ଶିକ୍ଷା ନା ବିଦ୍ୟା

ଶିକ୍ଷା ଓ ବିଦ୍ୟା ଏକାଭଳି ଲାଗୁଛି। କିନ୍ତୁ ଶିକ୍ଷା ଗ୍ରହଣ କରିବା ଓ ବିଦ୍ୟା ଗ୍ରହଣ କରିବା ଆଦୌ ସମାନ ନୁହେଁ। କାରଣ ଶିକ୍ଷା ବ୍ୟକ୍ତିକୁ ଶିକ୍ଷିତ କରିଥାଏ, କିନ୍ତୁ ବିଦ୍ୟା ବ୍ୟକ୍ତିକୁ ବିଚାରବନ୍ତ କରେ। ଅପରପକ୍ଷେ ସମସ୍ତ ଶିକ୍ଷିତ ବିଚାରବନ୍ତ ନୁହନ୍ତି, କିନ୍ତୁ ସମସ୍ତ ବିଚାରବନ୍ତ ବ୍ୟକ୍ତିଙ୍କୁ ଶିକ୍ଷିତ କୁହାଯାଇପାରେ। ଚିରାଚରିତ ଢଙ୍ଗରେ ବି.ଏ., ଏମ୍‌.ଏ., ଏମ୍‌.ଫିଲ୍‌ କିମ୍ବା ପିଏଚ୍‌.ଡି. କରିଥିବା ବ୍ୟକ୍ତିଟିଏ ଉଚ୍ଚ ଶିକ୍ଷିତ ହେବାର ପ୍ରମାଣପତ୍ର ରଖିଥାଇପାରେ, କିନ୍ତୁ ସେ ଯେ ଅନେକ ସମସ୍ୟା ସମାଧାନର ସୂତ୍ର ଜାଣିଥିବ ତା’ର କିଛି ମାନେ ନାହିଁ। ଗଁାମାନଙ୍କରେ ଏମିତି ଅନେକ ଉଚ୍ଚ ଶିକ୍ଷିତ ଅଛନ୍ତି, ଯେଉଁମାନେ ନା ନିଜର କାମକୁ ଆସୁଛନ୍ତି କି ଅନ୍ୟ ପାଇଁ କିଛି କରିପାରୁଛନ୍ତି। କିଛି ତ ଛୋଟବେଳୁ ଶ୍ରେଣୀରେ ଫାଷ୍ଟକ୍ଲାସ ହେଉଥିଲେ ଓ ସେମାନଙ୍କ ଭବିଷ୍ୟତକୁ ନେଇ ମାତାପିତା, ଗୁରୁଜନ ଏପରିକି ଗଁା ଲୋକ ଅନେକ ଆଶା ବି କରିଥିଲେ, କିନ୍ତୁ ପାଠ ସରିଲା ପରେ ସେମାନେ ଏଭଳି କିଛି କାମ କରନ୍ତି, ଯାହା ସମସ୍ତଙ୍କ ମୁଣ୍ତ ତଳକୁ କରିଦିଏ। ବୋଧେ ଏମାନେ କେବଳ ଶିକ୍ଷା ଗ୍ରହଣ କରିଥା’ନ୍ତି, ବିଦ୍ୟା ଏମାନଙ୍କୁ ଛୁଇଁ ପାରି ନଥାଏ। ଆଉ କିଛି ଉଚ୍ଚ ଶିକ୍ଷିତ ଅଛନ୍ତି, ଯେଉଁମାନେ ପାଠ ପଢ଼ି ବଡ଼ ଚାକିରିଆ କିମ୍ବା ଭଲ ବ୍ୟବସାୟୀ ହୋଇପାରନ୍ତି, କିନ୍ତୁ ବଞ୍ଚନ୍ତି କେବଳ ନିଜ ପାଇଁ। ସେମାନେ ଏତେ ସ୍ବାର୍ଥକୈନ୍ଦ୍ରିକ ହୋଇଯାଆନ୍ତି ଯେ ନିଜ ଜନ୍ମକଲା ମା’ବାପାଙ୍କୁ ସୁଦ୍ଧା ଭୁଲିଯାଆନ୍ତି। ଅପରପକ୍ଷେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଜୀବନରେ କେବେ ସ୍କୁଲ ବାରଣ୍ତା ମାଡ଼ି ନାହାନ୍ତି ଅଥଚ ଗଁାସାରା ଯାହା ଘରେ, ଯେଉଁଠି ଯାହା ସମସ୍ୟା ଦେଖାଦେଲେ ସେମାନେ ହିଁ ସେସବୁ ସମାଧାନର ସୂତ୍ର ଅଚିରେ ବାହାର କରିପାରନ୍ତି। ଭାଇ-ଭାଇ ଭିତରେ ପୈତୃକ ସମ୍ପତ୍ତିକୁ ନେଇ ପଟୁନଥିବ କିମ୍ବା ବୃଦ୍ଧ ମାତାପିତାଙ୍କ ଭରଣପୋଷଣ ନେଇ ବିବାଦ ଥିବ ଅବା ଗଁାରେ ସାଇ-ସାଇ ମଧ୍ୟରେ କି ଜାତି-ଜାତି ମଧ୍ୟରେ କିଛି ଅସୂୟା ଭାବ ଥିବ, ତେବେ ଏଭଳି ବ୍ୟକ୍ତିମାନେ ସାମୂହିକ ହିତ ପାଇଁ ଶାନ୍ତି ଓ ସଦ୍ଭାବ ଫେରାଇ ଆଣିପାରନ୍ତି। ସେମାନଙ୍କ କଥାବାର୍ତ୍ତା, ଆଚାର ବ୍ୟବହାରରେ ଏତେ ସରଳତା, ଶିଷ୍ଟତା ଥାଏ ଯେ ସମସ୍ତଙ୍କ ମନକୁ ଜିଣିବାରେ ସେମାନେ ସଦା ସମର୍ଥ ହୁଅନ୍ତି। ଯେତେ ବଦମାସ କି ରାଗି ପ୍ରକୃତିର ବ୍ୟକ୍ତି ହେଉନା କାହିଁକି ଏଭଳି ବ୍ୟକ୍ତିର ସାମ୍ନାକୁ ଆସିଲେ ନିମିଷକେ ଶାନ୍ତ ପଡ଼ିଯାଆନ୍ତି। ସେଭଳି କିଛି ବ୍ୟକ୍ତି ହିଁ ସମାଜର ସ୍ବାଭିମାନ ଓ ଗୌରବ ହୋଇ ପାରନ୍ତି।
କହିବାକୁ ଗଲେ ଶିକ୍ଷା ପ୍ରାପ୍ତିରେ କିଛି ହୁଏ ନାହିଁ, ବିଦ୍ୟା ହିଁ ମଣିଷ ଭିତରେ ମାନବିକତାର ପରିପ୍ରକାଶ କରାଏ। ଶିକ୍ଷା ଅଧିକାର ପ୍ରତି ସଚେତନ କରାଏ ଆଉ ବିଦ୍ୟା କର୍ତ୍ତବ୍ୟ କରିବାକୁ ପ୍ରେରଣା ଯୋଗାଏ।
ନିଜ କର୍ତ୍ତବ୍ୟ ମାଧ୍ୟମରେ ଦେଶ ପାଇଁ, ସମାଜ ପାଇଁ, ମନୁଷ୍ୟତା ପାଇଁ ଆମେ କିଛି ଯୋଗଦାନ କରୁଛେ ବୋଲି ଆମ ଭିତରେ ଯେଉଁ ଦିନ ଏହି ବିନମ୍ର ଭାବର ପରିପ୍ରକାଶ ଘଟିବ ସେଦିନଠାରୁ ଆମ ସମାଜ, ଦେଶ ମହାନତା ଆଡ଼କୁ ଅଗ୍ରସର ହେବା ପ୍ରାରମ୍ଭ କରିଦେବ ଏବଂ ଏହି ଭାବ ଜଣେ ବିଦ୍ୟାବନ୍ତ ବ୍ୟକ୍ତି ହିଁ ନିଜ ଭିତରେ ସୃଷ୍ଟି କରିପାରିବ। ଏହା ସ୍ବୀକାର କରିବାକୁ ହେବ ଯେ, ଶିକ୍ଷିତ ହେବାର ଆବଶ୍ୟକତା, ବୌଦ୍ଧିକ ଶିକ୍ଷାର ଆବଶ୍ୟକତା ନିହାତି ରହିଛି। କିନ୍ତୁ ଯେଉଁ ମୂଲ ସଂସ୍କାର ବିଦ୍ୟାରେ ନିହିତ ଅଛି, ତା’ର ଆବଶ୍ୟକତା ଅତି ଜରୁରୀ। କାହିଁକିନା ବିଶ୍ୱରେ ଘଟୁଥିବା ଅନେକ ବଡ଼ ସମସ୍ୟା ଅଧିକ ଶିକ୍ଷିତ କରୁଛନ୍ତି କି ଅଶିକ୍ଷିତ ସମସ୍ତଙ୍କୁ ଜଣା। ଯଦି ପ୍ରଦୂଷଣକୁ ଦେଖିବା, ତେବେ ଗଁା ଅପେକ୍ଷା ଏହାର ଢେର ଅଧିକ ମାତ୍ରା ଭୁବନେଶ୍ୱର, ଦିଲ୍ଲୀରେ ରହିଛି। ଭାଇଚାରା ଗଁାରେ ଅଛି କି ସହରରେ ଅଛି। ଗଁାରେ କାହାର ଯଦି ମୃତ୍ୟୁ ଘଟେ, ତେବେ ଶବ ସଂସ୍କାର ନ କଲା ଯାଏ ଗଁାର ବରିଷ୍ଠ ଲୋକମାନେ ଅନ୍ନ ଗ୍ରହଣ କରନ୍ତି ନାହିଁ। ଏହା ଗଁାର ଅଶିକ୍ଷିତ ଲୋକଙ୍କ ପରମ୍ପରା ରହିଛି। ଏଥିରେ ହିଁ ଭାଇଚାରା ନିହିତ ଅଛି। ଅପରପକ୍ଷେ ସହରର ଉଚ୍ଚଶିକ୍ଷିତ ମହଲରେ କାହାର ଯଦି ପରଲୋକ ଘଟେ, ତେବେ କାହା ନିକଟରେ ଖବର ବି ନଥାଏ। ଦୁର୍ନୀତି, ଭ୍ରଷ୍ଟାଚାର ବେଶି ଗଁାରେ ହୁଏ କି ସହରରେ ସମସ୍ତଙ୍କୁ ଜଣା। କୋଟି କୋଟି ଟଙ୍କା ବ୍ୟାଙ୍କରୁ ଲୋନ ନେଇ କିମ୍ବା ଟିକସ ଫାଙ୍କି କିଏ ବିଦେଶ ପଳାଉଛି, ଶିକ୍ଷିତ ନା ଅଶିକ୍ଷିତ। ଏସବୁ ଶିକ୍ଷା ପାଇଁ ହେଉଛି କି ଅଶିକ୍ଷା ପାଇଁ। ଏହାର ଅର୍ଥ ହେଉଛି ଗଁାର ଲୋକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ପାଠ ପଢ଼ି ଶିକ୍ଷିତ ହୋଇ ନଥାଇ ପାରନ୍ତି, କିନ୍ତୁ ସେମାନେ ନିଶ୍ଚିତ ଭାବରେ ବିଦ୍ୟାସମ୍ପନ୍ନ। ତେଣୁ ସେମାନେ ଭଲ ଭାବେ ଜାଣନ୍ତି ଯେ ଭଲ କ’ଣ ଆଉ ମନ୍ଦ କ’ଣ, ପାପ କ’ଣ ଆଉ ପୁଣ୍ୟ କ’ଣ। ତାଙ୍କୁ ଠିକ୍‌ ଜଣାଅଛି କ’ଣ କରାଯିବ ଓ କ’ଣ କରାଯିବା ଉଚିତ ନୁହଁ। ବିଦ୍ୟାସମ୍ପନ୍ନ ଶଯ୍ୟାଶାୟୀ ବୁଢ଼ା ବାପା ହିଁ ନିଜ ପୁଅମାନଙ୍କୁ ଡାକି ଅସ୍ପଷ୍ଟ ସ୍ବରରେ କହିପାରେ ଯେ ଅମୁକ କିରାନା ଦୋକାନର, ଦୁଧବାଲାର, ପେପରବାଲାର ଏତିକି ଏତିକି ଟଙ୍କା ବାକି ଅଛି ସମସ୍ତଙ୍କୁ ଦେଇଦେବ। ତା’ର କହିବା କଥା ଯେ ପୃଥିବୀ ଛାଡ଼ିବା ସମୟରେ ନିଜ ମୁଣ୍ତରେ କାହାର ଯେମିତି ଏକ ଟଙ୍କା ମଧ୍ୟ ରହି ନ ଯାଉ। ଏମିତିରେ ଦେଖିଲେ ଶିକ୍ଷା ମଣିଷକୁ ଜୀବିକା ସମ୍ପନ୍ନ କରୁଥିବା ବେଳେ ବିଦ୍ୟା ଜୀବନସମ୍ପନ୍ନ କରିଥାଏ।

ବୈଷ୍ଣବ ମେହେର
ସିନାପାଲି, ନୂଆପଡ଼ା
ମୋ: ୯୭୭୭୭୫୩୯୩୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri