ଶିକ୍ଷାନୀତି ରୂପକାର

ନିକଟରେ ଭାରତ ସରକାରଙ୍କ ଦ୍ୱାରା ନୂତନ ଶିକ୍ଷା ନୀତି-୨୦୨୦ ଘୋଷିତ ହୋଇଛି। ପୁରୁଣା ଢାଞ୍ଚାରେ ପରିବର୍ତ୍ତନ କରାଯାଇ ଅଣାଯାଇଥିବା ନୂଆ ବ୍ୟବସ୍ଥାର ଗାଣିତିକ ଅଭିବ୍ୟକ୍ତି ୫+୩+୩+୪ ରଖାଯାଇଛି। ପ୍ରାକ୍‌ ବିଦ୍ୟାଳୟ ବା ଅଙ୍ଗନଓ୍ବାଡି ଶିକ୍ଷାଠାରୁ ଦ୍ୱାଦଶ ଶ୍ରେଣୀ ଯାଏ ୧୫ ବର୍ଷର ଶିକ୍ଷାକୁ ଏହି ନୂତନ ନୀତିରେ ସନ୍ନିବେଶିତ କରାଯାଇଛି। ଏଥିରେ ଶିକ୍ଷାର ଫଳାଫଳ ଓ ଧନ୍ଦାମୂଳକ ପ୍ରଶିକ୍ଷଣକୁ ପ୍ରାଧାନ୍ୟ ଦିଆଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ବଦଳାଯାଇ ତାହାକୁ ଶିକ୍ଷା ମନ୍ତ୍ରଣାଳୟ ରଖାଯାଇଛି। ତେବେ ଏହି ନୂଆ ନୀତି ଭାରତୀୟ ଶିକ୍ଷା ଢାଞ୍ଚାରେ ଅନେକ ପରିବର୍ତ୍ତନ ଆଣିବ ବୋଲି ଏହାକୁ ପସନ୍ଦ କରିଥିବା ଲୋକେ କହୁଥିବା ବେଳେ ସମାଲୋଚକମାନେ ଏଥିରେ ନୂତନତ୍ୱର ଆଭାସ ପାଉନାହାନ୍ତି ବୋଲି କହିଲେଣି। ତଥାପି ୩୪ ବର୍ଷ ପରେ ଶିକ୍ଷା କ୍ଷେତ୍ରରେ ଯେଉଁ ପରୀକ୍ଷଣ କରାଯାଇଛି, ତାହାର ସମଗ୍ର ସ୍ବରୂପକୁ ତର୍ଜମା କରାଯିବାର ଆବଶ୍ୟକତା ରହିଛି। ତେବେ ଏହି ନୀତିରେ ଯାହା ପରିବର୍ତ୍ତନ କରାଯାଇଛି ତାହାର ଆଦ୍ୟ ରୂପକାର ଥିବା ବ୍ୟକ୍ତି କେ. କସ୍ତୁରୀରଙ୍ଗନ ଦେଶର ଜଣେ ଚିହ୍ନା ମୁହଁ ହୋଇଥିଲେ ହେଁ ତାଙ୍କ ବ୍ୟକ୍ତିତ୍ୱ ଏବେ ଅଧିକ ଚର୍ଚ୍ଚାକୁ ଆସିଛି।
କ୍ରିଷ୍ଣାସ୍ବାମୀ କସ୍ତୁରୀରଙ୍ଗନ କେରଳର ଏର୍ନାକଲମ୍‌ରେ ୨୪ ଅକ୍ଟୋବର ୧୯୪୦ରେ ଜନ୍ମଗ୍ରହଣ କରିଥିଲେ। ସେଠାକାର ଏସ୍‌ଆର୍‌ଭି ସରକାରୀ ହାଇସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ସେ କେନ୍ଦ୍ରୀୟ ବମ୍ବେର ମାତୁଙ୍ଗାସ୍ଥିତ ରାମନାରଏନ୍‌ ରୁଇଆ କଲେଜରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ବମ୍ବେ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ କସ୍ତୁରୀରଙ୍ଗନ ଉଚ୍ଚତ୍ତର ଗବେଷଣାରେ ମନୋନିବେଶ କରିଥିଲେ। ଅହମଦାବାଦସ୍ଥିତ ଫିଜିକାଲ ରିସର୍ଚ୍ଚ ଲାବରେଟୋରିରୁ ୧୯୭୧ରେ ଏକ୍ସପେରିମେଣ୍ଟାଲ୍‌ ହାଏ ଏନର୍ଜି