ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ ମାତ୍ର ନୁହେଁ; ଏହା ମଣିଷର ଚିନ୍ତାଧାରା, ନୀତିବୋଧ, ଦାୟିତ୍ୱବୋଧ ଓ ସାମାଜିକ ସଚେତନତାକୁ ଗଢ଼ି ତୋଳେ। ଯେଉଁ ସମାଜ ଶିକ୍ଷାକୁ ଗୁରୁତ୍ୱ ଦେଇଥାଏ, ସେହି ସମାଜ ଦୀର୍ଘକାଳରେ ନୀତିଶୀଳ, ସ୍ବାଭିମାନୀ ଓ ସୁସଂଗଠିତ ହୋଇ ଉଠେ। ଯେତେବେଳେ ଶିକ୍ଷା ଭୁଶୁଡ଼ି ପଡ଼େ, ଅନ୍ୟ ସବୁକିଛି ମଧ୍ୟ ସେହିପରି ହୁଏ। ନେଲ୍‌ସନ ମଣ୍ଡେଲା ଏକଦା କହିଥିଲେ ‘ଯଦି ତୁମେ ଏକ ଦେଶକୁ ନଷ୍ଟ କରିବାକୁ ଚାହୁଁଛ, ତା’ର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କର, ତୁମକୁ ଏକ ଜାତିକୁ ନଷ୍ଟ କରିବା ପାଇଁ କ୍ଷେପଣାସ୍ତ୍ର ଆବଶ୍ୟକ ନାହିଁ’। ଏହାର ଅର୍ଥ, ଏକ ଦେଶର ଦୀର୍ଘକାଳୀନ ପ୍ରଗତି ଏବଂ ସ୍ଥିରତା ପାଇଁ ଏକ ଦୃଢ଼ ଶିକ୍ଷା ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ। ଏକ ବିଫଳ ଶିକ୍ଷା ବ୍ୟବସ୍ଥା, ଅଯୋଗ୍ୟ ମଣିଷ ସୃଷ୍ଟି କରେ, ଦାରିଦ୍ର୍ୟର ଏକ ଚକ୍ରକୁ ସ୍ଥାୟୀ କରେ, ଏକ ଭୁଲ୍‌ ରାସ୍ତାରେ ସମାଜକୁ ନେଇଯାଏ। ଅବଶ୍ୟ ଶିକ୍ଷା ବ୍ୟବସ୍ଥା ସମାଲୋଚନାମୂଳକ ଚିନ୍ତାଧାରା, ନବସୃଜନ, ଜିଜ୍ଞାସୁତା ଏବଂ ସମସ୍ୟା ସମାଧାନକୁ ପ୍ରୋତ୍ସାହିତ କରିବା ଉଚିତ, ଯାହା ସବୁ ଏକ ଜାତିର ବିକାଶ ପାଇଁ ଜରୁରୀ। ଯାହା ଏବେ ହେଉନାହିଁ। ଶିକ୍ଷା ଜଣେ ବ୍ୟକ୍ତିକୁ କେବଳ ଚାକିରିଯୋଗ୍ୟ ନୁହେଁ, ବିଭିନ୍ନ ମାଧ୍ୟମରେ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରିବା ଉଚିତ। କାରଣ ଆର୍ଥିକ ସୁରକ୍ଷା ବିନା ସମାଜରେ ଆତ୍ମମର୍ଯ୍ୟାଦା ସହିତ ବଞ୍ଚତ୍ବା କଷ୍ଟକର। ଶିକ୍ଷା ମଧ୍ୟ ଜୀବନର କ୍ରୂର ବାସ୍ତବତା ଓ ବିଭିନ୍ନ ସମସ୍ୟାକୁ ସମ୍ମୁଖୀନ ହେବାରେ ସହାୟକ ହେବା ଉଚିତ। ଯାହା ହେଉନାହିଁ।
ଏକ ଦେଶର ଶିକ୍ଷା ବ୍ୟବସ୍ଥାର ମୂଳ ଆଧାର ହେଉଛନ୍ତି ଶିକ୍ଷୟିତ୍ରୀ ଓ ଶିକ୍ଷକ, ଛାତ୍ରୀଛାତ୍ର, ଅଭିଭାବକ, ସରକାର ବା ଶିକ୍ଷାନୁଷ୍ଠାନର ପରିଚାଳକ। ଜଣେ ପିଲାର ଜୀବନରେ ମାତାପିତା ପରେ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷକମାନେ କେବଳ ପାଠ୍ୟପୁସ୍ତକର ଜ୍ଞାନ ପ୍ରଦାନକାରୀ ନୁହେଁ; ସେମାନେ ମଣିଷ ଗଢ଼ନ୍ତି, ଚରିତ୍ର ଗଢ଼ନ୍ତି ଓ ଭବିଷ୍ୟତ ପିଢ଼ିକୁ ଦେଶ ଓ ସମାଜ ପାଇଁ ଦାୟିତ୍ୱଶୀଳ ନାଗରିକରେ ପରିଣତ କରନ୍ତି। ଶିଶୁମନ ଯେତେବେଳେ କୋମଳ ଥାଏ, ସେତେବେଳେ ଶିକ୍ଷକଙ୍କ ପ୍ରଭାବ ସବୁଠୁ ଗଭୀର ଓ ଦୂରଗାମୀ ହୁଏ। ଶିଷ୍ଟାଚାର, ସତ୍ୟନିଷ୍ଠା, ସହିଷ୍ଣୁତା, ସହଯୋଗ, ଶ୍ରମର ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱ ଏହି ସମସ୍ତ ଗୁଣ ଛାତ୍ରୀଛାତ୍ରଙ୍କ ମନରେ ପ୍ରତିଷ୍ଠା କରିବାରେ ଶିକ୍ଷକଙ୍କ ଅବଦାନ ଅମୂଲ୍ୟ। ସେମାନେ ମାର୍ଗଦର୍ଶକ, ଉପଦେଷ୍ଟା ଓ ଆଦର୍ଶ ରୂପେ ଛାତ୍ରୀଛାତ୍ରଙ୍କ ନୀତିଗତ, ବୌଦ୍ଧିକ ତଥା ସାମାଜିକ ବିକାଶରେ ଗଭୀର ପ୍ରଭାବ ପକାନ୍ତି। ତେଣୁ ଶିକ୍ଷକଙ୍କୁ ସମ୍ମାନ ଓ ସମର୍ଥନ ଦେବା ମାନେ ସମାଜର ଭବିଷ୍ୟତରେ ନିବେଶ କରିବା।
ଦୁଃଖର କଥା, ଆଜି ଶିକ୍ଷକମାନେ ସେହି ମର୍ଯ୍ୟାଦା ଓ ସମ୍ମାନ ପାଉନାହାନ୍ତି। ଯଦିଓ ସେଥିପାଇଁ ସେମାନେ କିଛିଟା ଦାୟୀ, ବେଶି ଆମର ସାମାଜିକ ବ୍ୟବସ୍ଥା, ଶାସନ ପଦ୍ଧତି ଓ ବଜାର ଅର୍ଥନୀତି, ଉପଭୋକ୍ତବାଦ, ମୂଲ୍ୟବୋଧର ଅବକ୍ଷୟ ଦାୟୀ। ଶିକ୍ଷାର ବ୍ୟବସାୟକରଣ, ଘରୋଇକରଣ ସାଙ୍ଗକୁ ଅଭିଭାବକମାନେ ଶିକ୍ଷକମାନଙ୍କୁ ସେତିକି ଗୁରୁତ୍ୱ ନ ଦେବା, ପିଲାମାନେ ସେତିକି ସମ୍ମାନ ନ ଦେବା ମଧ୍ୟ ଏକ କାରଣ। ଅଭିଭାବକମାନେ ଯେତେବେଳେ ସଫଳତାକୁ କେବଳ ଆର୍ଥିକ ସମୃଦ୍ଧି ସହିତ ଯୋଡ଼ିଦିଅନ୍ତି, ସେତେବେଳେ ଛାତ୍ରୀଛାତ୍ର ମଧ୍ୟ ଶିକ୍ଷାକୁ ଜୀବନ ଗଢ଼ିବାର ଉପକରଣ ପରିବର୍ତ୍ତେ ଏକ ଅର୍ଥ ଅର୍ଜନର ଉପାୟ ଭାବେ ଦେଖନ୍ତି। କିନ୍ତୁ ସମ୍ପ୍ରତି କିଛି ବେସରକାରୀ ସ୍କୁଲରେ ଶିକ୍ଷକଙ୍କୁ କମ୍‌ ବେତନ ଦେଇ ମଧ୍ୟ ଭଲ ପଢ଼ାହେଉଥିବାର ଉଦାହରଣ ଦିଆଯାଇ ସରକାରୀ ଶିକ୍ଷକଙ୍କୁ ବେତନ କମ୍‌ ଦେବାପାଇଁ ଅପ ପ୍ରଚାର ଚାଲିଛି। ଏହା କେବଳ ଅନ୍ୟାୟ, ନିନ୍ଦନୀୟ ନୁହେଁ,ବରଂ ମହାନ୍‌ ଶିକ୍ଷକ ବୃତ୍ତି ପ୍ରତି ଅସମ୍ମାନର ପ୍ରତିଫଳନ। ଶିକ୍ଷକଙ୍କୁ କମ୍‌ ବେତନରେ ନିଯୁକ୍ତ କରିବା, ଅସ୍ଥାୟୀ ରଖିବା କିମ୍ବା ସମାଜରେ ସେମାନଙ୍କ ପ୍ରତି ସମ୍ମାନ କମାଇବା ମାନେ ଦେଶକୁ ଅନ୍ଧକାର ଭିତରକୁ ଠେଲିଦେବା।
ବେତନ କମ୍‌ ହୋଇ ମଧ୍ୟ ଭୟ କିମ୍ବା ପ୍ରତିବଦ୍ଧତା ଲୋକଙ୍କୁ ଭଲ କାମ କରାଏ ଏହି ତର୍କ ଯଦି ଠିକ୍‌ ହୁଏ, ତେବେ ଏହା ସମସ୍ତ ବୃତ୍ତି, ଯଥା ପ୍ରଶାସନିକ ସେବା, ଡାକ୍ତରୀ, ଇଞ୍ଜିନିୟରିଂ,ଏପରି କି ବିଧାୟକ ଓ ସାଂସଦଙ୍କ ପାଇଁ ମଧ୍ୟ ଲାଗୁ ହେବା ଉଚିତ। କେବଳ ଶିକ୍ଷକମାନେ ହିଁ କାହିଁକି ଏହି ତର୍କର ଶିକାର ହେବେ? ଜଣେ ସ୍ନାତକ ହୋଇ ଉଚ୍ଚ ପଦାଧିକାରୀ ହୋଇ କାମ ନ କରି ଅଧିକ ଦରମା ପାଇବେ, କିନ୍ତୁ ଜଣେ ସେହି ସ୍ନାତକ ହୋଇ ଛୋଟ ପଦବୀରେ ରହି ବହୁତ ନିଷ୍ଠାର ସହିତ କାମ କଲେ କମ୍‌ ଦରମା ପାଉଛନ୍ତି। ଆମ ଶାସନ ବ୍ୟବସ୍ଥାରେ କାର୍ଯ୍ୟ, ଦକ୍ଷତା ଅପେକ୍ଷା ପଦବୀକୁ ଭିତ୍ତିକରି ଦରମା ଦିଆଯାଏ। ଯେଉଁ ପଦ ପଦବୀରେ ଅଧିକ ଦରମା, ସେହି ପଦବୀରେ ଅଧିଷ୍ଠିତ ହେବାପାଇଁ ବିଜ୍ଞ, ପ୍ରତିଭାଶାଳୀ ଛାତ୍ରୀଛାତ୍ର ଚେଷ୍ଟା କରନ୍ତି। ଯଦି ଶିକ୍ଷକମାନଙ୍କୁ କମ୍‌ ବେତନ ଦିଆଯିବ, ତେବେ ଭଲ ପ୍ରତିଭାଶାଳୀ ଛାତ୍ରୀଛାତ୍ର ଶିକ୍ଷକ ହେବାପାଇଁ ଚେଷ୍ଟା କରିବେ ନାହିଁ। ମଣିଷ ଗଢ଼ା ବ୍ୟକ୍ତି ଦୁର୍ବଳ ହେଲେ ସାମାଜିକ ବ୍ୟବସ୍ଥା ଆହୁରି ଭୁଶୁଡି ପଡ଼ିବ। ବାସ୍ତବତା ହେଉଛି, ବେତନ କାମର ଗୁଣମାନର ସିଧାସଳଖ ପରିମାପକ ନୁହେଁ। ବେତନ ଏକ ବୃତ୍ତି ପ୍ରତି ସମାଜର ଆକର୍ଷଣ ସୃଷ୍ଟି କରେ, କିନ୍ତୁ କର୍ତ୍ତବ୍ୟନିଷ୍ଠା ମଣିଷର ନୈତିକ ମୂଲ୍ୟବୋଧ ଉପରେ ନିର୍ଭର କରେ। ଏଣୁ ଶିକ୍ଷକ ସହିତ ସବୁ ବୃତ୍ତିର ଲୋକ ଏପରି କି ପ୍ରଶାସକ, ନେତା, ମନ୍ତ୍ରୀ କିପରି ନିଷ୍ଠାର ସହିତ କାର୍ଯ୍ୟ କରିବେ ସେଥିପାଇଁ ସାଧୁତା, ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯିବା ଉଚିତ। ଆରିଷ୍ଟଟଲଙ୍କ ଭାଷାରେ- ମାନସିକ ଶିକ୍ଷା ସହ ନୈତିକ ଓ ଭାବନାତ୍ମକ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ।
