ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ କୁତ୍ସାରଟନା କରି କେବଳ ନିଜର ଶ୍ରେଷ୍ଠ ଜାହିରକରି ଆତ୍ମସନ୍ତୋଷ ଲାଭ କରନ୍ତି। ଏହିପରି ଅବସ୍ଥା ଆଜି ଅନେକ ବ୍ୟକ୍ତିଙ୍କ ଚରିତ୍ରରେ ପ୍ରସ୍ଫୁଟିତ ହେଉଛି। ଠିକ ସେହିପରି ଅବସ୍ଥା ଆମ ଦେଶର ଶାସନତନ୍ତ୍ରରେ ଦେଖିବାକୁ ମିଳୁଛି। ଦୀର୍ଘ ଏକହଜାର ବର୍ଷଧରି ଭାରତ ମୋଗଲ ଓ ଇଂରେଜ ଆଦି ବିଦେଶୀଙ୍କ ଦାରା ଶାସିତ ଓ ଶୋଷିତ ହେବାପରେ ସାଧୀନତା ଲାଭ କରିଥିଲା। ସେହି ସମୟରେ ଦେଶର ସାମାଜିକ, ଆର୍ଥିକ ଓ ରାଜନୈତିକ ସ୍ଥିତି ନୈରାଶ୍ୟଜନକ ଥିଲା। ଗୋଟେ ପଟେ ପାକିସ୍ତାନ,ଚାଇନା ମିଳିମିଶି ବିଭିନ୍ନ ରୂପରେ ଭାରତ ସହ ଶତ୍ରୁତା ଆଚରଣ କରୁଥିଲେ, ଅନ୍ୟପଟେ ଭାରତ ନିଜର ଅବିକଶିତ ପ୍ରାଥମିକ ସଂରଚନା ଓ ସାମାଜିକ ବିଭେଦ ସହିତ, ଖାଦ୍ୟ, ବାସଗୃହ, ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଭିତ୍ତିଭୂମି ନିର୍ମାଣ ଆଦିର ଆବଶ୍ୟକତାକୁ ନେଇ ବିଭିନ୍ନ ଦେଶୀୟ ରାଜନୈତିକ ସଙ୍କଟ ଓ ସମସ୍ୟା ଭିତରେ ସଂଘର୍ଷ କରୁଥିଲା।
ସେହି ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଜାତିକୁ ନୂଆ ପଥରେ ଆଗେଇ ନେଇଥିଲେ; ଯେଉଁଥିପାଇଁ ତାଙ୍କୁ ଆଧୁନିକ ଭାରତର ନିର୍ମାତା ଭାବେ ଚିହ୍ନିତ କରାଯାଏ। ତାଙ୍କର ଅନେକ ନୀତି, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ପ୍ରତିଷ୍ଠାନ ଗୁଡ଼ିକ ଆଜି ମଧ୍ୟ ଭାରତୀୟ ରାଜନୀତି ଓ ବିକାଶର ମୂଳଦୁଆ ଭାବେ ରହିଛି। ଜାତୀୟ ଉନ୍ନତି କ୍ଷେତ୍ରରେ ନେହେରୁଙ୍କ ସର୍ବୋତ୍ତମ ଅବଦାନ ହେଉଛି, ଭାରତର ଯୋଜନାମୂଳକ ଅର୍ଥନୀତିର ଶୁଭାରମ୍ଭ ‘ପଞ୍ଚବାର୍ଷିକ ଯୋଜନା’। ବିଶେଷତଃ ଭାରି ଶିଳ୍ପ, ଇସ୍ପାତ କାରଖାନା, ଡ୍ୟାମ୍‌, କୃଷି ଗବେଷଣାକୁ ନେଇ ନେହେରୁଙ୍କ ଦୃଷ୍ଟିକୋଣ ଭାରତକୁ ବିଶ୍ୱର ‘ଟେମ୍ପଲ୍ସ ଅଫ ମଡର୍ନ ଇଣ୍ଡିଆ’ ଭାବେ ପରିଚିତ କରିଥିଲା। ଭିଲାଇ, ରାଉରକେଲା, ଦୁର୍ଗାପୁର ଇସ୍ପାତ କାରଖାନା, ପରମାଣୁ ଊର୍ଜା ଆୟୋଗ, ଡିଆରଡିଓ , ଆଇଆଇଟି ଆଦି ପ୍ରତିଷ୍ଠାନ ସ୍ଥାପନ ଓ କୃଷି କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତିର ଆବଶ୍ୟକତାକୁ ଉପଲବ୍ଧି ଆଧୁନିକ ଭାରତୀୟ କୃଷିର ଭିତ୍ତିଭୂମି ପ୍ରସ୍ତୁତ କରିଥିଲେ। ଶିକ୍ଷାରେ ବିଶେଷ ଗୁରୁତ୍ୱ ଦେଇ ନୂତନ ବୈଜ୍ଞାନିକ ଚିନ୍ତାଧାରାମୂଳକ ଦୃଷ୍ଟିକୋଣ, ରାଜନୀତିରେ ଧର୍ମନିରପେକ୍ଷତା, ସାମ୍ବିଧାନିକ ସଂସ୍ଥାଗୁଡ଼ିକର ସ୍ବାଧୀନତା ଓ ଲୋକତାନ୍ତ୍ରିକ ଆଦର୍ଶକୁ ଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଅନ୍ତର୍ଜାତୀୟ ମଞ୍ଚରେ ନେହେରୁଙ୍କ ଭୂମିକା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଶୀତଳଯୁଦ୍ଧର ଦୁଇ ପ୍ରମୁଖ ଗୋଷ୍ଠୀ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏଟ୍‌ ୟୁନିୟନ ମଧ୍ୟରେ ଥିବା ତିକ୍ତତା ଭିତରେ ଭାରତକୁ ସ୍ବାଧୀନ ଓ ନିରପେକ୍ଷ ରଖି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ରୂପ ଦେଇଥିଲେ। ମିଶର (ଇଜିପ୍ଟ)ର ପ୍ରସିଦ୍ଧ ନେତା ଗାମାଲ ଅବଦେଲ ନାସେର, ୟୁଗୋସ୍ଲାଭିଆର ତତ୍କାଳୀନ ରାଷ୍ଟ୍ରପତି ଜୋସିପ ବ୍ରଜ ଟିଟୋଓ, ଜବାହରଲାଲ ନେହେରୁ ଏହି ତିନିଜଣଙ୍କର ଐତିହାସିକ ଯୋଗସୂତ୍ରର ସମନ୍ବୟରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଗଢ଼ି ଉଠିଥିଲା। ବିନା ଭୟରେ ବା ଚାପରେ ଏହା ତାଙ୍କର ଉପନିବେଶବାଦ ବିରୋଧରେ ଦୃଢ଼ ମତ ଏବଂ ଏସିଆ ଓ ଆଫ୍ରିକା ଏକତାର ପ୍ରଚେଷ୍ଟା ତଥା ବିଶ୍ୱଶାନ୍ତି ପାଇଁ ଦୃଢ ସଂକଳ୍ପ ଭାରତକୁ ବିଶ୍ୱ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପହଞ୍ଚାଇଥିଲା। ନେହେରୁଙ୍କ ରାଷ୍ଟ୍ର ପ୍ରଗତିଭିତ୍ତିକ ଦୃଷ୍ଟିକୋଣ ଓ ଅବଦାନ ଭାରତୀୟ ରାଷ୍ଟ୍ର ଗଠନରେ ଅସାଧାରଣ। ତାଙ୍କ ସ୍ବପ୍ନର ‘ବୈଜ୍ଞାନିକ ମନୋଭାବ’ ଆଜି ମଧ୍ୟ ଭାରତର ବୈଜ୍ଞାନିକ, ଅର୍ଥନୈତିକ ଓ ରାଜନୈତିକ ଅଗ୍ରଗତିର ମୂଳ ସ୍ତମ୍ଭ ଭାବରେ ରହି ଆସିଛି।
ପ୍ରତ୍ୟେକ ମଣିଷର କିଛି ଭଲ ଓ କିଛି ମନ୍ଦ ଗୁଣ ରହିବା ସ୍ବାଭାବିକ। ନେହେରୁଙ୍କର ବି ଥାଇପାରେ, ମାତ୍ର ସେ ତ ଅତୀତ। କୌଣସି ବ୍ୟକ୍ତିଙ୍କ ଅତୀତର ଭୁଲ୍‌ କାର୍ଯ୍ୟରୁ ଭବିଷ୍ୟତ ପିଢ଼ି ସୁଧାରକରି ସ୍ବୟଂ ନୂଆ ଏବଂ ଦେଶହିତକର କାର୍ଯ୍ୟ କରିବାର ପ୍ରେରଣା ପାଏ, ମାତ୍ର ଅତୀତର ଭୁଲ୍‌ କାର୍ଯ୍ୟକୁ ସମାଲୋଚନା କରି ବର୍ତ୍ତମାନର କର୍ମରୁ ନିବୃତ ରହିବା ଅତ୍ୟନ୍ତ ନିନ୍ଦନୀୟ। ପ୍ରାୟ ପଚାଶ ବର୍ଷ ତଳର ପ୍ରଧାନମନ୍ତ୍ରୀ ନେହେରୁଙ୍କ କାର୍ଯ୍ୟନେଇ ଦେଶରେ ଏବେ ଅନେକ ବିବାଦ ଦେଖିବାକୁ ମିଳୁଛି। ଆଜିର ଦେଶର ପରିସ୍ଥିତି ପାଇଁ ତାଙ୍କର କାର୍ଯ୍ୟକୁ ଦାୟୀ କରାଯାଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରାଯାଉଛି। ଯଦି ବର୍ତ୍ତମାନର ଦୃଷ୍ଟିକୋଣରୁ ବିଚାର କରିବା ତେବେ ଦେଖିବା ଯେ, ନେହେରୁ କାର୍ଯ୍ୟ ଭାର ନେବାପରେ ଯଦି ତାଙ୍କ ପୂର୍ବପୁରୁଷଙ୍କ ଦସ୍ତାବିଜ ଉନ୍ମୋଚନକରି, ସେତେବେଳର ରାଜା ମହାରାଜାଙ୍କ ଅତ୍ୟାଚାର, ମୋଗଲଙ୍କ କ୍ରୂରଶାସନ ହେଉ ବା ଇଂରେଜଙ୍କ ଅପକର୍ମକୁ ତର୍ଜମା କରିଥାଆନ୍ତେ,ତେବେ ନିଜର ଦେଶ ପାଇଁ କରିଥିବା କୌଣସି କାର୍ଯ୍ୟ ଆଜି ହୁଏତ ଦୃଶ୍ୟମାନ ହୋଇ ନ ଥାନ୍ତା। ତେଣୁ ଆଜିର ସମୟ ଦେଶର ସଦ୍ୟତମ ସମସ୍ୟାକୁ ଚିହ୍ନଟ କରି ତା’ର ସମାଧାନ ବାଟ ପ୍ରସ୍ତୁତ କରିବା ସର୍ବାଦୌ ଗ୍ରହଣୀୟ ହେବା ଉଚିତ। ବର୍ତ୍ତମାନ ଦେଶର ସମ୍ବେଦନଶୀଳ ସମସ୍ୟାଗୁଡ଼ିକ ମଧ୍ୟରେ ବେକାରି ସମସ୍ୟା, ମୂଲ୍ୟବୃଦ୍ଧି, କୃଷି ଓ କୃଷକ ସମସ୍ୟା, ପୋଷଣଯୁକ୍ତ ଖାଦ୍ୟର ସୁଲଭତା, ଶିକ୍ଷା ଓ ସ୍ବାସ୍ଥ୍ୟସେବାର ରାଷ୍ଟ୍ରୀୟକରଣ, ପରିବେଶ ଆଦି ସମସ୍ୟା ଅତ୍ୟନ୍ତ ଗମ୍ଭୀର ରହିଥିଲେ ମଧ୍ୟ ନେହେରୁ ଓ ରାଜନୈତିକ ଧ୍ରୁବୀକରଣ ବା ବିଭେଦକରଣ ରାଜନୀତି ଆଦି ଉପରେ ଅଧିକ ଆଲୋଚନା ଅତ୍ୟନ୍ତ ପରିତାପର ବିଷୟ। ଆଜିର ଅନେକ ସମସ୍ୟାକୁ ନେହେରୁଙ୍କ ‘ନୀତିଗତ ଭୁଲ୍‌’ବୋଲି ଦେଖାଇ ତାଙ୍କ ଉପରେ ଆଲୋଚନା କରି ଲୋକମାନଙ୍କ ବର୍ତ୍ତମାନର ସମସ୍ୟା ଲାଘବର ଦାୟିତ୍ୱକୁ ଅତୀତ ଉପରେ ଚାପିଦେବା ସହଜ ହୁଏ। ନେହେରୁ, ମନ୍ଦିର ଓ ଧର୍ମ ସମ୍ବନ୍ଧୀୟ ଚର୍ଚ୍ଚା ଲୋକଙ୍କ ଭାବପ୍ରବଣତା ସହିତ ଜଡ଼ିତ ହୋଇଥିବାରୁ ସେମାନଙ୍କୁ ଆକର୍ଷଣ କରିବା ସହଜହେବା ସହିତ ଭୋଟ ଧ୍ରୁବୀକରଣ ରାଜନୀତିକୁ ସହଜ କରିଥାଏ। ଏପରି ଭାବନାତ୍ମକ ବିଷୟକୁ ଗୁରୁତ୍ୱ ଦେଇ ଜନତାଙ୍କୁ ସେମାନଙ୍କ ଦୈନନ୍ଦିନ ଜଟିଳ ସମସ୍ୟା କିମ୍ବା ସ୍ବାସ୍ଥ୍ୟ, ଶିକ୍ଷା ସମସ୍ୟା ପରି ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକୁ ଏଡାଇବାର ପ୍ରୟାସ ସହଜ ହୋଇଥାଏ; ଯାହା ଅତ୍ୟନ୍ତ ମନ୍ଦ ପ୍ରୟାସ। ସମସ୍ୟାଗୁଡ଼ିକ ସମାଧାନ ପାଇଁ ସ୍ଥିରନୀତି, ତଥ୍ୟଭିତ୍ତିକ ଯୋଜନା ଓ ଦୀର୍ଘମିଆଦୀ ପ୍ରୟାସ ଆବଶ୍ୟକ। ନେହେରୁ କିମ୍ବା ସାମ୍ପ୍ରଦାୟିକ ଅପ୍ରାସଙ୍ଗିକ ଚର୍ଚ୍ଚାର ଭାଷଣ ଦ୍ୱାରା ଲୋକଙ୍କୁ ଭ୍ରମିତ କରିବା ଅତି ସହଜ; ଯାହାକୁ କୁହାଯାଏ ଧ୍ୟାନ ଭଗ୍ନକାରୀ ନୀତି ଏବଂ ଯାହା ମାଧ୍ୟମରେ ବର୍ତ୍ତମାନର ସମସ୍ୟା ସମ୍ପର୍କିତ ପ୍ରଶ୍ନଗୁଡ଼ିକୁ ଏଡ଼ାଇ ଲୋକଙ୍କ ବିଦ୍ରୋହର ଧ୍ୟାନକୁ ଏଡ଼ାଇଦେବା ସହଜ ହୋଇଥାଏ। ତେବେ ଏକ ସୁସ୍ଥ ଲୋକତନ୍ତ୍ରରେ ଅତୀତର ଆଲୋଚନା ସହିତ ବର୍ତ୍ତମାନର ଉତ୍ତରଦାୟିତ୍ୱ ଓ ଭବିଷ୍ୟତର ଦୃଷ୍ଟିସମାନ ଗୁରୁତ୍ୱ ପାଇବା ଆବଶ୍ୟକ।

