Categories: ଖେଳ

ତୃତୀୟ ଅମ୍ପାୟରଙ୍କ ତ୍ରୁଟି: ପୁନଃ ଲାଗୁ ହେଲା ଇଂଲଣ୍ଡର ଡିଆରଏସ୍‌

ଚେନ୍ନାଇ,୧୪।୨(ପି.ଟି.): ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। ତୃତୀୟ ଅମ୍ପାୟର ଅନିଲ ଚୌଧୁରୀଙ୍କ ଏକ ତ୍ରୁଟି ଯୋଗୁ ବିବାଦ ସୃଷ୍ଟି ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ନିୟମ ଅନୁସାରେ ଭ୍ରମଣକାରୀ ଇଂଲଣ୍ଡର ଡିଆରଏସ୍‌କୁ ପୁନଃ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
ତୃତୀୟ ଅମ୍ପାୟରଙ୍କ ତ୍ରୁଟି ଯୋଗୁ ଇଂଲଣ୍ଡକୁ ଭାରତୀୟ ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଉଇକେଟ ମିଳି ନ ଥିଲା। କେବଳ ସେତିକି ନୁହେଁ ଇଂଲଣ୍ଡର ଡିଆରଏସ୍‌ ମଧ୍ୟ ଚାଲିଯାଇଥିଲା। ଭାରତୀୟ ଇନିଂସର ୭୫ତମ ଓଭରରେ ଜ୍ୟାକ ଲିଚ୍‌ଙ୍କ ଏକ ବଲ୍‌ ରାହାନେଙ୍କ ଗ୍ଲୋଭ୍ସରେ ବାଜି ଫରଓ୍ବାର୍ଡ ଶର୍ଟଲେଗ୍‌ରେ ଫିଲ୍ଡିଂ କରୁଥିବା ଓଲି ପୋପ୍‌ଙ୍କ ହାତକୁ ଯାଇଥିଲା। ଫିଲ୍ଡ ଅମ୍ପାୟର ଇଂଲଣ୍ଡ ଆବେଦନକୁ ଖାରଜ କରିଥିଲେ। ବଲ୍‌ ଷ୍ଟମ୍ପ ବାହାରକୁ ଯାଉଥିବାରୁ ଅନିଲ ଚୌଧୁରୀ ମଧ୍ୟ ଏହା ଏଲ୍‌ବିଡବ୍ଲ୍ୟୁ ନୁହଁ ବୋଲି ରିଭ୍ୟୁ ଖାରଜ କରିଥିଲେ। କିନ୍ତୁ ବ୍ୟାଟ୍‌ରେ ନୁହେଁ ଗ୍ଲୋଭ୍ସରେ ବଲ୍‌ ବାଜିଥିବାରୁ ଇଂଲଣ୍ଡ ଖେଳାଳି ପ୍ରକୃତରେ କ୍ୟାଚ୍‌ ପାଇଁ ଅପିଲ କରିଥିଲେ। ଏହାକୁ ଅନିଲ ବୁଝିପାରି ନ ଥିଲେ।
ପଡିଆର ବଡ଼ ସ୍କ୍ରିନ୍‌ରେ ରି-ପ୍ଲେ ଦେଖି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ନିରାଶ ହେବା ସହ ଫିଲ୍ଡ ଅମ୍ପାୟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତୃତୀୟ ଅମ୍ପାୟର ଆବେଦନ ନାକଚ କରିବା ପରେ ଇଂଲଣ୍ଡ ରିଭ୍ୟୁ ହରାଇଥିଲା। କିନ୍ତୁ ତ୍ରୁଟିକୁ ଫିଲ୍ଡ ଅମ୍ପାୟର ହୃଦୟଙ୍ଗମ କରିଥିଲେ। ଫଳରେ ଆଇସିସି ନିୟମ ୩.୬.୮ ଅନୁସାରେ ଇଂଲଣ୍ଡର ରିଭ୍ୟୁକୁ ପୁନଃ ଲାଗୁ କରାଯାଇଥିଲା। କିନ୍ତୁ ଏହି ଘଟଣାର ୬ଟି ବଲ୍‌ ପରେ ରାହାନେ ଆଉଟ ହୋଇଥିଲେ। ୬୭ ରନ କରି ସେ ମୋଇନ ଅଲିଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

Share