Categories: ଖେଳ

ଏକତା ବିଷ୍ଟଙ୍କୁ ୭ ଉଇକେଟ

ମୁମ୍ବାଇ,୨୧ା୧୦: ଭାରତୀୟ ଦଳର ସ୍ପିନର ତଥା ଉତ୍ତରାଖଣ୍ଡ ଦଳର ଅଧିନାୟିକା ଏକତା ବିଷ୍ଟ ସିନିୟର ମହିଳା ଟି ୨୦ରେ କ୍ୟାରିୟର ଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିଛନ୍ତି। ଝାଡଖଣ୍ଡ ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ ସହିତ ମାତ୍ର ୮ ରନ୍‌ ବ୍ୟୟ କରି ଏକତା ୭ ଉଇକେଟ ଅକ୍ତିଆର କରିଥିଲେ। ଉତ୍ତରାଖଣ୍ଡ ମାତ୍ର ୧୦୭ ରନ୍‌ କରିଥିବା ବେଳେ ଝାଡଖଣ୍ଡ ୯୭ ରନରେ ଅଲଆଉଟ ହୋଇ ଯାଇଥିଲା। ନିଜ ସ୍ପେଲର ଅନ୍ତିମ ୩ ବଲରେ ୩ ଉଇକେଟ ସହିତ ହ୍ୟାଟ୍ରିକ ଅର୍ଜନ କରିଥିଲେ ଏକତା। ଝାଡଖଣ୍ଡ ୫୨ ରନରେ ଦୁଇ ଉଇକେଟ ହରାଇ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ବିଷ୍ଟ ନିଜ ବୋଲିଂ ଯାଦୁ ଦେଖାଇଥିଲେ। ପ୍ରଥମ ସ୍ପେଲରେ ୩ ଉଇକେଟ ନେଇଥିବା ବିଷ୍ଟ ଦ୍ୱିତୀୟ ସ୍ପେଲରେ ହ୍ୟାଟ୍ରିକ ସହିତ ୪ ଉଇକେଟ ନେଇଥିଲେ। ୯୪ ରନରେ ଦଳ ୬ ଉଇକେଟ ହରାଇଥିବା ବେଳେ ସମାନ ସ୍କୋରରେ ୪ ଉଇକେଟ ନେଇ ଉତ୍ତରାଖଣ୍ଡକୁ ବିଜୟୀ କରିଥିଲେ ବିଷ୍ଟ। ୩୬ ବର୍ଷୀୟ ବିଷ୍ଟ ଭାରତ ପାଇଁ ୬୩ ଦିନିକିଆ, ୪୨ ଟି୨୦ ଓ ୧ ଟେଷ୍ଟ ଖେଳି ଯଥାକ୍ରମେ ୯୮, ୫୩ ଓ ୩ ଉଇକେଟ ନେଇଛନ୍ତି। ଏହା ବ୍ୟତୀତ ସେ ୨୦୧୭ ଦିନିକିଆ ବିଶ୍ୱକପ ଖେଳିଥିବା ଦଳର ସଦସ୍ୟ ଥିଲେ।

Share