ଉଦ୍ୟୋଗୀ ନେତୃତ୍ୱଧାରିଣୀ

ଭାରତରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ବା ଫିକି ଏକ ଶୀର୍ଷ ସଂସ୍ଥା ଭାବେ ପରିଚିତ। ଏହାର ମହିଳା ଶାଖା ଫିକି ଲେଡିଜ୍‌ ଅର୍ଗାନାଇଜେଶନ ବା ଏଫ୍‌ଏଲ୍‌ଓ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଦିଗରେ ଅନେକ ପଦକ୍ଷେପ ନେଉଛି। ୧୯୮୩ରେ ଏଫ୍‌ଏଲ୍‌ଓ ଗଢ଼ା ଯାଇଥିଲା। ମହିଳାମାନଙ୍କ ପାଇଁ ଏକ ସର୍ବଭାରତୀୟ ସଙ୍ଗଠନ ରୂପେ ଏହା ତାହାର ଉପସ୍ଥିତି ଦେଶର ୧୭ଟି ସ୍ଥାନ ଯଥା ଅହମଦାବାଦ, ବାଙ୍ଗାଲୋର, ଭୁବନେଶ୍ୱର, ଚେନ୍ନାଇ, କୋଏମ୍ବାଟୁର, ହାଇଦ୍ରାବାଦ, ଇନ୍ଦୋର, ଜୟପୁର, କୋଲକାତା, ଲକ୍ଷ୍ନୌ, କାନପୁର, ଲୁଧିଆନା, ମୁମ୍ବାଇ, ଉତ୍ତରପୂର୍ବାଞ୍ଚଳ, ପୁଣେ, ଅମୃତସର ଏବଂ ଉତ୍ତରାଖଣ୍ଡରେ ରହିଛି। ଏହାର ମୁଖ୍ୟାଳୟ ନୂଆଦିଲ୍ଲୀରେ ଅଛି। ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକ ବିକାଶ ସୃଷ୍ଟି କରିବା ଲକ୍ଷ୍ୟରେ ଗଢ଼ାଯାଇଥିବା ସଙ୍ଗଠନର ସଦସ୍ୟ ଭାବେ ଉଦ୍ୟୋଗୀ, ବୃତ୍ତିଧାରୀ ଏବଂ କର୍ପୋରେଟ୍‌ ଏକ୍‌ଜିକ୍ୟୁଟିଭ୍‌ ରହିଛନ୍ତି। ନିକଟରେ ଏହାର ୩୭ତମ ଜାତୀୟ ସଭାପତି ରୂପେ ଜାହ୍ନବୀ ଫୁକନ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି। ଔଦ୍ୟୋଗିକ ସାମର୍ଥ୍ୟ ମାଧ୍ୟମରେ ମହିଳା ସଶକ୍ତୀକରଣ ଦିଗରେ କାର୍ଯ୍ୟ କରିବେ ବୋଲି ଜାହ୍ନବୀ କହିଛନ୍ତି। ମହିଳାମାନେ କିଭଳି ନୂଆ ଆହ୍ବାନକୁ ସମ୍ମୁଖୀନ ହୋଇ ଆଗକୁ ଉଠିପାରିବେ, ସେହି ଦିଗରେ ଔଦ୍ୟୋଗିକ ନେତୃତ୍ୱ ନେଉଥିବା ଜାହ୍ନବୀଙ୍କ ବ୍ୟକ୍ତିତ୍ୱ ଏବେ ଯୁବ ମହିଳା ବର୍ଗଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ଜାହ୍ନବୀ କଲିକତା ବିଶ୍ୱବିଦ୍ୟଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଦିଲ୍ଲୀସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରୁ ସ୍ନାତକୋତ୍ତର କରିଥିଲେ। ଆମେରିକାର ଇଣ୍ଡିଆନା ୟୁନିଭର୍ସିଟିର ସେ ମଧ୍ୟ ପୁରାତନ ଛାତ୍ରୀ ଥିଲେ। ଉଚ୍ଚଶିକ୍ଷା ପରେ ଉଦ୍ୟୋଗୀ ହେବା ଲକ୍ଷ୍ୟରେ ସେ କ୍ୟାରିୟର ଗଢ଼ିଥିଲେ। ଫଳରେ ଜେଟିଆଇ ଗ୍ରୁପ୍‌ ଅଧୀନ ଜଙ୍ଗଲ ଟ୍ରାଭେଲ୍ସ ଇଣ୍ଡିଆ ଓ ଆସାମ ବେଙ୍ଗଲ ନାଭିଗେଶନ କମ୍ପାନୀରେ ସହ-ପ୍ରତିଷ୍ଠାତା ହୋଇଥିଲେ। ଏହିସବୁ କମ୍ପାନୀ ଭ୍ରମଣ ଓ ଅଭ୍ୟର୍ଥନା, ବଟିକ୍‌ ରିଭର କ୍ରୁଇଜିଂ, ସ୍ବତନ୍ତ୍ର ଯାତ୍ରା ଲାଗି ଏକ କ୍ଷୁଦ୍ର ଦଳର ବ୍ୟବସ୍ଥା, ଚା’ ଓ କପଡ଼ା ଉଦ୍ୟୋଗ ଜରିଆରେ କାର୍ଯ୍ୟ କରି ମହିଳା ସଶକ୍ତୀକରଣ ଦିଗରେ ନୂଆ ବାଟ ଦେଖାଇଚାଲିଛି। ସୂଚନା ଦିଆଯାଇପାରେ ଯେ, ଜେଟିଆଇ ଗ୍ରୁପ୍‌ ୧୯୮୯ରେ ଗଠନ କରାଯାଇ ଉତ୍ତର ପୂର୍ବାଞ୍ଚଳ ଜଙ୍ଗଲର ଅନାବିଷ୍କୃତ ଅଞ୍ଚଳ, ବନ୍ୟପ୍ରାଣୀ, ଘଞ୍ଚ ଜଙ୍ଗଲ ଏବଂ ବୃହତ୍‌ ଜଳାଶୟ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଚାଲିଛି। ତେବେ ୨୦୦୩ରେ ଆସାମ ବେଙ୍ଗଲ ନାଭିଗେଶନ କମ୍ପାନୀ (ଏବିଏନ୍‌) ପ୍ରତିଷ୍ଠା କରାଯାଇ ପର୍ଯ୍ୟଟନର ବିକାଶ ଲାଗି ନିରନ୍ତର ପ୍ରୟାସ କରିଆସୁଛି। ବିଶେଷକରି ବ୍ରହ୍ମପୁତ୍ର ଓ ଗଙ୍ଗା ନଦୀରେ ହାଉସ୍‌ ବୋଟ୍‌ ଚଳାଚଳ କରିବା, ରିଭର କ୍ରୁଜ୍‌ ଶିପ୍‌ ଭଳି ପର୍ଯ୍ୟଟନ ଦିଗରେ କାର୍ଯ୍ୟ କରୁଛି। ୨୦୦୭ରେ ଜାହ୍ନବୀ ଏଫଏଲ୍‌ଓ ଉତ୍ତର ପୂର୍ବାଞ୍ଚଳର ଚାପ୍ଟର କାର୍ଯ୍ୟାଳୟ ଖୋଲି ଉପ-ସଭାପତି ହୋଇଥିଲେ। ତାଙ୍କର ସେହି ସମୟର ନେତୃତ୍ୱ ବେଳେ ସେ ‘ଆଇକନିକ୍‌ ଆଓ୍ବାର୍ଡ ଅଫ୍‌ ନର୍ଥଇଷ୍ଟ’ ପ୍ରତିଷ୍ଠା କରିଥିଲେ। ଉତ୍ତର ପୂର୍ବାଞ୍ଚଳର ବିଭିନ୍ନ ବର୍ଗରେ ଉତ୍କର୍ଷଲାଭ କରିଥିବା ୫ ଜଣ ମହିଳା, ଯେଉଁମାନେ କି ଜୀବନକାଳ ମଧ୍ୟରେ କଠୋର ପରିଶ୍ରମ କରି ଆଗକୁ ଉଠିଛନ୍ତି ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।
ମହିଳାମାନଙ୍କ ଜୀବନ ଓ ଜୀବିକାରେ ଉନ୍ନତି ଆଣିବା ସକାଶେ ଜାହ୍ନବୀ ସର୍ବଦା କାମ କରିଚାଲିଛନ୍ତି। ଏମାନଙ୍କ ଲାଗି ଆର୍ଥିକ ସ୍ବଚ୍ଛଳତା, ନୀତି ଓ ବୈଧାନିକ ସ୍ତରରେ ନିଷ୍ପତ୍ତି, ସମାନତା ଏବଂ ଦକ୍ଷତା ବିକାଶ ଦିଗରେ କିଭଳି ପରିବର୍ତ୍ତନ ଅଣାଯାଇପାରେ ସେହି ଦିଗରେ ସେ ନିରନ୍ତର ପରୀକ୍ଷାନିରୀକ୍ଷା କରୁଛନ୍ତି। ଫଳରେ ଜାହ୍ନବୀ ୨୦୧୨ରୁ ସୂକ୍ଷ୍ମ, ମଧ୍ୟମ ଓ ଲଘୁ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ବୋର୍ଡ ଅଫ୍‌ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଣ୍ଟରପ୍ରିନ୍ୟୁୟରଶିପ୍‌ (ଆଇଆଇଇ)ରେ ସଦସ୍ୟ ରହିଆସିଛନ୍ତି। ଏବେ ଏଫ୍‌ଏଲ୍‌ଓର ୮,୦୦୦ ମହିଳା ସଦସ୍ୟଙ୍କ ପ୍ରତିନିଧି ଭାବେ ଜାହ୍ନବୀ ସେମାନଙ୍କ ଆର୍ଥିକ ସଶକ୍ତୀକରଣ ଓ ପ୍ରତି କ୍ଷେତ୍ରରେ ସମାନ ସୁଯୋଗ କିଭଳି ଅଣାଯାଇପାରିବ ସେଥିଲାଗି ସମ୍ଭାବ୍ୟ ଦିଗ ଉନ୍ମୋଚନ କରିଚାଲିଛନ୍ତି। ଆଜିର ଡିଜିଟାଲ ଯୁଗରେ ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକ ସାମର୍ଥ୍ୟ ବଜାୟ ରଖିବା ସହ ବୃତ୍ତିଗତ ଉତ୍କର୍ଷ ଆଣିବା ଲକ୍ଷ୍ୟରେ ଜାହ୍ନବୀ ଏଫ୍‌ଏଲ୍‌ଓ ଜରିଆରେ ପ୍ରୟାସ ଜାରି ରଖିଛନ୍ତି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri