ତେଲ୍ ଆଭିଭ୍,୧୭।୧୨: ହମାସ୍ ଆତଙ୍କବାଦୀଙ୍କ କବ୍ଜାରେ ରହିଥିବା ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ଫେରାଇଆଣିବା ଲାଗି ପୁଣିଥରେ ଉଦ୍ୟମ ଆରମ୍ଭ ହୋଇଛି। କାତାର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ୍ ରହମନ ଅଲ୍ ଥାନି ଏବଂ ଇସ୍ରାଏଲ୍ର ମୋସାଦ ଗୋଇନ୍ଦା ସଂସ୍ଥା ନିର୍ଦ୍ଦେଶକ ଡାଭିଡ୍ ବାରନିଆଙ୍କ ମଧ୍ୟରେ ନରଓ୍ବେର ଓସ୍ଲୋଠାରେ ଆଲୋଚନା ହେବାକୁ ଯାଉଛି। ଡାଭିଡ୍ ଇଜିପ୍ଟ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି। ଅସ୍ତ୍ରବିରତି ଘୋଷଣା ପରେ ହମାସ୍ ଆତଙ୍କବାଦୀ ଗାଜାରେ ରଖିଥିବା ପଣବନ୍ଦୀମାନଙ୍କୁ ମୁକ୍ତ କରିବେ। ତାହା ବଦଳରେ ଇସ୍ରାଏଲ୍ରେ ବନ୍ଦୀ ଥିବା ପାଲେଷ୍ଟିନୀୟମାନଙ୍କୁ ଛଡ଼ାଯିବ। ଭୁଲ୍ରେ ୩ ପଣବନ୍ଦୀଙ୍କୁ ଇସ୍ରାଏଲ୍ ସୈନ୍ୟ ଗୁଳିକରି ହତ୍ୟା କରିଥିବାବେଳେ ତାହାର ତଦନ୍ତ କରାଯାଉଛି। ଗତ ମାସ ଶେଷ ଭାଗରେ ସପ୍ତାହେ ଧରି ଅସ୍ତ୍ରବିରତି ସମୟରେ ହମାସ୍ ୧୦୦ରୁ ଅଧିକ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା, ଶିଶୁ ଏବଂ ବିଦେଶୀ ପଣବନ୍ଦୀ ଥିଲେ। ଏହା ବଦଳରେ ଇସ୍ରାଏଲ୍ ୨୪୦ ଜଣ ମହିଳା ଓ କିଶୋର ବନ୍ଦୀଙ୍କୁ ଛାଡ଼ିଥିଲା।