ଡ.ବିମଳ ଷଡ଼ଙ୍ଗୀ
ମୋ:୯୪୩୭୧୨୩୮୯୨

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

ତେଲ ମାରିଲା

ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ଯୁଦ୍ଧର ପରିସର ବ୍ୟାପକ ହୋଇଛି। କେତେକ ସୂତ୍ର ଇରାନ୍‌ରେ ୫୫୦ ମୃତାହତ କହୁଥିବା ବେଳେ ଆଉ କିଛି ସୂତ୍ର…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ପ୍ରଶ୍ନ: କ’ଣ, କିପରି, କାହିଁକି

ମାନବର ବିବର୍ତ୍ତନ ସମ୍ବନ୍ଧୀୟ ବିଦ୍ୟା ବା ନୃତତ୍ତ୍ୱ ଅନ୍ୟ ସମସ୍ତ ଜୀବଙ୍କଠାରୁ କିଛିଟା ଅଲଗା। ଅନ୍ୟ ପ୍ରାଣୀ ଓ ଉଦ୍ଭିଦମାନଙ୍କଠାରେ ମୁଖ୍ୟତଃ ଦେଖାଦିଏ କ୍ରମିକ ଶାରୀରିକ ପରିବର୍ତ୍ତନ।…

ଜୀବନରେ ଭୁଲ୍‌

ସମସ୍ତେ ଭୁଲ୍‌ କରନ୍ତି ଏବଂ ଏହା ପ୍ରତ୍ୟେକଙ୍କ ଜୀବନର ଏକ ଅଂଶ। କେତେକେ ଭୁଲ୍‌ କଲେ ମଧ୍ୟ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥାନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri