ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ ଦେଖେଇ ହେଲା ଭଳି ଅନେକ କଥା କହେ। ବିଶେଷକରି ଦୁଃଖୀ ମଣିଷ ନିକଟରେ ମିଥ୍ୟା ବିଳାପ କରେ। ବସି ବସି ବିରକ୍ତ ଲାଗୁଛି। କିଛି କାମଧନ୍ଦା ନାହିଁ କ’ଣ କରିବି। ଘରେ ବସି ବସି ଖାଉଛି। ପୁଅ ବୋହୂ ଯେ ଝା ରାସ୍ତାରେ ଖୁସି ଅଛନ୍ତି। ଝିଅ ଭାରି ଦେଖାଶୁଣା କରୁଛି। ସ୍ତ୍ରୀ ଖୁବ୍‌ ଦାୟିତ୍ୱ ନେଉଛି। ଭଗବାନ୍‌ଙ୍କ ଦୟାରୁ ଚଳିବାକୁ କିଛି ଅଭାବ ନାହିଁ। ସୁଖରେ ସଂସାର ଚାଲୁଛି। ତଥାପି କାହିଁକି କେଜାଣି ଭଲ ଲାଗୁନି। ଏଭଳି ମଣିଷମାନେ ସବୁ ସୁଖକୁ ଜାବୁଡ଼ି ଧରିବା ପରେ ସୁଖକୁ ଅନ୍ୟ ଆଗରେ ଭିନ୍ନ ଢଙ୍ଗରେ ପ୍ରକାଶ କରି ମଉଜ ନିଅନ୍ତି। ଅନ୍ୟ ସମ୍ମୁଖରେ ଯେଉଁଭଳି ହାବଭାବ ପ୍ରଦର୍ଶନ କରନ୍ତି, ଲାଗେ ଅସରାଏ ଦୁଃଖ ଆସି ଅଜାଡ଼ି ହୋଇପଡ଼ନ୍ତା କି? ସୁଖରେ ଥାଇକି ଦୁଃଖ ଖୋଜୁଥିବା ଏମିତି ମଣିଷମାନେ ସଦାକାଳେ ଅନ୍ୟର ଉତ୍ତରଣକୁ ସହ୍ୟ କରିପାରନ୍ତିନି। ନିଜଠାରୁ ଅଧିକ ସୁଖ ଭୋଗ କରୁଥିବା ମଣିଷଙ୍କୁ ଦେଖିଲେ ନିଜ ଭିତରେ ଶଢ଼ିଯାଆନ୍ତି। ନିଜଠାରୁ ଅପେକ୍ଷାକୃତ କମ୍‌ ଷ୍ଟାଟସ୍‌ର ହୋଇ ବି ଦୁଃଖକଷ୍ଟରେ ସାମାନ୍ୟ ଖୁସିରେ ବଞ୍ଚୁଥିବା ଲୋକଙ୍କୁ ଦେଖିଲେ ଈର୍ଷାଳୁ ହୋଇଯାଆନ୍ତି ଅକାରଣରେ। ଭାବନ୍ତି ନିଜେ ଭଲ। ବାକି ସଂସାର ଖରାପ। ତା’ପରେ କୁତ୍ସା ରଟନା କରିବା ଆରମ୍ଭ କରିଦିଅନ୍ତି। ଏହା ସ୍ବଭାବ ପାଲଟିଯାଏ ନିଜ ଅଜାଣତରେ। କାରଣ ନିଜ ପାଖରେ ଢେର ସମୟ ଥାଏ। ବଞ୍ଚୁଥିବା ବାକି ସମୟରେ ସେହି ମଣିଷମାନେ ଦେଖାଣିଆ ଢଙ୍ଗରେ ଦୁଃଖକୁ ଦରାଣ୍ଡି ବୁଲନ୍ତି। କିନ୍ତୁ ଅନ୍ୟର ଖୁସି ସେମାନଙ୍କ ପାଇଁ ଦୁଃଖ ପାଲଟିଯାଏ।
ଦୁଃଖକୁ ଖୋଜୁଥିବା ସୁଖୀ ମଣିଷମାନେ ଅନେକ କଥା ଭୁଲି ଯାଆନ୍ତି। ସେମାନେ ମନେରଖିବା ଉଚିତ୍‌ ଦୁଃଖ ବାହାରୁ କେବେ ଆସୁନାହିଁ। ଏହା ଆମ ଭିତରୁ ଜନ୍ମ ନେଉଛି। ଆମର ତୁଳନା, ଆମର ଅହଂକାର, ଆମର ଆସକ୍ତି, ଆମର ବଡ଼ପଣିଆ ଏସବୁ ମିଶି ଦୁଃଖର ଜାଲ ବୁଣୁଛି। ଆମେ ଅନ୍ୟଙ୍କ ସଫଳତାକୁ ଦେଖି ଅସନ୍ତୋଷରେ ଜଳୁଛୁ ା ନିଜର ବିଫଳତାକୁ ଦେଖି ହତାଶ ହେଉଛୁ। ଯେପରି ସୁଖ ଏକ ପ୍ରତିଯୋଗିତାର ପୁରସ୍କାର। କିନ୍ତୁ ସୁଖ କୌଣସି ପଦକ ନୁହେଁ, ଏହା ମନର ଅବସ୍ଥା। ଆମେ ମାଗଣାରେ କିଣି ଆଣୁଛୁ। ଜୀବନକୁ ଯଦି ଅନୁଶୀଳନ କରିବା, ତେବେ ଦେଖାଯାଏ ଯେ ମଣିଷ ସୁଖରେ ଥାଇ ବି ଅଧିକ ସୁଖ ଖୋଜୁଛି। ଅଜାଣତେ ଦୁଃଖକୁ ନିଜେ ଆମନ୍ତ୍ରଣ କରୁଛି। ଜୀବନର ଏହି ବିରୋଧାଭାସ ମଣିଷତ୍ୱର ସବୁଠାରୁ ଗଭୀର ରହସ୍ୟ। ସେ ସୁଖ ପାଇଁ ଧାଉଁଛି ା ଅଥଚ ତାହାର ଚିନ୍ତାଧାରା, ଆସକ୍ତି ଓ ଅହଂକାର ତାକୁ ଦୁଃଖରେ ବାନ୍ଧି ରଖୁଛି। ମଣିଷ ଯେତେବେଳେ ଆସକ୍ତିରେ ଧନ୍ଧି ହୁଏ, ସେତେବେଳେ ଦୁଃଖ ତା’ର ନିୟତି ହୁଏ।
ଆମେ ଯାହାକୁ ଭଲପାଉଛୁ, ତାହାକୁ ହରାଇବାର ଭୟ ଆମ ମନରେ ଦୁଃଖ ଜନ୍ମାଏ। ଯାହାକୁ ଚାହୁଁଛୁ ନ ପାଇଲେ ମନ କ୍ଷୁବ୍ଧ ହୁଏ। ଏହି ଆସକ୍ତି ଓ ଆକାଂକ୍ଷା ହେଉଛି ଦୁଃଖର ମୂଳ କାରଣ। ଏହି କାରଣରୁ ମଣିଷକୁ ‘ଦୁଃଖ ଖୋଜୁଥିବା ପ୍ରାଣୀ’ ବୋଲି କୁହାଯାଇପାରେ।
ଆଧୁନିକ ସମାଜରେ ଆପଣ ଯାହାକୁ ବି ପ୍ରଶ୍ନ କରିବେ- ଆପଣ ସୁଖୀ କି? ତା’ର ଉତ୍ତର ଅନେକ ଢଙ୍ଗରେ ଆସିବ। ଏସବୁ ଦୁଃଖ ଅଧିକ ସ୍ପଷ୍ଟ। ପ୍ରତିଯୋଗିତା ଦୌଡ଼ରେ ମଣିଷ ନିଜକୁ ହରାଇଦେଇଛି। ଅନ୍ୟଙ୍କ ସହିତ ତୁଳନା କରି ସେ ନିଜ ସୁଖକୁ ମାପୁଛି। ଅନ୍ୟଙ୍କ ସଫଳତା ତା’ର ମନରେ ଈର୍ଷା ଜନ୍ମାଉଛି। ଏହି ତୁଳନା ମନୋଭାବ ମଣିଷକୁ ନିଜେ ଦୁଃଖରେ ଫଳେଇଦେଉଛି। ସେ ବାହ୍ୟ ଜଗତକୁ ବଦଳାଇବାକୁ ଚେଷ୍ଟା କରୁଛି, କିନ୍ତୁ ନିଜ ମନକୁ ଦେଖୁନାହିଁ କି ନିଜେ ବଦଳିବାକୁ ଚେଷ୍ଟା କରୁନି।
ଦୁଃଖର ଆଉ ଏକ କାରଣ ହେଉଛି ଅହଂକାର। ‘ମୁଁ’ ଓ ‘ମୋର’ ଭାବନା ମଣିଷକୁ ଦୁଃଖରେ ବାନ୍ଧି ରଖେ। ଯେତେବେଳେ କେହି ତା’ର ଅହଂକାରକୁ ଆଘାତ କରେ ସେ ମାନସିକ ଯନ୍ତ୍ରଣା ଭୋଗେ। ଯେଉଁ ମଣିଷ ଅହଂକାରକୁ ତ୍ୟାଗ କରିପାରେ, ତା’ର ଅଧିକାଂଶ ଦୁଃଖ ଦୂର ହୋଇଯାଏ। ତେବେ ଦୁଃଖ ମଣିଷର ଶତ୍ରୁ ନୁହେଁ, ବରଂ ଗୁରୁ। ଦୁଃଖ ଆମକୁ ଜୀବନର ସତ୍ୟ ଶିଖାଏ। ସୁଖରେ ଆମେ ଅସାବଧାନ ହେଉ ା ଦୁଃଖ ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ। ଦୁଃଖ ମଣିଷକୁ ପରିପକ୍ୱ କରେ ା ତା’ର ମନକୁ ଗଭୀର କରେ। ଅନେକ କବି, ଦାର୍ଶନିକ ଓ ସନ୍ଥମାନେ ଦୁଃଖରୁ ନିଜ ଜ୍ଞାନର ଆଲୋକ ପାଇଛନ୍ତି। ସେହିପରି ଦୁଃଖକୁ ଅସ୍ବୀକାର କରିବା ନୁହେଁ, ତାକୁ ବୁଝିବା ଆବଶ୍ୟକ।
ଚିନ୍ତା, ଭୟ, ସନ୍ଦେହ, ଆଶା ଆଶଙ୍କା ଏହିସବୁ ମନର ତରଙ୍ଗ। ମନ ଶାନ୍ତ ହୁଏ ତ ଦୁଃଖ ନଷ୍ଟ ହୋଇଯାଏ। ସତ୍ୟ ସୁଖ ବାହ୍ୟ ଜଗତରେ ନୁହେଁ, ଆତ୍ମାରେ ଅଛି। ଯେତେବେଳେ ମଣିଷ ନିଜ ସ୍ବରୂପକୁ ଜାଣିପାରେ, ସେ ଦୁଃଖରୁ ମୁକ୍ତ ହୁଏ। ସେ ବୁଝିପାରେ ଯେ, ସୁଖ ଓ ଦୁଃଖ ଦୁହେଁ କ୍ଷଣିକ। ଜୀବନ ଏକ ପ୍ରବାହ ା କେବେ ଆନନ୍ଦ, କେବେ ବିଷାଦ। ଏହାକୁ ସମଭାବରେ ଗ୍ରହଣ କରିବାରେ ହିଁ ଜୀବନର ସାର୍ଥକତା। ମଣିଷ ଯଦି ଦୁଃଖକୁ ଖୋଜିବା ବନ୍ଦ କରି ନିଜକୁ ଖୋଜିବା ଆରମ୍ଭ କରେ, ତେବେ ସେ ସତ୍ୟ ସୁଖକୁ ପାଇପାରିବ। ଆସକ୍ତି ଛାଡ଼ିବା, ଅହଂକାର ତ୍ୟାଗ କରିବା, ନିଷ୍କାମ କର୍ମ କରିବା ଓ ଆତ୍ମଚିନ୍ତନରେ ଲୀନ ହେବା ହେଉଛି ମୁକ୍ତିର ପଥ।
ଆଜିର ଯୁଗରେ ଦୁଃଖ ଅଧିକ ସୂକ୍ଷ୍ମ ହୋଇଯାଇଛି। ସୋସିଆଲ୍‌ ମିଡିଆରେ ହସୁଥିବା ମୁହଁଗୁଡ଼ିକୁ ଦେଖି ଆମେ ଭାବୁ ସେମାନେ ସବୁଠି ସୁଖୀ, କେବଳ ମୁଁ ଜଣେ ଦୁଃଖୀ। ଏହି ଭ୍ରମ ଆମକୁ ଭିତରୁ ଖାଇଯାଏ। ଆମେ ଅନ୍ୟଙ୍କ ଜୀବନକୁ ଦେଖି ନିଜ ଜୀବନକୁ ମୂଲ୍ୟହୀନ କରୁ। ଲାଇକ୍‌ ଓ ଅଦରକାରୀ ମତାମତରେ ଜୀବନର ବାସ୍ତବତାକୁ ମାପ କରୁ। ସୁଖରେ ଥାଇ ଦୁଃଖ ଖୋଜୁଥିବା ମଣିଷମାନେ ପ୍ରକାରାନ୍ତରେ ଅଯଥା ଦୁଃଖକୁ ଆବୋରି ବସନ୍ତି ା ନିଜ ଭିତରେ ନିଜେ ଶଢ଼ିବା ଆରମ୍ଭ କରନ୍ତି। ଦୁଃଖ ଖୋଜି ଖୋଜି ଦୁନିଆ ପାଇଁ ଏକଲା ମନେହୁଅନ୍ତି ା ନିଜ ପାଇଁ କିଛି ଲୋଡ଼ା ନାହିଁ ବୋଲି ଅନେକ କିଛି ଖୋଜିବାର ମାନସିକତା ହେତୁ ସାପ ପରି ନିଜ ଚାରିପଟେ ଗୋଡ଼େଇ ହୋଇ ରହେ ଅଶାନ୍ତି। ବାସ୍ତବରେ ଏଭଳି ମଣିଷ ଦୁଃଖ ଖୋଜନ୍ତିନି ବରଂ ତାଙ୍କ ଅଜ୍ଞାନତା ଓ ମୂଢ଼ପଣ ଆପଣାର ସମାଧିକୁ ସହଜରେ ତିଆରି କରନ୍ତି।

ଡ. ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ଅପିଲ୍‌ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି: ହ୍ରାସ କଲେ…

ନୂଆଦିଲ୍ଲୀ,୧୩।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଅନୁଯାୟୀ, ତାଙ୍କ ସରକାରୀ କାରଗେଡ ଗାଡ଼ି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ପଶ୍ଚିମ ଏସିଆର ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି…

ଠାକୁରାଣୀ ଯାତ୍ରାରେ ଅଘଟଣ:ବିଦ୍ୟୁତ ଆଘାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଉଦଯାପନୀ ଦିବସ ମଙ୍ଗଳବାର ବିଳମ୍ବିତ ରାତି…

ଛତିଶଗଡ଼ରୁ ଓଡିଶାକୁ ଧାନ ଚାଲାଣ: ୨ ଧାନ ବୋଝେଇ ଟ୍ରକ ଅଟକ ରଖିଲେ ଉପଜିଲାପାଳ

ପଦ୍ମପୁର,୧୩।୫(ପ୍ରଦୀପ୍ତ ଦାଶ):ବର୍ତ୍ତମାନ ପଦ୍ମପୁର ଉପଖଣ୍ଡରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲାଣି। ଏହାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଛତିଶଗଡ଼ରୁ ପଦ୍ମପୁର ଅଞ୍ଚଳକୁ ଚୋର…

ହାଇଜମ୍ପ ମାରିଲା ସୁନା ଦର: ଏକାଥରକେ ହଜାର ହଜାର ଟଙ୍କା ବଢ଼ିଲା, ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ,୧୩।୫: ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ହାଇଜମ୍ପ ମାରିଛି ସୁନା ଦର। ୨୪ କ୍ୟାରେଟ ସୁନାଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ…

ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ

ଭୁବନେଶ୍ୱର,୧୩।୫: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ଘଟିଛି। କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ଏନେଇ ତାଙ୍କ…

ତୁର୍କେଲ ସେତୁ ତୁରନ୍ତ ନିର୍ମାଣ କର ସରକାରଙ୍କୁ ପିସିସି ସଭାପତିଙ୍କ ଚେତାବନୀ

ଭବାନୀପାଟଣା,୧୩ା୫(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓ ନୂଆପଡ଼ା ଜିଲାର ଜୀବନରେଖା କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ।…

ବନ୍ଦ ଅଛି କୁଞ୍ଜାମହୁଲ ପ୍ରାଥମିକ ବିଦ୍ୟାଳୟ: ପୁନଃ ଖୋଲିବା ପାଇଁ ଗ୍ରାମବାସୀଙ୍କ ଦାବି

ଅମରପାଲି, ୧୩।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ କ୍ଲଷ୍ଟରର କୁଞ୍ଜାମହୁଲ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଦୀର୍ଘ ଦିନ ହେବ ବନ୍ଦ…

ପ୍ରଶ୍ନପତ୍ର ଲିକ୍‌ ପଛରେ ବଡ଼ ନେଟ୍‌ଓ୍ବର୍କ: ସାଂଘାତିକ ଖୁଲାସା, ୩ ରାଜ୍ୟରୁ…

ନୂଆଦିଲ୍ଲୀ,୧୩ା୫:ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏକ ବଡ଼ ଅଗ୍ରଗତି ହୋଇଛି। ତଦନ୍ତକାରୀ ଅଧିକାରୀମାନେ ନାସିକ୍‌ରୁ ଡେରାଡୁନ୍‌ ଏବଂ ରାଜଗିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri