ଦୁଃଖ ଦେବିନାହିଁ

ଡ. ବାସୁଦେବ ମିଶ୍ର

ଜୀବନରେ କେବେ କାହାରିକୁ କିଛି ଦୁଃଖ ଦେବିନାହିଁ କିମ୍ବା କାହାରି ଦୁଃଖର କାରଣ ହେବିନାହିଁ ବୋଲି ଯେତେ ଚିନ୍ତାକଲେ ମଧ୍ୟ ତାହା ବାସ୍ତବରେ ସମ୍ଭବ ହୋଇପାରେ ନାହିଁ । ଭାବି ଦେଖିଲେ ଜାଣିହୁଏ, ଭୂମିଷ୍ଠ ହେବାଠାରୁ ଆଜି ପର୍ଯ୍ୟନ୍ତ ଅନେକ ଲୋକ ଆମ କାରଣରୁ ଦୁଃଖ ପାଇଛନ୍ତି। ପୃଥିବୀର ଆଲୋକ ଦେଖିବା ପୂର୍ବରୁ ଜନନୀଙ୍କର ଜଠରରେ ଥାଇ ତାଙ୍କୁ କେତେ ଦୁଃଖ ନ ଦେଇଛେ। ଭୂମିଷ୍ଠ ହେବାର ସମୟ ନିକଟତର ହେବା ସଙ୍ଗେ ସଙ୍ଗେ ତାଙ୍କର ବେଦନା ମଧ୍ୟ ବହୁଗୁଣିତ ହୋଇଛି। ଆମେ ପୃଥିବୀକୁ ଆସିବା ପରେ ମାତାପିତା ଉଭୟ ଆମର ଯତ୍ନ ନେଇ ଆମର ଲାଳନପାଳନ କରୁଥିବା ବେଳେ ମଧ୍ୟ ଆମେ ତାଙ୍କୁ କମ୍‌ କଷ୍ଟ ଦେଇନାହେଁ। କେବେ ସେମାନେ ଆମକୁ ତାଙ୍କର ଅମୂଲ୍ୟ ସ୍ନେହ ପ୍ରଦାନ କରୁଥିବା ସମୟରେ ଆମେ ତାଙ୍କ ପ୍ରତି କୃତଜ୍ଞ ନ ରହି ଅଜ୍ଞାତରେ ହେଲେ ମଧ୍ୟ ତାଙ୍କ ପ୍ରତି ଅନେକ ଅସୌଜନ୍ୟ ବ୍ୟବହାର କରିଛେ। ତାଙ୍କ ଉପରେ ପଦାଘାତ କରିଛେ । ତାଙ୍କ ଉପରେ ମଳମୂତ୍ର ତ୍ୟାଗ କରିଛେ। ଆମର କୌଣସି ପ୍ରକାର ଶାରୀରିକ ଅସୁସ୍ଥତା ତାଙ୍କର ଦୁଃଖ ଓ କଷ୍ଟକୁ ବହୁଗୁଣିତ କରିଥିବା ଆମେ ଜାଣୁ। ସେମାନଙ୍କ ବ୍ୟତୀତ ଅନ୍ୟ କେତେ ଯେ ଲୋକ ଆମ ପାଇଁ କି କି ଦୁଃଖ ସହିଛନ୍ତି, ତାହାର ସୀମା ନାହିଁ। ଆମ ସାହିପଡ଼ିଶା, ବନ୍ଧୁବାନ୍ଧବ, ସାଙ୍ଗସାଥୀ ଏ ସମସ୍ତେ କୌଣସି ନା କୌଣସି ପ୍ରକାରରେ କେବେ ନା କେବେ ଆମ ପାଇଁ ଅଳ୍ପ ବହୁତ ଦୁଃଖ ଯେ ନ ସହିଛନ୍ତି ଏ କଥା ନୁହେଁ। ସେଥିପାଇଁ ସେମାନଙ୍କ ନିକଟରେ ଆମେ କେବେ ଦୁଃଖପ୍ରକାଶ କରିପାରୁନା କିମ୍ବା ତାଙ୍କର ଦୁଃଖକୁ ଲାଘବ କରିବା ପାଇଁ ଆମର ସାଧ୍ୟ ନ ଥାଏ।
ଅନ୍ୟ କେହି ଆମ ପାଇଁ ଦୁଃଖ ପାଉଛି, ଏକଥା କେବେ ଦୃଷ୍ଟିକୁ ଆସିଲେ ହୃଦୟ ଭିତରେ ଖୁବ୍‌ ଅସ୍ବସ୍ତି ବୋଧହୁଏ। ଯଦିଓ ଶାସ୍ତ୍ର କହିଛି- ସୁଖସ୍ୟ ଦୁଃଖସ୍ୟ ନ କେଽପି ଦାତା । ହେଲେ ମଧ୍ୟ ବେଳେବେଳେ ଆମେ ଅନ୍ୟର ଦୁଃଖର କାରଣ ବୋଲି କଥାଟା ସ୍ପଷ୍ଟ ହୋଇଯାଏ। ଅବଶ୍ୟ ଆମେ ନ ଚାହୁଁଥିଲେ ମଧ୍ୟ, ଆମ ଜାଣତରେ ଅବା ଅଜାଣତରେ ଆମେ ଅନ୍ୟର ଦୁଃଖର କାରଣ ହୋଇଥାଉ। ବେଳେବେଳେ ଅନ୍ୟକୁ ଦୁଃଖ ଦେବାପାଇଁ କିଛି ବାଧ୍ୟବାଧକତା ମଧ୍ୟ ଥାଏ। ପିଲାମାନଙ୍କୁ ଭଲମଣିଷ କରି ଗଢ଼ିବା ପାଇଁ ହେଲେ ମାତା0ପିତା କେବେ କେମିତି ସେମାନଙ୍କୁ ଦଣ୍ଡ ଦିଅନ୍ତି। ଦଣ୍ଡ ଦିଅନ୍ତି ସିନା, ତାହାଦ୍ୱାରା ସେମାନେ ନିଜେ କମ୍‌ କଷ୍ଟ ପାଆନ୍ତି ନାହିଁ। ପୁଅଝିଅଙ୍କୁ ଦଣ୍ଡଦେଇ ମା’ ନିଜେ କାନ୍ଦୁଥାଏ ଆଉ ଥରେ ସେମାନଙ୍କୁ ସ୍ନେହ ନ କରିବା ପର୍ଯ୍ୟନ୍ତ।
ଅନ୍ୟକୁ ଦୁଃଖ ଦେଇ ନିଜେ ଖୁସି ମନାଉଥିବା ଲୋକଙ୍କ ସଂଖ୍ୟା ଏହି ସଂସାରରେ ସବୁଠାରୁ ବେଶି। ଇତିହାସ କହେ-ରୁଷିଆର ଜାରମାନଙ୍କ ଶାସନକାଳରେ ସମ୍ଭ୍ରାନ୍ତମାନେ ଗ୍ୟାଲେରିରେ ବସି ଯୋଦ୍ଧାମାନଙ୍କର ଯୁଦ୍ଧର ଦୃଶ୍ୟ ଉପଭୋଗ କରୁଥିଲେ। ଜଣେ ଅନ୍ୟଜଣେ ଯୋଦ୍ଧାକୁ ପରାସ୍ତ କରିବା ତଥା ତାକୁ ମୃତ୍ୟୁର ଆରପାରିକୁ ପଠାଇବାର ଦୃଶ୍ୟକୁ ଆଖି ସାମ୍ନାରେ ଦେଖି ସେମାନେ ଖୁସିରେ ଆମତ୍ହରା ହେଉଥିଲେ। ଆଜି ବି କେହି ମଲ୍ଲଯୋଦ୍ଧା ଲହୁଲୁହାଣ ହୋଇ ପରାସ୍ତ ତଥା ସଂଜ୍ଞାହୀନ ଅବସ୍ଥା ପ୍ରାପ୍ତ ହେଲେ ଦର୍ଶକମାନଙ୍କର ଉତ୍ସାହ କାହିଁରେ କେତେ ବଢ଼ିଯାଏ। ଆଜି ମଧ୍ୟ କୌଣସି ମେଳା ମହୋତ୍ସବରେ କୁକୁଡ଼ା ତଥା ଅନ୍ୟ ପକ୍ଷୀମାନଙ୍କ ଗୋଡ଼ରେ ଛୁରି ବାନ୍ଧି ସେମାନଙ୍କୁ ପରସ୍ପର ମଧ୍ୟରେ ଲଢ଼ାଉଥିବାର ଦୃଶ୍ୟ ଏବଂ ଗୋଟିଏ କୁକୁଡ଼ାର ଗୋଡ଼ରେ ବନ୍ଧାହୋଇଥିବା ଛୁରି ଦ୍ୱାରା ଅନ୍ୟଟିର ଜୀବନ ଯିବାର ଦୃଶ୍ୟ ଦେଖି ଦର୍ଶକ ଆମୋଦିତ ହେବା ଦେଖାଯାଏ।
କୌଣସି କାରଣରୁ ଆମେ ଯାହାକୁ ଶତ୍ରୁ ବୋଲି ଭାବୁ, ତା’ର କୌଣସି ପ୍ରକାର ଦୁଃଖ ଆମ ସୁଖର କାରଣ ହୋଇଯାଏ। ଆମ ବନ୍ଧୁ କେବେ କିଛି ଦୁଃଖ ନ ପାଉ ଏହା ଆମେ ଆଶା କରୁ। ଆମର ଦୁଃଖ ଦେଖି ଖୁସି ହେଉଥିବା ଲୋକଟି ଆମ ନଜରରେ ଗୋଟିଏ ଦୁଷ୍ଟପ୍ରାଣୀ ହିସାବରେ ଆମ ଆଗରେ ଠିଆହୁଏ। ଠିକ୍‌ ସେହି ସମୟରେ ସେହି ଲୋକଟିର କାର୍ଯ୍ୟକଳାପ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୋଇ ତା’ର ଫଳାଫଳ ଧାର୍ଯ୍ୟ ହେଉଥାଏ, ଏହି କଥାଟି ଆମେ ଭାବି ପାରୁନା। ଆମେ ତା’ ପ୍ରତି କ୍ରୁଦ୍ଧହୋଇ ଅଭିଶାପ ବର୍ଷଣ କରୁ। ନଚେତ୍‌ ତାକୁ ଆକ୍ରମଣ କରିବାକୁ ଚେଷ୍ଟା କରୁ। ତା’ର କୌଣସି ପ୍ରକାର କ୍ଷତି କରିବାକୁ ଚେଷ୍ଟା କରୁ। କିନ୍ତୁ ଆମର ଅଭିଶାପ ଅଥବା କ୍ଷତି କରିବାର ଚେଷ୍ଟାରେ କିଛି ଫଳ ନ ଥାଏ। ତା’ର ସାମଗ୍ରିକ କାର୍ଯ୍ୟକଳାପର ଫଳାଫଳ ତାକୁ ନିଶ୍ଚୟ ପ୍ରାପ୍ତ ହୁଏ। ଆମେ ତା’ର କ୍ଷତି ଚିନ୍ତା କରୁଥିବା ବେଳେ ଯଦି ତା’ର କୌଣସି ଉନ୍ନତି ପରିଲକ୍ଷିତ ହୁଏ ତେବେ ଆମେ ସେଥିପାଇଁ ଈଶ୍ୱରଙ୍କୁ ଦୋଷ ଦେଉ, ନଚେତ୍‌ ନିଜ ଭାଗ୍ୟକୁ ନିନ୍ଦୁ। ଆଉ ଯଦି ସତକୁ ସତ ତା’ର କୌଣସି କ୍ଷତି ହୋଇଯାଏ, ତେବେ ଆମେ ଆମର ଅଭିଶାପ ତା’ ଉପରେ ପଡ଼ିଲା ବୋଲି ବିଚାରି ନିଜକୁ ଜଣେ ସିଦ୍ଧପୁରୁଷ ବୋଲି ଭାବିନେଉ। କିନ୍ତୁ ସେପରି ଭାବନାରେ କିଛି ବାସ୍ତବିକତା ନ ଥାଏ।
ସତ କହିବାକୁ ଗଲେ କାହାରିକୁ ଦୁଃଖ ଅଥବା ସୁଖ ଦେବା ଅନ୍ୟ କାହାରି ହାତରେ ନ ଥାଏ। ବିଭିନ୍ନ କିସମର ସୁଖ ଓ ଦୁଃଖ ମଧ୍ୟରୁ କେଉଁ କର୍ମର ଫଳସ୍ବରୂପ କେଉଁ ପ୍ରାଣୀକୁ କେତେବେଳେ କିପରି ଭାବରେ କେଉଁ କିସମର ସୁଖ ଅଥବା ଦୁଃଖ କେତେ ପରିମାଣର ଦିଆଯିବ, ତା’ର ଏକ ସୁନ୍ଦର ଖସଡ଼ା ତିଆରି ହୁଏ ଅଦୃଶ୍ୟରେ। ତା’ର ପତ୍ତା କାହାରିକୁ ନ ଥାଏ। କର୍ମଫଳକୁ ଭୋଗ କରିବା ଅନିବାର୍ଯ୍ୟ। ତାକୁ ଏଡ଼ାଇଯିବା କଦାପି ସମ୍ଭବ ନୁହେଁ। କର୍ମ ଏବଂ ତା’ର ଫଳକୁ ଭୋଗ କରିବାରେ ବିଚାରଗତ ତାରତମ୍ୟ କଦାପି ରହେନାହିଁ। ତା’ର ମାପଚୁପ ସମାନ ଏବଂ ବିଚାର ନିତାନ୍ତ ନ୍ୟାୟସଙ୍ଗତ। କେହି ପ୍ରାଣୀ ତା’ ବିଚାରରେ କର୍ମର ସେହି ଫଳକୁ କମ୍‌ ଅଥବା ବେଶି ବୋଲି ମନେକଲା, ସେଥିରେ କିଛି ଯାଏଆସ ନାହିଁ। ସେ ବିଚାର ସର୍ବୋତ୍ତମ ଏବଂ ଅବଧାରଣୀୟ। ତାହା ହିଁ ସୁପ୍ରିମକୋର୍ଟ। ତେଣୁ ସେହି ନ୍ୟାୟକୁ ଚାଲେଞ୍ଜ କରି କୌଣସି ଉପରିସ୍ଥ କୋର୍ଟକୁ ଯିବାର ଅବକାଶ ଅଥବା ଉପାୟ ନ ଥାଏ।
ଦଶରଥପୁର, ଯାଜପୁର
ମୋ: ୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri