ଏମିତି ନ ହେଉ

ସେଦିନ ଥିଲା ସ୍ବାଧୀନତା ଦିବସ। ସବୁଠି ଉତ୍ସାହ ଉଦ୍ଦୀପନାର ମାହୋଲ। ସ୍ଥାନେ ସ୍ଥାନେ ବାଣ ଫୁଟିବା ଆରମ୍ଭ ହୋଇଗଲା। ପରେଡ଼ ଜରିଆରେ ଅତିଥି ମହୋଦୟଙ୍କୁ ପାଛୋଟି ନିଆଗଲା ପତାକା ସ୍ତମ୍ଭ ନିକଟକୁ। ଅତିଥି ମହାଶୟଙ୍କ କରକମଳରେ ପତାକା ଉତ୍ତୋଳନ ହେଲା। ସ୍ବାଧୀନତା ସଂଗ୍ରାମୀର ଇତିହାସ, ସ୍ବାଧୀନତା ସଂଗ୍ରାମୀଙ୍କ ଉତ୍ସର୍ଗୀକୃତ କାହାଣୀ ତଥା ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଦୀକ୍ଷାନ୍ତ ଭାଷଣ ଦେଲେ ନିମନ୍ତ୍ରିତ ଅତିଥି ମହୋଦୟ। କରତାଳିରେ ଫାଟିପଡ଼ିଲା ସଭାସ୍ଥଳ। ତା’ପରେ ଯିଏ ଯାହା ବାଟରେ ଗଲେ।
ଏହାପରେ ଯେଉଁ ଦୃଶ୍ୟ ଦେଖାଗଲା ତାହା ଥିଲା ଅଭାବନୀୟ ଓ ଅବର୍ଣ୍ଣନୀୟ। ପ୍ରାୟ ଆଠ/ଦଶ ବର୍ଷର ଝିଅଟିଏ। କ୍ଷୀଣ ଶରୀର। ପିନ୍ଧିଥିଲା ଗୋଟିଏ ଚିରା ଫ୍ରକ୍‌। ନୁଖୁରା ଓ ଅସଜଡ଼ା କେଶ। କାନ୍ଧରେ ଥିଲା ଗୋଟିଏ ପେପର ବସ୍ତା। ପାଣି ପିଇ ସାରିବା ପରେ ତ୍ରିରଙ୍ଗା ତଳେ ଏଣେତେଣେ ପଡ଼ିଥିବା ପ୍ଲାଷ୍ଟିକ୍‌ ବୋତଲଗୁଡ଼ିକୁ ସେ ଗୋଟାଇ ନେଇ କାନ୍ଧରେ ଧରିଥିବା ବୁରାରେ ଭର୍ତ୍ତି କରୁଥିଲା। ଗୋଟିଏ ସ୍ଥାନରେ ଦୁଇଟି ଦୃଶ୍ୟ। ପତାକା ଉତ୍ତୋଳନରେ ଅଂଶଗ୍ରହଣ କରି ମହାନନ୍ଦରେ ଜାତୀୟ ସଂଗୀତ ଗାନ କଲେ ଓ ସ୍ବାଧୀନ ଭାରତର ଜୟଧ୍ୱନି ଦେଲେ କିଛି ପିଲା। ଦାମୀ ଟିଫିନ୍‌ ପ୍ୟାକେଟ୍‌ ସହିତ ପିଇବା ପାଣି ବୋତଲ ସେମାନଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା। ମିଷ୍ଟାନ୍ନ ଖାଇ, ବିଶୁଦ୍ଧ ପାଣି ପିଇ ସେମାନେ ଘରକୁ ଫେରିଲେ। ସେମାନେ ଗଲା ପରେ ଭୋକିଲା ପେଟରେ ଖାଦ୍ୟ ପାଇଁ ନିତି ସଂଘର୍ଷ କରୁଥିବା ଝିଅଟିର ଆବିର୍ଭାବ ଘଟୁଛି ସେହି ସ୍ଥାନରେ। ଗଢ଼ିବା ଓ ଆଗକୁ ବଢ଼ିବା ଲକ୍ଷ୍ୟ ନେଇ ଆସିଥିବା ପିଲାମାନଙ୍କ ଦେହରେ ଦାମୀ ପୋଷାକ, ପାଦରେ ବୁଟ୍‌। ଅନ୍ୟପଟେ ବୋତଲ ଗୋଟାଇ ନେଇ ତାକୁ ବିକ୍ରି କରି କିଛି ପଇସା ପାଇବ ଓ ସେଇଥିରେ ଗୋଟିଏ ଦୁଇଟି ବରା କିଣି ଖାଇଦେଇ ରାସ୍ତାକଡ଼ରେ ଥିବା ପାଣି ଟ୍ୟାପ୍‌ରୁ ପେଟେ ପାଣି ପିଇ କ୍ଷୁଧା ସମ୍ବରଣ କରିବା ଲକ୍ଷ୍ୟରେ ଖାଲି ପାଦରେ ପ୍ରତିଦିନ ମାଇଲ ମାଇଲ ଚାଲୁଛି ଝିଅଟି। ତାହାରି ବୟସର ପିଲାମାନେ ଜାଣିବେ ଓ ଜଗତ ଜିଣିବେ। ପାଠ ପଢ଼ି ଶିକ୍ଷିତ ହେବେ। ନିଜ ଭବିଷ୍ୟତ ଗଢ଼ିବେ। ସେମାନଙ୍କ ଭିତରୁ କିଏ ଅଫିସର ହେବ ତ ପୁଣି କିଏ ଦେଶକୁ ଶାସନ କରିବ। କିନ୍ତୁ ଝିଅଟି ପରାଜୟର ଗ୍ଳାନି ମୁଣ୍ଡେଇ ନେଇ ବଞ୍ଚୁଛି। ଜଗତ କହିଲେ ତା’ ପାଇଁ କେଉଁ ଏକ ବସ୍‌ଷ୍ଟାଣ୍ଡ ବା ରେଳଷ୍ଟେଶନ୍‌। ସ୍କୁଲହତା ଚାରିପଟେ ବୁଲିବୁଲି ପରିତ୍ୟକ୍ତ ପ୍ଲାଷ୍ଟିକ୍‌ ବୋତଲ ସଂଗ୍ରହ କରିବା ତା’ ପାଇଁ ଶିକ୍ଷାଦୀକ୍ଷା ସବୁକିଛି। ଭବିଷ୍ୟତ କଥା ଭାବି ତା’ ପାଇଁ ଲାଭ କ’ଣ? ଯେଉଁଦିନ ଅଧିକ ବୋତଲ ସଂଗ୍ରହ କରିପାରିଲା, ସେଦିନ ହୁଏତ ଗଣ୍ଡାଏ ଭାତ ପେଟକୁ ଗଲା, ନହେଲେ ଉପାସ ରହିବା ସାର। ସ୍ବାଧୀନତାର ଅର୍ଥ କ’ଣ ସେ ବୁଝେନା। ତ୍ରିରଙ୍ଗା ପତାକାଟିଏ ପାଇଗଲେ ସେ ହୁଏତ ଆନନ୍ଦରେ ନିଜ ଦେହରେ ଘୋଡ଼ାଇ ଦେଇ ଚିରା ଫ୍ରକ୍‌ଟିକୁ ଲୁଚାଇ ପକାନ୍ତା।
ଏମିତି ଲକ୍ଷ ଲକ୍ଷ ଶିଶୁ ବିଦ୍ୟାଳୟ ବାରଣ୍ଡା ମାଡ଼ିବାରୁ ବଞ୍ଚତ୍ତ ହେଉଛନ୍ତି ଆମ ଦେଶରେ। କିଏ ପ୍ଲାଷ୍ଟିକ୍‌ ବୋତଲ ସଂଗ୍ରହ କରୁଛି ତ କିଏ ଜରି ଗୋଟାଉଛି। କିଏ ହୋଟେଲ୍‌ରେ ଅଇଁଠାବାସନ ମାଜୁଛି ତ ଆଉ କିଏ ପେଟ ବିକଳରେ ଗ୍ୟାରେଜ୍‌ରେ କାମ କରୁଛି। ହଜାର ହଜାର ଶିଶୁ ଭିକ୍ଷାବୃତ୍ତି କରୁଥିବାର ଦୁଃଖଦ ଦୃଶ୍ୟ ଦୃଷ୍ଟିଗୋଚର ହେଉଛି। ଏମାନେ କେବେ ସ୍ବାଧୀନତାର ସ୍ବାଦ ବାରି ପାରନ୍ତି ନାହିଁ। ତ୍ରିରଙ୍ଗା ତଳେ ସମବେତ ହେବାର ସୁଯୋଗ ଏମାନଙ୍କ ଭାଗ୍ୟରେ ଜୁଟେ ନାହିଁ।
ଯେଉଁମାନେ ଦେଶର ସ୍ବାଧୀନତା ପାଇଁ ପ୍ରାଣବଳି ଦେଲେ, ଅକଥନୀୟ ଅତ୍ୟାଚାର ସହିଲେ, ବର୍ଷ ବର୍ଷ ଧରି ଜେଲ ଭିତରେ କାଟିଲେ, ଫାଶିଖୁଣ୍ଟରେ ଚଢ଼ିଲେ, ସେମାନେ କ’ଣ ଏମିତି ସ୍ବପ୍ନ ଦେଖିଥିଲେ? ସଭିଏଁ ତ ଭାବିଥିଲେ ବ୍ରିଟିଶ୍‌ମାନେ ବିତାଡ଼ିତ ହେଲା ପରେ ଆମେ ଆମକୁ ଶାସନ କରିବୁ। ଶାସନର ଖସଡ଼ା ତିଆରି ହେବ ଓ ସେହି ଖସଡ଼ା ଅନୁଯାୟୀ ଶାସନ ଚାଲିବ। ଖସଡ଼ା ପ୍ରସ୍ତୁତ ହେଲା ସତ, କିନ୍ତୁ ଖସଡ଼ାରେ ଥିବା ସମସ୍ତ ପ୍ରାବଧାନକୁ କେତେ ଗୁରୁତ୍ୱ ଦିଆଗଲା ତାହା ଜଣାପଡ଼େ ସ୍ବାଧୀନ ଭାରତବର୍ଷର ଅବସ୍ଥାକୁ ଅନୁଶୀଳନ କଲେ। ତ୍ରିରଙ୍ଗା ତଳେ ସେଦିନର ସେହି ଦୃଶ୍ୟ ଉତ୍କଟ ଦାରିଦ୍ର୍ୟର ଅସଂଖ୍ୟ ପ୍ରତିଛବି ଭିତରୁ ମାତ୍ର ଗୋଟିଏ ଥିଲା।
ସରକାରୀ ହିସାବ ଅନୁଯାୟୀ ପାଞ୍ଚ ପ୍ରତିଶତରୁ ଊର୍ଦ୍ଧ୍ୱ ଶିଶୁ ବିଦ୍ୟାଳୟ ବାରଣ୍ଡା ମାଡ଼ିପାରୁ ନାହାନ୍ତି। ଯେତିକି ପିଲା ଯାଉଛନ୍ତି, ଷଷ୍ଠ ଶ୍ରେଣୀ ବେଳକୁ ସେଥିରୁ ପାଞ୍ଚ ପ୍ରତିଶତ ପିଲା ଅଧାରୁ ପାଠପଢ଼ା ଛାଡ଼ି ଦେଉଛନ୍ତି। କ୍ରମଶଃ ଏହି ସଂଖ୍ୟା ବଢ଼ି ବଢ଼ି ଏକାଦଶ ଶ୍ରେଣୀବେଳକୁ ଏହା ପଚାଶ ପ୍ରତିଶତ ଅତିକ୍ରମ କରିଯାଉଛି। ଅର୍ଥାତ୍‌ ଅର୍ଦ୍ଧାଧିକ ପିଲା ବିଭିନ୍ନ କାରଣରୁ ପାଠପଢ଼ା ଅଧାରୁ ଛାଡ଼ୁଛନ୍ତି। ଏହା କୌଣସି ରାଷ୍ଟ୍ର ସକାଶେ ଆଦୌ ଶୁଭ ସଂକେତ ନୁହେଁ। ଶିକ୍ଷାର ସ୍ରୋତରେ ସମସ୍ତଙ୍କୁ ସାମିଲ କରାଯାଇ ନ ପାରିଲେ ପ୍ରଗତିର ନୌକା ଆଗକୁ ବାହି ନେବା କଦାପି ସମ୍ଭବ ନୁହେଁ। ହଁ ବିକାଶ ହେବ, କିନ୍ତୁ ଅସୀମ। ବୈଷମ୍ୟ ବଢ଼ିବ। କିଛି ଲୋକ ବିକାଶର ପର୍ବତ ଆରୋହଣ କଲାବେଳେ ଅଧିକାଂଶ ଲୋକ ବିନାଶର ଅନ୍ଧାରି ଗହ୍ବର ମଧ୍ୟକୁ ଠେଲି ହୋଇଯିବେ। ମୁଷ୍ଟିମେୟ ଲୋକଙ୍କ ନିକଟରେ ରାଷ୍ଟ୍ରର ସିଂହଭାଗ ସମ୍ପଦ ସଞ୍ଚତ୍ତ ହେବାବେଳେ କୋଟି କୋଟି ଲୋକ ଦାରିଦ୍ର୍ୟ ଭିତରେ ଶଢ଼ି ହୋଇ ସମସ୍ତ ମୌଳିକ ଅଧିକାରରୁ ବଞ୍ଚତ୍ତ ହେବେ। ନା ସେମାନଙ୍କର ଜୀବନ ଧାରଣର ମାନ ବୃଦ୍ଧି ହେବ, ନା ସେମାନେ ଉପଯୁକ୍ତ ଶିକ୍ଷା ଲାଭ କରିପାରିବେ। ଯେଉଁଥିପାଇଁ ଝିଅଟି ତ୍ରିରଙ୍ଗା ତଳେ ଠିଆହୋଇ ଜାତୀୟ ସଂଗୀତ ଗାନ କରିବା ପରିବର୍ତ୍ତେ ପତାକା ତଳେ ପଡ଼ିଥିବା ପ୍ଲାଷ୍ଟିକ୍‌ ବୋତଲ ଗୋଟାଇବା କାର୍ଯ୍ୟ କରୁଛି।
ଏହି ଚିତ୍ରର ସୁଧାର ଆଣିବା ପାଇଁ ଏବଂ ସମସ୍ତ ଶିଶୁଙ୍କ ନିକଟରେ ଶିକ୍ଷାଲାଭ ପହଞ୍ଚାଇବା ନିମନ୍ତେ ସ୍ବାଧୀନତା ପରେ ସରକାରମାନେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ଏକଥା କହିବା ଭୁଲ୍‌ ହେବ। ଏକାଧିକ ଶିକ୍ଷା କମିଶନ ଗଠନ ହୋଇଛି ଶିକ୍ଷାକୁ ସାର୍ବଜନୀନ ଓ ଗୁଣାତ୍ମକ କରିବା ପାଇଁ। ଯେମିତି ରାଧାକ୍ରିଷ୍ଣନ୍‌ କମିଶନ(୧୯୪୮-୪୯), ମୁଦାଲିଆର କମିଶନ(1୧୯୫୨-୫୩), କୋଠାରି କମିଶନ(୧୯୬୪-୬୬), ଜାତୀୟ ଶିକ୍ଷା କମିଶନ-୧୯୮୬, ଜାତୀୟ ଜ୍ଞାନ କମିଶନ-୨୦୦୫, ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଇତ୍ୟାଦି। ପୁନଶ୍ଚ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ଶିକ୍ଷା ଅଧିକାର ଆଇନ-୨୦୦୯ ପାରିତ ହୋଇଛି। କଳାପଟା ଅଭିଯାନ, ପ୍ରୌଢ଼ ଶିକ୍ଷା ଅଭିଯାନ, ସର୍ବଶିକ୍ଷା ଅଭିଯାନ, ସମଗ୍ର ଶିକ୍ଷା ଅଭିଯାନ ଭଳି ବହୁ ଯୋଜନା ପ୍ରଣୟନ ହୋଇଛି। କିନ୍ତୁ ଦେଖାଯାଉଛି ଯୋଜନା ଯୋଜନା ବାଟରେ, ମାତ୍ର ପରିବର୍ତ୍ତନ ଭିନ୍ନ ରାସ୍ତାରେ। ସାମ୍ୟ, ମୈତ୍ରୀ ଓ ପ୍ରଗତିର ବାର୍ତ୍ତା ବହନ କରି ଊର୍ଦ୍ଧ୍ୱରେ ଉଡ଼ୁଥିବା ତ୍ରିରଙ୍ଗା ତଳେ ଅସମତାର କଙ୍କାଳସାର ଦୁନିଆ, ବନ୍ଧୁତାର କୁହେଳିକା ଓ ପ୍ରଗତିର ଘନ କୁହୁଡ଼ି ଭର୍ତ୍ତିଥିବା ପ୍ରତୀୟମାନ ହେଉଛି।
ସ୍ବାଧୀନତାର ଏତେ ବର୍ଷ ପରେ ଆମ ଦେଶର ସମସ୍ତ ଶିଶୁଙ୍କୁ ବିଦ୍ୟାଳୟକୁ ଆଣିବାରେ ବ୍ୟର୍ଥ ହେବା ସଙ୍ଗେ ସଙ୍ଗେ ଯେଉଁମାନେ ଆସିଛନ୍ତି, ସେମାନଙ୍କୁ ଧରି ରଖିବାରେ ଅକ୍ଷମ ହୋଇଛୁ। ସରକାରୀ ଶିକ୍ଷା ଦୁର୍ବଳ ହୋଇଗଲେ ଏ ପ୍ରକାର ଅସଂଗତି ଯେ ଆହୁରି ବୃଦ୍ଧି ପାଇବ ଏହା ଆମେ ସଭିଏଁ ଜାଣିଛୁ। ଅଥଚ ଏହା ଭିତରେ ଆମେ ଏଭଳି କିଛି ନିଷ୍ପତ୍ତି ନେଇଛୁ, ଯଦ୍ଦ୍ବାରା ଶିକ୍ଷାର ଏକ ଦାମୀ ବଜାର ତିଆରି କରିବାରେ ଆମ ନୀତି ସହାୟତା ପ୍ରଦାନ କରିଛି, ଯେଉଁଠି ଶିକ୍ଷା ଏକ ପଣ୍ୟଦ୍ରବ୍ୟ ରୂପେ ବିକ୍ରି ହେଉଛି। ଫଳରେ ଅନ୍ୟାନ୍ୟ ସମ୍ପଦ ଠୁଳ ହେବା ପରି ବଜାରଭିତ୍ତିକ ‘ଜ୍ଞାନ ଭଣ୍ଡାର’ ମଜଭୁତ ହେବାରେ ଲାଗିଛି ମୁଷ୍ଟିମେୟ ଲୋକଙ୍କ ନିକଟରେ। ଅନ୍ୟମାନଙ୍କ ପାଇଁ ଏହା କ୍ରମଶଃ ଅପହଞ୍ଚ ହେଉଛି। ପ୍ରତିବର୍ଷ ତ୍ରିରଙ୍ଗା ତଳେ ଆମେ କ’ଣ ଏହି ଶପଥ ନେଉଛୁ? ଧନ, ଜ୍ଞାନ, ମାନକୁ ଅଳ୍ପ କିଛି ଲୋକଙ୍କ ହାତରେ ସମର୍ପି ଦେଇ ଅବଶିଷ୍ଟ ଲୋକଙ୍କୁ ନିର୍ଦ୍ଧନ ତଥା ଅଜ୍ଞାନ କରିଦେଇ ଆମ ଦେଶକୁ ବିଶ୍ୱରେ ବିସ୍ମୟ ଭୂଖଣ୍ଡରେ କ’ଣ ପରିଣତ କରିଦେବୁ? ନା, ଏମିତି ନ ହେଉ। ଦାନ ଦେଇ ଦାରିଦ୍ର୍ୟ ଦୂରୀକରଣ କରିବାର ଲକ୍ଷ୍ୟରୁ ନିବୃତ୍ତ ହୋଇ ନିଷ୍ଠାପର ନୀତି ନିର୍ଦ୍ଧାରଣ ଯେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ, ଏଇଥିରେ ବିଶ୍ୱାସ ବଳବର ହେଉ।

ଅକ୍ଷୟ କୁମାର ମିଶ୍ର
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?