ବିଷମରେ ବିଶି

ମାଆଙ୍କ ଦେହାନ୍ତ ପରେ ଯେତେସବୁ ପୂଜାପାର୍ବଣର ଦାୟିତ୍ୱ ଗାଁରେ ଥିବା ବଡ଼ ଭାଇନା ଓ ଭାଉଜଙ୍କ ଉପରେ ନ୍ୟସ୍ତ। ସେମାନେ ଆମର ମୁରବି। ଆମେ ଜାଣିଥିଲେ ବି ମୁରବି ହିସାବରେ ଶ୍ରାଦ୍ଧ ଓ ପର୍ବପର୍ବାଣି ବିଷୟରେ ସେମାନେ ଜଣାଇ ଦିଅନ୍ତିି ଆଗୁଆ। ପୂଜାପାର୍ବଣରେ ଆମିଷ ନ ଖାଇବାକୁ ତାଗିଦ। ତା’ ସହ ଗାଁକୁ ଆସିବାକୁ ଆମନ୍ତ୍ରଣ। ଅନ୍ତରଙ୍ଗ ଡାକରାରେ ଗାଁ ମାଟି ପ୍ରତି ମମତା ଆହୁରି ବଢ଼ିଯାଏ। ଯିବାକୁ ମନ ବାଧ୍ୟକରାଏ। ଗାଁକୁ ଗଲେ ପିଲାଦିନ କଥା ବହୁତ ମନେପଡ଼େ। ଗାଁ ବିଲ, ସାଙ୍ଗସାଥୀ, ତୋଟା, ନଦୀ ଓ ଗାଁ ପରମ୍ପରା ମନକୁ ଛୁଇଁଯାଏଁ। ମନ ଭାବୁକ ହୋଇଯାଏ। ସବୁ କଥା ଭୁଲି ପଛ କଥା ଭାବିବାକୁ ମନବଳାଏ। ଏମିତିରେ ନିକଟରେ ଗାଁକୁ ଯାଇଥିଲି। ଗାଁରେ ଆଧୁନିକତା ଲେସି ହୋଇସାରିଥିଲା। ସହର ଭଳି ଚକମକ ଗାଁ। ଗାଡ଼ିର ଭିଡ଼। ଟ୍ରାଫିକ ଜାମ୍‌। ଗାଁ ପାଖ ଜମି ସବୁରେ ଘର। ଅଣ୍ଟା ଯାଏ ଖାଲୁଆ ଜମିରେ ବଡ଼ ବଡ଼ ପକ୍କାଘର। ବର୍ଷାଦିନେ ସେଠି ପାଣି ଲହଡ଼ି ମାରୁଥିଲା। ପିଲାଦିନେ ଲୁଗା କି ଚିରା ମଶାରି ଖଣ୍ଡ ଧରି ବିଲରେ ପଶି ନୂଆ ପାଣିରେ ମାଛଧରା ସହ ପାଣିରେ ପହଁରାର ମଜା। ବୁଡ଼ିବାର କି ଭାସିବାର ଭୟ ନ ଥିଲା। ବିଶି ଚଷାଘର ପିଲା। ଚାଷବାସ କାମରେ ସେ ଧୁରନ୍ଧର। ବର୍ଷା ମାସରେ ସେ ବିଦ୍ୟାଳୟ ଅପେକ୍ଷା ବିଲବାଡ଼ି କାମରେ ଲାଗେ। ତା’ ବାପାକୁ ସାହାଯ୍ୟକରେ। ହାଇସ୍କୁଲ ପଢ଼ିଲା ବେଳକୁ ବିଲର ସବୁ କାମ ଶିଖିଯାଇଥିଲା। ହଳ କାମ, କତିହଣା କାମ, କାଦୁଅ କରିବା ଭଳି କଷ୍ଟ କାମରେ ବି ପାରଙ୍ଗମତା ହାସଲ କରିଥିଲା। ପାଠ ପଢ଼ାରେ ଆଗୁଆ ନ ଥିଲେ ବି ମନ୍ଦ ନ ଥିଲା।

ଆମ ସାଙ୍ଗ ଭିତରେ ଗୋଟେ ଧାରଣା ହୋଇଯାଇଥିଲା ବିଶି ପାଠ ପଢ଼ି ଚାକିରିବାକିରି କଲେ ବି ଚାଷକାମ ଛାଡ଼ିବନାହିଁ। ଚାଷ ପ୍ରତି ତା’ର ଆତ୍ମିକ ଭାବ ଥିଲା। ବିଶେଷକରି ଧାନ ଚାଷ ଉପରେ ସେ ଆମ ସାଙ୍ଗମାନଙ୍କୁ ସବୁ କଥା ଗୋଟି ଗୋଟି କହୁଥିଲା। ଆମେ ସବୁ ତାକୁ କହୁଥିଲୁ – ‘ଚାଷ କାମ ଯାହାର, କି ଆନନ୍ଦ ତାହାର।’ ସେଥିରେ ସେ ଖୁସିହୋଇ ଯାଉଥିଲା। ସତକୁ ସତ ବିଶି କଲେଜ ପଢ଼ିଲା ପରେ ଆଉ ଚାକିରି ପଛରେ ନ ଗୋଡ଼େଇ ଚାଷର ଧାର ଧରିଲା। ଚାଷରେ ନୂଆ ନୂଆ ପ୍ରୟୋଗ କଲା। ଭଲ ଉପତ୍ାଦନ ବି କରିବା ଶିଖିଲା। ମଝିରେ ମଝିରେ ଦେଖା ହେଲେ ତା’ କାହାଣୀ ଗପେ। ଗାଁରେ ରହି ସୁଖକୁ ହାତମୁଠାରେ ଧରି ରଖିପାରିଥିବାରୁ ତାକୁ ସବୁବେଳେ କହେ, ”ତୁ ଭାଗ୍ୟବାନ୍‌ରେ ବିଶି! ଗାଁ ମାଟିରେ ବଢ଼ିଲୁ, ଗାଁ ମାଟିରେ ରହିଲୁ। ଏଠି ସବୁ ଭୋଗିପାରୁଛୁ। ଆମେ ପର ରାଇଜର ଲୋକ। ଗାଁ ପାଇଁ କୁଣିଆ। ଚାକିରିର ମୋହରେ ଏ ମାଟି ବି ପର କରିଦେଉଛି।“ ସେ କହେ , ”ଭାଇ ! ଆମେ ଖଟିଖିଆ ମଣିଷ। ଖଟିଲେ ଖାଇବୁ। ନ ହେଲେ ଉପାସ। ତୁମର ଖଞ୍ଜା ପଇସା। ମାସ ପୂରିଲେ ପଇସା ମିଳିବ। ଚିନ୍ତା ନାହିଁ।“ କିନ୍ତୁ ବିଶି ଜାଣିପାରେନି ଚାକିରିଆଙ୍କୁ ଜବାବ ଦେବାକୁ ପଡ଼ିବ। ଏକଥା ତାକୁ କହିବାକୁ ଇଚ୍ଛା କରେନି। ବରଂ ଚାଷବାସ ପାଇଁ ତାକୁ ପ୍ରଶଂସା କରେ ସବୁଥର। ଏଥର ଗାଁରେ କିନ୍ତୁ ବିଶି ସହ ଦେଖାହେଲା ପରେ ତା’ର କଥାରେ ଖୁସି କରାଇବାର ଶବ୍ଦ ମୋ ପାଖେ ନ ଥିଲା। ବରଂ ତା’ ସହ ଦୁଃଖୀ ହେବାକୁ ପଡ଼ିଲା। ବିଶି ଦେଖି ସାଇକେଲଟିକୁ ହ କରି ଆମ ଘର ଦାଣ୍ଡପିଣ୍ଡାରେ ବସିଗଲା। ଦୁଃଖସୁଖ ହେଲା। ଶ୍ରାବଣ ସରି ଆସୁଥିଲେ ବି ରୁଆରୋଇ ସରି ନ ଥିବାରୁ ସେ ବେଶି ଚିନ୍ତିତ ଥିଲା। ଅନିୟମିତ ବର୍ଷା, ମଜୁରିଆଙ୍କ ଅଭାବ ଓ ଆକାଶଛୁଆଁ ଦର ଭିତରେ ଚାଷବାସରେ ମଜା ନାହିଁ ବୋଲି ଜଣାଇଲା। କଷ୍ଟମଷ୍ଟେ ଯାହା କରିବୁ ଦଇବ ସହିବ ନାହିଁ। ଅଦିନିଆ ବର୍ଷାରେ ନାଶ କରିଦେବ। ବର୍ଷାଦିନେ ବର୍ଷା ହେବନି। କଟାକଟି ବେଳକୁ ଏମିତି ବର୍ଷା ହେବ ଯେ ବିଲରେ କଟା ଧାନ ଭାସିବ। ଭିଜିଯାଇଥିବା ଧାନକୁ ଏଫ୍‌ଏକ୍ୟୁ ନାମରେ ବିକିଲା ବେଳକୁ ତୁଚ୍ଛା ଧନ୍ଦାରେ ଧନ୍ଦି ହେବାକୁ ପଡ଼େ। ଟଙ୍କା ପାଇଁ ତେଣିକି ବୁଲିବାକୁ ପଡ଼ିବ। ସେଥିପାଇଁ ଗଲା ୫ ବର୍ଷ ହେଲା ଢିପଜମିରେ ଧାନ ବଦଳରେ କପା କରୁଥିବା ସେ ସୂଚନା ଦେଲା। ବାକି କିଛି ଜମି ଭାଗକୁ ଦେଇଦେଇଛି। ନିଜେ ଖାଇବା ଲାଗି କିଛି ଜମିରେ ଧାନଚାଷ କରୁଛି। ଗାଁଟା ସାରା ଲୋକଙ୍କ ସେଇ ଅବସ୍ଥା। ଧାନ କମ୍‌, କପା ଅଧିକ। ଆଉ ଗାଁ ପାଖ ଜମିଗୁଡ଼ିକ ପ୍ଲଟିଂକରି ବିକି ଅନେକ ଲୋକ ଭଲ ଅର୍ଥ କମେଇଛନ୍ତିି।

ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ବିଶି ଏବେ ବିଷମରେ। ଗାଁଠାରୁ ବଣ ଘୁଞ୍ଚତ୍ୟାଇଛି। ନିର୍ମାଣରେ ଅନେକ ଗଛ ବଳି ପଡୁଛି। ନୂଆ ଗଛ ଯାହା ଲଗାଯାଉଛି ତା’ ବଡ଼ ହେଲାବେଳକୁ ପୁଣି ଟାଙ୍ଗିଆ ଚୋଟରେ ହେଉ କିମ୍ବା ଯନ୍ତ୍ରର ସ୍ପର୍ଶରେ ଅକାରଣରେ ବଳିପଡୁଛି। ଚାଷ ଜମିରେ ବ୍ୟାପକ ରାସାୟନିକ ସାର ପ୍ରୟୋଗରେ ମାଟିର ଉର୍ବରତା ହ୍ରାସ ହେବାରେ ଲାଗିଛି। ଆଧୁନିକ ଚାଲିଚଳଣ, ଗାଡ଼ିମୋଟର ବ୍ୟାପକ ବୃଦ୍ଧି, ଜଳାଶୟ ପୋତି ହୋଇଯିବା ଓ ନଦୀରେ ଜଳସ୍ତର କମିଯିବା ସମସ୍ୟାକୁ ବହୁଗୁଣିତ କରିଦେଇଛି। ସବୁଠି କଂକ୍ରିଟ ରାସ୍ତା। ମାଟି ଭିତରକୁ ପାଣି ପଶିବାକୁ ବାଟ ବନ୍ଦ। ଗାଁରେ ପିଇବା ପାଣିର ସଙ୍କଟ ଘାରିଲାଣି। ଅସମ୍ଭବ ଗରମ ହେଉଛି। ଏଣେ ରାଜ୍ୟରେ ଆଳୁ, ପିଆଜ ମିଳୁନାହିଁ। ମାଛ, ଅଣ୍ଡା ଓ ପରିବା ପାଇଁ ବି ବାହାର ରାଜ୍ୟ ଉପରେ ନିର୍ଭର। ଏ ଦିଗରେ ଚାଷୀଙ୍କ ଆଗ୍ରହ ବି ନାହିଁ। ସେଇ ପାରମ୍ପରିକ ଚାଷ ଭିତରେ ଆମର ଅଧିକାଂଶ ଚାଷୀ ସୀମିତ। ନୂଆ ପରୀକ୍ଷଣ କରିବାକୁ ସାହସ ଜୁଟାଉନାହାନ୍ତି। ଯିଏ ବି କରୁଛି ବିଭିନ୍ନ କାରଣରୁ ବିଶେଷ ସଫଳ ହେଉନାହାନ୍ତି। ଯିଏ ହେଉଛି ସେ ଖୁସି। ବାକି ଚାଷୀ ହତାଶ। ଆଗକୁ ପରିସ୍ଥିତି ଜଟିଳ ହେବ। ବାଦଲଫଟା ବର୍ଷାର ସ୍ଥିତି ବଢ଼ି ବଢ଼ି ଚାଲିଛି। ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ଢେର ସମୟ ନିଜ ଦୁଃଖ ବଖାଣିବା ପରେ କାନ୍ଧରେ ଗାମୁଛା ପକେଇ ସାଇକେଲ ଚଢ଼ି ଆଗକୁ ଗଡ଼େଇଲା ଓ ତା’ ସହ କହିଲା, ”ଦେଖାଯାଉ ଆଗକୁ ଏ ମାଟି ମାଆ କି ରାସ୍ତା ଦେଖାଉଛି। ଆମକୁ ମାଟି କରିବ କି ସୁନା କରିବ ତା’ ହାତରେ ଅଛି।“ ମୁଁ କହିବାକୁ ଇଚ୍ଛା ଥିଲେ ବି ତାକୁ କହିଲିନି , ”ମାଟି ମାଆ ହାତରେ କିଛି ନାହିଁ। ବିନାଶକୁ ମଣିଷ ଡାକୁଛି। ଯେମିତି ସେ କରୁଛି, ସେମିତି ତ ଭୋଗିବାର ଅଛି।“
ଇନ୍ଦିରାନଗର ,ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri