ଆବେଗର ଆଲୋକବର୍ତ୍ତିକା

ସଞ୍ଜ ନଇଁ ଆସିବା ପରେ ଜଙ୍ଗଲ ଓ ପାହାଡ଼ ଦେଇ ଗତି କରିବା ବେଳେ ଥାଏ ଅନେକ ଭୟ। କିନ୍ତୁ ଯେଉଁମାନେ ଦୁଃସାହସିକ ଯାତ୍ରା କରିଥାଆନ୍ତି, ସେମାନଙ୍କୁ ପ୍ରକୃତି ନୂଆ କିଛି ଉପହାର ଦେବାକୁ ଚାହେଁ। ସେହି ଉପହାର ଗ୍ରହଣ କରିବାର କଳା ଯାହାଙ୍କ ପାଖରେ ଥାଏ, ସେ ହିଁ ତାହାକୁ ତୋଳି ଧରିଥାଆନ୍ତି। ମହାରାଷ୍ଟ୍ରର ଅହମ୍ମଦନଗର ଜିଲା ଭଣ୍ଡାରଦାର ଦେଇ ଟ୍ରେକିଂ କଲା ବେଳେ ସେ ଦେଖିଥିଲେ ଗୋଟେ ଗଛକୁ ଘେରି ରହିଛନ୍ତି ଅସଂଖ୍ୟ ଜୁଳୁଜୁଳିଆ ପୋକ ବା ଖଦ୍ୟୋତ। ସେହି ସମୟରେ ଆକାଶରେ ତାରାମାନଙ୍କ ଶାନ୍ତସ୍ନିଗ୍ଧ ଆଲୋକ ମଧ୍ୟ ବିଛୁରିତ ହୋଇପଡ଼ିଥିଲା। ଅନ୍ଧାର ଭିତରେ ଆଲୁଅ ପ୍ରବେଶ କଲେ ଯେଭଳି ସେହି ଇଲାକା ପ୍ରଜ୍ୱଳିତ ହୋଇଯାଇଥାଏ, ତାରକାମାନଙ୍କ ଆଲୋକ ଯେତେବେଳେ ଖଦ୍ୟୋତ ଭର୍ତ୍ତି ଗଛଟି ଉପରେ ପଡ଼ିଯାଇଛି, ତାହା ମନୋରମ ଦୃଶ୍ୟ ସୃଷ୍ଟି କରିଛି। ସେହି ଅପୂର୍ବ ପ୍ରାକୃତିକ ଶୋଭାରାଜିକୁ ନିଜ କ୍ୟାମେରାରେ ତୋଳିବାକୁ ଯାଇ ଯେଉଁ କିଶୋରୀ ଏକ ଚମତ୍କାର ଚିତ୍ର ଉତ୍ତୋଳନ କରି ଆଜି ବିଶ୍ୱ ଲେନ୍ସ ଦୁନିଆରେ ନିଜ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛନ୍ତି, ସେ ହେଉଛନ୍ତି ଐଶ୍ୱର୍ଯ୍ୟା ଶ୍ରୀଧର। ଚଳିତବର୍ଷର ବିହେଭିୟର ଇନ୍‌ଭର୍ଟିବ୍ରେଟ୍ସ ବର୍ଗରେ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ସମ୍ମାନ ପାଇବାରେ ସେ ପ୍ରଥମ ଭାରତୀୟ ଓ ସର୍ବକନିଷ୍ଠା ମହିଳା ହୋଇପାରିଛନ୍ତି। ୮୦ ଦେଶର ୫୦ ହଜାର ଫଟୋ ମଧ୍ୟରେ ଶ୍ରେଷ୍ଠ ୧୦୦ରେ ଐଶ୍ୱର୍ଯ୍ୟାଙ୍କ ‘ଲାଇଟ୍ସ ଅଫ୍‌ ପାସନ୍‌’ ଲଣ୍ଡନସ୍ଥିତ ନ୍ୟାଶନାଲ ମ୍ୟୁଜିୟମ ଅଫ୍‌ ହିଷ୍ଟ୍ରିରେ ସ୍ଥାନ ପାଇବା ପରେ ସେ ଏଭଳି ସଫଳତା ପାଇଛନ୍ତି। ଏବେ ତାଙ୍କୁ ସବୁଆଡୁ ଶୁଭେଚ୍ଛା ମିଳିବାରେ ଲାଗିଛି।
୧୨ ଜାନୁୟାରୀ ୧୯୯୭ରେ ଐଶ୍ୱର୍ଯ୍ୟା ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ସେ ଶ୍ରୀଧର ରଙ୍ଗନାଥନ ଓ ରାଣୀ ଶ୍ରୀଧରଙ୍କ ତନୟା। ସେ ଡକ୍ଟର ପିଲାଇ ଗ୍ଲୋବାଲ ଏକାଡେମୀର ଛାତ୍ରୀ ଥିଲେ ଓ ୨୦୧୩ରେ କେମ୍ବ୍ରିଜ୍‌ ଇଣ୍ଟରନ୍ୟାଶନାଲ ପରୀକ୍ଷାର ବିଜ୍‌ନେସ୍‌ ଷ୍ଟଡିଜ୍‌ ପେପରରେ ଓ୍ବାଲର୍‌ଡ ଟପ୍ପର ହେବାର ଗୌରବ ଅର୍ଜନ କରିଥିଲେ। ୨୩ ବର୍ଷୀୟା ଐଶ୍ୱର୍ଯ୍ୟା ମଧ୍ୟ ମୁମ୍ବାଇ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ଛାତ୍ରୀ ଭାବେ ପାଠ ପଢ଼ିଛନ୍ତି। ପିତା ବମ୍ବେ ନାଚ୍ୟୁରାଲ ହିଷ୍ଟ୍ରି ସୋସାଇଟି (ବିଏନ୍‌ଏଚ୍‌ଏସ୍‌)ର ସଦସ୍ୟ। ତେଣୁ ତାଙ୍କ ସହ ଐଶ୍ୱର୍ଯ୍ୟା ବିଭିନ୍ନ ଜଙ୍ଗଲ ବୁଲିବା ବେଳେ ଖୁବ୍‌ କମ୍‌ ବର୍ଷରେ ଅନେକ ଅଭିଜ୍ଞତା ଅର୍ଜନ କରିପାରିଛନ୍ତି। ତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା, ସେ ଫଟୋଗ୍ରାଫି ପ୍ରତି ଆକର୍ଷିତ ହୋଇଥିଲେ। ମହାରାଷ୍ଟ୍ରର ରତ୍ନଗିରି ଜଙ୍ଗଲରେ ସେ ଟ୍ରେକିଂ ଆରମ୍ଭ କରିଥିଲେ। ତାଙ୍କ ପ୍ରଥମ ପ୍ରାମାଣିକ ଚଳଚ୍ଚିତ୍ର ‘ପାଞ୍ଜେ-ଦି ଲାଷ୍ଟ୍‌ ଓ୍ବେଟ୍‌ଲାଣ୍ଡ’ ୨୦୧୮ରେ ଦୂରଦର୍ଶନରେ ପ୍ରସାରିତ ହୋଇ ଅସଂଖ୍ୟ ପ୍ରଶଂସା ସାଉଁଟିଥିଲା। ତା’ ପରେ ସେ ଆଗକୁ ବଢ଼ିଚାଲିଛନ୍ତି। ଓ୍ବାଇଲ୍ଡ ବେଙ୍ଗଲ ଟାଇଗ୍ରୀସ୍‌ଙ୍କ ଉପରେ ‘ମାୟା’ ନାମରେ ଏକ ଫିଚର ଫିଲ୍ମ ନିର୍ମାଣ କରିଛନ୍ତି। ଏହା ନ୍ୟୁୟର୍କ ସିଟିଠାରେ ଅନୁଷ୍ଠିତ ୯ମ ଓ୍ବାଇଲ୍ଡଲାଇଫ୍‌ କଞ୍ଜରଭେଶନ ଫିଲ୍ମ ଫେଷ୍ଟିଭାଲ (ଡବ୍ଲ୍ୟୁସିଏଫ୍‌ଏଫ୍‌)ରେ ବେଷ୍ଟ ଆମେଚ୍ୟୁର ଫିଲ୍ମ ସମ୍ମାନ ପାଇପାରିଛି। ଖୁବ୍‌ କମ୍‌ ବୟସରେ ସେ ଯେଉଁ ପୁରସ୍କାର ଓ ସମ୍ମାନ ପାଇ ଫଟୋଗ୍ରାଫି ଦୁନିଆରେ ନିଜର ସ୍ଥାନ ବଜାୟ ରଖିପାରିଛନ୍ତି ସେଥି ମଧ୍ୟରେ ରହିଛି- ୨୦୧୧ରେ ସାଙ୍କଚ୍ୟୁଆରି ଏସିଆଜ୍‌ ୟଙ୍ଗ ନାଚ୍ୟୁରାଲିଷ୍ଟ, ୨୦୧୪ରେ ଓ୍ବାଲର୍‌ଡ ସ୍ପାରୋ ଡେ ଫେଟୋଗ୍ରାଫି, ୨୦୧୬ରେ କ୍ୟାମେରା ଫେୟାର ଆଓ୍ବାର୍ଡ, ୨୦୧୮ରେ ୟଙ୍ଗ୍‌ ଡିଜିଟାଲ କ୍ୟାମେରା ଫଟ୍ରୋଗ୍ରାଫର ଅଫ୍‌ ଦି ଇୟର, ୨୦୧୯ରେ ପ୍ରିନ୍ସସେସ୍‌ ଡାଏନା ଆଓ୍ବାର୍ଡ ଓ ଓ୍ବିମେନ୍‌ ଆଇକନ୍‌ ଇଣ୍ଡିଆ ଆଓ୍ବାର୍ଡ ଏବଂ ୨୦୨୦ରେ ଜାକ୍ସନ୍‌ ଓ୍ବାଇଲ୍ଡ ଫେଲୋସିପ୍‌ ସହ ଲଣ୍ଡନ ସ୍ଥିତ ନାଚ୍ୟୁରାଲ ହିଷ୍ଟ୍ରି ମ୍ୟୁଜିୟମ ପକ୍ଷରୁ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଅଫ୍‌ ଦି ଇୟର ଆଓ୍ବାର୍ଡ।
ଏଥିସହିତ ସେ ବମ୍ବେ ହାଇକୋର୍ଟ ଦ୍ୱାରା ନିଯୁକ୍ତି ପାଇ ମହାରାଷ୍ଟ୍ର ଆଦର୍‌ରଭୂମି ଚିହ୍ନଟ କମିଟିର ସଦସ୍ୟା ହୋଇପାରିଛନ୍ତି। ପରିବେଶ ଓ ଓ୍ବାଇଲ୍ଡ ଲାଇଫ୍‌ ସଂକ୍ରାନ୍ତ ତାଙ୍କ କାର୍ଯ୍ୟ ବିବିସି ଓ୍ବାଇଲ୍ଡ ଲାଇଫ୍‌, ଦି ଗାର୍ଡିଆନ, ସାଙ୍କଚ୍ୟୁଆରି ଏସିଆ, ହିନ୍ଦୁସ୍ତାନ ଟାଇମ୍ସ, ମୁମ୍ବାଇ ମିରର୍‌, ଡିଜିଟାଲ କ୍ୟାମେରା, ମାତୃଭୂମି ଓ ମଙ୍ଗାବେରେ ପ୍ରକାଶ ପାଇ ବନ୍ୟପ୍ରାଣୀ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ସେ ଏବେ ଯୁବ ବନ୍ୟପ୍ରାଣୀ ଫଟୋଗ୍ରାଫରଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri