ଆଇନ୍‌ଷ୍ଟାଇନ୍‌ଙ୍କ ରାଜନୈତିକ ବିଚାର

ଡ. ଗୌରୀ ଶଙ୍କର ସାହୁ

ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀଙ୍କ ତରଫରୁ ଆପଣଙ୍କୁ ଇସ୍ରାଏଲ୍‌ର ରାଷ୍ଟ୍ରପତି ହେବା ପାଇଁ ପ୍ରସ୍ତାବକୁ ପ୍ରସ୍ତୁତ କରୁଛି।“ ୧୭ ନଭେମ୍ବର ୧୯୫୨ରେ ଆମେରିକାରେ ଅବସ୍ଥାପିତ ଇସ୍ରାଏଲ୍‌ର ରାଷ୍ଟ୍ରଦୂତ ଏବା ଇବାନଙ୍କ ପ୍ରସ୍ତାବର ସାରମର୍ମ ପ୍ରାୟ ଏହିପରି ଥିଲା। ବିଶିଷ୍ଟ ବୈଜ୍ଞାନିକ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍‌ ପ୍ରତ୍ୟୁତ୍ତରରେ ଲେଖିଲେ, ”ଯଦିଓ ଆପଣଙ୍କ ଏ ପ୍ରସ୍ତାବ ମୋତେ ଗଭୀର ଭାବେ ଉଲ୍ଲସିତ କରିଛି, ମୁଁ ଦୁଃଖ ଓ ଲଜ୍ଜାର ସହ ଆମ ଦେଶର ସେବା କରିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରସ୍ତାବକୁ ସ୍ବୀକାର କରିପାରୁ ନାହିଁ ବୋଲି ଜଣାଉଛି। ଏ ଗୁରୁଦାୟିତ୍ୱ ସମ୍ପାଦନ କରିବା ପାଇଁ ମୋର ସ୍ବାଭାବିକ ଦକ୍ଷତା ବା ଅଭିଜ୍ଞତା ନାହିଁ।“ ଭାଇ ଭାଇକୁ, ପୁଅ ବାପାଙ୍କୁ ନିର୍ମମ ଭାବେ ହତ୍ୟାକରି ସିଂହାସନ ଲାଭ କରିବାର ମଧ୍ୟଯୁଗୀୟ ଇତିହାସ ଲଜ୍ଜା ଓ ଅନୁଶୋଚନାରେ ମଥାପାତି ଠିଆ ହୋଇଥିବ ଆଇନ୍‌ଷ୍ଟାଇନ୍‌ଙ୍କ ଏହି ଉତ୍ତର ଶୁଣି। ସେତେବେଳକୁ ହାତପାହାନ୍ତାରେ ଥିବା ରାଜନୈତିକ କ୍ଷମତାକୁ ମହାତ୍ମା ଗାନ୍ଧୀ ପ୍ରତ୍ୟାଖ୍ୟାନ କରିସାରିଥିଲେ ଓ ଲୋକନାୟକ ଜୟପ୍ରକାଶ ଏବଂ ନାନାଜୀ ଦେଶ୍‌ମୁଖଙ୍କ କ୍ଷମତା ପ୍ରତି ନିରାସକ୍ତ ଓ ନିର୍ବିକାରଭାବ ଭବିଷ୍ୟତର ବିଷୟ ଥିଲା। ଏ ପୃଷ୍ଠଭୂମିରେ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ କୌଣସି ରାଜନୈତିକ ଦୃଷ୍ଟିଭଙ୍ଗୀ ଥିଲା ନା ନାହିଁ, ତାହା ପ୍ରଣିଧାନଯୋଗ୍ୟ।
