Categories: ଖେଳ

ରିଚାଡର୍‌ସ-ବୋଥାମ ଟ୍ରଫି ପାଇଁ ଖେଳିବେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର,୨୫।୭ (ପି.ଟି.)-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଯେତେବେଳେ ପରବର୍ତ୍ତୀ କ୍ରିକେଟ ଟେଷ୍ଟ ସିରିଜ ଖେଳାଯିବ ସେମାନେ ‘ଓ୍ବିଜ୍‌ଡେନ୍‌ ଟ୍ରଫି’ ବଦଳରେ ଉଭୟ ଦେଶର ଆଇକନିକ୍‌ କ୍ରିକେଟର ନାମରେ ରଖାଯାଇଥିବା ରିଚାଡର୍‌ସ-ବୋଥାମ ଟ୍ରଫି ପାଇଁ ଖେଳିବେ। ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏବଂ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ତରଫରୁ ମିଳିତ ବିବୃତିରେ ଏହା ଘୋଷଣା କରାଯାଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଉଭୟେ ଶେଷଥର ‘ଓ୍ବିଜଡେନ୍‌ ଟ୍ରଫି’ପାଇଁ ଖେଳୁଛନ୍ତି। ଦୁଇ ଦଳ ପରେ ଯେତେବେଳେ ପରସ୍ପରକୁ ଭେଟିବେ ସେତେବେଳେ ନୂଆ ରିଚାଡର୍‌ସ-ବୋଥାମ ଟ୍ରଫିର ଡିଜାଇନ୍‌ କରାଯିବ। ସାର୍‌ ଭିଭିଆନ ରିଚାଡର୍‌ସ ୧୨୧ ଟେଷ୍ଟ ମ୍ୟାଚରେ ୮୫୪୦ ରନ ସଂଗ୍ରହ କରିଛନ୍ତି। ସେ ୨୪ ଶତକ ଲଗାଇଥିବା ବେଳେ ତାଙ୍କର ଆଭରେଜ ୫୦ରୁ ଅଧିକ ରହିଥିଲା। ଅନ୍ୟପକ୍ଷରେ ସାର୍‌ ଇଆନ ବୋଥାମ ୧୦୨ ଗେମ୍‌ ଖେଳି ୫୨୦୦ରନ ସ୍କୋର କରିଥିବା ବେଳେ ୩୮୩ ଉଇକେଟ ଅକ୍ତିଆର କରିଛନ୍ତି। ବୋଥାମ ଓ ମୋ ମଧ୍ୟରେ ରହିଥିବା ଘନିଷ୍ଠ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପ୍ରତି ଏହା ଏକ ବଡ଼ ସମ୍ମାନ ବୋଲି ରିଚାଡର୍‌ସ ପ୍ରକାଶ କରିଛନ୍ତି।

Share