Categories: ଖେଳ

ଟୋକିଓ ଟିକେଟ ଘୋଷଣାକୁ ଦୂତୀଙ୍କ ଅପେକ୍ଷା

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି): ଜାପାନର ଟୋକିଓରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। କ୍ୱାଲିଫାଇଂ ପାଇଁ ଡେଡ୍‌ଲାଇନ୍‌ ଶେଷ ହୋଇଥିବାରୁ ଏବେ ବିଭିନ୍ନ ଇଭେଣ୍ଟ ଲାଗି ପ୍ରତିଯୋଗୀଙ୍କ ତାଲିକା ଘୋଷଣା ସମୟ ଆସିଯାଇଛି। ଆଉ ଦିନେ ଦୁଇଦିନ ମଧ୍ୟରେ ଏହି ତାଲିକା ପ୍ରକାଶ ପାଇବାର ଥିବାରୁ ଉତ୍ସୁକତା ବଢ଼ିଛି। କ୍ୱାଲିଫାଇଂ ସମୟ ସ୍ପର୍ଶ କରିଥିବା ପ୍ରତିଯୋଗୀମାନେ ନିର୍ଦ୍ୱନ୍ଦ୍ୱରେ ଥିବାବେଳେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଅନୁସାରେ ଟୋକିଓରେ ପାଦ ଦେବାକୁ ଆଶା ରଖିଥିବା ପ୍ରତିଯୋଗୀ ଆଶା ଓ ଆଶଙ୍କାରେ ରହିଛନ୍ତି। ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ପ୍ରତିଯୋଗିତାର ଗ୍ଲାମର ଇଭେଣ୍ଟ ୧୦୦ ମିଟର ରେସ୍‌ରେ ମାତ୍ର ୨ ସେକେଣ୍ଡ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ସ୍ପର୍ଶ କରିବାରୁ ବଞ୍ଚତ୍ତ ହୋଇଛନ୍ତି। ଇଣ୍ଡିଆନ ଗ୍ରାଁ ପ୍ରି-୪ରେ ସେ ୧୧.୧୭ ସେକେଣ୍ଡ ସମୟ ନେଇ ନିଜ ଆଶାକୁ ଦ୍ୱିଗୁଣିତ କରିଛନ୍ତି। ତେବେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଅନୁସାରେ ସେ ଟୋକିଓ ଟିକେଟ ପାଇବା ନେଇ ବେଶ୍‌ ଆଶାବାଦୀ। କରୋନା ମହାମାରୀ ପାଇଁ ୨୦୨୦ରେ ବିଶେଷ ଟୁର୍ନାମେଣ୍ଟ ହୋଇପାରି ନ ଥିଲା। ତେଣୁ ୨୦୧୯ରୁ ଏ ପର୍ଯ୍ୟନ୍ତ ସେ ଭାଗ ନେଇଥିବା ୫ଟି ଟୁର୍ନାମେଣ୍ଟର ଟାଇମିଂ ଦୃଷ୍ଟିରୁ ତାଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ୧୨୧୯ରେ ପହଞ୍ଚତ୍ଛି। ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ୧୫୦୦ ପଏଣ୍ଟ ଧାର୍ଯ୍ୟ ଥିବାବେଳେ ୧୨୧୯ ପଏଣ୍ଟ ତାଙ୍କୁ ଟୋକିଓରେ ପହଞ୍ଚାଇ ପାରିବ ବୋଲି ଦୂତୀ ଆଶା ରଖିଛନ୍ତି। ଏବେ କେବଳ ସେ ଟୋକିଓ ପାଇଁ ଭାରତୀୟ ଆଥ୍‌ଲେଟ ତାଲିକା ଘୋଷଣାକୁ ଅପେକ୍ଷା କରିଛନ୍ତି ବୋଲି ସମ୍ପ୍ରତି ପଟିଆଲାରେ ଟ୍ରେନିଂ ଜାରି ରଖିଥିବା ଦୂତୀ ପ୍ରକାଶ କରିଛନ୍ତି। ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ର ହିଟ୍‌ ସମୟରେ ମାଂସପେଶୀ ଟାଣି ଧରିବା ଯୋଗୁ ଦୂତୀ ଫାଇନାଲରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ମାତ୍ର ଏଥିପାଇଁ ସେ ଚିନ୍ତିତ ନୁହନ୍ତି। ପଟିଆଲାର ଟ୍ରାକ୍‌ କଠିନ ରହିଛି। ୧୦୦ ମିଟର ହିଟ୍‌ ସହିତ ରିଲେ ଦଳରେ ଭାଗ ନେବାରୁ ମାଂସପେଶୀ ଟାଣି ଧରିବା ଜନିତ ସମସ୍ୟା ଆସିଲା। ଦୁଇ ତିନିଦିନ ବିଶ୍ରାମ ନେଲେ ସବୁକିଛି ଠିକ୍‌ ହୋଇଯିବ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ତାଙ୍କ ନାମ ସୁପାରିସ କରାଯାଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୂତୀ। ”ମୁଁ ବହୁତ ଖୁସି। ରାଜ୍ୟ ସରକାର ମୋତେ କ୍ରମାଗତ ଉତ୍ସାହିତ କରି ଆସିଛନ୍ତି। ଏହା ମୋତେ ଆଗକୁ ଆହୁରି ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଦେଇ ଆସିଛି। ସୁଯୋଗ ମିଳିଲେ ମୁଁ ନିଶ୍ଚିତ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ଦେବି“ ବୋଲି ଦୂତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Share