୧୯୫୦ରେ ସ୍ବଲିଖିତ ଏକ ପୁସ୍ତକରେ ଆଇନ୍‌ଷ୍ଟାଇନ୍‌ ତାଙ୍କ ରାଜନୈତିକ ବିଚାର ପ୍ରକଟ କରିଥିଲେ। ସମ୍ଭବତଃ ଏହା ୧୯୫୨ରେ ଇସ୍ରାଏଲ୍‌ର ପ୍ରଥମ ରାଷ୍ଟ୍ରପତି ୱାଇଜମାନଙ୍କ ଦେହାନ୍ତପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବେନ୍‌ ଗୁରିଅନ୍‌ଙ୍କୁ ଇସ୍ରାଏଲ୍‌ର ରାଷ୍ଟ୍ରପତି ହେବାପାଇଁ ଆଇନ୍‌ଷ୍ଟାଇନ୍‌ଙ୍କୁ ଅନୁରୋଧ କରିବାପାଇଁ ପ୍ରେରିତ କରିଥିଲା। ଉକ୍ତ ପୁସ୍ତକରେ ଆଇନ୍‌ଷ୍ଟାଇନ୍‌ ଲେଖିଛନ୍ତି, ”ବିଜ୍ଞାନ ଅତିବେଶୀରେ ଏକ ମାଧ୍ୟମ ହୋଇପାରେ କୌଣସି ଲକ୍ଷ୍ୟ ପୂର୍ତ୍ତି ପାଇଁ। ଲକ୍ଷ୍ୟ କେବେବି ବିଜ୍ଞାନ ଦ୍ୱାରା ସୃଷ୍ଟି ହୋଇ ନଥାଏ। ବରଂ ନୀତିବାନ୍‌, ଆଦର୍ଶ ବ୍ୟକ୍ତି ବିଶେଷ ଲକ୍ଷ୍ୟ ସୃଷ୍ଟି କରିଥାଆନ୍ତି। ଏହି ବ୍ୟକ୍ତିମାନଙ୍କ ପୁରୁଷାର୍ଥ ଓ ପରାକ୍ରମ ବିଭିନ୍ନ ସମୟରେ ସମାଜର ବିବର୍ତ୍ତନର ଧାରା ନିର୍ଦ୍ଧାରଣ କରିଥାଏ। ତେଣୁ ମଣିଷ ଜାତିର ସାମାଜିକ ସମସ୍ୟା ସମାଧାନରେ ବୈଜ୍ଞାନିକ ପଦ୍ଧତି ଓ ବିଜ୍ଞାନ କେବେ ବି ସମର୍ଥକ ହୋଇପାରି ନାହିଁ।
ମଣିଷ ଏକାଧାରରେ ବ୍ୟକ୍ତିନିଷ୍ଠ ଓ ସାମାଜିକ ପ୍ରାଣୀ। ବ୍ୟକ୍ତିନିଷ୍ଠ ହେବା କାରଣରୁ ସେ ନିଜର ଓ ନିଜ ବନ୍ଧୁ ସହୋଦରମାନଙ୍କ ଅସ୍ତିତ୍ୱର ସୁରକ୍ଷା ପାଇଁ ଚେଷ୍ଟା କରିଥାଏ। ଯାହା ତା’ର ବ୍ୟକ୍ତିଗତ ଆଶା, ଆକାଂକ୍ଷା ପୂର୍ତ୍ତିପାଇଁ ଉଦ୍ଦିଷ୍ଟ। ଅପରପକ୍ଷରେ ସାମାଜିକ ପ୍ରାଣୀ ଭାବେ ସେ ସମାଜର ସ୍ବୀକୃତି ଓ ସମୁଚ୍ଚୟ ମାନବ ଜାତିର ସ୍ନେହ, ଶ୍ରଦ୍ଧା ପାଇବାପାଇଁ, ସୁଖ ସ୍ବାଚ୍ଛନ୍ଦ୍ୟ, ଦୁଃଖ ଓ ପୀଡ଼ା ବାଣ୍ଟିବା ପାଇଁ ଇଚ୍ଛା ବ୍ୟକ୍ତ କରିଥାଏ। ବ୍ୟକ୍ତିନିଷ୍ଠତା ଓ ସାମାଜିକ ଦାୟବଦ୍ଧତା ମଧ୍ୟରେ ସନ୍ତୁଳନ ରହିଲେ ଯାଇ ବ୍ୟକ୍ତି ସମାଜର ମଙ୍ଗଳ କରିପାରେ। ବ୍ୟକ୍ତିର ଚିନ୍ତା, ଅନୁଭବ ଓ କାର୍ଯ୍ୟ ସ୍ବକୈନ୍ଦ୍ରିକ। ହେଲେ ସେ ସମାଜ ଉପରେ ମଧ୍ୟ ନିର୍ଭରଶୀଳ ହେବାକୁ ବାଧ୍ୟ ହୋଇଥାଏ; ନିଜର ଶାରୀରିକ, ବୌଦ୍ଧିକ ଓ ଭାବଗତ ଅସ୍ତିତ୍ୱ ଯୋଗୁ। ହେଲେ ପିମ୍ପୁଡ଼ି ଓ ମହୁମାଛିଙ୍କ ପରି ତା’ର ଜୀବନଚକ୍ର ସ୍ଥିର ଓ କଠୋର ହୋଇ ନଥାଏ ବରଂ ପରିବର୍ତ୍ତନଶୀଳ ହୋଇଥାଏ। ଏହା ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ ଓ ପରମ୍ପରାର ପରିପୋଷଣ କରି ମାନବ ସଭ୍ୟତାକୁ ବିକଶିତ କରିଆସିଛି।
ମଣିଷର ଜୈବିକ ଗଠନ ଓ ପ୍ରାକୃତିକ ବାସନା ସ୍ଥିର ଓ ଅପରିବର୍ତ୍ତନୀୟ। ହେଲେ ସାଂସ୍କୃତିକ ସଂରଚନା ସେ ବାସ କରୁଥିବା ସମାଜ ଉପରେ ନିର୍ଭରଶୀଳ। ବ୍ୟକ୍ତି ଓ ସମାଜ ମଧ୍ୟରେ ଆନ୍ତଃ ସମ୍ପର୍କ ମଧ୍ୟ ବ୍ୟକ୍ତିର ସଂସ୍କାର ଓ ସଂସ୍କୃତି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ସଂସ୍କୃତି ମଧ୍ୟ ପ୍ରଯୁକ୍ତିବିଦ୍ୟା ଓ ଜନସଂଖ୍ୟାର ସାନ୍ଦ୍ରତା ଦ୍ୱାରା ପ୍ରଭାବିତ ହୋଇଥାଏ। ଏଇ ଯେମିତି ଘନ ଜନବସତି ଅଞ୍ଚଳରେ ଶ୍ରମ ବିଭାଜନ ସହ ଅତ୍ୟଧିକ କେନ୍ଦ୍ରିଭୂତ ଉପତ୍ାଦନକ୍ଷମ ଯନ୍ତ୍ରାଂଶ ଆବଶ୍ୟକ ହୋଇଥାଏ, ଯାହା ବିପୁଳ ଦ୍ରବ୍ୟର ବନ୍ୟା ସୃଷ୍ଟି କରିଥାଏ। ବର୍ଦ୍ଧିଷ୍ଣୁ ଶ୍ରମ ବିଭାଜନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ଭାରୀଶିଳ୍ପକୁ ପ୍ରୋତ୍ସାହିତ କରେ। ଏହା ଫଳରେ ପୁଞ୍ଜି ଅଳ୍ପ କିଛି ଦକ୍ଷ ବ୍ୟକ୍ତିଙ୍କ ହାତରେ ପୁଞ୍ଜିଭୂତ ହୁଏ। ଏହି ବ୍ୟକ୍ତିବିଶେଷ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଶିକ୍ଷା, ଗଣମାଧ୍ୟମ ଓ ସୂଚନାର ଉତ୍ସକୁ ନିୟନ୍ତ୍ରିତ କରିଥାଆନ୍ତି। ବ୍ୟବସ୍ଥାପକ ସଭାପାଇଁ ନିର୍ବାଚନରେ ଏଇମାନେ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଇଥାଆନ୍ତି। ଫଳରେ ନିର୍ବାଚିତ ଜନ ପ୍ରତିନିଧିମାନେ ସମାଜର ବଞ୍ଚତ୍ତବର୍ଗର ସ୍ବାର୍ଥ ଓ ଅଧିକାର ରକ୍ଷା କରିବାରେ ସମର୍ଥ ହୋଇପାରନ୍ତି ନାହିଁ, ଯେଉଁ ଅଧିକାର ଓ ପ୍ରାୟ ବିନିମୟରେ ପୁଞ୍ଜିପତିମାନଙ୍କ ପୁଞ୍ଜି ସୃଷ୍ଟି ଓ ବିକଶିତ ହୋଇଥାଏ।
ଭାରୀ ଶିଳ୍ପରେ ଆବଶ୍ୟକତା ନୁହେଁ ବରଂ ଲାଭ ମୁଖ୍ୟ ଉଦ୍ଦେଶ୍ୟ ହୋଇଥାଏ। ତେଣୁ ଏହା ନିଯୁକ୍ତି ପ୍ରଦାନ, ବେକାରି ଦୂରୀକରଣ ପାଇଁ ଅଭିପ୍ରେତ ହୋଇ ନଥାଏ। ପ୍ରଯୁକ୍ତି ବିଦ୍ୟାର ବିକାଶ ସବୁବେଳେ ଛଟେଇ, ନିଯୁକ୍ତି କାଟ ଓ ବେକାରି ବୃଦ୍ଧିର ବାହକ ହୋଇଥାଏ ଓ ପୁଞ୍ଜି ବୃଦ୍ଧିର ଦ୍ୟୋତକ ହୋଇଥାଏ। ଆମ ଶିକ୍ଷା ବ୍ୟବସ୍ଥା ମଧ୍ୟ ମୂଳରୁ ପ୍ରତିଯୋଗିତାମୂଳକ ଭାବନାକୁ ପ୍ରୋତ୍ସାହିତ କରିଥାଏ। ଅତ୍ୟଧିକ ପ୍ରତିଯୋଗିତାମୂଳକ ମନୋବୃତ୍ତି ଆମ ପିଲାମାନଙ୍କୁ ଆବୋରା ଷଣ୍ଢକୁ ରୂପାନ୍ତରିତ କରିଥାଏ ଓ ଭବିଷ୍ୟତରେ କିପରି ଅଧିକରୁ ଅଧିକ ଅର୍ଥ ଓ ପ୍ରତିପତ୍ତି ଆବୋରି ସଫଳ ବ୍ୟକ୍ତି ହେବେ ସେଥିପାଇଁ ସେମାନଙ୍କୁ ପ୍ରେରିତ କରିଥାଏ, ଯାହା ପିଲାମାନଙ୍କ ସାମାଜିକ ଅଙ୍ଗୀକାରକୁ ଧ୍ୱଂସ ବିଧ୍ୱଂସ କରିଥାଏ।
ତେବେ ଯୋଜନାଯୁକ୍ତ ଅର୍ଥନୀତି (ପ୍ଲାନ୍‌ଡ ଇକୋନୋମି) କ’ଣ ଏହାର ସମାଧାନ? ସ୍ଥଳ ବିଶେଷରେ ଯୋଜନାବଦ୍ଧ ଅର୍ଥନୈତିକ ସଂରଚନା ବ୍ୟକ୍ତିକୁ ସମ୍ପୂର୍ଣ୍ଣଭାବେ ଦାସତ୍ୱର ବେଡ଼ିରେ ବାନ୍ଧିଥାଏ। କେନ୍ଦ୍ରୀଭୂତ ରାଜନୈତିକ ଓ ଅର୍ଥନୈତିକ ସଂରଚନା ଉଭୟ ଗଣତାନ୍ତ୍ରିକ ରାଜନୈତିକ ବ୍ୟବସ୍ଥା ଓ ସମାଜବାଦୀ ଅମଲାତାନ୍ତ୍ରିକ ସ୍ବରୂପରେ ଦେଖାଯାଇଥାଏ। ଏ ଉଭୟ ସଂରଚନା ବ୍ୟକ୍ତିର ଅଧିକାର ସୁନିଶ୍ଚିତ କରିବାପାଇଁ ଅସମର୍ଥ।
ଏହାଛଡ଼ା ପ୍ରଯୁକ୍ତି ବିଦ୍ୟା ନୂତନ ଓ ଅଭିନବ ଧ୍ୱଂସର ମାରଣାସ୍ତ୍ର ସୃଷ୍ଟି କରିଛି। ଏହା ମାନବ ଜାତିର ଅସ୍ତିତ୍ୱ ଓ ସୁରକ୍ଷାକୁ ସଙ୍କଟରେ ପକାଇଛି। ଅପରପକ୍ଷରେ ଅର୍ଥନୈତିକ ଜଟିଳତା ଦେଶମାନଙ୍କୁ ପରସ୍ପର ଉପରେ ଆଶାତୀତ ଭାବେ ନିର୍ଭରଶୀଳ କରିଛି। ଗୋଟିଏ ପଟେ ପୃଥିବୀରେ ଯେତିକି ମାରଣାସ୍ତ୍ର ଅଛି, ନିମିଷକେ ସାରା ପୃଥିବୀକୁ ଧ୍ୱଂସ କରିବାପାଇଁ ସକ୍ଷମ। ଅପରପକ୍ଷରେ ପରସ୍ପର ପ୍ରତି ନିର୍ଭରଶୀଳତା ଦେଶଗୁଡ଼ିକୁ ପରସ୍ପରର ନିକଟତର କରିଛି। ସବୁଦେଶ ମିଶି ଗୋଟିଏ ରାଜନୈତିକ ଅନୁଷ୍ଠାନ ଗଢ଼ି ନିଜ ନିଜର ସାମରିକ, ମାନବ ସମ୍ପଦ ଓ ମାରଣାସ୍ତ୍ରଗୁଡ଼ିକୁ ଏହି ଅନୁଷ୍ଠାନକୁ ସମ୍ପୂର୍ଣ୍ଣଭାବେ ଦେଇଦେଲେ ଯାଇ ବିଶ୍ୱରେ ଶାନ୍ତି ଓ ସଦ୍‌ଭାବ ଆସିପାରିବ। ମିଳିତ ଜାତିସଂଘର ନା ସାମରିକ ସାମର୍ଥ୍ୟ ଅଛି ନା ଆଇନଗତ କ୍ଷମତା ଅଛି ଯେ ସେ ବିଶ୍ୱର ସୁରକ୍ଷାକୁ ସୁନିଶ୍ଚିତ କରିପାରିବ?
ଆଇନ୍‌ଷ୍ଟାଇନ୍‌ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଲେଖିବାକୁ ଯାଇ କହିଛନ୍ତି ଯେ, ”ଯେତେବେଳେ ଆମେ ଶକ୍ତି ଓ ପରାକ୍ରମ ମାଧ୍ୟମରେ ବିଶ୍ୱକୁ ପଦାନତ କରିବା ପାଇଁ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ପ୍ରଚେଷ୍ଟା ଦେଖୁଛେ, ସେତେବେଳେ ନା କୌଣସି ପ୍ରଯୁକ୍ତି ବିଦ୍ୟା ବଳରେ, ନା ସାମରିକ କ୍ଷମତା ଦ୍ୱାରା ବରଂ ନମ୍ରତା, ପ୍ରଜ୍ଞାବଳରେ ନିଜ ଦୁଃସ୍ଥ ଓ ବଞ୍ଚତ୍ତ ଜନଗଣଙ୍କ ପାଇଁ ସଂଗ୍ରାମରତ ମଣିଷ କିପରି କ୍ରୂର ୟୁରୋପୀୟ ସାମ୍ରାଜ୍ୟବାଦୀମାନଙ୍କୁ ପରାସ୍ତ କରିପାରିଛି ଦେଖିଲେ ଆଶ୍ଚର୍ଯ୍ୟଲାଗେ। ଆମ ଭବିଷ୍ୟତ ବଂଶଧରମାନେ ଏହା ବିଶ୍ୱାସ କରିପାରିବେ ନାହିଁ ଯେ ରକ୍ତମାଂସଧାରୀ ଏମିତି ଜଣେ ଲୋକ ଆମମାନଙ୍କ ଗହଣରେ ଥିଲେ।“
ପ୍ରାଧ୍ୟାପକ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ,
ହିମାଚଳ ପ୍ରଦେଶ, ଧର୍ମଶାଳା
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri