Categories: ଖେଳ

ଭାରତ ସମ୍ମୁଖରେ ଇଂଲଣ୍ଡ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୫ା୧(ସ୍ପୋଟର୍‌ସ ବ୍ୟୁରୋ): ରବିବାର ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଇଂଲଣ୍ଡ ବିପକ୍ଷ ଗ୍ରୁପ୍‌ ମ୍ୟାଚ୍‌। ସ୍ପେନ୍‌ ବିପକ୍ଷରେ ଚମତ୍କାର ବିଜୟ ସହିତ ହକି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ହକି ଦଳ ଆଗରେ ରହିବ ଅନ୍ୟତମ ଶକ୍ତିଶାଳୀ ଇଂଲଣ୍ଡ ଦଳ। ପୁଲ୍‌ ଡି’ରେ ସ୍ଥାନ ପାଇଥିବା ଉଭୟ ଦଳ ନିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛନ୍ତି। ଭାରତ ୨-୦ରେ ସ୍ପେନ୍‌କୁ ପରାସ୍ତ କରିଥିବା ବେଳେ ଓ୍ବେଲ୍ସ ବିପକ୍ଷରେ ୫-୦ରେ ବିଜୟୀ ହୋଇଥିଲା ଇଂଲଣ୍ଡ। ଘରୋଇ ମାଟିରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ ଖେଳୁଥିବା ଭାରତ ପାଇଁ ଏହି ମ୍ୟାଚଟି ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ବୋଲି ଆକଳନ କରାଯାଉଛି। ସ୍ପେନ୍‌ ବିପକ୍ଷ ମ୍ୟାଚରେ ୨୧ ହଜାର ଦର୍ଶକଙ୍କ ସମ୍ମୁଖରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଅଧିନାୟକ ହରମନ୍‌ପ୍ରୀତ୍‌ ସିଂ ଓ ଉପ ଅଧିନାୟକ ଅମିତ ରୋହିଦାସ ଚମତ୍କାର ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିବା ବେଳେ ଅମିତ ଓ ହାର୍ଦ୍ଦିକ ସିଂ ଭାରତ ପାଇଁ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଇଂଲଣ୍ଡ ବିପକ୍ଷରେ ମଧ୍ୟ ରକ୍ଷଣଭାଗ ନିକଟରୁ ସମାନ ପ୍ରଦର୍ଶନ ଆଶା କରିବ ଦଳ। ପ୍ରଥମ ମ୍ୟାଚରେ ଭାରତୀୟ ଦଳର ପ୍ରଦର୍ଶନକୁ ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ବେଶ୍‌ ପ୍ରଶଂସା କରିଛନ୍ତି। ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ସମାନ ପ୍ରଦର୍ଶନ ଜାରି ରଖିବା ପାଇଁ ଦଳ ପ୍ରୟାସ କରିବ। ଡିଫେଣ୍ଡରମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ପ୍ରାୟ ଭଲ ରହିଥିଲା। ଗୋଲ ପୋଷ୍ଟ ନିକଟରୁ ବଲ୍‌କୁ ଦୂରେଇ ରଖିବାରେ ଖେଳାଳିମାନେ ସଫଳ ହୋଇଥିଲେ। ଭାରତୀୟ ଖେଳାଳିଙ୍କ ସ୍ପିଡ୍‌ ଚମତ୍କାର ରହିଥିବା ବେଳେ ସମାନ ସଫଳତା ଦୋହରାଇବା ଉପରେ ରିଡ୍‌ ଗୁରୁତ୍ୱ ଦେଇଛନ୍ତି। ଭାରତୀୟ ଦଳର ଭେଟେରାନ ଗୋଲକିପର ପି. ଆର. ଶ୍ରୀଜେସ୍‌ ଓ କ୍ରିଷନ୍‌ ବାହାଦୁର ପାଠକ ବଢିଆ ଫର୍ମରେ ରହିଥିବା ବେଳେ ଇଂଲଣ୍ଡ ଗୋଲି ଓଲିଭର ପେନ୍‌ ମଧ୍ୟ ଓ୍ବେଲ୍ସ ବିପକ୍ଷ ମ୍ୟାଚର ଅନ୍ତିମ କ୍ୱାର୍ଟରରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଭାରତୀୟ ଦଳ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ଏହି ଭୁଲ ସୁଧାରିବାକୁ ପ୍ରୟାସ କରିବ। ବିଗତ କିଛି ମାସ ମଧ୍ୟରେ ଭାରତର ଶ୍ରେଷ୍ଠ ଖେଳାଳି ରହିଥିବା ହରମନ୍‌ପ୍ରୀତ ସିଂଙ୍କ ସ୍ପେନ୍‌ ବିପକ୍ଷ ମ୍ୟାଚରେ ଏତେଟା ପ୍ରଭାବଶାଳୀ ରହି ନ ଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବିଜୟୀ ହେଲେ ଭାରତ କ୍ୱାର୍ଟର ଫାଇନାଲ ଯୋଗ୍ୟତାର ଏକ ପାଦ ନିକଟତର ହେବ। ଅନ୍ତିମ ମ୍ୟାଚରେ ୧୫ତମ ସ୍ଥାନରେ ଥିବା ଓ୍ବେଲ୍ସକୁ ଭେଟିବ ଭାରତ। ବିଶ୍ୱ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡ ଭାରତଠାରୁ ଗୋଟିଏ ସ୍ଥାନ ଉପରେ ରହିଛି। ଉଭୟ ଦଳ ପରସ୍ପର ସହିତ ୨୧ ଥର ଭେଟିଥିବା ବେଳେ ଭାରତ ୧୦ମ୍ୟାଚ୍‌ ଜିତିଛି। ୭ ମ୍ୟାଚ୍‌ ଇଂଲଣ୍ଡ ସପକ୍ଷରେ ରହିଥିବା ବେଳେ ୪ଟି ମ୍ୟାଚ୍‌ ଡ୍ର ରହିଛି।

Share