କଳିଙ୍ଗନଗର,୨୩।୧୦(ଶୁଭାଶିଷ ରାଉତ): ଯାଜପୁର ଜିଲା ବୈରୀ ଡାଳିଯୋଡ଼ା ବନାଞ୍ଚଳ ଅନ୍ତର୍ଗତ ଶାଳପଡା ପଞ୍ଚାୟତ ବନ୍ଧପଲ୍ଲୀ ଗ୍ରାମରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗନ୍ନାଥ ରାଉତ(୬୦)। ଶୁକ୍ରବାର ଭୋର ସମୟରେ ଏହି ଘଟଣା ଘଟିଛି।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଭୋରରେ ଜଗନ୍ନାଥ ଘରୁ ଉଠି ବାହାରକୁ ବାହାରିଥିଲେ। ସେତିକିବେଳେ ସେ ଘର ଆଗରେ ଛିଡ଼ା ହୋଇଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀଟି ଜଗନ୍ନାଥଙ୍କୁ କଚାଡ଼ି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଗନ୍ନାଥଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଖାଦ୍ୟ ଅନ୍ବେଷଣରେ ହାତୀ ଗାଁ ମୁହାଁ ହେଉଥିବା ବେଳେ ଲୋକେ ଆକ୍ରମଣର ଶିକାର ହେଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

