Categories: ଖେଳ

ଏଆଇଏଫ୍‌ଏଫ୍‌କୁ ଏଲିଟ୍‌ ୟୁଥ୍‌ ସ୍କିମ୍‌ ଫୁଲ୍‌ ମେମ୍ବରଶିପ୍‌ ଦେଲା ଏଏଫ୍‌ସି

ନୂଆଦିଲ୍ଲୀ,୪।୭(ପି.ଟି.): ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଏଏଫ୍‌ସି ଏଲିଟ୍‌ ୟୁଥ୍‌ ସ୍କିମ୍‌ ଫୁଲ୍‌ମେମ୍ବରଶିପ୍‌ ମର୍ଯ୍ୟାଦା ପ୍ରଦାନ କରିଛି। ଏ ନେଇ ଏଆଇଏଫ୍‌ଏଫ୍‌ ଆବେଦନ କରିଥିଲା। ଏହାକୁ ଗ୍ରହଣ କରାଯାଇଛି ବୋଲି ଏଏଫ୍‌ସି ସାଧାରଣ ସମ୍ପାଦକ ଡାଟୋ ଓ୍ବିଣ୍ଡସର ଜନ୍‌ ସୂଚନା ଦେଇଛନ୍ତି। ଏଆଇଏଫ୍‌ଏଫ୍‌କୁ ଏହି ମେମ୍ବରଶିପ୍‌ ପ୍ରଦାନ କରି ଆମେ ବହୁତ ଖୁସି ବୋଲି ଏଏଫ୍‌ସି ତରଫରୁ କୁହାଯାଇଛି। ଏଥି ସହିତ ରିଲାଏନ୍ସ ଫାଉଣ୍ଡେଶନ ୟଙ୍ଗ ଚାମ୍ପ୍ସ ଏକାଡେମୀ (ଆରଏଫ୍‌ଓ୍ବାଇସି) ଓ ଜେଏସ୍‌ଡବ୍ଲ୍ୟୁ ବେଙ୍ଗାଲୁରୁ ଏଫ୍‌ସି (ଜେଏସ୍‌ଡବ୍ଲ୍ୟୁ ବିଏଫ୍‌ସି) ଏକାଡେମୀକୁ ମଧ୍ୟ ଟୁ ଷ୍ଟାର ଏକାଡେମୀ ଷ୍ଟାଟସ୍‌ ପ୍ରଦାନ କରାଯିବ ବୋଲି ଏଏଫ୍‌ସି ଏକ ଚିଠିରେ ଉଲ୍ଲେଖକରି ସୂଚନା ଦେଇଛି।
ସବୁ ମେମ୍ବର ଆସୋସିଏଶନର ଯୁବ ଫୁଟବଲ ଭିତ୍ତିଭୂମିର ମୂଲ୍ୟାଙ୍କନ ନିର୍ଦ୍ଧାରଣ ନେଇ ଏଏଫ୍‌ସି ଏଲିଟ୍‌ ୟୁଥ୍‌ ସ୍କିମ୍‌ ବେଶ୍‌ କାମରେ ଆସିବ। ଭାରତରେ ଫୁଟବଲରଙ୍କ କ୍ୱାଲିଟି ଓ ୟୁଥ୍‌ ଲିଗ୍‌ ଷ୍ଟ୍ରକ୍‌ଚରର ଉନ୍ନତି ନେଇ ଏଆଇଏଫ୍‌ଏଫ୍‌ କାର୍ଯ୍ୟକରୁଛି ଓ ଏଥିପାଇଁ ଏଆଇଏଫ୍‌ଏଫ୍‌ ସବୁ ମାନଦଣ୍ଡ ପୂରା କରୁଛି। ସବୁ ମେମ୍ବର ଆସୋସିଏଶନଗୁଡିକର ଆବେଦନକୁ ଏଏଫ୍‌ସି ୟୁଥ୍‌ ପୃ୍ୟାନେଲ ବିଭିନ୍ନ ଦୃଷ୍ଟିକୋରରୁ ମୂଲ୍ୟାଙ୍କନ କରିଛି। ଏଥିରେ ଲିଡରସିପ୍‌, ପ୍ଲାନିଂ, ନିଯୁକ୍ତି, ଅର୍ଥ, ସୁବିଧାସୁଯୋଗ, ଦଳ, କୋଚିଂ, ପ୍ଲେଇଙ୍ଗ୍‌, ଖେଳାଳିଙ୍କ ପ୍ରଦର୍ଶନ, ସ୍ବାସ୍ଥ୍ୟ, ଫିଟ୍‌ନେସ୍‌, ସାଇକୋଲୋଜି, ଓ୍ବେଲଫେୟାର, ଏଡୁକେଶନ, କୋଲାବୋରେଶନ, ଆସେସମେଣ୍ଟ, ନିୟମ ଓ ଫଳାଫଳ ସାମିଲ ରହିଛି। ଫୁଲ୍‌ ମେମ୍ବରଶିପ୍‌ ପାଇଁ ମେମ୍ବର ଆସୋସିଏଶନଗୁଡିକ ପ୍ରଥମ ୧୧ଟି ମାନଦଣ୍ଡ ପୂରଣ କରିବା ନିହାତି ଆବଶ୍ୟକ। ତେବେ ଯେଉଁ ମେମ୍ବର ୧୦ଟି ମାନଦଣ୍ଡ ପୂରଣ କରିବ ସେଗୁଡିକୁ ପ୍ରୋଭିଜ୍‌ନାଲ ମ୍ବେମ୍ବରଶିପ୍‌ ପ୍ରଦାନ କରାଯିବ। ଫୁଟବଲର ଉନ୍ନତି ପାଇଁ ଦେଶରେ ଅଧିକ ଉଚ୍ଚକୋଟୀର ଏକାଡେମୀ ସ୍ଥାପନ କରିବାର ଆବଶ୍ୟକତା ରହିଛି। ଏକ୍ଷେତ୍ରରେ ଆରଏଫ୍‌ୟାଇସି ଏକାଡେମୀ ଓ ଜେଏସ୍‌ଡବ୍ଲ୍ୟୁ ବିଏଫ୍‌ସି ଉଦାହରଣ ସୃଷ୍ଟି କରିଛି ବୋଲି ଭାରତୀୟ ଫୁଟବଲ ଟେକ୍‌ନିକାଲ ଡାଇରେକ୍ଟର ଆଇଜାକ ଡୋରୁ କହିଛନ୍ତି।

Share