ଛତ୍ରପୁର,୨୦ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଯାଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୦ ତାରିଖ ମଧ୍ୟାହ୍ନରେ ଗୋପାଳପୁର ନିକଟସ୍ଥ ହରିପୁରଠାରେ ବାତ୍ୟା ସ୍ଥଳଭାଗ ଛୁଇଁଛି। ଏହାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁନର୍ବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ଥିତି ପରଖିଛନ୍ତି। ରାଜ୍ୟ ଓ ଜିଲା ପ୍ରଶାସନ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ସମନ୍ବୟରେ ‘ଜିରୋ କାଜୁଆଲ୍ଟି’ ଲକ୍ଷ୍ୟ ନିଶ୍ଚୟ ହାସଲ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଇତିମଧ୍ୟରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ୪ ହଜାର ୧୭୦ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ନିରାପଦ ସ୍ଥାନକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ୧ ହଜାର ୩୧୭ ଜଣ ସନ୍ତାନ ପ୍ରସବ କରିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ମୋଟ ୯ ହଜାର ୩୪୧ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଥିବାବେଳେ ୨ ହଜାର ୬୨୩ଟିକୁ କାର୍ଯ୍ୟକ୍ଷମ କରାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ୬୦ଟି ଓଡ୍ରାଫ, ୧୪ଟି ଏନ୍ଡିଆର୍ଏଫ, ୨୧୬ଟି ଅଗ୍ନିଶମ ଏବଂ ଓଏଫ୍ଡିସିର ୧୨୮ଟି ଗଛ କଟାଳି ଦଳକୁ ମିଶାଇ ମୋଟ ୪୧୮ଟି ଟିମ ନିୟୋଜିତ ହୋଇଛନ୍ତି।
ଏହାବ୍ୟତୀତ ୨୮ଟି ଅତିରିକ୍ତ ଅଗ୍ନିଶମ ଟିମ୍କୁ ପ୍ରସ୍ତୁତ ରଖାଯାଇଛି।
ଅନ୍ୟପକ୍ଷରେ, ଓର୍ସାକ ଜରିଆରେ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲାର ୯୪୧ଟି ଭୂସ୍ଖଳନ ଆଶଙ୍କାପ୍ରବଣ ଗ୍ରାମ ଚିହ୍ନଟ କରାଯାଇ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଯୋଗାଯୋଗ ବ୍ୟବସ୍ଥା ଅବିଚ୍ଛିନ୍ନ ରଖିବାକୁ ୧୭ଟି ସାଟେଲାଇଟ ଫୋନ, ସେଲ ଅନ ହୱିଲ୍ସ ଓ ଟେଲିକମ ବ୍ୟାକଅପ ବ୍ୟବସ୍ଥା ହୋଇଛି। ସେହିପରି ଓଡ଼ିଶା ଉପକୂଳରେ ଫସି ରହିଥିବା ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ସହାୟତାରେ ସୁରକ୍ଷିତ ଭାବେ ଗଞ୍ଜାମ ଆଣିବାକୁ ପଦକ୍ଷେପ ନିଆଯାଇଛି। ବାତ୍ୟା ପାଇଁ ୪୭ଟି ଟ୍ରେନ ବାତିଲ ହୋଇଥିବାବେଳେ ୨୮ଟି ଟ୍ରେନ୍ର ସମୟ ପରିବର୍ତ୍ତନ କରାଯାଇଛି।
ବୈଠକ ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲାପାଳଙ୍କ ସହ ଫୋନ୍ରେ କଥା ହୋଇ ହବିଷ୍ୟାଳୀଙ୍କ ସୁରକ୍ଷା ଓ ସୁବିଧା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

