ବାଣପୁର,୨୦ା୧୧(ଦିଲ୍ଲୀପ କୁମାର ସ୍ବାଇଁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଥିବା ବେଳେ ବାଣପୁର ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତର ଘାସଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରିଲିଫ ବଣ୍ଟନକୁ ନେଇ ବ୍ୟତିକ୍ରମ ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ର କରି ତିନୋଟି ଓ୍ବାର୍ଡର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଉକ୍ତ ପଞ୍ଚାୟତର ସରପଞ୍ଚ ରେଣୁବାଳା ଛାଟୋଇ ଘାସଡିହ ଓ ମୋହନପୁର ଅଞ୍ଚଳର ତିନୋଟି ୱାର୍ଡର ୱାର୍ଡ ସଭ୍ୟସଭ୍ୟାଙ୍କୁ କୌଣସି ସୂଚନା ନ ଦେଇ ନିଜ ମନମୁତାବକ ତାଙ୍କ ସ୍ବାମୀଙ୍କ ମାଧ୍ୟମରେ ଗୁରୁବାର ସନ୍ଧ୍ୟାରେ ଏକ ର୍ନିଦ୍ଦିଷ୍ଟ ୱାର୍ଡର ୨୦ ଜଣଙ୍କ ପାଇଁ ରନ୍ଧାଖାଦ୍ୟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ଶୁକ୍ରବାର ପୂର୍ବାହ୍ନରେ ସରପଞ୍ଚଙ୍କ ସ୍ବାମୀ ଚୁଡ଼ା, ବିସ୍କୁଟ ଓ ଗୁଡ଼ ବଣ୍ଟନ କରୁଥିବା ବେଳେ ଉକ୍ତ ତିନୋଟି ଓ୍ବାର୍ଡର କିଛି ଲୋକ ଏହାର ପ୍ରତିବାଦ କରିଥିଲେ। ସରପଞ୍ଚ ନିଜେ ଉପସ୍ଥିତ ନରହି ତାଙ୍କ ସ୍ବାମୀ କାହିଁକି ଏଠାରେ ମନମୁଖୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଲୋକେ ପ୍ରଶ୍ନ ଉଠାଇଥିଲେ।
ଏ ସମ୍ପର୍କରେ ପଞ୍ଚାୟତର ପିଇଓଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ରିଲିଫ ବଣ୍ଟନ ସମ୍ପର୍କରେ ସରପଞ୍ଚ ଓ୍ବାର୍ଡ ସଭ୍ୟସଭ୍ୟାଙ୍କୁ ଅବଗତ କରାଇବା କଥା। କିନ୍ତୁ କେଉଁ କାରଣରୁ ସେ ସେମାନଙ୍କୁ ଜଣାଇନାହାନ୍ତି, ସେ ସମ୍ପର୍କରେ ମୁଁ କିଛି କହିପାରିବି ନାହିଁ ବୋଲି ପିଇଓ ପ୍ରକାଶ କରିଥିଲେ।
ବିପର୍ଯ୍ୟୟ ସମୟରେ ରିଲିଫ ବଣ୍ଟନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସ୍ବଚ୍ଛତା, ସମନ୍ବୟ ଓ ସମସ୍ତ ଓ୍ବାର୍ଡକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ଏଭଳି ସମୟରେ ଜନପ୍ରତିନିଧିମାନଙ୍କ ମଧ୍ୟରେ ସମନ୍ବୟର ଅଭାବ ଲୋକଙ୍କ ଅସନ୍ତୋଷକୁ ବଢ଼ାଇବା ସହ ପ୍ରଶାସନିକ କାର୍ଯ୍ୟଧାରା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ଘଟଣାରେ ଜିଲା ପ୍ରଶାସନ ହସ୍ତକ୍ଷେପ କରି ଉଚିତ୍ ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।