ତ୍ରୁଟି ସଂଶୋଧନ

ତ୍ରୁଟି ଏକ କ୍ଷୁଦ୍ର ଶବ୍ଦ ହେଲେ ମଧ୍ୟ ଏହାର ଅର୍ଥ ବ୍ୟାପକ। ତ୍ରୁଟି ମଧ୍ୟରେ ଲୁକ୍କାୟିତ ରହିଛି ଆମ ଦୋଷ, ଦୁର୍ବଳତା ଓ ଅକ୍ଷମତା। ତ୍ରୁଟି ଆମକୁ ତର୍ଜମା କରିବାକୁ ଏକ ସୁଯୋଗ ପ୍ରଦାନ କରେ। ଆମେ ଚାହିଁଲେ ନିଜ ତ୍ରୁଟିକୁ ଲୁଚାଇ ମୁହଁ ଟାଣକରି ଯୁକ୍ତି ବାଢ଼ିପାରିବା ଆଉ ଚାହିଁଲେ ନତମସ୍ତକ ହୋଇ କ୍ଷମା ପ୍ରାର୍ଥନା। ଉଭୟ ଆମ ଉପରେ ନିର୍ଭର। ବିବେକୀ ଦାୟିତ୍ୱବାନ୍‌ ଲୋକଟି ନିଜ ଦୋଷତ୍ରୁଟି ଦେଖିଲେ ସଙ୍ଗେ ସଙ୍ଗେ ନୀରବି ଯାଏ ଆଉ ଅବିବେକୀ ଅଳସୁଆ ଲୋକଟି ପ୍ରମାଣ ମାଗିବା ସହିତ ଉଚ୍ଚ ସ୍ବରରେ ଯୁକ୍ତି ବାଢ଼େ। ଏ ଦୁନିଆରେ ସମ୍ପୂର୍ଣ୍ଣ ନିର୍ଭୁଲ ମଣିଷ ମିଳିବା ଆଦୌ ସମ୍ଭବ ନୁହେଁ କାରଣ ମଣିଷ ମାତ୍ରକେ ଭୁଲ୍‌। ତ୍ରୁଟିକୁ ସ୍ବୀକାର ସତ୍ୟତାର ମାର୍ଗ ଆଉ ତ୍ରୁଟି ଲୁଚାଇବା ମିଥ୍ୟାର ମାର୍ଗ। ପ୍ରତ୍ୟେକ ଘଟଣା ଦୁର୍ଘଟଣା ପଛରେ କିଛି ନା କିଛି ତ୍ରୁଟି ରହିଥାଏ। ସମୟ ପୂର୍ବରୁ ସଂଶୋଧନ କରିନେଲେ ବଡ଼ ବିପତ୍ତି ଟଳି ଯାଏ । ଅନେକ ସମୟରେ ଆମେ ଅଘଟଣା ପୂର୍ବର ଆଭାସ ପାଇ ସୁଦ୍ଧା ଅଣଦେଖା କରିଦେଉ ଆଉ ଏହାର ପରିଣାମ ଆଖି ସାମ୍ନାରେ ରୂପାନ୍ତରିତ ହୋଇଯାଏ ସ୍ବଳ୍ପ ସମୟରେ। ତ୍ରୁଟ୍ରିକୁ ଅବିଳମ୍ବେ ସ୍ବୀକାର କରୁଥିବା ବ୍ୟକ୍ତି ଦାୟିତ୍ୱବାନ୍‌ ଓ କର୍ତ୍ତବ୍ୟପରାୟଣର ପରିଚୟ ଦିଏ। ଭୁଲ୍‌ ହେବ ପୁଣି ଠିକ୍‌ କରାଯିବ। ଜୀବନର ଏହା ଏକ ନିରନ୍ତର ପ୍ରକ୍ରିୟା। ଆବଶ୍ୟକସ୍ଥଳେ ବଡ଼ ଗୁରୁଜନ ଓ ପୁରୁଖା ଲୋକଙ୍କ ପରାମର୍ଶ ଜରୁରୀ ହୁଏ। ଯେପରି ଆଗାମୀ ଦିନରେ ସେଇ ସମାନ ଭୁଲ୍‌ର ପୁନରାବୃତ୍ତି ନ ଘଟେ ସେଥି ଲାଗି ପ୍ରୟାସ କରିବାକୁ ହୁଏ। ନିଜ ତ୍ରୁଟିକୁ ଯିଏ ସ୍ବୀକାର କରେ ଓ ନିରାକରଣ କରେ ସେ ହୁଏ ସଫଳ ବ୍ୟକ୍ତିତ୍ୱର ଅଧିକାରୀ। ଯିଏ ପାଲଟା ଦୋଷ ଲଦେ ଆଉ ନିଜ ଦୋଷ ତ୍ରୁଟିକୁ ଘୋଡ଼ାଏ ସେ କଦାପି ଜୀବନରେ ସଫଳ ହୋଇ ପାରେନି। ନିଜ ତ୍ରୁଟିର ଅନ୍ୟ କେହି ନୁହେଁ ବରଂ ନିଜେ ହିଁ ଏହାର ସମାଧାନ ଦିଗରେ ଯତ୍ନବାନ୍‌ ହେବା ବଡ଼ କଥା। ମୂଳ କଥା ହେଲା ନିଜ ତ୍ରୁଟିରୁ ତୁମେ କ’ଣ ଶିକ୍ଷା ପ୍ରାପ୍ତ କଲ। ସେଇ ଶିକ୍ଷାରୁ ଆଗାମୀ କାଲି ପାଇଁ ଏକ ସହଜ, ସରଳ ଆଉ ସୁନ୍ଦର ସୂତ୍ର ମିଳିପାରିବ। ଏ ଦୁନିଆରେ ତିନି ପ୍ରକାର ଲୋକ ଅଛନ୍ତି। ଜଣେ ଯିଏ ବହୁ ବୁଝିଲାବାଲା, ଆଉ ଜଣେ ବୁଝିଲାବାଲା, ଆଉ ଜଣେ ଯିଏ ମୂର୍ଖ। ବହୁ ବୁଝିଲାବାଲା ଅନ୍ୟର ଦୋଷ ତ୍ରୁଟି ଦେଖି ନିଜକୁ ଆଗୁଆ ସଂଶୋଧନ କରେ, ଆଉ ବୁଝିଲାବାଲା ନିଜ ଭୁଲ୍‌ରୁ ଶିକ୍ଷା ପାଇ ଆଉ ନ ଦୋହରାଇବାକୁ ତତ୍ପର ହୁଏ। ଆଉ ଶେଷରେ ମୂର୍ଖ ଯିଏ ନା ନିଜ ଦୋଷ ତ୍ରୁଟିରୁ କିଛି ଶିଖେ ନା ଅନ୍ୟର। କେବଳ ଅବାନ୍ତର ଯୁକ୍ତିରେ ତା’ ସମୟ ବିତେ। ତ୍ରୁଟି ଆମ ଅଭିଜ୍ଞତାକୁ ବୃଦ୍ଧି କରିବାରେ ସହାୟ ହେବ ଏଥିଲାଗି ଲୋଡ଼ା କେବଳ ନିଜ ଦୋଷ ତ୍ରୁଟିକୁ ସ୍ବୀକାର କରିବାର ସତ୍‌ସାହସ। କିଏ କ’ଣ କହିଲା ନ କହିଲା ସେଆଡ଼େ କାନ ଡେରିବାର ନାହିଁ। ବଡ଼ବଡ଼ ସମସ୍ୟା ବି ସତ୍‌ ସାହସ ଆଗରେ ହାର୍‌ ମାନିଯିବ ଏଥିରେ ଆଦୌ ଦ୍ୱିମତ ନାହିଁ।
ଗୋଟେ ମନ୍ଦିରରେ ଜଣେ ବୟୋଜ୍ୟେଷ୍ଠ ପୂଜକ ଥିଲେ। ମନ୍ଦିରର ଦୈନନ୍ଦିନ ପୂଜାପାଠ ନୀତିକାନ୍ତି ନିୟମରେ ସେ ନିଷ୍ଠା ରଖୁଥିଲେ। ଏଣୁ ଭକ୍ତ ଓ ଆଖପାଖ ଲୋକଙ୍କର ତାଙ୍କ ପ୍ରତି ଗଭୀର ଆସ୍ଥା ବିଶ୍ୱାସ ଥିଲା। ବୟସ ବଢିବାରୁ ମନ୍ଦିର ଦାୟିତ୍ୱ ତୁଲାଇବା ତାଙ୍କ ପକ୍ଷେ କଷ୍ଟକର ହେଲା। ଏଣୁ ସେ ଜଣେ ଯୁବ ପୂଜକଙ୍କୁ ଦାୟିତ୍ୱ ଦେଇ ବିଶ୍ରାମ ନେବାକୁ ସ୍ଥିର କଲେ। ମନ୍ଦିରକୁ ମାତ୍ର ସ୍ବଳ୍ପ ସମୟ ପାଇଁ ଆସିଲେ। ଯୁବ ପୂଜକ ଖୁବ୍‌ ମନ ଲଗେଇ ସବୁ କାମ କଲେ। ନୂଆ ନୂଆ ଯୁବକଙ୍କ କାମ ଦେଖି ବୃଦ୍ଧ ପୂଜକ ବହୁତ ପ୍ରଶଂସା କଲେ ଆଉ ନିଶ୍ଚିତ ହେଲେ ସେ ଦାୟିତ୍ୱବାନ ଓ ସଚ୍ଚୋଟ ମଧ୍ୟ। ଏପଟେ ଯୁବ ପୂଜକ ସୁଯୋଗର ଅପବ୍ୟବହାର କରିବାକୁ ଲାଗିଲେ। ଧୂପ, ଫୁଲ, ଭୋଗ ସାମଗ୍ରୀ ମୂଲ୍ୟ ବଢ଼େଇ ଦେଲେ। ଦାନ ଦକ୍ଷିଣା ଆଡ଼କୁ ତାଙ୍କର ଖୁବ୍‌ ଧ୍ୟାନ ରହିଲା। ମନ୍ଦିରର ଯତ୍ନ ପରିଷ୍କାର ଆଗପରି ଆଉ ନିୟମିତ ହେଲା ନାହିଁ। ଧୀରେ ଧୀରେ ଠାକୁରଙ୍କ ନୀତିକାନ୍ତିରେ ବ୍ୟତିକ୍ରମ ଘଟିଲା। ଭକ୍ତ ଅସନ୍ତୁଷ୍ଟ ହେଉଥିଲେ ବି ମୁହଁ ଖୋଲିଲେ ନାହିଁ। ଦିନେ ଯୁବ ପୂଜକଙ୍କ ହାତଘଣ୍ଟା କେଉଁଠି ହଜିଗଲା। ଆଖପାଖ ଲୋକଙ୍କ ଉପରେ ମିଥ୍ୟା ଆକ୍ଷେପ କରି ଗାଳିମନ୍ଦ କଲେ। ବୃଦ୍ଧ ପୂଜକ ତାଙ୍କୁ ବୁଝାଇଲେ ଜିନିଷ ହଜିବାର ମୂଳ କାରଣ ତୁମ ଅସାବଧାନତା। ତ୍ରୁଟି ପ୍ରଥମେ ନିଜ ପାଖରୁ ଦେଖିବାକୁ ହୁଏ। ନିଜ ଦୋଷ ତ୍ରୁଟି ସୁଧାରେ ଆଉ ନିଜକୁ ବଦଳାଏ ଦେଖିବ ସବୁ ଠିକ୍‌ ହେବ। ବୃଦ୍ଧ ପୂଜକଙ୍କ ଉପଦେଶଗୁଡ଼ିକ ତାଙ୍କ ଉପରେ ଆଦୌ ପ୍ରଭାବ ପକାଇଲା ନାହିଁ। ସେ ତାଙ୍କର ଇଚ୍ଛାରେ କାମ କରୁଥାନ୍ତି। ଆଉ ଦିନେ ଯୁବ ପୂଜକଜଣଙ୍କ ମନ୍ଦିର ପାହଚ ଓହ୍ଲେଇଲା ବେଳେ ପାଦ ଖସିଗଲା ଆଉ ତାଙ୍କ ଗୋଡ଼ମାଡ଼ ହେଲା। ଡାକ୍ତର କହିଲେ ଗୋଡ଼ହାଡ଼ ଭାଙ୍ଗିଛି ପ୍ଲାଷ୍ଟର କରି ଗୋଟେ ମାସ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ହେବ। ବୃଦ୍ଧ ପୂଜକଙ୍କୁ ପୁନର୍ବାର ମନ୍ଦିର କାମରେ ଯୋଗ ଦେବାକୁ ପଡ଼ିଲା। କିଛିଦିନ ପରେ ଦିନେ ବୃଦ୍ଧ ପୂଜକ ଯୁବକଙ୍କ ହାଲଚାଲ ବୁଝିବାକୁ ତାଙ୍କ ଗୃହକୁ ଗଲେ। ଯୁବକ ଧୀରେ ଧୀରେ ସୁସ୍ଥ ହେଉଥିଲେ। ବୃଦ୍ଧ ପୂଜକ କହିଲେ ମୁଁ ଆଗରୁ କହିଥିଲି ଏବେ ବି କହୁଛି ତୁମ ନୀତି ନିୟମରେ କେଉଁଠି ତ୍ରୁଟି ରହିଛି। ଯାହା ଲାଗି ଆଜି ଏଭଳି ସମୟର ସାମ୍ନା ହେଲା। ତୁମ ଘଡ଼ି ହଜିବା ଆଉ ଆଜି ଏ ଅବସ୍ଥା ଏ ସବୁ ତୁମ ତ୍ରୁଟିର କାରଣ। ଭଗବାନ୍‌ଙ୍କୁ ଧନ୍ୟବାଦ ଦିଏ ଯେ ତୁମ ସହିତ ସେପରି କିଛି ବଡ଼ ଅଘଟଣ ଘଟି ନାହିଁ। ଯଥାଶୀଘ୍ର ନିଜକୁ ସଂଶୋଧନ କର ଆଉ ଆଗାମୀ କାଲି ପାଇଁ ପ୍ରସ୍ତୁତ ରୁହ। ମନୁଷ୍ୟ ପାଖରେ ବୁଦ୍ଧି, ଜ୍ଞାନ ଓ କ୍ଷମା ସାଇତା ହୋଇଥାଏ, ନିଜ ବିବେକକୁ ପଚାରି କର୍ମ କଲେ ପ୍ରମାଦ ନ ପଡ଼େ କେବେ। ଯୁବକ ଜଣଙ୍କ ନିଜ ଦୋଷ ତ୍ରୁଟିକୁ ସ୍ବୀକାର କଲେ ଆଉ ବୃଦ୍ଧ ପୂଜକଙ୍କ ନିକଟରେ କ୍ଷମାପ୍ରାର୍ଥନା କଲେ।
ମଙ୍ଗଳାବାଗ, ନିୟୋଗି କଲୋନି, କଟକ,
ମୋ: ୯୯୩୭୯୬୩୯୧୦


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri