ଘରେ ପହଞ୍ଚିବ ଭୋଗ, ବ୍ରତ, ଶଙ୍ଖା, ସିନ୍ଦୂର

କଟକ ଅଫିସ, ୧୦ା୧୦: ଦୁର୍ଗାପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ କଟକ ସହର। ପ୍ରାୟ ୧ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। କାରିଗରମାନେ ମୂର୍ତ୍ତି ଓ ମେଢ ତିଆରେ ଲାଗିପଡନ୍ତି। ବିଶେଷକରି ମା’ଙ୍କ ସୁନାମୁକୁଟ ଓ ଚାନ୍ଦୀମେଢ କରିବା ପାଇଁ କାରିଗରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ। ହେଲେ ଚଳିତବର୍ଷ କରୋନା ମହାମାରୀ ଯୋଗୁ ପୂଜା ଫିକା ପଡିଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଦୁର୍ଗାପୂଜା ପାଳନ କରାଯାଉଛି। ଏଥିପାଇଁ ବିଭିନ୍ନ ମଣ୍ଡପରେ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ମୂର୍ତ୍ତି ନିର୍ମାଣ ସହ ମେଢ ପ୍ରସ୍ତୁତ କରାଯାଇଛି। ସାଧାରଣତଃ ସମସ୍ତ ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ସାଢେ ୬ଫୁଟରୁ ୮ଫୁଟ୍‌ ମଧ୍ୟରେ ରହିଥାଏ। ହେଲେ ମୂର୍ତ୍ତି ନିର୍ମାଣ ପାଇଁ ସ୍ବତନ୍ତ୍ର ଖଡ଼ମା ବ୍ୟବହାର ହୋଇ ପାରୁ ନ ଥିବାରୁ ଚଳିତବର୍ଷ ଅନେକ ମଣ୍ଡପରେ ସୁନା, ଚାନ୍ଦିମେଢ ଦେଖିବାକୁ ମିଳିବ ନାହିଁ। ଏଥିସହ ମଣ୍ଡପଗୁଡିକରେ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ପ୍ରଦାନ କରାଯାଇନାହିଁ ା

କଟକଣା କାରଣରୁ ମହାଷ୍ଟମୀରେ ମହିଳାମାନେ ମା’ଙ୍କ ଦର୍ଶନ କରିପାରିବେ ନାହିଁ। ଏଥିପାଇଁ କମିଟି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ମା’ଙ୍କ ପାଖରେ ଶଙ୍ଖା, ସିନ୍ଦୁର, ବ୍ରତ ପୂଜା କରାଯିବା ପରେ ଘରେ ଘରେ ବଣ୍ଟନ କରାଯିବ।
ଦେବେନ୍ଦ୍ର ସାହୁ, ସଭାପତି, ଛତ୍ରବଜାର ପୂଜା କମିଟି

ପ୍ରଶାସନର ନିୟମ ମାନି ପୂଜା ଆୟୋଜନ କରିଛୁ ା ପୂଜାରେ ପ୍ରସାଦ ପାଇବାରୁ ବଞ୍ଚିତ ନ ହେବା ପାଇଁ ବ୍ୟବସ୍ଥା ହୋଇଛି। ଏଥର କଲେଜ ଛକ ପୂଜା ପ୍ରତିଷ୍ଠାନ ପକ୍ଷରୁ ୧୦ କୁଇଣ୍ଟାଲ ଲଡୁ ପ୍ରସ୍ତୁତ କରାଯାଇ ମା’ଙ୍କ ନିକଟରେ ଭୋଗ ଲାଗି କରାଯିବା। ପରେ ତାହାକୁ ଭକ୍ତମାନଙ୍କୁ ବଣ୍ଟନ କରାଯିବ।
ଜଗନ୍ନାଥ ସାହୁ, ସମ୍ପାଦକ, କଲେଜଛକ ପୂଜା ପ୍ରତିଷ୍ଠାନ

ପୂଜାମଣ୍ଡପକୁ ଆସିବା ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ତେବେ ସୋଶିଆଲ ମିଡିଆ ମାଧ୍ୟମରେ ଘରେ ରହି ସେମାନେ ମା’ଙ୍କୁ କିଭଳି ଭାବେ ଦର୍ଶନ କରିପାରିବେ ସେ ନେଇ ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି। ଅନୁକୂଳ ପରିସ୍ଥିତି ରହିଲେ ଏହି ଯୋଜନା କାର୍ଯ୍ୟକାରି ହେବ ା
ଲିଙ୍ଗରାଜ ହାତୀ,ସାଧାରଣ ସମ୍ପାଦକ, ହରିପୁର ଦୋଳମୁଣ୍ଡାଇ ପୂଜା କମିଟି

ପ୍ରତିବର୍ଷ ପୂଜା ସମୟରେ ସହର ଆଲୋକମାଳାରେ ଝଲସିଉଠେ। ହେଲେ କରୋନା ଯୋଗୁ ଚଳିତବର୍ଷ ଏହା ଫିକା ପଡିଛି। ଏଥିପାଇଁ ସଂଘ ପକ୍ଷରୁ ଅଭିନବ ଅଭିଯାନ ଆରମ୍ଭ କରାଯାଇଛି। ନିଜ ଘରକୁ ଦୀପ କିମ୍ବା ଆଲୋକରେ ସଜିତ କରିବାକୁ ସରବାସୀଙ୍କୁ ନିବେଦନ କରିଛୁ ା
ଅଭିଜିତ ପୃଷ୍ଟି, ସଦସ୍ୟ, ସିଲ୍‌ଭର ସିଟି କଟକ ଚାରିଟେବୁଲ ଟ୍ରଷ୍ଟ

ସପ୍ତମୀ, ଅଷ୍ଟମୀ ଓ ନବମୀରେ ପ୍ରସାଦ ବ୍ୟବସ୍ଥା କରାଯାଇଛି। ପ୍ରସାଦ କେବଳ ପାର୍ସଲ କିମ୍ବା ହୋମ୍‌ ଡେଲିଭରି ମାଧ୍ୟମରେ ଦିଆଯିବ। ଏଥିସହ ସମିତି ପକ୍ଷରୁ ଅନାଥାଶ୍ରମ ଓ ବୃଦ୍ଧାଶ୍ରମରେ ମାଗଣାରେ ପ୍ରସାଦ ବଣ୍ଟନ ପାଇଁ ଯୋଜନା କରାଯାଇଛି।
ଗୌତ୍ତମ ମୂଖାର୍ଜୀ, ସାଧାରଣ ସମ୍ପାଦକ, ଆଲମଚାନ୍ଦ ବଜାର ଦୁର୍ଗାବାଡି ସମିତି