Categories: ଖେଳ

ଟି୨୦ ସିରିଜ ଜିତିଲା ଇଂଲଣ୍ଡ

ସାଉଥାମ୍ପଟନ,୭।୯(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ରବିବାର ୬ ଉଇକେଟରେ ବିଜୟୀ ହୋଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଘରୋଇ ଦଳ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ ହରାଇ ୧୫୭ ରନ କରିଥିଲା। ଜବାବରେ ଇଂଲଣ୍ଡ ୧୮.୫ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଇଂଲଣ୍ଡ ତରଫରୁ ଡଓ୍ବେିଡ୍‌ ମଲାନ ୪୨ରନ (୩୨ ବଲ, ୭ ଚୌକା), ଓପନର ଜୋସ ବଟଲର ଅପରାଜିତ ୭୭ ରନ (୫୪ ବଲ, ୮ ଚୌକା, ୨ ଛକା) କରି ଦଳକୁ ଜିତାଇଥିଲେ। ମୋଇନ ଅଲୀ ୬ ବଲରୁ ୧୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆର ଆଷ୍ଟନ ଅଗର ୨, ଆଡାମ ଜାମ୍ପା ଓ ମିଚେଲ ଷ୍ଟାର୍କ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ତାରକା ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଓ୍ବାର୍ନର ଖାତା ଖୋଲିବା ପୂର୍ବରୁ ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଜୋଶ ବଟଲରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଦଳ ତରଫରୁ ଅଧିନାୟକ ଆରୋନ ଫିଞ୍ଚ୍‌ ସର୍ବାଧିକ ୪୦ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍କସ ଷ୍ଟୋଇନିସ୍‌ ୩୫, ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୨୬, ଆଷ୍ଟନ ଅଗର ୨୩, ଷ୍ଟିଭ୍‌ ସ୍ମିଥ୍‌ ୧୦ ରନକରି ଆଉଟ ହୋଇଥିବା ବେଳେ ପ୍ୟାଟ୍‌ କୁମିନ୍ସ ୧୩ ଓ ମିଚେଲ ଷ୍ଟାର୍କ ୨ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ କ୍ରିସ୍‌ ଜୋର୍ଡାନ ୨, ଆର୍ଚର, ମାର୍କ ଉଡ ଓ ଆଦିଲ ରସିଦ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Share