Categories: ଖେଳ

ଏମିରେଟ୍ସ ଆମେଚର ଗଲ୍ଫ ଲିଗ୍‌: ଶିବ କପୁର ବ୍ରାଣ୍ଡ ଆମ୍ବାସାଡର

ଦୁବାଇ, ୨ା୩ (ପି.ଟି.)- ଭାରତର ଅନ୍ୟତମ ପ୍ରଫେଶନାଲ ଗଲ୍ଫ ଖେଳାଳି ଶିବ କପୁର ନବଗଠିତ ଏମିରେଟ୍ସ ଆମେଚର ଗଲ୍ଫ ଲିଗ୍‌ (ଇଗଲ) ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତି ପାଇଛନ୍ତି। ୩୯ ବର୍ଷୀୟ ଶିବ କପୁର ୩ଥର ଏସିଆନ ଟୁର୍‌ ଚାମ୍ପିୟନ ହୋଇଛନ୍ତି। ୨୦୦୫ରେ ସେ ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଥିଲେ। ଦୁବାଇ ବାସିନ୍ଦା ଦୁଇଥର ୟୁରୋପିଆନ ଚ୍ୟାଲେଞ୍ଜ ଜିତିଛନ୍ତି। ତନ୍ମଧ୍ୟରେ ଏହି ସହରରେ ୨୦୧୩ରେ ଖେଳାଯାଇଥିବା ଚ୍ୟାଲେଞ୍ଜ ଟୁର୍‌ ଗ୍ରାଣ୍ଡ୍‌ ଫାଇନାଲ ଅନ୍ୟତମ। କପୁର ବୁସାନରେ ୨୦୦୨ ଏସିଆନ ଗେମ୍ସରେ ଇତିହାସ ସୃଷ୍ଟି କରିଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ। ସେ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଥିଲେ। ୨୦୧୩ ପ୍ରିମିୟର ଗଲ୍ଫ ଲିଗ୍‌ ଆୟୋଜନ ପଛରେ କପୁରଙ୍କ ବିଶେଷ ଭୂମିକା ରହିଥିଲା। ଏହା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଢାଞ୍ଚାରେ ହୋଇଥିଲା। ଏହି ଲିଗ୍‌ରେ ଡାରେନ କ୍ଲାର୍କ, ଆଞ୍ଜେଲ କାବ୍ରେରା, ମାଇକେଲ କ୍ୟାମ୍ପବେଲ୍‌ ଓ ଶନ୍‌ ମିଚେଲଙ୍କ ଭଳି ନାମୀ ଖେଳାଳି ଅଂଶଗ୍ରହଣ କରିଥିଲେ। ‘ଇଗଲ’ ହେଉଛି ବିଶ୍ୱର ଫ୍ରାଞ୍ଚାଇଜ୍‌ଭିତ୍ତିକ ଆମେଚର ଲିଗ୍‌ ଟୁର୍ନାମେଣ୍ଟ। ଗତ ଜାନୁୟାରୀ ୨୦ରେ ୟୁଏଇରେ ଏହାର ଉନ୍ମୋଚନ ହୋଇଛି। ଏମିରେଟ୍ସ ଗଲ୍ଫ ଫେଡେରେଶନ ଏବଂ ଏସିଆନ ପାସିଫିକ୍‌ ଗଲ୍ଫ କନ୍‌ଫେଡେରେଶନ (ଏପିଜିସି)ଠାରୁ ଏହା ସ୍ବୀକୃତି ଲାଭ କରିଛି। ବୁବାଇର ଜଣେ ବିଜ୍‌ନେସମ୍ୟାନ ତଥା ଗଲ୍ଫପ୍ରେମୀ ସୁଦେଶ ଅଗ୍ରଓ୍ବାଲ ଏହି ଲିଗ୍‌ର ପୃଷ୍ଠପୋଷକ ହୋଇଛନ୍ତି। ଚଳିତବର୍ଷ ନଭେମ୍ବରରେ ହେବାକୁଥିବା ଏହି ଟୁର୍ନାମେଣ୍ଟରେ ୮ଟି ଦଳ ଭାଗ ନେବେ। ରାଉଣ୍ଡ ରବିନ ଫର୍ମାଟ୍‌ ସରିବା ପରେ ସେମିଫାଇନାଲ ଓ ଫାଇନାଲ ହେବ। ୟୁଏଇର ୪ଟି ବିଶ୍ୱ ଶ୍ରେଣୀର ଗଲ୍ଫ କୋର୍ସରେ ଏହା ଖେଳାଯିବ।

Share