Categories: ଖେଳ

୧୧ରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ

ଲଣ୍ଡନ,୪।୭(ପି.ଟି.): ଆସନ୍ତା ୧୧ ତାରିଖରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ପ୍ରଧନମନ୍ତ୍ରୀ ବୋରିସ ଜନସନ ଏନେଇ ସବୁଜ ସଙ୍କେତ ଦେବା ପରେ ଇସିବି ଏ ସଂକ୍ରାନ୍ତରେ ଘୋଷଣା କରିଛି। କେବଳ ଇଂଲଣ୍ଡରେ ଏଭଳି କ୍ରିକେଟ ଆରମ୍ଭ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ୟୁନାଟେଡ କିଙ୍ଗ୍‌ଡମ୍‌ (ୟୁକେ) ଏ ନେଇ ଅନୁମତି ଦେଇଥିାରୁ ଇସିବି ଖୁସି ଜାହିର କରିଛି। ସ୍ବାସ୍ଥ୍ୟ ଓ ନିରାପତ୍ତା ତଥା ସାମାଜିକ ଦୂରତ୍ୱକୁ ପ୍ରଧାନ୍ୟ ଦେଇ କ୍ରିକେଟ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି।
କ୍ରିକେଟର ଶୀଘ୍ର ପ୍ରତାବର୍ତ୍ତନ ନେଇ ଆମେ କାର୍ଯ୍ୟକରିବାକୁ ଚାହୁଁଛୁ ବୋଲି ଜନ୍‌ସନ୍‌ କହିଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଏ ନେଇ ଆମେ ଗାଇଡ୍‌ ଲାଇନ୍‌ ଜାରି କରିବୁ। ଯାହାଫଳରେ ଆସନ୍ତା ସପ୍ତାହ ଶେଷ ବେଳକୁ କ୍ରିକେଟ ପୁଣିଥରେ ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି। ଇସିବି ମଧ୍ୟ ଏ ନେଇ ବିଭିନ୍ନ ବିଭାଗ ସହ ଆଲୋଚନା ଜାରି ରଖିଛି। ଖୁବ୍‌ଶୀଘ୍ର ଇଂଲଣ୍ଡରେ ପେସାଦାର କ୍ରିକେଟ ଆରମ୍ଭ ହେବା ପାଇଁ ପଥ ପରିସ୍କାର ହୋଇଛି। ଇଂଲଣ୍ଡ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଜୁଲାଇ ୮ ତାରିଖରୁ ସାଉଥାମ୍ପଟନ୍‌ରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। କୋଭିଡ୍‌-୧୯ ମହାମାରୀ କାରଣରୁ ପାଖାପାଖି ୪ ମାସ ହେବ କ୍ରିକେଟ ସାରା ବିଶ୍ୱରେ ବନ୍ଦ ରହିଥିଲା। ଏହି ସିରିଜ୍‌ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟାବର୍ତ୍ତନ ହେବ।

Share