Categories: ଖେଳ

ରାଜ୍ୟପାଳଙ୍କଠାରୁ ଆଶୀର୍ବାଦ ନେଲେ ଦୂତୀ

ଭୁବନେଶ୍ୱର, ୮।୭(କ୍ରୀଡ଼ା ପ୍ରତିନିଧି)- ଟୋକିଓ ଅଲିମ୍ପିକ୍ସର ୧୦୦ ଓ ୨୦୦ ମିଟର ରେସ୍‌ରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିବା ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦ ବୁଧବାର ପୂର୍ବାହ୍ନରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ତାଙ୍କ ବାସଭବନରେ ଭେଟି ଆଶୀର୍ବାଦ ନେଇଛନ୍ତି। ରାଜ୍ୟପାଳ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଅଲିମ୍ପିକ୍ସରେ ଦୂତୀ ପଦକ ଜିତିବା ପାଇଁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ। ”ରାଜ୍ୟପାଳଙ୍କଠାରୁ ଆଶୀର୍ବାଦ ନେବା ପରେ ମୋ ମନୋବଳ ଆହୁରି ବଢ଼ିଛି। ସେ ମୋତେ ଉତ୍ସାହିତ କରିବା ସହ ଅନେକ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି। ଆଗାମୀ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ମୁଁ ରାଜ୍ୟ ଓ ଦେଶକୁ ଗର୍ବିତ କରିବାକୁ ଚେଷ୍ଟା କରିବି“ ବୋଲି ଦୂତୀ ପ୍ରକାଶ କରିଛନ୍ତି। ପଟିଆଲାରେ ଇଣ୍ଡିଆନ ଗ୍ରାଁ ପ୍ରି-୪ ଓ ଆନ୍ତଃରାଜ୍ୟ ଆଥ୍‌ଲେଟିକ ମିଟ୍‌ରେ ଭାଗନେଇ ଗତ ଶନିବାର ଓଡ଼ିଶା ଫେରିଥିବା ଦୂତୀ ବୁଧବାର ଅପରାହ୍ନରେ ହାଇଦ୍ରାବାଦ ଯାଇଛନ୍ତି। ସେଠାରେ ସେ କୋଚ୍‌ ନାଗାପୁରୀ ରମେଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରେନିଂ ଜାରି ରଖିବେ। ଭାରତୀୟ ଦଳ ପର୍ଯ୍ୟାୟକ୍ରମେ ଟୋକିଓ ଯିବା କାର୍ଯ୍ୟକ୍ରମ ରହିଛି। ଆଥ୍‌ଲେଟିକ ଟିମ୍‌ ୨୧ ତାରିଖରେ ନୂଆଦିଲ୍ଲୀରେ ଏକତ୍ରିତ ହୋଇ ଜାପାନ ଯିବା ସମ୍ଭାବନା ରହିଛି ବୋଲି ଦୂତୀ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଦୂତୀ ଇଣ୍ଡିଆନ ଗ୍ରାଁ ପ୍ରି-୪ରେ ୧୦୦ ମିଟର ଦୂରତ୍ୱକୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ମାତ୍ର ୨ ସେକେଣ୍ଡ ପାଇଁ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତାରୁ ବଞ୍ଚତ୍ତ ହୋଇଥିଲେ। ମାତ୍ର ର଼୍ୟାଙ୍କିଙ୍ଗ୍‌ ଆଧାରରେ ସେ ଉଭୟ ୧୦୦ ଓ ୨୦୦ ମିଟରରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Share