ଶିକ୍ଷାଯନ୍ତ୍ରୀଙ୍କ ନିୟନ୍ତ୍ରଣରେ ଶିକ୍ଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ହେଉଛି ପଶୁର ବିବର୍ତ୍ତିତ ରୂପ। ଏହି ବିବର୍ତ୍ତନ ପ୍ରକ୍ରିୟାରେ ତା’ର ଚେତନାର ମଧ୍ୟ ବିକାଶ ଘଟିଛି। ଏହି ଚେତନାର ବିକାଶରେ ଶିକ୍ଷା ଏକ ବିଶେଷ ଭୂମିକା ଗ୍ରହଣ କରିଛି। ମଣିଷକୁ ଶିକ୍ଷିତ ଓ ସଂସ୍କୃତ କରିବା ପାଇଁ ଇଉରୋପରେ ରୁଷୋ, ପ୍ଲାଟୋ, ଆରିଷ୍ଟଟଲ, ଜନଲକ୍‌, ମେରିଆ ମଣ୍ଟେସରି, କାଣ୍ଟ, ଅଗଷ୍ଟିନ୍‌, ବେଟ୍ରାଣ୍ଡ ରସେଲ ପ୍ରମୁଖ ବହୁ ମନୀଷୀ ବିଭିନ୍ନ ଶିକ୍ଷା ତତ୍ତ୍ୱ ପରିବେଷଣ କରିଛନ୍ତି। ଅନୁରୂପ ଭାବରେ ଭାରତରେ ରବୀନ୍ଦ୍ରନାଥ, ଶ୍ରୀଅରବିନ୍ଦ, ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ରାଧାକ୍ରିଷ୍ଣନ, ଗୋପବନ୍ଧୁ ପ୍ରମୁଖ ଶିକ୍ଷା ସମ୍ପର୍କରେ ମନନ ମନ୍ଥନ ଓ ଗବେଷଣା କରି ସେମାନଙ୍କ ସିଦ୍ଧାନ୍ତ ଉପସ୍ଥାପନ କରିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ଲାଟୋ, ଆରିଷ୍ଟଟଲ, ମଣ୍ଟେସରି, ରବୀନ୍ଦ୍ରନାଥ, ଅରବିନ୍ଦ ଓ ଗୋପବନ୍ଧୁ ପ୍ରମୁଖ ନିଜ ନିଜର ସିଦ୍ଧାନ୍ତକୁ ବିଦ୍ୟାଳୟ ଖୋଲି ପରୀକ୍ଷା ନିରୀକ୍ଷା କରିଛନ୍ତି ଓ ପ୍ରୟୋଗ କରି ସଫଳପ୍ରାୟ ହୋଇଛନ୍ତି। ଏହିମାନେ ହେଉଛନ୍ତି ପ୍ରକୃତ ଶିକ୍ଷାବିତ୍‌। ମାତ୍ର ଏବେ ଶିକ୍ଷା ବ୍ୟବସ୍ଥା ଏହିଭଳି ଶିକ୍ଷାବିତ୍‌ମାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉନାହିଁ। ଏହା ନିୟନ୍ତ୍ରିତ ହେଉଛି ଶିକ୍ଷାଯନ୍ତ୍ରୀମାନଙ୍କ ଦ୍ୱାରା। ଶିକ୍ଷାପ୍ରଣାଳୀ କିପରି ହେବା ଉଚିତ, ସେ ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀମାନେ ନିଷ୍ପତ୍ତି ନେଉଛନ୍ତି ଓ ଦେଶର ଶିକ୍ଷାପଦ୍ଧତିକୁ ସେମାନେ ନିୟନ୍ତ୍ରଣ କରୁଛନ୍ତି। ଏମାନେ ଶିକ୍ଷାଯନ୍ତ୍ରୀ।
ବୋଧହୁଏ ୧୯୮୭ ମସିହାରେ ବିଶିଷ୍ଟ ପ୍ରାବନ୍ଧିକ ଓ ଚିନ୍ତକ ଚିତ୍ତରଞ୍ଜନ ଦାସ ଏହି ‘ଶିକ୍ଷାଯନ୍ତ୍ରୀ’ ଶବ୍ଦଟି ବ୍ୟବହାର କରିଥିଲେ। ଏକ ପ୍ରବନ୍ଧରେ ଶିକ୍ଷାବିତ୍‌ କିଏ ଏବଂ ଶିକ୍ଷାଯନ୍ତ୍ରୀ କିଏ ଏ ସମ୍ପର୍କରେ ସେ କହିଥିଲେ, ”ଅସଲ ଶିକ୍ଷା ହୃଦୟ ଦ୍ୱାରା ଚଳେ, ଅନୁରାଗ ଦ୍ୱାରା