ଏକ ସମୟ ଥିଲା, ଯେତେବେଳେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ପାଠପଢ଼ି ଅନେକ ପ୍ରତିଭାଶାଳୀ ବୈଜ୍ଞାନିକ, ପ୍ରଶାସକ, ଲେଖକ, ଚିକିତ୍ସକ, ଯନ୍ତ୍ରୀ ଓ ବୁଦ୍ଧିଜୀବୀ ସୃଷ୍ଟି ହୋଇଥିଲେ। ସର୍ବଭାରତୀୟ ପ୍ରଶାସନିକ ସେବାରେ ସଫଳ ହେଉଥିଲେ । ସେତେବେଳେ ଶିକ୍ଷାର ଗୁଣମାନ ଭାଷା ଉପରେ ନୁହେଁ, ଶିକ୍ଷକଙ୍କ ନିଷ୍ଠା ଓ ଶିକ୍ଷାଦାନ ପ୍ରଣାଳୀ ଉପରେ ନିର୍ଭର କରୁଥିଲା। କିନ୍ତୁ ଇଂଲିଶକୁ ସଫଳତାର ପ୍ରତୀକ ଭାବେ ଦେଖିବା ଓ ସମାଜର ପ୍ରଭାବଶାଳୀ ବର୍ଗ ଇଂଲିଶ ମାଧ୍ୟମରେ ପଢାଇବା ଯୋଗୁ, ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଗୁଣାତ୍ମକ ମୂଲ୍ୟ ହ୍ରାସ ପାଇଲା ।
ଏଣୁ ପ୍ରତିଷ୍ଠିତ ଲୋକ ତାଙ୍କ ପିଲାଙ୍କୁ ଆଗ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ାଇଲେ ସବୁ ସମାଧାନ ହୋଇଯିବ। ପୁନଶ୍ଚ ଗୁରୁତ୍ୱପୂର୍ଣ୍ଣ ହେଉଛି ସରକାରଙ୍କ ଭୂମିକା। ନୋବେଲ ବିଜେତା ଅମର୍ତ୍ତ୍ୟ ସେନ ସର୍ବଦା ଶିକ୍ଷା ଓ ସ୍ବାସ୍ଥ୍ୟରେ ବିନିଯୋଗ ଏବଂ ମାନବିକ ଉନ୍ନୟନ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। କିନ୍ତୁ ଶିକ୍ଷା କ୍ଷେତ୍ରରେ ସରକାରୀ ବ୍ୟୟ କ୍ରମଶଃ ହ୍ରାସ ପାଇଚାଲିଛି। କୋଠାରୀ କମିଶନ ଜିଡିପିର ୬% ଶିକ୍ଷା ପାଇଁ ବ୍ୟୟ କରିବାକୁ ସୁପାରିସ କରିଥିଲେ, କିନ୍ତୁ ତାହାର ଅଧା ବ୍ୟୟ ହେଉନି। ୨୦୨୩ରେ ଶିକ୍ଷାରେ ମୋଟ ଜିଡିପିର ଜାପାନ ୭.୪୩ %, ଆମେରିକା ୬%, ଚାଇନା ୬.୧୩%, ଜର୍ମାନୀ ୪.୬% ବ୍ୟୟ କରିଲାବେଳେ ଭାରତରେ ଏହା ପାଖାପାଖି ୩% ରହୁଛି। କେନ୍ଦ୍ର ବଜେଟରେ ଶିକ୍ଷା ବାବଦ ବ୍ୟୟ ଯାହା ୨୦୧୧-୧୨ରେ ମୋଟ ବଜେଟର ୫.୦୪% ଥିଲା ବେଳେ ୨୦୨୪-୨୫ରେ ୨.୫୦%କୁ ହ୍ରାସ ପାଇଛି। ଯଦି ଆମେ ସ୍ବାଭିମାନୀ ଓ ଦାୟିତ୍ୱଶୀଳ ସମାଜ ଗଢ଼ିବାକୁ ଚାହୁଁଛୁ, ତେବେ ଶିକ୍ଷା ଓ ଶିକ୍ଷକଙ୍କୁ ପୁନଃ ତାହାର ମୂଲ୍ୟ, ମର୍ଯ୍ୟାଦା ଦେବାକୁ ପଡିବ। ଶିକ୍ଷକମାନେ ମଧ୍ୟ ଅଧିକ ଦାୟିତ୍ୱବାନ ଓ କର୍ତ୍ତବ୍ୟପରାୟଣ ହେବା ଉଚିତ।

ଡ. ସନ୍ତୋଷ କୁମାର ମହାପାତ୍ର
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri