Categories: ଖେଳ

ଇଂଲଣ୍ଡ ଖେଳାଳି ଆଇପିଏଲ୍‌ର ବାକି ମ୍ୟାଚ୍‌ରେ ସାମିଲ ନ ହୋଇପାରନ୍ତି

ଲଣ୍ଡନ,୧୨।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍‌ପେଣ୍ଡ ହୋଇଛି। ତେବେ ଆଇପିଏଲ୍‌ର ବାକି ମ୍ୟାଚ୍‌ଗୁଡିକ ପୁଣିଥରେ ଆୟୋଜନ ହେଲେ ଇଂଲଣ୍ଡ ଖେଳାଳିମାନେ ଏଥିରେ ସାମିଲ ହୋଇପାରିବେ ନାହିଁ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଡାଇରେକ୍ଟର ଅଫ୍‌ କ୍ରିକେଟ ଆଶଲେ ଜାଇଲ୍ସ କହିଛନ୍ତି। ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ପାଇଁ ଏପରି ଆଶଙ୍କା ରହିଛି ବୋଲି ସେ କହିଛନ୍ତି।
ବାୟୋବବଲରେ କୋଭିଡ୍‌-୧୯ର ଏକାଧିକ ସଂକ୍ରମଣ କାରଣରୁ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍‌ପେଣ୍ଡ କରାଯାଇଥିଲା। ଆଇପିଏଲ୍‌ର ପୁନଃ ଆୟୋଜନ ପାଇଁ ଏବେ ଦୁଇଟି ଓ୍ବିଣ୍ଡୋ ଉପଲବ୍ଧ। ଗୋଟିଏ ହେଲା ସେପ୍ଟେମ୍ବରର ଦ୍ୱିତୀୟାର୍ଦ୍ଧ ଓ ଟି୨୦ ବିଶ୍ୱକପ୍‌ (ଅକ୍ଟୋବର- ନଭେମ୍ବର) ମଧ୍ୟରେ। ଅନ୍ୟଟି ହେଲା ନଭେମ୍ବର ମାସର ମଝାମଝି ପରେ। କିନ୍ତୁ ଏହି ଦୁଇ ସମୟ ଅବଧିରେ ଇଂଲଣ୍ଡ କ୍ରିକେଟ ଦଳ ଅନ୍ୟ ସିରିଜ ଖେଳିବାରେ ବ୍ୟସ୍ତ ରହିଥିବ। ସେପ୍ଟେମ୍ବର ଓ ଅକ୍ଟୋବରରେ ଇଂଲଣ୍ଡ ବାଂଲାଦେଶ ଓ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛ। ପୁଣି ଟି୨୦ ବିଶ୍ୱକପ୍‌ ପରେ ଅଷ୍ଟ୍ରେଲିଆ ଆଶେସ ଖେଳିବାରେ ବ୍ୟସ୍ତ ରହିଥିବ। ଆମ ପାଖରେ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ (ଏଫ୍‌ଟିପି)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ରହିଛି ବୋଲି ଜାଇଲ୍ସ କହିଛନ୍ତି। ଆଇପିଏଲ୍‌ର ବିଭିନ୍ନ ଫ୍ରାଞ୍ଚାଇଜ୍‌ରେ ୧୧ଜଣ ଇଂଲଣ୍ଡ କ୍ରିକେଟର ସାମିଲ ରହିଛନ୍ତି। ଟି୨୦ ବିଶ୍ୱକପ୍‌, ଆଶେସ ଓ ଅନ୍ୟ ହାଇପ୍ରୋଫାଇଲ ଇଭେଣ୍ଟ କାରଣରୁ ଇଂଲଣ୍ଡ ଖେଳାଳି ଆଇପିଏଲ୍‌ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ତେବେ ଆଇପିଏଲର ବାକିଥିବା ମ୍ୟାଚ୍‌ଗୁଡିକ ସ୍ଥିରୀକୃତ ହେବା ପରେ ଯାହା କିଛି କୁହାଯାଇପାରିବ। ଅବଶ୍ୟ ଏ ନେଇ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share