Categories: ଖେଳ

ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଇଂଲଣ୍ଡ ଦଳ

ଲଣ୍ଡନ, ୧୨ା୨ (ପି.ଟି.)-ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଗୁରୁବାର ୧୬ ଜଣିଆ ଇଂଲଣ୍ଡ କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରେ ସିନିୟର ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ୍‌ ବଟଲର ଓ ଜନିି ବେୟାରଷ୍ଟୋ ସ୍ଥାନ ପାଇଛନ୍ତି। ଟି୨୦ ସିରିଜ ଅହମ୍ମଦାବାଦରେ ମାର୍ଚ୍ଚ ୧୨ରୁ ୨୦ ମଧ୍ୟରେ ହେବ। ଭାରତ ବିପକ୍ଷ ଓପନିଂ ଟେଷ୍ଟ ପରେ ବଟଲର ସ୍ବଦେଶ ଫେରିଛନ୍ତି। ଇଂଲଣ୍ଡର ରୋଟେଶନ ନୀତି ଅନୁସାରେ ବେୟାରଷ୍ଟୋଙ୍କୁ ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ବିଶ୍ରାମ ଦିଆଯାଇଛି। ଆଇପିଏଲ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଅଲରାଉଣ୍ଡର ସାମ୍‌ କୁରାନଙ୍କୁ ଟେଷ୍ଟ ସିରିଜରୁ ବିଶ୍ରାମ ଦିଆଯାଇଥିଲା। ତାଙ୍କୁ ଇଂଲଣ୍ଡ ଟି୨୦ ଦଳରେ ନିଆଯାଇଛି। ଭେଟେରାନ ପେସର ଜେମ୍ସ ଆଣ୍ଡରସନ ଏବଂ ଷ୍ଟୁଆର୍ଟ ବ୍ରଡ୍‌ ବହୁ ଦିନ ହେଲା ହ୍ବାଇଟ୍‌ବଲ କ୍ରିକେଟ ଖେଳି ନାହାନ୍ତି। କିନ୍ତୁ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଜୋଫ୍ରା ଆର୍ଚର ଉପଲବ୍ଧ ହେବେ। ଯାହା ଜଣାପଡୁଛି ଚଳିତ ଟେଷ୍ଟ ସିରିଜ ପରେ ତାଙ୍କୁ କେତେବେଳେ ବିଶ୍ରାମ ଦିଆଯାଇ ପାରେ। ଇଂଲଣ୍ଡ ଦଳରେ ଉଦୀୟମାନ ପ୍ରତିଭାସମ୍ପନ୍ନ ଟି୨୦ ଖେଳାଳି ଦାଓ୍ବିଦ ମଲାନ ସ୍ଥାନ ପାଇଛନ୍ତି। ଫେବୃୟାରୀ ୧୮ରେ ଚେନ୍ନାଇରେ ହେବାକୁଥିବା ଆଇପିଏଲ ନିଲାମି ବେଳେ ଏହି ଖେଳାଳିଙ୍କର ଚାହିଦା ରହିବ ବୋଲି ଆଶା କରାଯାଉଛି। ଟି୨୦ ସିରିଜ ଶେଷ ହେବା ପରେ ଭାରତ ବିପକ୍ଷ ୩ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା କରାଯିବ।
ଇଂଲଣ୍ଡ ଟି୨୦ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ରା ଆର୍ଚର, ବେୟାରଷ୍ଟୋ, ସାମ୍‌ ବିଲିଙ୍ଗ୍ସ, ଜୋସ୍‌ ବଟଲର, ସାମ କୁରାନ, ଟମ୍‌ କୁରାନ, କ୍ରିସ୍‌ ଜୋର୍ଡାନ, ଲିଆମ ଲିଭିଙ୍ଗଷ୍ଟୋନ, ଦାଓ୍ବିଦ ମଲାନ, ଆଦିଲ ରଶିଦ୍‌, ଜାସନ ରୟ, ବେନ୍‌ ଷ୍ଟାକ୍ସ, ରିସି ଟପ୍‌ଲେ ଓ ମାର୍କ ଉଡ୍‌।

Share