ଆଷ୍ଟ୍ରୋନମି ଉପରେ ସେ ଡକ୍ଟରେଟ୍‌ ଡିଗ୍ରୀ ଅର୍ଜନ କରିଥିଲେ। ଆଷ୍ଟ୍ରୋନମି, ମହାକାଶ ବିଜ୍ଞାନ ଓ ଏହାର ପ୍ରୟୋଗ ସଂକ୍ରାନ୍ତ ତାଙ୍କ ୨୪୪ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି। ଫଳରେ ସେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ରେ ୧୯୯୪ରୁ ୨୦୦୩ ଯାଏ ୯ ବର୍ଷ ଅଧ୍ୟକ୍ଷ ରହିବାର ଗୌରବ ଅର୍ଜନ କରିଥିଲେ। ଏଥିସହିତ ମହାକାଶ କମିଶନର ଅଧ୍ୟକ୍ଷ ଓ ମହାକାଶ ବିଜ୍ଞାନ ବିଭାଗରେ ଭାରତ ସରକାରଙ୍କ ସଚିବ ମଧ୍ୟ ରହିଥିଲେ। ଇସ୍ରୋରେ କାର୍ଯ୍ୟ କଲା ବେଳେ ସେ ଇସ୍ରୋ ଉପଗ୍ରହ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ନୂଆ ପିଢ଼ିର ସ୍ପେସ୍‌କ୍ରାଫ୍ଟ, ଇଣ୍ଡିଆନ୍‌ ନ୍ୟାଶନାଲ ସାଟେଲାଇଟ୍‌ (ଇନ୍‌ସାଟ୍‌-୨), ଇଣ୍ଡିଆନ୍‌ ରିମୋଟ୍‌ ସେନ୍‌ସିଂ ସାଟେଲାଇଟ୍‌ (ଆଇଆର୍‌ଏସ୍‌-୧ଏ ଏବଂ ୧ବି) ତଥା ସାଇଣ୍ଟିଫିକ୍‌ ସାଟେଲାଇଟ୍‌ର ବିକାଶ ଦିଗରେ କାର୍ଯ୍ୟ କରି ବୈଜ୍ଞାନିକ ପ୍ରତିଭା ପ୍ରଦର୍ଶନ କରିଥିଲେ। ଭାରତର ପ୍ରଥମ ଦୁଇଟି ଏକ୍ସପେରିମେଣ୍ଟାଲ ଆର୍ଥ ଅବଜରଭେଶନ ସାଟେଲାଇଟ୍‌ ଭାସ୍କର-୧ ଓ ୨ର ସେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କଲା ବେଳେ ବରିଷ୍ଠ ବୈଜ୍ଞାନିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଇସ୍ରୋର ନେତୃତ୍ୱ ନେବା ବେଳେ ସେ ପୋଲାର ସାଟେଲାଇଟ୍‌ ଲଞ୍ଚ୍‌ ଭେହିକିଲ୍‌ (ପିଏସ୍‌ଏଲ୍‌ଭି) ଏବଂ ଜିଓସିଙ୍କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେହିକିଲ୍‌ (ଜିଏସ୍‌ଏଲ୍‌ଭି)ର ସଫଳ ଉତ୍‌କ୍ଷେପଣ କରି ନୂତନ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଜିଏସ୍‌ଏଲ୍‌ଭି, ଜିଏସ୍‌ଏଲ୍‌ଭିଏମ୍‌କେ-୩ର ବିକଶିତ ସଂସ୍କରଣ ତାଙ୍କ କାର୍ଯ୍ୟକାଳ ଭିତରେ ଶିଖର ଛୁଇଁପାରିଥିଲା। ଏଥିସହିତ ବିଶ୍ୱର ଶ୍ରେଷ୍ଠ ସିଭିଲିଆନ୍‌ ରିମୋଟ୍‌ ସେନ୍‌ସିଂ ସାଟେଲାଇଟ ଆଇଆର୍‌ଏସ୍‌-୧ସି ଓ ଆଇଆର୍‌ଏସ୍‌-୧ଡି, ସାମୁଦ୍ରିକ ପର୍ଯ୍ୟବେକ୍ଷଣ ଉପଗ୍ରହଠାରୁ ଯୋଗାଯୋଗ ଉପଗ୍ରହର ନୂଆ ପିଢ଼ିକୁ ବିକଶିତ କରିବାରେ କସ୍ତୁରୀରଙ୍ଗନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏପରି କି ଚନ୍ଦ୍ରୟାନ-୧ ସୂତ୍ରପାତ କରିବାରେ ତାଙ୍କ ପ୍ରଚେଷ୍ଟା ଭାରତକୁ ମହାକାଶ କାର୍ଯ୍ୟକ୍ରମ ନେଇ ଅନେକ ସଫଳତା ପାଇଥିବା ବିଶ୍ୱର ଶ୍ରେଷ୍ଠ ୬ ରାଷ୍ଟ୍ର ମଧ୍ୟରେ ରଖିପାରିଛି। ମହାକାଶ ବିଶାରଦ ଭାବେ କସ୍ତୁରୀରଙ୍ଗନଙ୍କ ନୂଆ କିଛି କରିବାର ଆଗ୍ରହ ଉଚ୍ଚ ଶକ୍ତିଯୁକ୍ତ ଏକ୍ସ-ରେ ଏବଂ ଗାମା-ରେ ଦିଗରେ ଅଧିକ ଗବେଷଣା କରିବାକୁ ପଥ ଦେଖାଇଥିଲା।
କସ୍ତୁରୀରଙ୍ଗନଙ୍କ ବିଶେଷତ୍ୱ କେବଳ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସୀମିତ ରହିନାହିଁ। ଶିକ୍ଷାକୁ ନୂଆ ରୂପ ଦେବାରେ ନିରନ୍ତର ପ୍ରୟାସ ତାଙ୍କୁ ବିଭିନ୍ନ ସମୟରେ ଶିକ୍ଷାନୁଷ୍ଠାଗୁଡ଼ିକର ମୁରବି ସ୍ଥାନରେ ବସାଇଛି। ସେ ଏବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ରାଜସ୍ଥାନ ଓ ଏନ୍‌ଆଇଆଇଟିର ଚାନ୍‌ସେଲର ଅଛନ୍ତି। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାୟର ଚାନ୍‌ସେଲର ଓ କର୍ନାଟକ ନଲେଜ୍‌ କମିଶନ୍‌ର ମଧ୍ୟ ସେ ଅଧ୍ୟକ୍ଷ ଥିଲେ। କସ୍ତୁରୀରଙ୍ଗନ ୨୦୦୪ରୁ ୨୦୦୯ ଯାଏ ବାଙ୍ଗାଲୋରସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନ୍ସଡ୍‌ ଷ୍ଟଡିଜ୍‌ର ମଧ୍ୟ ନିର୍ଦ୍ଦେଶକ ରହିଥିଲେ। ବିଜ୍ଞାନ ଓ ଶିକ୍ଷା କ୍ଷେତ୍ରକୁ ଅଶେଷ ଅବଦାନ ଲାଗି ସେ ୨୦୦୩ରୁ ୨୦୦୯ ଯାଏ ରାଜ୍ୟ ସଭା ସଦସ୍ୟ ହୋଇପାରିଥିଲେ। ଯୋଜନା କମିଶନର ପୂର୍ବତନ ସଦସ୍ୟ ଭଳି ବହୁ ମର୍ଯ୍ୟାଦାଜନକ ପଦବୀରେ ଆସୀନ ରହିଆସିଥିବା କସ୍ତୁରୀରଙ୍ଗନଙ୍କୁ ଭାରତ ସରକାରଙ୍କ ପ୍ରମୁଖ ବେସାମରିକ ସମ୍ମାନ ପଦ୍ମଶ୍ରୀ(୧୯୮୨), ପଦ୍ମଭୂଷଣ(୧୯୯୨) ଏବଂ ପଦ୍ମବିଭୂଷଣ(୨୦୦୦) ମିଳିଛି। ତେବେ ଏବର ନୂତନ ଶିକ୍ଷା ନୀତି ପ୍ରଣୟନ ଦିଗରେ ମାର୍ଗଦର୍ଶନ ତାଙ୍କୁ ଅଧିକ ଚର୍ଚ୍ଚିତ କରିଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri