କଥାଟି କାହାକୁ କହିବେନି

ଚିତ୍ର ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଯେଉଁ ବନ୍ଧୁଙ୍କ ପାଖରୁ କଥାଟି ଶୁଣିବାକୁ ମିଳିଥିଲା, ସେ ଅବଶ୍ୟ ବାରଣ କରି ନ ଥିଲେ କାହାକୁ କହିବା ପାଇଁ। ମାତ୍ର ତାଙ୍କୁ ଯିଏ କଥାଟି କହିଥିଲେ, ସେ ମହାଶୟ ବିକଳ ଅନୁରୋଧଟାଏ କରିଥିଲେ, ”କହୁ କହୁ କଥାଟା କହିଦେଲି। ଦୟାକରି ଆଉ କାହାକୁ କହିବେନି।“ ନିହାତି ଗୋପନୀୟ ନ ହେଲେ କଥା ଲୁଚାଇବା ପାଇଁ ଏପରି ଅନୁରୋଧ କେହି କେବେ କରନ୍ତି ନାହିଁ। ପ୍ରକୃତରେ କଥାଟି ସେମିତି। ତଥାପି କଥାଟିର ଗୋପନୀୟତା ରକ୍ଷା କରିବାକୁ କରାଯାଇଥିବା ଅନୁରୋଧ ପ୍ରତ୍ୟକ୍ଷ ଭାବେ ଆସି ନ ଥିବାରୁ ପ୍ରତିଶ୍ରୁତି ଭଙ୍ଗର ପାପ ଏ ଲେଖକକୁ ଲାଗିବ ନାହିଁ। ବରଂ ଆମ ସାମାଜିକ ଜୀବନରେ ଭୟଙ୍କର ବ୍ୟାଧି ହୋଇ ଆସ୍ତେ ଆସ୍ତେ ଏକ ବୃହତ୍ତର ଗୋଷ୍ଠୀକୁ ସଂକ୍ରମିତ କରୁଥିବା କଥାଟିକୁ ସାଧାରଣରେ ବାଣ୍ଟିବାର ଆବଶ୍ୟକତାକୁ ଅସ୍ବୀକାର କରି ହେବ ନାହିଁ। ସୁତରାଂ, ବିଜ୍ଞଜନଙ୍କ ବିଚାର ଉଦ୍ଦେଶ୍ୟରେ ସମର୍ପିତ କଥାଟି ଏହିପରି।
ରାଜ୍ୟର ଏକ ସୀମାନ୍ତବର୍ତ୍ତୀ ଜିଲା ଅନ୍ତର୍ଗତ ଏକ ବିଦ୍ୟାଳୟରେ ଅବସ୍ଥାପିତ ଜଣେ ଶିକ୍ଷକଙ୍କ କଥା ୟେ। ଶିକ୍ଷକ ମହୋଦୟ ଦୁଇ ଭାଇ। ଦୁହେଁ ପରସ୍ପରଠାରୁ ଭିନ୍ନ ଓ ବିଚ୍ଛିନ୍ନ। ସେ ନିଜେ ନିଜର ବୃତ୍ତିଲବ୍ଧ ସ୍ବଚ୍ଛଳତାକୁ ନେଇ ଆପଣାର ପିଲା ପରିବାର ସହ ସୁଖରେ ଥାଆନ୍ତି, ନିଜ ଚାକିରି ସ୍ଥଳରେ। ବଡ଼ଭାଇ ତାଙ୍କ ନିଜ ଜନ୍ମମାଟି ଗଁାରେ ପଡ଼ିଥାନ୍ତି, ଚାଷବାଷ କରି, ପିଲା ପରିବାରଙ୍କୁ କଷ୍ଟେମଷ୍ଟେ ପାଳି। ଦୁଇ ଭାଇଙ୍କର ଗୋଟିଏ କରି ପୁଅ। ଚାଷୀ ବଡ଼ଭାଇଙ୍କ ପୁଅଟି ଭଲ ପଢ଼ୁଥିଲେ ବି ସମ୍ବଳ ଅଭାବରୁ ମାଟ୍ରିକ୍‌ ଆଗକୁ ଯାଇ ନ ପାରି ଗଁାରେ ରହି ବାପାଙ୍କୁ ଚାଷ କାମରେ ସାହାଯ୍ୟ କରେ। ଶିକ୍ଷକ ସାନଭାଇଙ୍କ ପୁଅ ବି.ଏ. ପାସ୍‌ କରି ବାପାଙ୍କ ପାଖରେ ରହି ଚାକିରି ଖୋଜୁଛି। ଏମିତି ଦୁଇ ଭାଇଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି।
ଜଣେ ସମଧର୍ମା ଶିକ୍ଷକ ବନ୍ଧୁଙ୍କ ସହ ଥରେ ଅନ୍ତରଙ୍ଗ ଆଳାପ କରୁଥିଲା ବେଳେ ଚରମ ଦୁଃଖ ଓ ଆବେଗରେ ଫାଟିପଡ଼ିଲେ ସାନଭାଇ। ଅନ୍ୟ ଶିକ୍ଷକ ଜଣକ ଥିଲେ ତିନୋଟି କନ୍ୟା ସନ୍ତାନଙ୍କ ଜନକ। ଏକ ପୁତ୍ର ସନ୍ତାନର ପିତା ହୋଇପାରି ନ ଥିବା ଦୁଃଖରେ ନିରନ୍ତର ସେ ଘାଣ୍ଟି ହେଉଥିବା ବେଳେ ତାଙ୍କ ସୌଭାଗ୍ୟକୁ କିନ୍ତୁ ଈର୍ଷା କରୁଥିଲେ ଆମର ଏଇ ଶିକ୍ଷକ। କହୁଥିଲେ, ”ପୁତ୍ରପ୍ରାପ୍ତିରୁ ବଞ୍ଚତ୍ତ ରହି ତୁମେ ପ୍ରକୃତରେ ସୁଖୀ। ପ୍ରାରବ୍ଧରେ ଯଦି କିଛି ପୁଣ୍ୟ ଥାଏ, ତେବେ ପରଜନ୍ମରେ ତୁମ ଭଳି କେବଳ ଝିଅଙ୍କ ବାପା ହେବାକୁ ଚାହିଁବି।“ ‘ମିଲ୍‌ ଯାଏ ତୋ ମିଟ୍ଟି, ନା ମିଲେ ତୋ ସୋନା’- ପୁଅ ନଥିବା ପିତା ବା ଝିଅ ନଥିବା ବାପାମାନଙ୍କର କାମନା ସଚରାଚର ଏଇ ମାନସିକତାରେ ଆକ୍ରାନ୍ତ। ସୁତରାଂ, ପରଜନ୍ମରେ ଝିଅର ବାପା ହେବାକୁ କାମନା କରୁଥିବା ଆମ ଏଇ ଶିକ୍ଷକ ଭାଇଙ୍କ କଥାରେ କିଛି ନୂତନତ୍ୱ ନଥିଲା। ମାତ୍ର ତାଙ୍କର ଏପରି କାମନା ମୂଳରେ ଯେଉଁ କାରଣଟି ଥିଲା, ତାହା ହିଁ ଥିଲା ଯେମିତି ଅଭିନବ, ସେମିତି ଦୁର୍ଭାଗ୍ୟପୂର୍ଣ୍ଣ।
ବି.ଏ. ପାସ୍‌ କରି ଚାକିରି ଖୋଜୁଥିବା ଓ ନିଜ ଅଯୋଗ୍ୟତା ପାଇଁ ପାଉ ନ ଥିବା ତାଙ୍କ ପୁଅଟି ପ୍ରକାଶ୍ୟରେ ତା’ ବାପାଙ୍କ ମୃତ୍ୟୁ କାମନା କରୁଥିଲା। ଚାକିରି ଖୋଜିବାରେ ଟଙ୍କା ତିରିଶ ହଜାର ଉଡ଼ାଇ ଦେବା ପରେ ଓ ସେଥିରେ ଅସଫଳ ହୋଇ ବେପାର ଆରମ୍ଭ କରି ତହିଁରେ ଲକ୍ଷେ ଟଙ୍କା ବୁଡ଼ାଇ ଦେବା ପରେ ତା’ ସାମର୍ଥ୍ୟ ଉପରୁ ଆସ୍ଥା ହରାଇ ବସିଥିଲେ ଶିକ୍ଷକ ବାପା ଜଣକ। ତା’ ପାଇଁ ସେ ଆଉ କିଛି ଖର୍ଚ୍ଚ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଶୁଣାଇ ଦେଲା ପରେ ଆରମ୍ଭ ହୋଇଥିଲା ତାଙ୍କ ସମସ୍ୟା। ବାପା ମୁଣ୍ଡ ଉପରେ ବୋଝ ହେବାକୁ ନିଜର ଜନ୍ମସିଦ୍ଧ ଅଧିକାର ଭାବୁଥିବା ପୁଅ ପ୍ରତିକ୍ରିୟା ପ୍ରକାଶ କରିଥିଲା, ”ଜନ୍ମ କରିବାକୁ ଖୁସି ଲାଗୁଥିଲା କି ? ଚାକିରି କରି ବହୁଦିନ ଆରାମରେ ବିତାଇଲଣି। ଢେର ସୁଖ ଭୋଗିଲଣି। ପୁଅ ପାଇଁ ଖର୍ଚ୍ଚ କରିବାକୁ ପାଖରେ ଟଙ୍କା ନାହିଁ ତ ବଞ୍ଚତ୍ ରହିଛ କାହିଁକି? ତୁମେ ମରିଗଲେ ସରକାରଙ୍କ ଥଇଥାନ ବ୍ୟବସ୍ଥାରେ ମୋତେ ତ ଚାକିରିଟିଏ ମିଳିପାରନ୍ତା!“
ଅତୀତରେ ବୟସ ଖସି ଯାଇଥିବା ନିଜ ବୁଢ଼ାବାପାଙ୍କୁ ସୁଖୀ କରିବା ପାଇଁ ଜଣେ ପୁଅ ନିଜର ଯୌବନ ଉଜାଡ଼ି ଦେଇଥିଲା। ଏବେ କିନ୍ତୁ ସମୟ ବଦଳି ଯାଇଛି। ବୃତ୍ତିରୁ ଅବସର ନେବାକୁ ତଥାପି କେଇ ବର୍ଷ ବାକି ଥିବା ଜଣେ ବାପାଙ୍କୁ ନିଜ ଜୀବନରୁ ଅବସର ନେଇ ଚାଲିଯିବା ପାଇଁ ତାଙ୍କ ଯୁବାପୁଅ କହୁଛି। ସତୀର୍ଥ ବନ୍ଧୁଙ୍କ ଆଗରେ ନିଜର ଏଇ ଦୁର୍ଭାଗ୍ୟ ବଖାଣି ମନବୋଧ କରି କାନ୍ଦିବା ବ୍ୟତୀତ ହତଭାଗ୍ୟ ବାପା ଜଣକ ଅଧିକ କ’ଣ କରିପାରନ୍ତେ! ଅତଏବ, ଶିକ୍ଷକ ବାପା ନିଜ ସହକର୍ମୀଙ୍କ ଆଗରେ କାନ୍ଦୁଥିଲେ ଓ ଅତୀତର ସ୍ମୃତି ସାଉଁଟି ଆଣି ଆବେଗଭରା କଣ୍ଠରେ କହୁଥିଲେ, ”କିଛିଦିନ ତଳେ ବଡ଼ଭାଇ ଅସୁସ୍ଥ ଥିବା ଖବର ପାଇ ତାଙ୍କୁ ଦେଖିବାକୁ ଗାଁକୁ ଯାଇଥିଲି। ରୋଗଶଯ୍ୟା ପାଖରେ ବସି ଦିନରାତି ତାଙ୍କର ସେବା କରୁଥିବା ମୋ ପୁଅ ବୟସର ତାଙ୍କ ପୁଅଟି ମୋତେ ଦେଖି କାନ୍ଦି ପକାଇଥିଲା ଓ କହିଥିଲା, ”ଠାକୁରଙ୍କୁ ଡାକୁଛି, ବାପା ଶୀଘ୍ର ସୁସ୍ଥ ହୋଇ ଉଠନ୍ତୁ। ତାଙ୍କ ବିନା ଭାରି ଅସହାୟ ଲାଗୁଛି। ।“
ଆର୍ଥିକ ଅସ୍ବଚ୍ଛଳତା କାରଣରୁ ମେଟ୍ରିକ୍‌ରୁ ଆଗକୁ ଯାଇପାରି ନ ଥିବା ଏବଂ ଗଁାରେ ରହି ଚାଷ କରୁଥିବା ପୁଅର ଅଶିକ୍ଷିତ ବାପାଙ୍କ ଜୀବନ ପ୍ରତି କି ଅପୂର୍ବ ଅନୁରାଗ! ଅଥଚ ଜଣେ ଉଚ୍ଚଶିକ୍ଷିତ ପୁଅର ତା’ ବାପାଙ୍କ ଆଶୁ ମରଣ ପାଇଁ କି କୁତ୍ସିତ କାମନା! ଶିକ୍ଷକ ବନ୍ଧୁ ଭାଇଙ୍କ ପୁଅ ସହ ନିଜ ପୁଅକୁ ତୁଳନା କରି ସୌଭାଗ୍ୟ ଓ ଦୁର୍ଭାଗ୍ୟର ଦୂରତାକୁ ତଉଲୁଥିଲେ। ବଡ଼ଭାଇ ଯାବତୀୟ ଅଭାବ ଅସୁବିଧାରେ ରହିଲେ ବି ତାଙ୍କ ତୁଳନାରେ କେତେ ସୁଖୀ ସତରେ! ବନ୍ଧୁଙ୍କ ନିକଟରେ ନିଜ ଜୀବନର ଗୋପନ ପେଡ଼ି ଫିଟାଇ ନିଜକୁ ଆଶ୍ୱସ୍ତ ମନେ କଲାପରେ ସେ ଏକ ବିକଳ ଅନୁରୋଧ କଲେ ”ଏ କଥା କାହାକୁ ବି କହିବନି। ଯିଏ ଶୁଣିବ, ମୋ ଦୁର୍ଭାଗ୍ୟ ପାଇଁ ତା’ ଅନ୍ତରରୁ ସାମାନ୍ୟ ସମବେଦନା ତ ଝରିପଡ଼ିବ ନାହିଁ, ବରଂ ମୋତେ ଦୋଷ ଦେବ, ଯେମିତି କି ମୋର କେଉଁଠି ବଡ଼ ଭୁଲ୍‌ଟାଏ ରହିଛି!“
ପ୍ରକୃତରେ ଅନୁକମ୍ପା ସୂତ୍ରରେ ଚାକିରି ପାଇବା ପାଇଁ ଚାକିରିଆ ବାପାର ମୃତ୍ୟୁ କାମନା କରୁଥିବା କୁଳାଙ୍ଗାର ପୁଅର ବାପା ହେବାରେ ଭୁଲ୍‌ ରହିଲା କେଉଁଠି? ତେବେ ଏ କ୍ଷେତ୍ରରେ ପୁତ୍ରଠୁଁ ପରାଭବ ଭୋଗୁଥିବା ପିତାର ଦୁଃଖରେ ଭାସି ନ ଯାଇ ତାଙ୍କ ଅତୀତ ଭିତରକୁ ଟିକେ ନିରେଖି ଚାହିଁଲେ ଭୁଲ୍‌ ଠିକ୍‌ର ହିସାବ ବୁଝିବା ବେଶି କଷ୍ଟକର ହେବ ନାହିଁ।
ଗୋଲାପର ଶଯ୍ୟା ପରି ମୁଲାୟମ ନ ଥିଲା ଏଇ ଶିକ୍ଷକଙ୍କ ଅତୀତ। ବାପା ତାଙ୍କର ଥିଲେ ଅଭାବୀ ଅସ୍ବଚ୍ଛଳ ଚାଷୀ। ଏପରି ଏକ ଅସମର୍ଥ ପରିବାରରେ ଜନ୍ମ ନେଇଥିବା ଯୋଗୁ ପାଠ ପଢ଼ିବାର ସ୍ବପ୍ନ ଯେତେବେଳେ ପ୍ରତିକ୍ଷଣ ସଂକଟର ସମ୍ମୁଖୀନ ହେଉଥିଲା, ସେତେବେଳେ ବଡ଼ଭାଇ ତାଙ୍କର ଆଗେଇ ଆସିଥିଲେ ଦଧୀଚିଙ୍କ ଆତ୍ମତ୍ୟାଗ ନେଇ। ନିଜେ ଅପାଠୁଆ ରହି, ବାପା ସାଙ୍ଗରେ କାନ୍ଧକୁ କାନ୍ଧ ମିଳାଇ ବିଲବାଡ଼ିରେ ଖଟିଥିଲେ ସେ ଓ ସାନ ଭାଇକୁ ପାଠ ପଢ଼ାଇଥିଲେ। ପଢ଼ା ଶେଷ କରି ସାନଭାଇ ଶିକ୍ଷକ ହେଲେ। ଶିକ୍ଷିତ ସାନଭାଇଙ୍କ ସମ୍ମାନ ଓ ପ୍ରତିଷ୍ଠା ଆଗରେ ମ୍ଳାନ ପଡ଼ିଗଲା ଅଶିକ୍ଷିତ ବଡ଼ଭାଇଙ୍କ ଅନନ୍ୟ ଆତ୍ମତ୍ୟାଗ। ଅବସ୍ଥା ଏପରି ହେଲା ଯେ ଦାରିଦ୍ର୍ୟ ଓ ବାର୍ଦ୍ଧକ୍ୟର ତାଡ଼ନାରେ ବୁଢ଼ା ବାପା ଆଖି ବୁଜିଦେଲାବେଳେ ଚରମ ଅସହାୟତା ମଧ୍ୟରେ କାଳ କାଟୁଥିଲେ ବଡ଼ଭାଇ। ଅଥଚ ଏଣେ ନିଜ ପିଲା ପରିବାର ସହ ସକଳ ପ୍ରକାର ସଂସାର ସୁଖରେ ବୁଡ଼ି ରହିଥିଲେ ଶିକ୍ଷକ ବୋଲାଉଥିବା ସାନଭାଇ। ସେଇ ଶିକ୍ଷକ ଆଜି ପରିବର୍ତ୍ତିତ ପରିସ୍ଥିତିରେ ଦୁଃଖୀ ମଣିଷଟିଏ। ପ୍ରକୃତରେ ଭୁଲ୍‌ ତାଙ୍କର ନୁହେଁ। ଭୁଲ୍‌ ହେଉଛି ଚକ୍ର ପରି ଅହରହ ଘୂରି ବୁଲୁଥିବା ସମୟର; ସବୁବେଳେ ନିଷ୍ଠୁର ଭାବେ ପୁନରାବୃତ୍ତି ହେଉଥିବା ଇତିହାସର।
ଏଇ ସମୟ ଦିନେ ପୂର୍ଣ୍ଣ କରି ଦେଇଥିଲା ମୋଗଲ ସମ୍ରାଟ୍‌ ଶାହାଜାହାନଙ୍କୁ। ଅଥଚ ସମୟର କରାଳ ଚକ୍ରରେ ଦିନେ ସବୁ ଓଲଟପାଲଟ ହୋଇଗଲା। ନିଜ ପ୍ରିୟାର ମଧୁର ସ୍ମୃତିରେ ସମର୍ପିତ ସ୍ମୃତିସୌଧ ବିଶ୍ୱର ବିସ୍ମୟ ତାଜମହଲ ନିର୍ମାଣ କରି ମଧ୍ୟ ସେ ଏହାକୁ ଉପଭୋଗ କରିପାରି ନ ଥିଲେ। କାରଣ ମହତ୍ତ୍ୱାକାଂକ୍ଷୀ ପ୍ରବଳ ପରାକ୍ରମୀ ଯୁବାପୁଅ ଆଉରଙ୍ଗଜେବଙ୍କ ଆଦେଶରେ ତାଙ୍କୁ କାରାରୁଦ୍ଧ କରାଯାଇଥିଲା। ଅସହ୍ୟ ଯନ୍ତ୍ରଣା ଓ ଅସୀମ ଦୁଃଖ ମଧ୍ୟରେ ଏକ ରାଜପୁରୁଷଙ୍କ ଜୀବନର ଅକାଳ ଅବସାନ ହେଉଥିଲାବେଳେ ତେଣେ ଆତ୍ମଜ ଆଉରଙ୍ଗଜେବ ନିଜ ରାଜମୁକୁଟକୁ ନେଇ ଥିଲେ ଢେର ଉନ୍ମତ୍ତ ଓ ଉତ୍ସାହିତ। ଅଥଚ ସେ ପାସୋରି ପକାଇଥିଲେ ଯେ ତାଙ୍କ ଅଲକ୍ଷ୍ୟରେ ସମୟ ତାଙ୍କ ପାଇଁ ମଧ୍ୟ ସଞ୍ଚତ୍ତ କରି ରଖିଛି ଏକ ଅସହାୟ ଅନ୍ତର କାହାଣୀ!
ଚାକିରି ମିଳିଯିବ ବୋଲି ବାପାର ମୃତ୍ୟୁ ବାଞ୍ଛା କରୁଥିବା ଭଳି ପୁଅଟିଏ ଜନ୍ମ କରିଥିବାରୁ ନିଜ ଭାଗ୍ୟକୁ ନିନ୍ଦୁଥିବା ଶିକ୍ଷକ ମହୋଦୟ ଅତୀତରେ ଇତିହାସ ପଢ଼ିଥିଲାବେଳେ ଅବା ଏବେ ଇତିହାସ ପଢ଼ାଉଥିବାବେଳେ ସେଇ ଶାହାଜାହାନ ଓ ଆଉରଙ୍ଗଜେବଙ୍କ କାହାଣୀ ଜାଣିଥିବେ। ଏ କଥା ବି ହେଜିଥିବେ ଯେ ଗଁାରେ ବୁଢ଼ାବାପା ଓ ବଡ଼ଭାଇଙ୍କୁ ଅସହାୟତାର କାରାକକ୍ଷ ମଧ୍ୟରେ ନିକ୍ଷେପ କରି ନିଜେ ଏକ ମୁକ୍ତ ସ୍ବଚ୍ଛଳ ଜୀବନ ବଞ୍ଚୁଥିବା ଲୋକର କେବେ ପୁଅଟିଏ ହୋଇପାରେ ଓ ସେ ପୁଅଟି ତା’ ବାପାଙ୍କ ପଦାଙ୍କ ଅନୁସରଣ କରି ପିତାର ସତ୍‌ପୁତ୍ର ବୋଲି ଗର୍ବ କରିପାରେ। ଅତଏବ ବନ୍ଧୁଙ୍କ ନିକଟରେ ନିଜ ଦୁଃଖ ବଖାଣି କଥାଟି କାହାକୁ କହିବେନି ବୋଲି ଅନୁରୋଧ କଲେ, ଅବଶିଷ୍ଟ ଅନ୍ୟ ସଭିଙ୍କଠାରୁ କଥାଟିକୁ ସିନା ଗୁପ୍ତ ରଖିହେବ, ହେଲେ କଥାଟିକୁ ନେଇ ଯେଉଁ ମରମ ବ୍ୟଥା, ତାହାକୁ କ’ଣ ନିଜଠୁଁ କେବେ ଲୁଚାଇ ରଖିହେବ! ପ୍ରତି ମୁହୂର୍ତ୍ତରେ ଏହା ଦଂଶି ଚାଲିଥିବ ନିଜ ଅନ୍ତରାତ୍ମାକୁ। ଅଜାଗା ଘାଆ ପରି କେବଳ ନିଜକୁ ହିଁ ଭୋଗିବାକୁ ପଡ଼ିବ ସିନା କେବେ କାହାକୁ ଦେଖାଇ ହେବ ନାହିଁ କି ଉପଶମ ଉପଲବ୍ଧ ହେବ ନାହିଁ। ପ୍ରକୃତରେ କଲାକର୍ମର ପରିଣାମ ମଣିଷ ଯଦି ଭୋଗ କରୁ ନ ଥା’ନ୍ତା, ତେବେ କେଡ଼େ କଥା ନ ହୁଅନ୍ତା!!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର
ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri