ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ ମାର୍ଗଦର୍ଶିକା। ଏହାର ଶିକ୍ଷା, ବ୍ୟକ୍ତି ଓ ସମାଜକୁ ସତ୍ୟ, ନ୍ୟାୟ ଓ କଲ୍ୟାଣ ପଥରେ ପରିଚାଳିତ କରି, ଦେଶ ତଥା ବିଶ୍ୱରେ ଶାନ୍ତି, ସଦାଚାର ଓ ସମନ୍ବୟ ସ୍ଥାପନ କରେ।
ଗୀତାର ଏକାଦଶ ଅଧ୍ୟାୟରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ ଦର୍ଶନ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। ଶ୍ରୀକୃଷ୍ଣଙ୍କ ମଧ୍ୟରେ ସମଗ୍ର ସୃଷ୍ଟି ବିଦ୍ୟମାନ ଥିବାର ଅର୍ଜୁନ ଦେଖିଲେ। ସେଠାରେ ଥିଲେ ସମସ୍ତ ଦେବଦେବୀ, ଋଷି, ମହାପୁରୁଷ, ନାଗ, ଜୀବଜନ୍ତୁ ଏବଂ ସ୍ଥିତି ଓ ପ୍ରଳୟର ଏକ ବିରାଟ ସମନ୍ବୟ। ଏହା ପ୍ରମାଣ କରେ ଯେ ପରମେଶ୍ୱର ସମଗ୍ର ବିଶ୍ୱର ଆଧାର ଓ ଆଶ୍ରୟ, ବିଶ୍ୱରୂପ, ଆର୍ଥିକ ଜଗତର ପ୍ରତୀକ I ଆର୍ଥିକ ବିଶ୍ୱ ମଧ୍ୟ ଏକ ବିଶାଳ ବିଶ୍ୱରୂପ ପରି। ବିଶ୍ୱ ରୂପର ବିଭିନ୍ନ ଦେବଦେବୀ ପରି ଏଠାରେ ରହିଛି ଶେୟାର ବଜାର, ବଣ୍ଡ୍, ସୁନା, ରିଅଲ୍ ଇଷ୍ଟେଟ୍, ମ୍ୟୁଚୁଆଲ୍ ଫଣ୍ଡ, ବ୍ୟାଙ୍କ ଜମା, ବୀମା, ଅନ୍ତର୍ଜାତୀୟ ବଜାର, ଷ୍ଟାର୍ଟଅପ୍ ଏବଂ ନୂତନ ପ୍ରଯୁକ୍ତି ଆଧାରିତ ନିବେଶ। ଏସବୁ ମିଶି ଏକ ବିରାଟ ଆର୍ଥିକ ପରିବେଶ ସୃଷ୍ଟି କରିଛି।
ଅର୍ଜୁନ ସାଧାରଣ ଚକ୍ଷୁରେ ବିଶ୍ୱରୂପକୁ ଦେଖିପାରି ନ ଥିଲେ I ଶ୍ରୀକୃଷ୍ଣ, ଅର୍ଜୁନଙ୍କୁ ଦିବ୍ୟ ଚକ୍ଷୁ ପ୍ରଦାନ କରିବା ପରେ ସେ ତାଙ୍କର ବିରାଟ ବିଶ୍ୱରୂପ ଦେଖିବାକୁ ସମର୍ଥ ହୋଇଥିଲେ। ସେହିପରି ସାଧାରଣ ନିବେଶକ ମଧ୍ୟ ଆର୍ଥିକ ଶିକ୍ଷା ବିନା ଆର୍ଥିକ ଜଗତର ପ୍ରକୃତ ଚିତ୍ରକୁ ବୁଝିପାରେ ନାହିଁ। ଆର୍ଥିକ ସାକ୍ଷରତା ହେଉଛି ସେହି ଦିବ୍ୟ ଚକ୍ଷୁ।
ଦେବଦେବୀ ହେଉଛନ୍ତି ବିବିଧୀକରଣର ପ୍ରତୀକ I ବିଶ୍ୱରୂପରେ ଅନେକ ଦେବଦେବୀ ଓ ଶକ୍ତିର ସମାବେଶ ଥିଲା। ପ୍ରତ୍ୟେକଙ୍କର ଭୂମିକା ଥିଲା ଭିନ୍ନ। କେହି ସୃଷ୍ଟିର, କେହି ସୁରକ୍ଷାର, କେହି ସଂହାରର ପ୍ରତୀକ। ଆର୍ଥିକ ଜଗତରେ ଏହି ବିଭିନ୍ନ ଦେବଦେବୀଙ୍କୁ , ବିଭିନ୍ନ ସମ୍ପତ୍ତି ଶ୍ରେଣୀ (ଆସେଟ କ୍ଲାସେସ୍) ଭାବେ ଦେଖାଯାଏ I ବ୍ରହ୍ମା, ସୃଷ୍ଟିର ପ୍ରତୀକ – ନୂତନ ଶିଳ୍ପ ଓ ଉଦ୍ୟମର ସୃଷ୍ଟିକୁ ସୂଚିତ କରନ୍ତି; ମା’ ଲକ୍ଷ୍ମୀ – ସମ୍ପତ୍ତି ଓ ଧନର ପ୍ରତୀକ (ଶେୟାର ଓ ବ୍ୟବସାୟ); କୁବେର – ସଞ୍ଚୟ ଓ ପୁଞ୍ଜିର ପ୍ରତୀକ (ବ୍ୟାଙ୍କ ଜମା ଓ ବଣ୍ଡ୍); ଭୂମି ଦେବୀ – ରିଅଲ୍ ଇଷ୍ଟେଟ୍; ସୂର୍ଯ୍ୟ – ଶକ୍ତି ଓ ବିକାଶ (ବୃଦ୍ଧିମୂଳକ ନିବେଶ); ଚନ୍ଦ୍ର – ସ୍ଥିରତା ଓ ଶାନ୍ତି (ନିରାପଦ ନିବେଶ); ଶିବ – ପୁରୁଣାର ବିନାଶ ଓ ନୂଆର ସୃଷ୍ଟି (ବଜାରର ସଂଶୋଧନ ଓ ପରିବର୍ତ୍ତନ) I
ବିଶ୍ୱ ରୂପର ମୂଳମନ୍ତ୍ର ହେଉଛି ବିବିଧୀକରଣ I ଜୀବନ ହେଉ କି ଅର୍ଥନୀତି, କେବଳ ଗୋଟିଏ ଦିଗକୁ ଦେଖିଲେ ସମ୍ପୂର୍ଣ୍ଣ ସତ୍ୟ ବୁଝିହୁଏ ନାହିଁ। କେବଳ ଗୋଟିଏ ସମ୍ପତ୍ତିରେ ନିବେଶ କଲେ ଆର୍ଥିକ ସୁରକ୍ଷା ମିଳି ନ ଥାଏ I ଯିଏ ସମଗ୍ର ଚିତ୍ରକୁ ଭଲ ଭାବେ ବୁଝିଥାଏ, ସେହି ବ୍ୟକ୍ତି ଉତ୍ତମ ନିଷ୍ପତ୍ତି ନେଇ ବିଭିନ୍ନ କ୍ଷେତ୍ରରେ ନିବେଶ କରି ସଫଳତା ପାଇ ଥାଆନ୍ତିI
ସୃଷ୍ଟି, ସ୍ଥିତି ଓ ପ୍ରଳୟ ହେଉଛି ବଜାର ଚକ୍ରର ପ୍ରତିଫଳନ। ବିଶ୍ୱରୂପରେ ଅର୍ଜୁନ ଦେଖିଥିଲେ ଜନ୍ମ, ବିକାଶ ଓ ବିନାଶର ଅବିରତ ପ୍ରବାହ। ଶେୟାର ବଜାରରେ ମଧ୍ୟ ଏହି ଚକ୍ର ଚାଲିଥାଏ। ବୁଲ୍ ମାର୍କେଟ୍ – ସୃଷ୍ଟି ଓ ବିକାଶ, ସ୍ଥିର ବଜାର – ସ୍ଥିତି, ବିୟର ମାର୍କେଟ୍ – ସଂଶୋଧନ ଓ ପ୍ରଳୟ I ଯେଉଁ ନିବେଶକ ଏହି ଚକ୍ରକୁ ବୁଝିପାରନ୍ତି ନାହିଁ, ସେମାନେ ଭୟଭୀତ ହୋଇ ଭୁଲ୍ ନିଷ୍ପତ୍ତି ନିଅନ୍ତି। ଯେଉଁମାନେ ବିଶ୍ୱରୂପର ଏହି ନିୟମକୁ ବୁଝନ୍ତି, ସେମାନେ ଜାଣନ୍ତି ଯେ ପତନ ପରେ ପୁଣି ଉତ୍ଥାନ ଆସିବ।
ବିଶ୍ୱରୂପ ଦେଖି ଅର୍ଜୁନ ଭୟଭୀତ ହୋଇଥିଲେ। ଆଜିର ନିବେଶକ ମଧ୍ୟ ବଜାର ପତନ ଦେଖି ଭୟଭୀତ ହୁଅନ୍ତି। ଲୋଭ ତାଙ୍କୁ ଅଧିକ ରିସ୍କ ନେବାକୁ ପ୍ରୋତ୍ସାହିତ କରେ। ଭୟ ତାଙ୍କୁ ଭଲ ସମ୍ପତ୍ତି ମଧ୍ୟ ବିକ୍ରୟ କରିବାକୁ ବାଧ୍ୟ କରିଥାଏ।
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମତ୍ୱ ଓ ଧୈର୍ଯ୍ୟର ଶିକ୍ଷା ଦେଇଥିଲେ। ଏହି ଶିକ୍ଷା ନିବେଶକଙ୍କ ପାଇଁ ମଧ୍ୟ ସମାନ ଭାବେ ପ୍ରଯୁଜ୍ୟ। ଶ୍ରୀକୃଷ୍ଣ କହିଥିଲେ ଯେ ସାଧାରଣ ଚକ୍ଷୁରେ ବିଶ୍ୱରୂପକୁ ଦେଖିବା ସମ୍ଭବ ନୁହେଁ। ନିବେଶ ଜଗତରେ ସଫଳତା ପାଇଁ କେବଳ ଟିପ୍ସ, ଗୁଜବ କିମ୍ବା ଭାବନା ପର୍ଯ୍ୟାପ୍ତ ନୁହେଁ। ସଫଳତାର ମୂଳ ଶିକ୍ଷା ହେଉଛି, ଆର୍ଥିକ ସାକ୍ଷରତା ବା ଆର୍ଥିକ ଜ୍ଞାନ I କମ୍ପାନୀରେ ନିବେଶ ସମୟରେ ଏହାର ମୂଲ୍ୟ-ଆୟ ଅନୁପାତ,ଅଂଶୀଦାର ପୁଞ୍ଜି ଉପରେ ଫେରସ୍ତ ହାର, ଋଣ-ପୁଞ୍ଜି ଅନୁପାତ, ପ୍ରତି ଶେୟାର ଆୟ, ଲାଭାଂଶ ପ୍ରାପ୍ତି ହାର, ନଗଦ ପ୍ରବାହ, ଦୀର୍ଘମିଆଦୀ ଚିନ୍ତାଧାରା ପରି ବିଭିନ୍ନ ଦିଗ ଉପରେ ମୌଳିକ ବିଶ୍ଳେଷଣ କରିବା ହେଉଛି ଆର୍ଥିକ ଜ୍ଞାନ I ଏହା ବ୍ୟକ୍ତିର ଦିବ୍ୟ ଚକ୍ଷୁ ପରି I
ଆର୍ଥିକ ସାକ୍ଷରତା ନ ଥିଲେ ଆର୍ଥିକ ସଫଳତା ଅସମ୍ଭବ। ବହୁ ଲୋକ ବଜାରକୁ କେବଳ ଶୀଘ୍ର ଲାଭ କରିବାର ମାଧ୍ୟମ ଭାବେ ଦେଖନ୍ତି। କିନ୍ତୁ ଗୀତାର ବିଶ୍ୱରୂପ ଆମକୁ ଶିଖାଏ ଯେ ଗୋଟିଏ ଦିନରେ ଅଧିକ ଲାଭ କରୁଥିବା ନିବେଶକ ପ୍ରକୃତ ବିଜୟୀ ନୁହେଁ I
ପ୍ରକୃତ ବିଜୟୀ, ବିବିଧୀକରଣର ମହତ୍ତ୍ୱ ବୁଝେ, ଧୈର୍ଯ୍ୟ ରଖେ, ବଜାର ଚକ୍ରକୁ ଗ୍ରହଣ କରେ, ଭୟ ଓ ଲୋଭକୁ ନିୟନ୍ତ୍ରଣ କରେ ଓ ଜ୍ଞାନ ଆଧାରିତ ନିଷ୍ପତ୍ତି ନିଏ I
ଗୀତାର ବିଶ୍ୱରୂପ ଦର୍ଶନ କେବଳ ଏକ ଆଧ୍ୟାତ୍ମିକ ଅନୁଭୂତି ନୁହେଁ; ଏହା ଜୀବନ ଓ ଆର୍ଥିକ ପରିଚାଳନାର ଏକ ମହାନ୍ ଦର୍ଶନ। ବିଶ୍ୱରୂପ ଆମକୁ ଶିଖାଏ ଯେ ବିଭିନ୍ନ ଶକ୍ତି, ବିଭିନ୍ନ ସମ୍ପତ୍ତି ଓ ବିଭିନ୍ନ ସୁଯୋଗର ସମନ୍ବୟ ହିଁ ସ୍ଥାୟୀ ସଫଳତାର ମାର୍ଗ। ଯେପରି ଅର୍ଜୁନ ବିଶ୍ୱରୂପକୁ ଦେଖି ସୃଷ୍ଟିର ଏକତାକୁ ଅନୁଭବ କରିଥିଲେ, ସେହିପରି ଜଣେ ସଚେତନ ନିବେଶକ ଯେତେବେଳେ ଆର୍ଥିକ ବିଶ୍ୱର ବିଭିନ୍ନ ଅଂଶକୁ ଏକାସାଥିରେ ବୁଝିପାରନ୍ତି, ସେତେବେଳେ ସେ ଧନ ସୃଷ୍ଟିର ପ୍ରକୃତ ପଥ ଖୋଜି ପାଆନ୍ତି।
ବିଶ୍ୱରୂପକୁ ବୁଝିବା ଅର୍ଥ କେବଳ ଈଶ୍ୱରଙ୍କୁ ଦେଖିବା ନୁହେଁ; ବରଂ ବିବିଧତା ମଧ୍ୟରେ ଏକତା ଏବଂ ଅନିଶ୍ଚିତତା ମଧ୍ୟରେ ସୁଯୋଗକୁ ଚିହ୍ନିବା। ନିବେଶ ଜଗତରେ ଏହି ଜ୍ଞାନ ହିଁ ପ୍ରକୃତ ସମ୍ପଦ।
ପଲେଇ, ଚାନ୍ଦୋଳ, କେନ୍ଦ୍ରାପଡ଼ା
ମୋ: ୭୩୮୧୦୪୬୪୭୭