ମାନବ ବ୍ୟଥାର ଚିରପୂଜାରିଣୀ

ନନ୍ଦିନୀ ଶତପଥୀଙ୍କ ଜନ୍ମ ୯ ଜୁନ୍‌ ୧୯୩୧ରେ। ୯୪ ବର୍ଷ ତଳର କଥା । ବାପା ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ଯେଉଁଦିନ ତାଙ୍କର କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ର ଲେଖା ସାରିଥିଲେ, ସେହିଦିନ ପୃଥିବୀର ମାଟି ଛୁଇଁଥିଲେ ନନ୍ଦିନୀ। ଅକ୍ଷର-ଯଜ୍ଞ ଭିତରୁ ସତେ ଯେପରି ଭାରତୀୟ ରାଜନୀତିର ଏହି ଯାଜ୍ଞସେନୀଙ୍କ ଜନ୍ମ। ପିଲାଟି ଦିନରୁ ସ୍ବାଧୀନଚେତା। ଦେଶ ଓ ଦଶର ଡାକରେ ସଦା ଅଧୀରା ଏହି ଜନନେତ୍ରୀ ତୃଣମୂଳ ସ୍ତରରୁ ଉଠିଉଠି ମାତ୍ର ୩୧ ବର୍ଷ ବୟସରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଓ ୧୯୬୬ରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ତଥ୍ୟ ଓ ବେତାର ବିଭାଗର ଉପମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଦୁଇଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ। ପ୍ରଥମଥର ୧୪ ଜୁନ୍‌ ୧୯୭୨ରୁ ୩ ମାର୍ଚ୍ଚ ୧୯୭୩ ଓ ଦ୍ୱିତୀୟ ଥର ୬ ମାର୍ଚ୍ଚ ୧୯୭୪ରୁ ୧୬ ଡିସେମ୍ବର ୧୯୭୬। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଶାସନକାଳ ଖୁବ୍‌ ଦୀର୍ଘ ଅବଧିର ନୁହେଁ। ତାହା ପୁଣି ଓଡ଼ିଶା ରାଜନୀତିର ଝନ୍‌ଜାକ୍ଷୁବ୍‌ଧ କାଳଖଣ୍ଡର। ଅର୍ଦ୍ଧଶତାବ୍ଦୀ ହୋଇଗଲାଣି ରାଜ୍ୟର ଶାସନଗାଦିରୁ ସେ ଓହ୍ଲେଇଯିବାର, ହେଲେ ରାଜ୍ୟ ବା ଦେଶର ଶାସନ କଥା ଉଠିବା ମାତ୍ରେ ବାରମ୍ବାର ଲୋକଙ୍କ ମନକୁ ହିଁ ଆସେ ନନ୍ଦିନୀଙ୍କ ସ୍ମୃତି।
ଏହାର ଉତ୍ତର ହେଉଛି ନନ୍ଦିନୀ ଦେବୀ ଭାରତୀୟ ରାଜନୀତିରେ ଶୂନ୍ୟଚାରିଣୀ ନ ଥିଲେ, ଥିଲେ ଭୂମିଚାରିଣୀ। ଯେକୌଣସି ସମସ୍ୟା ହେଉ, ସେ ତା’ର ମୂଳକୁ ଯାଇ ସମାଧାନର ପନ୍ଥା ନିରୂପଣ କରୁଥିଲେ। ନିପଟ ମଫସଲର ଛୋଟଛୋଟ ଚାଷୀ, ଘରକୋଣରେ କର୍ମକୁ ଆଦରି ପଡ଼ିଥିବା ନାରୀ, ବେରୋଜଗାରି ଯୁବକ- ସମସ୍ତଙ୍କ ହୃଦୟର ବ୍ୟଥା ତାଙ୍କୁ ସଦା ବ୍ୟଥିତ କରୁଥିଲା। କଥାର ନୁହେଁ, ସେ ଥିଲେ କାମର ନେତ୍ରୀ। ଶାସନ ବ୍ୟବସ୍ଥାରେ ଯେଉଁ ପ୍ରାବଧାନମାନ ସେ ତିଆରି କରିଥିଲେ, ଗଣିବସିଲେ ତାହା ସରିବ ନାହିଁ। ଭିଟାମାଟି ନ ଥିବା ଲୋକଙ୍କୁ ଘରଡିହ ଦେବା, ସମବାୟ ସଂସ୍ଥା ମାଧ୍ୟମରେ ନାମମାତ୍ର ଚାଷୀଙ୍କୁ ଋଣ ଯୋଗାଇଦେବା, ଖଣ୍ଡଖଣ୍ଡ ହେଇ ଏଠିସେଠି ପଡ଼ିଥିବା ଓ ସଶକ୍ତ କୃଷିର ଅନୁପଯୋଗୀ ଚାଷଜମିକୁ ଚକବନ୍ଦୀ କାର୍ଯ୍ୟକ୍ରମ ଦ୍ୱାରା ବ୍ୟବସ୍ଥିତ କରିବା, ରେଙ୍ଗାଲି ଓ ଅପରକୋଲାବ ଭଳି ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରି ଚାଷୀଙ୍କୁ ପର୍ଯ୍ୟାପ୍ତ ଜଳସେଚନର ସୁବିଧା ଯୋଗାଇବା, ବୁଢ଼ାବୁଢ଼ୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦେବା, ଗାଁ ମହାଜନକୁ ସୁଧ ଗଣିଗଣି ନୟାନ୍ତ ଲୋକଙ୍କ ନିମନ୍ତେ ମହାଜନି କାରବାର ବନ୍ଦ ପାଇଁ ଆଇନ ଆଣିବା, ବେସରକାରୀ ସ୍କୁଲ ଓ କଲେଜ ଶିକ୍ଷକଙ୍କୁ ପ୍ରତ୍ୟକ୍ଷଭାବେ ସରକାରୀ ବେତନ ହାରରେ ଦରମା ପ୍ରଦାନ କରିବା, ମୁନାଫାଖୋର ଦଲାଲଙ୍କ ଦାଉରୁ କେନ୍ଦୁପତ୍ର ତୋଳାଳିଙ୍କୁ ସୁରକ୍ଷା ଦେବାକୁ କେନ୍ଦୁପତ୍ର ଜାତୀୟକରଣ କରିବା, ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ଦେବା, ସିଲିଂ ବହିର୍ଭୂତ ଜମିକୁ ଭୂମିହୀନଙ୍କ ମଧ୍ୟରେ ବାଣ୍ଟିବା ଆଦି ଯେଉଁ ଦିଗକୁ ଆଖି ପକାଇଲେ ବି ନନ୍ଦିନୀ ହିଁ ଓଡ଼ିଶା ରାଜନୀତିରେ ଡେଙ୍ଗା ହୋଇ ଦୃଶ୍ୟମାନ ହୁଅନ୍ତି। ଅକଳରେ ପଡ଼ିଥିବା ଆଦିବାସୀଙ୍କଠାରୁ ସବର୍ଣ୍ଣମାନେ ଜମି ହଡ଼ପ କରୁଥିଲେ। ନିୟମ ପ୍ରଣୀତ ହେଲା ଆଦିବାସୀଙ୍କ ଜମିକୁ ସବର୍ଣ୍ଣମାନେ କିଣିପାରିବେ ନାହିଁ। ଯୌତୁକ ନିଆଁରେ ଜଳି ଯାଉଥିଲା ଅଗଣିତ ଯୁବତୀଙ୍କ ଯୌବନ ଓ ଜୀବନ। ଯୌତୁକ ନିରୋଧ ଆଇନ ପ୍ରଣୀତ ହୋଇ ଏଥିରେ ଲାଗିଲା ପ୍ରତ୍ୟାଶିତ ବିରାମ।
ରାଜନୀତି ଓ ଶାସନର ବଡ଼ ଆଖିକୁ ଦିଶୁ ନ ଥିବା ଜନତାର ନିଭୃତ ଲୁହ, କାନକୁ ଶୁଭୁ ନ ଥିବା ଉପାୟହରା ମଣିଷର ଦୀର୍ଘଶ୍ୱାସ ଯଦି ପ୍ରତିକାରର ପନ୍ଥା ଲଭିଥାଏ, ତେବେ ଉପର ଉଦାହରଣ ହେଉଛି ତା’ର ପ୍ରମାଣ। ବଡ଼ ବଡ଼ ବାରଚାଉଳିଆ ଯୋଜନା ଅପେକ୍ଷା ସମସ୍ୟାର ସାନ ସାନ ପ୍ରତିକାର ଯେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାର ଅନ୍ତ ଘଟାଇବ- ନନ୍ଦିନୀ ଦେବୀ ତାହା ବୁଝିଥିଲେ। ଓଡ଼ିଶାର ଯୁଆଡ଼କୁ ଆମେ ଅନାଇବା ଆଖିରେ ପଡ଼ିବ ନନ୍ଦିନୀଙ୍କ ଦୂରଦୃଷ୍ଟିସମ୍ପନ୍ନ ରାଜକୀର୍ତ୍ତି। ଗୋପାଳପୁରର ଇଣ୍ଡିଆନ୍‌ ରେୟାର୍‌ ଆର୍ଟ କମ୍ପ୍ଲେକ୍ସ, ତାଳଚେର ଓ ପାରାଦୀପର ସାର କାରଖାନା, ରାଉରକେଲାର ଏସିଆଟିକ୍‌ ଅକ୍ସିଜେନ୍‌ କାରଖାନା (ବିଗତ ମହାମାରୀ କରୋନା ସମୟରେ ଯାହା ନିଜର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇ ସାରା ଦେଶକୁ ଅକ୍ସିଜେନ୍‌ ଯୋଗାଇ ଥିଲା), ଢେଙ୍କାନାଳରେ କଳିଙ୍ଗ ଝୋଟ କାରଖାନା, ହସ୍ତଶିଳ୍ପ ଓ ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ‘ଉତ୍କଳିକା’ ନାମରେ ଭୁବନେଶ୍ୱର ଓ ଦିଲ୍ଲୀରେ ଆଧୁନିକ ବିପଣନ କେନ୍ଦ୍ର ପ୍ରତିଷ୍ଠା, ଭୁବନେଶ୍ୱରରେ କର୍ମଜୀବୀ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଆବାସନ ‘ନିବେଦିତା’ର ନିର୍ମାଣ, ଢେଙ୍କାନାଳ ଓ ଭୁବନେଶ୍ୱରରେ ଅନ୍ଧ ମୂକ ବଧିର ବିଦ୍ୟାଳୟ ପ୍ରତିଷ୍ଠା, ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ଭବନ ଓ କଟକରେ ଆକାଶବାଣୀ ଭବନ ନିର୍ମାଣ ହେଉଛି ଓଡ଼ିଶାକୁ ନନ୍ଦିନୀଙ୍କର ଅବଦାନ। ଭୁବନେଶ୍ୱରର ସୂଚନା ଭବନ (ଜୟଦେବ ଭବନ ଯାହାର ପରବର୍ତ୍ତୀ ନାମ) ଓ ଶ୍ରୀଅରବିନ୍ଦଙ୍କ ଦେହାବଶେଷ ସ୍ଥାପନ ପୂର୍ବକ ‘ମାତୃଭବନ’ ନିର୍ମାଣ ହିଁ ତାଙ୍କ ଉଦ୍ୟମର ଫଳଶ୍ରୁତି।
ନନ୍ଦିନୀଙ୍କ ପରେ ଓଡ଼ିଶାର ଶାସନଗାଦିକୁ କେତେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆସି ଗଲେଣି। କେତେକେତେ ଶିଳାନ୍ୟାସ ହୋଇ ଶିଳାନ୍ୟାସର ପଥରରେ ଘାସ ଚରିଗଲାଣି, କାହିଁ କେତେ ବା ଆଖିରେ ପଡ଼େ ନନ୍ଦିନୀଙ୍କୁ ଟପିବା ଭଳି ଉଦାହରଣ! ରାଜନୀତିରେ ବହୁ ନୂଆ ନୂଆ କଥା ତାଙ୍କରି ସମୟରେ ଆରମ୍ଭ ହୋଇଥିଲା। ବୀରେନ୍‌ ମିତ୍ରଙ୍କ ସହ କଟକ ନିର୍ବାଚନରେ ଲଢ଼ିବାବେଳେ ଘର ଘର ବୁଲି ନିର୍ବାଚନ ପ୍ରଚାରର ତରିକା ଓଡ଼ିଶା ରାଜନୀତିରେ ପ୍ରଥମେ ନନ୍ଦିନୀ ହିଁ ପ୍ରବର୍ତ୍ତନ କରିଥିଲେ। ଉତ୍ତରପ୍ରଦେଶର ଆରୋରା ଢାଞ୍ଚାରେ କଂଗ୍ରେସ କର୍ମୀଙ୍କ ପାଇଁ ତାଲିମ ଶିବିର ପ୍ରତିଷ୍ଠାର ମୂଳଦୁଆ ଓଡ଼ିଶାରେ ସେ ହିଁ ପକାଇଥିଲେ। ରାଜନେତ୍ରୀ ଭାବରେ ସେ ସବୁବେଳେ ଭୂମିଲଗ୍ନା ଥିଲେ। ଶିକ୍ଷା ତଥା ଚାକିରି କ୍ଷେତ୍ରରେ ଆଞ୍ଚଳିକବାଦର ସେ ଘୋର ବିରୋଧୀ ଥିଲେ। ଆଞ୍ଚଳିକ ବ୍ୟାଧିରେ ପୀଡ଼ିତ ଯୁବଶକ୍ତି କେବେ ବି ରାଜ୍ୟ ବା ଦେଶର ଉନ୍ନତ ସେବା କରିପାରିବ ନାହିଁ – ଏଥିରେ ତାଙ୍କର ବିଶ୍ୱାସ ଥିଲା। ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ବି ସେ ପସନ୍ଦ କରୁ ନ ଥିଲେ। କ୍ଷୁଦ୍ରତା କିପରି ମାନବିକତାକୁ ସଂକୀର୍ଣ୍ଣ କରିଦିଏ, ତାହା ସେ ମର୍ମେ ମର୍ମେ ଅନୁଭବ କରି ଏକ ମହାଭାରତୀୟ ଦେଶ ଭାବନା ପ୍ରତି ନିଜକୁ ଉତ୍ସର୍ଗ କରିଥିଲେ।
ନନ୍ଦିନୀ ଦେବୀ କେବେ ବି ଶୁଖିଲା ମନର ନେତ୍ରୀ ନ ଥିଲେ। ସେ ଥିଲେ ଏକାଧାରରେ କବି, କଥାଶିଳ୍ପୀ ଓ ସଙ୍ଗୀତାନୁରାଗିଣୀ। ଓଡ଼ିଶାର ପ୍ରଥମ ରଙ୍ଗିନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ ତାଙ୍କରି ଶାସନ କାଳରେ ନିର୍ମିତ ହୋଇଥିଲା। କଲିକତାର ଏଚ୍‌.ଏମ୍‌.ଭି. କମ୍ପାନୀ ଦ୍ୱାରା ସେ ଓଡ଼ିଶାର କାଳଜୟୀ ଭଜନ/ଜଣାଣର ରେକର୍ଡିଂ କରାଇଥିଲେ। ଲୋକପ୍ରିୟ କିମ୍ବଦନ୍ତୀର ପ୍ରଚାର ପ୍ରସାର ପାଇଁ ‘କଥାଗୀତି’ର ପ୍ରଚଳନ ତାଙ୍କରି ସାଂସ୍କୃତିକ ଆଗ୍ରହ ଯୋଗୁ ସାକାର ହୋଇଥିଲା। ଓଡ଼ିଶାର ରାଜକୋଷରେ ଆଜି ଅଚଳାଚଳ ଅର୍ଥ, ରାଜନୀତିରେ ହାଉଯାଉ ନେତା, କିନ୍ତୁ ନନ୍ଦିନୀଙ୍କ ଓଡ଼ିଶା ଆଜି ତାଙ୍କଠୁ ବା କେତେ ପାଦ ଦୂରରେ! ଦେଶ ଓ ଦଶ ପାଇଁ ଏତେସବୁ କରି ମଧ୍ୟ ନନ୍ଦିନୀ ଦେବୀ କେବେ ବି ନିଜ ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯିବାର ବାସନା ପୋଷଣ କରି ନ ଥିଲେ। ଏଇ ଅବସରରେ ନନ୍ଦିନୀ ଦେବୀଙ୍କର ଏକ ପ୍ରିୟ ଗୀତ ‘ଆମି ଚଲେ ଗେଲେ’ ମୋ ସ୍ମରଣକୁ ଆସୁଛି, ଯାହାର ଲେଖକ ବଙ୍ଗଳାର କିମ୍ବଦନ୍ତୀପ୍ରତିମ ଶ୍ୟାମଲ ଗୁପ୍ତ। ମନ ଭାଙ୍ଗିଥିଲେ ନନ୍ଦିନୀ ଦେବୀ ଏକାନ୍ତରେ ଏଇ ଗୀତଟିକୁ ଗୁଣୁଗୁଣାଉ ଥିଲେ, ଯାହାର ଏକ ଅଂଶ- ”ଆମି ଯେ ଶୁନେଛି ସୁଖେର ବାସରେ/ ଦୁଃଖେର ରାଗିଣୀ ହାହାକାର କରେ/ ଯେ ବ୍ୟଥା ମହାନ୍‌/ ତାରି ପାୟେ ଆମି ଜାନାୟେ ଗେଛି ପ୍ରଣାମ।“ ମାନବ ବ୍ୟଥାର ଚିରପୂଜାରିଣୀ ନନ୍ଦିନୀ ଦେବୀଙ୍କୁ ଆଜି ତାଙ୍କ ଶୁଭ ଜନ୍ମଦିନରେ ଶତ ସହସ୍ର ପ୍ରଣାମ!
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…

ଏଇ ଭାରତରେ

ଆଇଏଏସ୍‌ ଅଧିକାରୀ ଆର୍ମଷ୍ଟ୍ରଙ୍ଗ ପାମେ ମଣିପୁର ତାମେଙ୍ଗଲଙ୍ଗ ଜିଲାର ତୌସେମ୍‌ରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଭାବେ ୨୦୧୨ରେ ଯୋଗଦେବା ପରେ ନିଜେ ପାଣ୍ଠି ଯୋଗାଡ଼ କରି ଏକ ରାସ୍ତା…

ସିଭିଲ୍‌ ସର୍ଭିସ୍‌ କା ବିନାଶ

ସରକାର ଚଳାଉଥିବା ଭାଜପାର ନାରା ହେଉଛି – ସବ୍‌କା ସାଥ୍‌ ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ୍‌ ଔର ସବ୍‌କା ପ୍ରୟାସ୍‌। ଏବେକାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ…

ଓଡ଼ିଶାରେ ଆଳୁ ପିଆଜ

ପିଲାଦିନରୁ ଯେବେଠାରୁ ମୋର ହେତୁ ପାଇଲା ସେବେଠାରୁ ମୁଁ ଗୋଟିଏ କଥା ଶୁଣି ଆସୁଛି ଯେ ଓଡ଼ିଶା ସର୍ବଦା ଆଳୁ ପିଆଜ ପାଇଁ ବାହାର ରାଜ୍ୟ ଉପରେ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri