ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି ଚିଠା ଭୋଟର ତାଲିକା (Draft Electoral Roll) ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଏହି ଉପଲକ୍ଷେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲାପାଳ ଚିଠା ଭୋଟର ତାଲିକାର ସବିଶେଷ ତଥ୍ୟ ପ୍ରଦାନ କରି କହିଥିଲେ ଯେ, ଚିଠା ଭୋଟର ତାଲିକା ସମ୍ପର୍କରେ ଦାବି ଓ ଆପତ୍ତି ଆବେଦନ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଗ୍ରହଣ କରାଯିବ। ପ୍ରାପ୍ତ ଆବେଦନଗୁଡ଼ିକ ଉପରେ ୫ ଜୁଲାଇରୁ ୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନୋଟିସ ଜାରି ଓ ଶୁଣାଣି ପ୍ରକ୍ରିୟା ଚାଲିବ। ଏହି କାର୍ଯ୍ୟ ପାଇଁ ଜିଲ୍ଲାର ୫ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଏବଂ ୩୪ ଜଣ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO)ଙ୍କୁ ଦାୟିତ୍ୱ ଦିଆଯାଇଛି।

ଭୋଟରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲାରେ ମତଦାନ କେନ୍ଦ୍ରଗୁଡ଼ିକର ସଂଗତିକରଣ କରାଯାଇଛି । ଏହାଫଳରେ ମତଦାନ କେନ୍ଦ୍ର ସଂଖ୍ୟା ୧୫୬୧ରୁ ବୃଦ୍ଧି ପାଇ ୧୭୬୦ରେ ପହଞ୍ଚିଛି। ଜିଲାର ପ୍ରାକ୍-ଚିଠା ଭୋଟର ସଂଖ୍ୟା ୧୩,୪୩,୮୧୬ ଥିବାବେଳେ ସଂଶୋଧିତ ଚିଠା ତାଲିକାରେ ବିଭିନ୍ନ କାରଣରୁ ଏହା ୧୨,୪୪,୫୫୮କୁ ହ୍ରାସ ପାଇଛି। ଏହି କାରଣଗୁଡ଼ିକ ମଧ୍ୟରେ ମୃତ୍ୟୁ, ସ୍ଥାୟୀ ଭାବେ ସ୍ଥାନାନ୍ତର, ପୂର୍ବରୁ ନାମ ପଞ୍ଜୀକୃତ ହୋଇସାରିବା, ଓ ଅନ୍ୟାନ୍ୟ କାରଣ ରହିଛି।

ତେବେ ନିର୍ବାଚନମଣ୍ଡଳୀ ଭିତ୍ତିକ ଭାବେ ଲୋଇସିଂହାରେ ୨,୨୩,୪୪୧, ପାଟଣାଗଡ଼ରେ ୨,୮୮,୬୬୫, ବଲାଙ୍ଗୀରରେ ୨,୩୦,୨୮୩, ଟିଟିଲାଗଡ଼ରେ ୨,୪୧,୭୧୮ ଏବଂ କଣ୍ଟାବାଞ୍ଜିରେ ୨,୬୦,୪୫୧ ଜଣ ଭୋଟର ଚିଠା ତାଲିକାରେ ସ୍ଥାନ ପାଇଛନ୍ତି। ସମସ୍ତ ଯୋଗ୍ୟ ଭୋଟର, ବିଶେଷକରି ନୂତନ ଯୁବ ଭୋଟରଙ୍କୁ ନିଜ ନାମ ଓ ବିବରଣୀ ଯାଞ୍ଚ କରିବା ସହ କୌଣସି ତ୍ରୁଟି ଥିଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂଶୋଧନ ପାଇଁ ଆବେଦନ କରିବାକୁ ଜିଲା ପ୍ରସାଶନ ପକ୍ଷରୁ ନିବେଦନ କରାଯାଇଛି।

କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ମତାମତ ରଖିଥିଲେ। ଅତିରିକ୍ତ ଜିଲାପାଳ (ରାଜସ୍ୱ) ପବିତ୍ର ବେହେରା, ଅତିରିକ୍ତ ଜିଲାପାଳ (ସାଧାରଣ) ଡ. ବିଜୟାନନ୍ଦ ସେଠୀ, ଟିଟିଲାଗଡ଼ ଉପଜିଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ନିର୍ବାଚନ ବିଭାଗର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Share