ଚଳେ। ଶିକ୍ଷା ବିଷୟରେ ନିଜ ଭିତରେ ଏକ ବିଶ୍ୱାସ ରହିଥିଲେ ଓ ବାହାର ପରିସ୍ଥିତି ସହିତ ଅଧିକରୁ ଅଧିକ ପରିଚିତ ହେବା ସଙ୍ଗେ ସଙ୍ଗେ ଭିତରର ସେହି ବିଶ୍ୱାସ ବଢ଼ିବାରେ ଅର୍ଥାତ୍‌ ଦୃଢ଼ ହେବାରେ ଲାଗିଥିଲେ ମନୁଷ୍ୟ ସତେ ଅବା ସ୍ବତଃପ୍ରବୃତ୍ତ ହୋଇ ଶିକ୍ଷାର କ୍ଷେତ୍ର ଆଡକୁ ଟାଣି ହୋଇଥାଏ। ସେହିପରି ଟାଣି ହୋଇ ଯିବାକୁ ଭିତରୁ ନିଜର ସମ୍ମତି ଦେଇପାରିଲେ ମଣିଷ ଭିତରେ ଅତ୍ୟନ୍ତ ଅଭିନବ ପ୍ରକାରର ଏକ ସାହସ ଆସିଥାଏ। ସେହି ସାହସ ହିଁ ସାରଥିର କାର୍ଯ୍ୟ କରେ। ଯେଉଁମାନେ ଏହିପରି ଭାବରେ ରଥଟିଏ ସଜ କରି ଆଗକୁ ଯିବେ ବୋଲି ବାହାରନ୍ତି, ସେମାନଙ୍କୁ ହିଁ ଶିକ୍ଷାବିତ୍‌ କୁହାଯାଏ। ଯନ୍ତ୍ର ଚଳଉଥିବା ଅନ୍ୟମାନେ ଯନ୍ତ୍ରୀ ହୋଇ ରହିଥାନ୍ତି। ସେମାନେ ଯନ୍ତ୍ରଟିକୁ ଅସଲ ରଥ ବୋଲି ମଣନ୍ତି।“ ଆଜି ଦେଶର ଶିକ୍ଷା ବ୍ୟବସ୍ଥା ଏହି ଶିକ୍ଷାଯନ୍ତ୍ରୀମାନଙ୍କ ଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ। ଶିକ୍ଷାନୀତି ନିର୍ଦ୍ଧାରଣ କରୁଛନ୍ତି ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ସାଂସଦ/ବିଧାୟକ; ଯେଉଁମାନଙ୍କର ଶିକ୍ଷା ସମ୍ପର୍କରେ ଓ ଶିଶୁ ମନସ୍ତତ୍ତ୍ୱ ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ନ ଥାଏ। ଏହା ବିଶିଷ୍ଟ ଲେଖକ ବେଟ୍ରାଣ୍ଡ ରସେଲ ତାଙ୍କ ପ୍ରବନ୍ଧ, “The function of a Teacher” ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି। ତାଙ୍କରି ଭାଷାରେ The immense majority of educational institutions are hampered and Controlled by men who don’t understand the work with which they are interfering. ଅର୍ଥାତ୍‌ ଅଧିକାଂଶ ଶିକ୍ଷାନୁଷ୍ଠାନ ଶିକ୍ଷା ସମ୍ପର୍କରେ କିଛି ନ ବୁଝି ଶିକ୍ଷାକ୍ଷେତ୍ରରେ ହସ୍ତକ୍ଷେପ କରୁଥିବା ବ୍ୟକ୍ତିମାନଙ୍କ ଦ୍ୱାରା ବାଧାପ୍ରାପ୍ତ ଓ ନିୟନ୍ତ୍ରିତ ହୁଏ। ଶିକ୍ଷା ବିଭାଗର ମନ୍ତ୍ରୀ ଶିକ୍ଷା ସମ୍ପର୍କରେ ଧୁରୀଣ ହୋଇଥିବା ଆଶା କରାଯାଏ। ମାତ୍ର ବେଳେବେଳେ ଏମିତି ହୁଏ ହଠାତ୍‌ ଅବକାରୀ ବିଭାଗ ବା ରାଜସ୍ବ ବିଭାଗ ଭଳି ବିଭାଗରୁ ସେ ଶିକ୍ଷା ବିଭାଗକୁ ପଶି ଆସିଥିବେ। ସେମାନଙ୍କ ଶିକ୍ଷା ସମ୍ପର୍କରେ ଅନୁଭବ ବା ଅଭିଜ୍ଞତା ନ ଥାଏ। ପୁନଶ୍ଚ ଶିକ୍ଷାନୁଷ୍ଠାନଗୁଡିକର ପରିଚାଳନା ସମିତିରେ କୌଣସି ଶିକ୍ଷାବିତ୍‌ ନ ଥା’ନ୍ତି ବା କ୍ୱଚିତ୍‌ ଥା’ନ୍ତି। ଅଧିକାଂଶ ସଦସ୍ୟ ରାଜନୈତିକ ଦଳଗୁଡ଼ିକର ଓ ରାଜନୈତିକ ଅନୁଷ୍ଠାନର ପ୍ରତିନିଧି; ଯେଉଁମାନଙ୍କର ଶିକ୍ଷା ସହ ସମ୍ପୃକ୍ତି ନ ଥାଏ। ଯେଉଁମାନେ ଶିକ୍ଷକ ଓ ନିପୁଣ ଭାବରେ ପଢ଼ାଇ ପାରନ୍ତି ସେମାନେ ମଧ୍ୟ ଶିକ୍ଷାବିତ୍‌ ନୁହନ୍ତି। ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ ସୁନ୍ଦର ଭଜନ ପରିବେଷଣ କରିପାରୁଥିବା ଜଣେ ବ୍ୟକ୍ତି ଭଗବାନଙ୍କ ଭକ୍ତ ନ ହୋଇପାରେ ବା ଦର୍ଶନଶାସ୍ତ୍ର ପଢ଼ାଉଥିବା ଜଣେ ଅଧ୍ୟାପକ ଦାର୍ଶନିକ ନୁହନ୍ତି। ମଣିଷ ଜଗତ ଓ ସତ୍ୟ ବିଷୟରେ ଏକ ସମଗ୍ର ଦୃଷ୍ଟି ଥିଲେ ଓ ନିଜ ପ୍ରତ୍ୟୟଗୁଡିକ ପାଖରେ ଯିଏ ଅଙ୍ଗୀକାରବଦ୍ଧ ସେ ହିଁ ଦାର୍ଶନିକ। ଠିକ୍‌ ସେପରି ଯେଉଁମାନେ ଶିକ୍ଷା ଓ ଶିଶୁ ମନସ୍ତତ୍ତ୍ୱ ସମ୍ପର୍କରେ ସ୍ବତଃ ପ୍ରବୃତ୍ତ ଭାବରେ ଅଧ୍ୟୟନ କରିଥାନ୍ତି, ପରୀକ୍ଷା ନିରୀକ୍ଷା କରିଥାନ୍ତି ଓ ନିଜର ବିଶ୍ୱାସ ପାଖରେ ଅଙ୍ଗୀକାରବଦ୍ଧ ଥାନ୍ତି ସେମାନେ ହିଁ ଶିକ୍ଷାବିତ୍‌। ଏହି ଦୃଷ୍ଟିରୁ ବିଚାର କଲେ ଆଜିର ଶିକ୍ଷା ବ୍ୟବସ୍ଥା ଶିକ୍ଷାବିତ୍‌ମାନଙ୍କ ଦ୍ୱାରା ନିୟନ୍ତ୍ରିତ ନ ହୋଇ ଶିକ୍ଷାଯନ୍ତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି।
ଶିକ୍ଷାଯନ୍ତ୍ରୀମାନେ ମୋଟା ଦରମା ପାଆନ୍ତି, ଶିକ୍ଷାନୀତି ନିର୍ଦ୍ଧାରଣ କରନ୍ତି ଓ ସ୍ବୀକୃତି ପାଆନ୍ତି। ସେମାନେ ନିଜେ ପାଠ ପଢ଼ାନ୍ତି ନାହିଁ। ଶିକ୍ଷା ସମ୍ପର୍କରେ ସେମାନଙ୍କର କୌଣସି ଅନୁଭବ ଓ ଅଭିଜ୍ଞତା ନ ଥାଏ। ଶିକ୍ଷକମାନେ ହେଉଛନ୍ତି ଶିକ୍ଷା ଫୁଲବଗିଚାର ମାଳୀ। ମାତ୍ର ଆଜି ସେମାନଙ୍କ କୌଣସି ସିଦ୍ଧାନ୍ତ ବା ନୀତି ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରେ ନାହିଁ। ସେମାନେ ଶିକ୍ଷା ବଗିଚାର ମାଲିକ ବୋଲାଉଥିବା ବାବୁମାନଙ୍କ ଆଦେଶ ପାଳନ କରିବା ନିରାପଦ ମଣନ୍ତି ଓ ସେମାନେ ବି ଏକ ଯନ୍ତ୍ରରେ ପରିଣତ ହୁଅନ୍ତି। ବେଟ୍ରାଣ୍ଡ ରସେଲ ତାଙ୍କ ପ୍ରବନ୍ଧରେ ଠିକ୍‌ ଏହି କଥା କହିଛନ୍ତି। ତାଙ୍କ ଭାଷାରେ, ଶିକ୍ଷକମାନେ ଆଜ୍ଞାବହ ସରକାରୀ କର୍ମଚାରୀ ପାଲଟିଯାଉଛନ୍ତି, ସେହି ଉପରିସ୍ଥ ଶିକ୍ଷା ଯନ୍ତ୍ରୀମାନଙ୍କ ପାଖରେ ଯେଉଁମାନଙ୍କ ଶିକ୍ଷା ସମ୍ପର୍କରେ ଜ୍ଞାନ ନ ଥାଏ ବା ଶିଶୁମାନଙ୍କ ସହ କିଭଳି ବ୍ୟବହାର କରାଯିବା ଉଚିତ ସେ ସମ୍ପର୍କରେ ଅଭିଜ୍ଞତା ନ ଥାଏ। ଯେଉଁମାନଙ୍କର ଥାଏ କେବଳ ଜଣେ ପ୍ରଚାରକର ଦୃଷ୍ଟିଭଙ୍ଗୀ।
ଆଜି ମୁକ୍ତ ଆକାଶରେ ଅନୁଷ୍ଠିତ ରବୀନ୍ଦ୍ରନାଥଙ୍କ ଶାନ୍ତି ନିକେତନ ବା ଗୋପବନ୍ଧୁଙ୍କ ସତ୍ୟବାଦୀ ବନ ବିଦ୍ୟାଳୟ ନାହିଁ। ଆଜି ବଡ଼ ବଡ଼ କୋଠା ହେଲାଣି, ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲାଣି, ଶିକ୍ଷକମାନଙ୍କ ଦରମା ବଢ଼ିଲାଣି। ମାତ୍ର ପଞ୍ଚମ ଶ୍ରେଣୀର ପିଲାଟିଏ ଦୁଇଧାଡ଼ି ଶୁଦ୍ଧ ଓଡ଼ିଆ ଲେଖିପାରୁ ନାହିଁ କି ବିଏ ପଢ଼ିଥିବା ପିଲାଟିଏ ଶୁଦ୍ଧ ଇଂଲିଶ ବା ଓଡ଼ିଆରେ ଦରଖାସ୍ତଟିଏ ଲେଖିପାରୁ ନାହିଁ। ସେମାନଙ୍କ ଚେତନାର ବିକାଶ କଥା ନ କହିବା ଭଲ। ଆଜି ଯେଉଁ ଶିକ୍ଷାଯନ୍ତ୍ରୀମାନେ ଶିକ୍ଷା ବଗିଚାର ମାଲିକ ହୋଇଛନ୍ତି ସେମାନେ ନିଜେ କେବେ ଗଛଟିଏ ଲଗାଇ ନ ଥାଆନ୍ତି କି ବଢ଼ାଇ ନ ଥାଆନ୍ତି। ଏହି ପରିସ୍ଥିତିରେ ଶିକ୍ଷା ବଗିଚାରେ ଫୁଲ ଫୁଟିବ କିପରି। କେବଳ ଭିତ୍ତିଭୂମିର ବିକାଶ କଲେ ଶିକ୍ଷାର ବିକାଶ ହୁଏ ନାହିଁ। ଆଦର୍ଶ ଓ ନୀତିନିଷ୍ଠ ମଣିଷ ଗଠନ କରିବାକୁ ହେଲେ ଶିକ୍ଷାବିତ୍‌ମାନଙ୍କ ଅଙ୍ଗୀକାରବଦ୍ଧତା ଓ ସମର୍ପଣ ଭାବର ଆବଶ୍ୟକତା ରହିଛି। ଏହା ସମ୍ଭବ ହୋଇଥିଲା ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟରେ। ଏଣୁ ଉତ୍କଳ ଗୌରବ ମଧୁସୂଦନ ଯେତେବେଳେ ସତ୍ୟବାଦୀ ବନ ବିଦ୍ୟାଳୟ ଦେଖିଲେ ସେ ଅଭିଭୂତ ହୋଇ କହିଥିଲେ, ”ଗୋପବନ୍ଧୁ ! ଏ ବିଦ୍ୟାଳୟ ଧନରେ ଗଢ଼ା ହୋଇନାହିଁ; ରକ୍ତ, ମାଂସ ଓ ମସ୍ତିଷ୍କରେ ଗଢ଼ା ହୋଇଛି। ସତରେ ତୁମେ ସବୁ ମିଶି ଗୋଟିଏ ନାଳନ୍ଦା ଗଢ଼ିଦେଲ।“ ଏହି ଅନୁଷ୍ଠାନକୁ ଗଢ଼ିଥିଲେ ଗୋପବନ୍ଧୁ, ଗୋଦାବରୀଶ, ନୀଳକଣ୍ଠ, ଆଚାର୍ଯ୍ୟ ହରିହର ଓ ଅନନ୍ତ ମିଶ୍ରଙ୍କ ଭଳି ଶିକ୍ଷାବିତ୍‌। ଏଠି ଶିକ୍ଷାଯନ୍ତ୍ରୀମାନଙ୍କ କୌଣସି ପ୍ରଭାବ ନ ଥିଲା।
