Categories: ଖେଳ

ଓ୍ବେଷ୍ଟର୍ନ ଆଣ୍ଡ ସଦର୍ନ ଓପନ୍‌ : ଜୋକୋଭିଚ୍‌ ଜିତିଲେ ୩୫ତମ ମାର୍ଷ୍ଟସ ଟାଇଟଲ

ନ୍ୟୁୟର୍କ,୩୧।୮(ଏପି): ଅଭିଜ୍ଞ ସର୍ବୀୟ ଟେନିସ ତାରକା ନୋଭାକ ଜୋକୋଭିଚ ଶନିବାର ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଏଟିପି ଓ୍ବେଷ୍ଟର୍ନ ଓ ସଦର୍ନ ଓପନ୍‌ରେ ସେ ଟାଇଟଲ ହାସଲ କରିଛନ୍ତି। ଫାଇାନାଲ ମୁକାବିଲାରେ ସେ କାନାଡ଼ାର ମିଲୋସ ରାଓନିକଙ୍କୁ ୧-୬, ୬-୩, ୬-୪ ସେଟ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ୩୩ ବର୍ଷୀୟ ଜୋକୋଭିଚ୍‌ କ୍ୟାରିୟରର ୮୦ତମ ଟାଇଟଲ ହାସଲ କରିଛନ୍ତି। ଏଥିସହିତ ସେ ୩୫ତମ ଏଟିପି ମାଷ୍ଟର୍ସ ଟାଇଟଲ ଜିତି ସ୍ପେନ୍‌ର ରାଫାଲ ନାଡ଼ାଲଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ ହୋଇଛନ୍ତି। ଆଉ ମାତ୍ର ୨ ଦିନ ପରେ ସେ ୟୁଏସ୍‌ ଓପନ୍‌ ମ୍ୟାଚ୍‌ ଖେଳିବାକୁ ଯାଉଥିବା ବେଳେ ସେ ତାଙ୍କ ପ୍ରସ୍ତୁତି ଜୋରଦାର କରିଛନ୍ତି। ଏହି ଟାଇଟଲ ମୋ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ଏହି ଟୁର୍ନାମେଣ୍ଟ ଖେଳିବା ମଧ୍ୟ ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌ ଥିଲା ବୋଲି ସେ କହିଛନ୍ତି। ଚଳିତ ବର୍ଷ ସେ ଅପରଜେୟ ରହିଛନ୍ତି। ଏହା ମଧ୍ୟ ଏକ ବଡ଼ କଥା। ଜୋକୋଭିଚ୍‌ ପୂର୍ବରୁ ୨୦୧୮ରେ ଓ୍ବେଷ୍ଟର୍ନ ଓ ସଦର୍ନ ଓପନ୍‌ ଟାଇଟଲ ଜିତିଥିଲେ। ୨୦୨୦ରେ ସେ କ୍ରମାଗତ ୨୩ତମ ବିଜୟ ହାସଲ କରିଛନ୍ତି।
ମହିଳା ବିଭାଗରେ ଆଜାରେଙ୍କା ଚାମ୍ପିୟନ
ଓ୍ବେଷ୍ଟର୍ନ ଆଣ୍ଡ ସଦର୍ନ ଓପନ୍‌ର ମହିଳା ବିଭାଗ ଟୁର୍ନାମେଣ୍ଟରେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା ଟାଇଟଲ ଜିତିଛନ୍ତି। ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ଫାଇନାଲରୁ ଜାପାନର ନାଓମି ଓସାକା ଓହରିବା ଫଳରେ ଆଜାରେଙ୍କା ବାଜି ମାରିଛନ୍ତି। ଏଥି ସହିତ ଆଜାରେଙ୍କା କ୍ୟାରିୟରର ୨୧ତମ ଡବ୍ଲ୍ୟୁଟିଏ ଟୁର ଟାଇଟଲ ହାସଲ କରିଛନ୍ତି। ଫାଇନାଲ ମ୍ୟାଚ୍‌ରୁ ଓହରିଯାଉଥିବାରୁ ଓସାକା ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। ସେମିଫାଇନାଲ ମ୍ୟାଚ୍‌ ଖେଳିବା ଅବରସରେ ସେ ଆଘାତ ପାଇଥିଲେ ବୋଲି କହିଛନ୍ତି। ଇଞ୍ଜୁରି କାରଣରୁ ଓସାକା ଫାଇନାଲରୁ ଓହରିବା ମଧ୍ୟ ଦୁର୍ଭାଗ୍ୟଜନକ ବୋଲି ଆଜାରେଙ୍କା କହିଛନ୍ତି।

Share