ।
ଏହାପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସ ଟିମ୍‌ ଇଭେଣ୍ଟରେ ଭାରତର ମନୁ ଭାକର ଓ ସୌରଭ ଚୌଧୁରୀ ମଧ୍ୟ ୪୩ଟି ଯୋଡି ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହି ଭାରତୀୟ ଯୋଡି ୬୦୦ରୁ ୫୮୦ ସ୍କୋର କରି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏଥିରେ ରୁଷିଆର ଭିଟାଲିନା ବାଟସରଶକିନା ଓ ଅର୍ଟେମ ଚେରନୋଉଶୋଭ ୫୮୩ ପଏଣ୍ଟ ସ୍କୋର କରି ଶୀର୍ଷରେ ରହିଥିଲେ।
ସେହିପରି ଇଲାଭେନିଲ ଓ ଦିବ୍ୟାଂଶ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇ ୩୦- ଶଟ ରାଉଣ୍ଡରେ ଯଥାକ୍ରମେ ୩୧୫.୮ ଓ ୩୧୪.୮ ସ୍କୋର କରିଥିଲେ। ଚୌଧୁରୀ ସମସ୍ତଙ୍କଠାରୁ ଆଗରେ ରହିଥିଲେ। ୩୦୦ରୁ ସେ ୨୯୪ ପଏଣ୍ଟ ସ୍କୋର କରିଥିଲେ। ସେହିପରି ଭାକର ୨୮୬ ସ୍କୋର କରିଥିବା ବେଳେ ରୁଷିଆର ଚେରନୌଶୋଭ ୨୯୫ ସ୍କୋରକରି ଚୌଧୁରୀଙ୍କ ଉପରେ ରହିଥିଲେ।
ଅଞ୍ଜୁମ ମୋଡଗିଲ୍‌ ଓ ଦୀପକ କୁମାରଙ୍କୁ ନେଇ ଗଠିତ ଭାରତୀୟ ମିକ୍ସଡ ଟିମ୍‌ ରାଇଫଲ ଇଭେଣ୍ଟ ୬୨୨.୨ ସ୍କୋର କରି ୩୮ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ତେବେ ଏମ୍‌କ୍ୟୁଏମ୍‌ ସେକ୍‌ସନରେ ଅଂଶଗ୍ରହଣ କରିଥିବା ୫ ଯୋଡିଙ୍କ ମଧ୍ୟରୁ ଏହି ଭାରତୀୟ ଯୋଡି ତୃତୀୟ ସ୍ଥାନରେ ରହିଥିଲେ। ଯଶସ୍ବିନୀ ସିଂ ଦେସ୍‌ଓ୍ବାଲ ଓ ଅଭିଷେକ ବର୍ମାଙ୍କୁ ନେଇ ଗଠିତ ଭାରତୀୟ ମିକ୍ସଡ ଟିମ୍‌ ପିସ୍ତଲ ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ୫୭୫ ସ୍କୋର କରି ମୋଟ ଉପରେ ନବମ ସ୍ଥାନରେ ରହିଥିଲେ। ତେବେ ତୁର୍କୀର ଯୋଡି ଗୋଟିଏ ପଏଣ୍ଟ ଅଧିକ ପାଇ ୫୭୬ ସହ ଶୀର୍ଷରେ ରହିଥିଲେ।

Share