ଭାରତରେ ସ୍ବାଧୀନତା ସଂଗ୍ରାମ ଚାଲିଥିବା ସମୟରୁ ଶିକ୍ଷା କ୍ଷେତ୍ରରେ ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ, ବିବେକାନନ୍ଦ ପ୍ରମୁଖ ସ୍ବକୀୟ ବିଚାରମାନ ଉପସ୍ଥାପିତ କରିଥିଲେ। ମାତ୍ର ସ୍ବାଧୀନତା ପରେ ସେଗୁଡ଼ିକ ଆଉ ବିଚାରକୁ ନିଆଗଲା ନାହିଁ। ତା’ପରେ ଶିକ୍ଷା କ୍ଷେତ୍ରଟି ଯନ୍ତ୍ରୀମାନଙ୍କ ଅକ୍ତିଆରକୁ ଚାଲିଆସିଲା। ସେ ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ଚାଲିଛି। ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ହେଲେ, ଶିକ୍ଷା କ୍ଷେତ୍ରରେ ମାନବିକ ମର୍ଯ୍ୟାଦା ଓ ଐଶ୍ୱର୍ଯ୍ୟଗୁଡ଼ିକୁ ଫେରାଇବାକୁ ହେଲେ ଶିକ୍ଷାଯନ୍ତ୍ରୀମାନଙ୍କୁ ପ୍ରାଧାନ୍ୟ ନ ଦେଇ ଶିକ୍ଷାବିତ୍‌ମାନଙ୍କୁ ପ୍ରାଧାନ୍ୟ ଦେବାକୁ ହେବ। ଶିକ୍ଷାକ୍ଷେତ୍ରକୁ ରାଜନୈତିକ ଚାପରୁ ସମ୍ପୂର୍ଣ୍ଣ ମୁକ୍ତ ରଖିବାକୁ ହେବ। ଶିକ୍ଷାବିତ୍‌ମାନଙ୍କ ପରାମର୍ଶ ଅନୁସାରେ ଶିକ୍ଷାନୁଷ୍ଠାନ ପରିଚାଳିତ ହେବା ଆବଶ୍ୟକ ଓ ସେଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ ସମର୍ପିତ ଓ ଅଙ୍ଗୀକାରବଦ୍ଧ ଶିକ୍ଷକ। ବିଶିଷ୍ଟ ଲେଖକ ବେଟ୍ରାଣ୍ଡ ରସେଲଙ୍କ ଭାଷାରେ The only way to prevent totalitarianism in our highly organised world is to secure a certain degree of independence for bodies performing useful public work and among such bodies teachers deserve a foremost place. ଅର୍ଥାତ୍‌ ସୁସଂଗଠିତ ପୃଥିବୀରେ ଏକଚ୍ଛତ୍ରବାଦକୁ ପ୍ରତିହତ କରିବା ପାଇଁ ଏକମାତ୍ର ପନ୍ଥା ହେଉଛି ଜନହିତକାରୀ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ସ୍ବାଧୀନତା ନିଶ୍ଚିତ କରିବା ଏବଂ ସେହି ସଂସ୍ଥାଗୁଡ଼ିକରେ ଶିକ୍ଷକମାନଙ୍କ ସ୍ଥାନ ସର୍ବାଗ୍ରେ।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ: ୭୦୦୮୩୬୯୯୨୦


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri