ଭଗ୍ନ ସରକାରୀ କାର୍ଯ୍ୟାଳୟରେ ଖାଲି କଫ ସିରପ ଶିଶି, ଅଞ୍ଚଳବାସୀ କହିଲେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକର ଏକ ପରିତ୍ୟକ୍ତ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ବହୁ ସଂଖ୍ୟକ କଫ ସିରପର ଖାଲି ଶିଶି ପଡ଼ିଥିବା ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟାଳୟଟି ଦୀର୍ଘଦିନ ଧରି ଭଗ୍ନ ଓ ଅବ୍ୟବହୃତ ଅବସ୍ଥାରେ ରହିଥିବା ବେଳେ ସେଠାରେ ବର୍ତ୍ତମାନ କୌଣସି କର୍ମଚାରୀ କାର୍ଯ୍ୟରତ ନାହାନ୍ତି । ତେବେ ଭଗ୍ନ କାର୍ଯ୍ୟଳୟରୁ ମିଳିଥିବା ଏକାଧିକ କଫ ସିରପର ଖାଲି ବୋତଲ ପଡ଼ିଥିବା ଦେଖାଯାଉଛି।

ଏହି ଶିଶିଗୁଡ଼ିକ ସେଠାକୁ କିପରି ଆସିଲା ଏବଂ କେଉଁମାନେ କେଉଁଠୁ ଆଣି ବ୍ୟବହାର କରୁଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।ପରିତ୍ୟକ୍ତ ସରକାରୀ ଉକ୍ତ ଭବନରେ ଉଦ୍ୟାନ ବିଭାଗ ପକ୍ଷରୁ କର୍ମଚାରୀମାନଙ୍କ ନିୟମିତ ତଦାରଖ ନ ହେବାରୁ ଏଭଳି ଅସାମାଜିକ କାର୍ଯ୍ୟ ଗୁଡ଼ିକ ବଢ଼ିବାରେ ଲାଗିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଞ୍ଚଳରେ ପୂର୍ବରୁ ମଦ ଓ ଗଞ୍ଜେଇର ବେଆଇନ କାରବାରକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । ଏହାରି ଭିତରେ କଫ ସିରପର ଖାଲି ଶିଶି ମିଳିବା ପରେ କେତେକ ଲୋକଙ୍କ ମନରେ କଫ ସିରପର ଅପବ୍ୟବହାର କିମ୍ବା ବେଆଇନ କାରବାର ନେଇ ସନ୍ଦେହ ସୃଷ୍ଟି ହୋଇଛି। ଘଟଣାର ପ୍ରକୃତ ସତ୍ୟ ଜାଣିବା ପାଇଁ ପୋଲିସ ଓ ସମ୍ପୃକ୍ତ ବିଭାଗ ତଦନ୍ତ କରି ପରିତ୍ୟକ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକର ସୁରକ୍ଷା ଓ ନିୟମିତ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share