ନୂଆଦିଲ୍ଲୀ,୧୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଉ ଖୁବ୍ କମ୍ ସମୟ ରହିଛି। ଦୁଇ ପ୍ରାର୍ଥୀ ଶଶି ଥରୁର ଏବଂ ମଲିକାର୍ଜୁନ ଖାର୍ଗେ ଜୋରସୋରରେ ପ୍ରଚାର କରୁଛନ୍ତି। ଏହି ସମୟରେ ଖାର୍ଗେଙ୍କୁ ଥରୁରଙ୍କ ଘୋଷଣାନାମା ବିଷୟରେ ପଚରାଯିବାରୁ ସେ କହିଛନ୍ତି, ତାଙ୍କୁ ମୋ ସହ ତୁଳନା କରାଯିବା ଉଚିତ ନୁହେଁ। ସେ ତାଙ୍କ କାର୍ଯ୍ୟ କରୁଛନ୍ତି, ତାଙ୍କୁ କରିବାକୁ ଦିଆଯାଉ।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସମ୍ପର୍କରେ ଶଶି ଥରୁର ଅକ୍ଟୋବର ୭ରେ ତାଙ୍କର ୧୦-ପଏଣ୍ଟ ଘୋଷଣାନାମା ପ୍ରକାଶ କରିଥିଲେ। ଏଥିରେ ସଂଗଠନର ବିକେନ୍ଦ୍ରୀକରଣ, ଯୁବକମାନଙ୍କୁ ଆଗକୁ ଆଣିବା, କଂଗ୍ରେସ ମୁଖ୍ୟାଳୟର ଭୂମିକା ସ୍ଥିର କରିବା, ଦଳର ମୌଳିକ ନୀତି ଉପରେ କାର୍ଯ୍ୟ କରିବା, ଦଳରେ ବ୍ୟାପକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା, ନିର୍ବାଚନ ପରିଚାଳନାକୁ ମଜଭୁତ କରିବା, ଯୁବ ଏବଂ ମହିଳା ପ୍ରସଙ୍ଗରେ ଅଧିକ ଧ୍ୟାନ ଦେବା, ଶିଳ୍ପ ଏବଂ ବୃତ୍ତିଗତ ସଂସ୍ଥାକୁ ମଜଭୁତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଏବଂ ସାମାଜିକ କାର୍ଯ୍ୟ ପାଇଁ ସଂସଦୀୟ ବୋର୍ଡ ପରି ସଂସ୍ଥାଗୁଡ଼ିକୁ ପୁନଃଜୀବିତ କରିବା ସାମିଲ କରାଯାଇଛି।
ସୂଚନାଯୋଗ୍ୟ, ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୧୯ରେ ଭୋଟ ଗଣିବା ପରେ ଫଳାଫଳ ଘୋଷଣା କରାଯିବ।