ନୂଆଦିଲ୍ଲୀ,୨୩ା୧୦: ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ବିନା ବାଧାରେ ଲାଇସେନ୍ସ ସମ୍ୱନ୍ଧୀୟ ସେବା ଉପଲବ୍ଧତାକୁ ସୁନିଶ୍ଚିତ କରିବା ହେଉଛି ଡ୍ରାଇଭିଂ ଲାଇସେନ୍ସ ନିୟମରେ ପ୍ରସ୍ତାବିତ ପରିବର୍ତ୍ତନର ଲକ୍ଷ୍ୟ। କେନ୍ଦ୍ରୀୟ ମୋଟରଯାନ ନିୟମାବଳୀର ବିଭିନ୍ନ ଧାରାରେ ସଂଶୋଧନ ନେଇ ପ୍ରସ୍ତାବିତ ପରିବର୍ତ୍ତନ ସମ୍ପର୍କିତ ଚିଠା ବିଜ୍ଞପ୍ତି ବୁଧବାର ବିଳମ୍ୱିତ ରାତିରେ ପ୍ରକାଶ ପାଇଥିଲା। ଏଥିରେ ଡ୍ରାଇଭିଂ ଲାଇସେନ୍ସ ସେବାକୁ ସରଳ କରିବା, ଗ୍ରହଣଯୋଗ୍ୟ ପରିଚୟ ଓ ବାସସ୍ଥାନ ଦସ୍ତାବିଜକୁ ନିର୍ଦ୍ଦିଷ୍ଟ କରିବା ଏବଂ ଲାଇସେନ୍ସର ବିବରଣୀ ପରିବର୍ତ୍ତନ ଲାଗି ଆବେଦନଗୁଡ଼ିକର ପ୍ରକ୍ରିୟାକରଣ ସମୟସୀମା ଧାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ରହିଛି।
ପ୍ରସ୍ତାବ ଅନୁଯାୟୀ ନିରାପଦ ଡ୍ରାଇଭିଂ ଅନ୍ଲାଇନ ପ୍ରଶିକ୍ଷଣ ପରୀକ୍ଷା ଅନୂ୍ୟନ ୩୦ ମିନିଟ୍ ଚାଲିବା ଆବଶ୍ୟକ। ପରୀକ୍ଷାକୁ ଅଧିକ କଠୋର କରିବା ଲକ୍ଷ୍ୟରେ ଉଚ୍ଚ ଯୋଗ୍ୟତା ସ୍କୋର ୭୦ ପ୍ରତିଶତ ରଖାଯାଇଛି। ଏକ ଅପ୍ଡେଟ୍ ଅନୁଯାୟୀ, ଏହାକୁ ୭୫ ପ୍ରତିଶତ କରିବାକୁ ପ୍ରସ୍ତାବ ରଖାଯାଇଛି। ଡ୍ରାଇଭିଂ ଲାଇସେନ୍ସରେ ନାମ ଏବଂ ଠିକଣା ପରିବର୍ତ୍ତନ ପାଇଁ ଅନ୍ଲାଇନ ଆବେଦନର ଏକ ସ୍ୱତନ୍ତ୍ର ପ୍ରକ୍ରିୟା ମଧ୍ୟ ଚିଠା ପ୍ରସ୍ତାବରେ ରଖାଯାଇଛି। ଲାଇସେନ୍ସ କର୍ତ୍ତୃପକ୍ଷ ପରିବର୍ତ୍ତନ ସମ୍ପର୍କିତ ଆବେଦନକୁ ୧୫ ଦିନ ମଧ୍ୟରେ ଅନୁମୋଦନ କରିବେ କିମ୍ୱା ଏହାକୁ ଖାରଜ କରିବେ। ଖାରଜ କରିବାକୁ କାରଣ ଦର୍ଶାଇବାକୁ ପଡ଼ିବ। ଠିକଣା ପରିବର୍ତ୍ତନ ପାଇଁ ଆବେଦନ ଉପରେ ୩୦ ଦିନ ମଧ୍ୟରେ ନିଷ୍ପତ୍ତି ନିଆ ନ ଗଲେ, ତାହାକୁ ଅନୁମୋଦନ ବିବେଚନା କରାଯିବ।
ପରିଚୟ, ବୟସ ଓ ବାସସ୍ଥାନ ପ୍ରମାଣ ଭାବେ ନିର୍ଦ୍ଦିଷ୍ଟ ଦସ୍ତାବିଜ ଦାଖଲ କରିବାକୁ ପ୍ରସ୍ତାବିତ ନିୟମାବଳୀରେ ବ୍ୟବସ୍ଥା ରହିଛି। ଏହି ଦସ୍ତାବିଜ ମଧ୍ୟରେ ଆଧାର, ପାସ୍ପୋର୍ଟ, ଭୋଟର ପରିଚୟପତ୍ର, ସ୍ୱୀକୃତିପ୍ରାପ୍ତ ଶିକ୍ଷାଗତ ପ୍ରମାଣପତ୍ର ଏବଂ ଜନ୍ମ ପ୍ରମାଣପତ୍ର ଆଦି ରହିଛି। ସେହିପରି ୩ ମାସରୁ ପୁରୁଣା ହୋଇ ନ ଥିବା ବିଦ୍ୟୁତ୍ ବିଲ୍ ଓ ପରିବାର ଗ୍ୟାସ୍ ବିଲ୍କୁ ମଧ୍ୟ ପ୍ରସ୍ତାବିତ ପରିଚୟ ପ୍ରମାଣ ଦସ୍ତାବିଜ ଭାବେ ଗ୍ରହଣ କରାଯିବ। ତେବେ ଏଲ୍ଆଇସି ପଲିସିକୁ ପ୍ରମାଣ ଭାବେ ଗ୍ରହଣ କରାଯିବ ନାହିଁ।
ଅନ୍ୟ ଏକ ପ୍ରସ୍ତାବିତ ପରିବର୍ତ୍ତନ ଅନୁଯାୟୀ, କୌଣସି ଗାଡ଼ିକୁ ସରେଣ୍ଡର ପାଇଁ ଆବେଦନର ୭ ଦିନ ମଧ୍ୟରେ ଏହାର
ଡ୍ରାଇଭିଂ ଲାଇସେନ୍ସରୁ ଗାଡ଼ିର ଶ୍ରେଣୀକୁ ହଟାଇ ଦିଆଯିବ। ତେବେ କୌଣସି ଆବେଦନକାରୀ ଗାଡିର ଶ୍ରେଣୀକୁ ସ୍ଥାୟୀ ଭାବେ ସରେଣ୍ଡର ବା ତ୍ୟାଗ କରୁଥିଲେ, ସେହି ନିର୍ଦ୍ଦିଷ୍ଟ ଶ୍ରେଣୀ ପାଇଁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସେ ଲର୍ନର୍ସ କିମ୍ୱା ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। ଚିଠା ବିଜ୍ଞପ୍ତି ପ୍ରକାଶନର ୩୦ ଦିନ ମଧ୍ୟରେ ଷ୍ଟେକ୍ହୋଲ୍ଡରମାନଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଆହ୍ୱାନ କରାଯାଇଛି। ଚୂଡ଼ାନ୍ତ ବିଜ୍ଞପ୍ତି ପରେ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେବ।

