ଭୁବନେଶ୍ୱର,୪ା୭: ରାଜ୍ୟରେ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶନିବାରଠାରୁ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଓମ୍ସା ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଓମ୍ସାର ଦାବି ନେଇ ଉଚ୍ଚସ୍ତରୀୟ ବୈଠକ ପରେ ଏକ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। କମିଟିରେ ସ୍ବାସ୍ଥ୍ୟ, ଜିଏ, ଅର୍ଥ, ଆଇନ ସଚିବ ସ୍ଥାନିତ ହୋଇଛନ୍ତି। ଆସନ୍ତା ୨୨ ତାରିଖରେ କମିଟିର ପ୍ରଥମ ବୈଠକ ବସିବ।
ସୂଚନାଯୋଗ୍ୟ, ରାଜ୍ୟରେ ୫୦ ପ୍ରତିଶତରୁ କମ୍ ଡାକ୍ତର ଅଛନ୍ତି। ତେଣୁ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସମୟରେ ଡାକ୍ତରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ କେତେକ ସ୍ଥାନରେ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ଡାକ୍ତରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି। ଯାହାକୁ ନେଇ ଡାକ୍ତରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ସୁରକ୍ଷା ସମେତ ଅନ୍ୟାନ୍ୟ ଦାବି ନେଇ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।