Categories: ଖେଳ

ଜୋକୋଭିଚ୍‌ଙ୍କ ଗୋଲ୍ଡେନ ସ୍ଲାମ ସ୍ବପ୍ନ ଅଧୁରା

ଟୋକିଓ, ୩୧ା୭ (ଏପି)-ଗତଥର ଚାମ୍ପିୟନ ନୋଭାକ ଜୋକୋଭିଚ୍‌ଙ୍କ ଗୋଲ୍ଡେନ ସ୍ଲାମ ସ୍ବପ୍ନ ଅଧୁରା ରହିଯାଇଛି। ପୁଣି ଏହି ସୁଯୋଗ ପାଇଁ ତାଙ୍କୁ ଅତି କମ୍‌ରେ ଆହୁରି ୩ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଶୁକ୍ରବାର ଅନୁଷ୍ଠିତ ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସର ଏକ ସେମିଫାଇନାଲରେ ସେ ଆଲେକ୍‌ଜାଣ୍ଡର ଜେଭେରେଭଙ୍କଠାରୁ ୧-୬, ୬-୩, ୬-୧ ସେଟ୍‌ରେ ହାରିଯାଇଛନ୍ତି। ଗୋଟିଏ ବର୍ଷ ପ୍ରଥମ ପୁରୁଷ ଖେଳାଳି ହିସାବେର ସମସ୍ତ ୪ଟି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ଲାଗି ଚେଷ୍ଟା କରିଥିଲେ। ସେ ଏହି ବର୍ଷ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ ଓପନ ଓ ଓ୍ବିମ୍ବେଲଡନ ଜିତିସାରିଥିଲେ। ଅଲିମ୍ପିକ୍ସ ଓ ୟୁଏସ୍‌ ଓପନ ଟାଇଟଲ ସହ ସେ ଗୋଲ୍ଡେନ ସ୍ଲାମ ସଫଳତା ହାସଲ କରିବା ଲକ୍ଷ୍ୟରେ ରହିଥିଲେ। ୧୯୮୮ରେ ଷ୍ଟେଫି ଗ୍ରାଫ୍‌ ଏକ ମାତ୍ର ଖେଳାଳି ହିସାବରେ ଗୋଲ୍ଡେନ ସ୍ଲାମ ହାସଲ କରିଥିଲେ। ଜୋକୋଭିଚ୍‌ ଯଦି ୟୁଏସ୍‌ ଓପନ ଜିତନ୍ତି ତେବେ କ୍ୟାଲେଣ୍ଡର ବର୍ଷ ଗ୍ରାଣ୍ଡସ୍ଲାମ ଜିତିବାରେ ୧୯୬୯ରେ ରଡ୍‌ ଲାଭର ପରେ ପ୍ରଥମ ପୁରୁଷ ଖେଳାଳି ବିବେଚିତ ହେବେ।

Share