ଅନୁଶାସନ ଅପରାଧ ନୁହେଁ

ଯଦୁମଣି ପାଣିଗ୍ରାହୀ

 

ସରକାରୀ ସ୍ତରରେ ଯେଉଁଦିନଠାରୁ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରି ନିୟମ ପ୍ରଣୟନ କରାଗଲା ଅନେକ ମାତାପିତା ଓ ଅଭିଭାବକ ଏଥିରେ କିଛିଟା ଖୁସିବ୍ୟକ୍ତ କରିଥିଲେ। ସେମାନଙ୍କ ପିଲାଙ୍କୁ ଆଉ ଏଥର ଶିକ୍ଷକମାନେ ମାରି ପାରିବେନି। ପିଲାମାନେ ଭୟ ତଥା ଚାପମୁକ୍ତ ହୋଇ ପାଠ ପଢିବାର ସୁଯୋଗ ଲାଭ କରିବେ ବୋଲି ସେମାନଙ୍କ ମନରେ ଏକପ୍ରକାର ଧାରଣା ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ଆଉ କେତେଜଣ ମାତାପିତା ଓ ଅଭିଭାବକ ବି ଦଣ୍ଡପ୍ରଦାନ ସପକ୍ଷରେ ବା ବିପକ୍ଷରେ ସେମାନଙ୍କ ମତାମତ ଏଯାଏ ସ୍ପଷ୍ଟ କରିନାହାନ୍ତି। ସେ ଯାହାହେଉ ଏହି ନିୟମ ଏବେ ବି ବଳବତ୍ତର ରହିଛି ଓ ଅନେକ ବିଦ୍ୟାଳୟରେ ଏହାକୁ କଡ଼ା କଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି। ମାତ୍ର ଏସବୁ ଭିତରେ କିଛି ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ଶିକ୍ଷକ ଗାଳି କିମ୍ବା ଅପମାନିତ କରିବା ଅଥବା ମାଡ଼ ମାରୁଥିବା ଅଭିଯୋଗ ଆଗତ ହେଉଛି। ଶିକ୍ଷକ-ଅଭିଭାବକ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହେଉଛି ଆଉ ମାମଲା ଥାନା ଓ କୋର୍ଟକଚେରି ଯାଏ ଯାଉଥିବା ନଜିର ଦେଖିବାକୁ ମିଳୁଛି। ଏସବୁକ୍ଷେତ୍ରରେ ଜଣେ ଶିକ୍ଷକର ସମ୍ମାନହାନି ଘଟୁଛି। ସେ ଭୟଭୀତ ହୋଇପଡିବା ସହ ନିଜକୁ ଜଣେ ଅପରାଧୀ ବୋଲି ବିବେଚନା କରୁଛନ୍ତି। ଏହାଦ୍ୱାରା ଉଭୟ ପିଲା ଓ ତା’ର ମାତାପିତା ତଥା ଅଭିଭାବକଙ୍କ ପ୍ରତି ତାଙ୍କର ଆନ୍ତରିକତା କମିଯିବା ସହ ଖରାପ ଧାରଣା ସୃଷ୍ଟି ହେଉଛି। ଅନ୍ୟପକ୍ଷେ ବିଦ୍ୟାଳୟ ପରିବେଶକୁ ଶୃଙ୍ଖଳିତ ଓ ଶିକ୍ଷାଦାନ କାର୍ଯ୍ୟକୁ ଅବ୍ୟାହତ ରଖିବାରେ ଘୋର ଅସୁବିଧା ଦେଖାଯାଉଛି। ପିଲାଟିଏ ବିଦ୍ୟାଳୟରେ ଦିନର ଅଧିକାଂଶ ସମୟ ରହୁଥିବାରୁ ତା’ର ଗତିବିଧି ଓ ଆଚରଣ ଉପରେ ଦୃଷ୍ଟି ରଖିବା ତଥା ତାକୁ ମାର୍ଜିତ ଓ ଶୃଙ୍ଖଳିତ କରିବାର ଦାୟିତ୍ୱ ହେଉଛି ଜଣେ ଶିକ୍ଷକଙ୍କର। ମାତ୍ର ବୟସଗତ ଅପରିପକ୍ୱତା କାରଣରୁ ସେ ଯେବେ କିଛି ଭୁଲ୍‌ କରିବସେ ତେବେ ତାକୁ ବାଟକୁ ଆଣିବାକୁ କିଛିଟା ଅନୁଶାସନର ଆବଶ୍ୟକତା ରହିଛି। ନ ହେଲେ ଏହାର ଅଭାବରେ ପିଲାଟିର ଆଚରଣରେ କିଛିଟା ଅସ୍ବାଭାବିକତା ଦେଖାଦେବା ସ୍ବାଭାବିକ। ତା’ର ଦୁଷ୍ଟାମି ବଢିଯିବ। ଶିକ୍ଷକଙ୍କ କଥା ବା ନିର୍ଦ୍ଦେଶକୁ ସେ ହେୟଜ୍ଞାନ ମନେକରିବ। ଏବେ ବୋଧେ ଏସବୁ ଘଟଣା ପ୍ରାୟତଃ ସବୁ ବିଦ୍ୟାଳୟରେ ଦେଖିବାକୁ ମିଳୁଛି। ଉତ୍ତମ ଶିକ୍ଷାଦାନ ସହିତ ଶୃଙ୍ଖଳିତ, ସଂଯମୀ ଓ ସଚ୍ଚରିତ୍ରବାନ୍‌ ହେବାର ସମସ୍ତ କଳାକୌଶଳ ବିଦ୍ୟାଳୟରେ ହିଁ ଶିକ୍ଷା ଦିଆଯାଇଥାଏ। ଏହିଠାରେ ହିଁ ପିଲାଏ ସେମାନଙ୍କ ଭବିଷ୍ୟତ ନିର୍ମାଣର ସୁରକ୍ଷିତ ଓ ସୁଚିନ୍ତିତ ମାର୍ଗଦର୍ଶନ ପାଇଥା’ନ୍ତି। ଶିକ୍ଷକମାନେ ପିଲାଙ୍କ ଭିତରେ ଥିବା କୁଅଭ୍ୟାସ ଓ କୁପ୍ରବୃତ୍ତିକୁ ଦୂର କରି ସେମାନଙ୍କୁ ସୁନାଗରିକ ଭାବେ ଗଢ଼ିତୋଳିବାର ଦାୟିତ୍ୱ ନିର୍ବାହ କରିଥା’ନ୍ତି। ମୋଟ ଉପରେ ଭଲ ମଣିଷ ତିଆରି ହେବାର ପ୍ରକୃଷ୍ଟ ସ୍ଥାନ ହେଉଛି ବିଦ୍ୟାଳୟ ଏକଥା ଭୁଲିଯିବା ଉଚିତ ନୁହେଁ। ଶିକ୍ଷକମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦରଯୁକ୍ତ ଆଚରଣ ପିଲାଙ୍କୁ ବେଶ୍‌ ପ୍ରଭାବିତ କରିବା ସହ ଭଲ ବାଟରେ ଚାଲିବାକୁ ପ୍ରେରଣା ଦେଇଥାଏ। ତେବେ ସବୁ ପିଲା ତ ସମାନ ନୁହନ୍ତି। କେତେକ କ୍ଷେତ୍ରରେ ଆବଶ୍ୟକ ଅନୁଶାସନ ଓ ଆକଟ ବ୍ୟତିରେକ ଏଭଳି ପିଲାଙ୍କୁ ମାର୍ଜିତ ଓ ଶୃଙ୍ଖଳିତ ଧାରାରେ ପକାଇବା ସମ୍ଭବପର ନୁହେଁ। ଏସବୁ କ୍ଷେତ୍ରରେ ମାତାପିତା ଓ ଅଭିଭାବକ କ୍ରୋଧିତ କି ବିବ୍ରତ ହେବା ସହିତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦୌ ଯୁକ୍ତସଙ୍ଗତ ନୁହେଁ। ଏଥିପାଇଁ ସେମାନେ ସେମାନଙ୍କ ପାଠପଢ଼ା ବେଳର କଥାକୁ ସ୍ମରଣ କରି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।
ଜଣେ ଶିକ୍ଷକ ବିଦ୍ୟାଳୟର ଶୃଙ୍ଖଳା ବଜାୟ ରଖିବା ପାଇଁ ଜଣେ ଛାତ୍ରକୁ ଗାଳିଦେବା କିମ୍ବା କିଛି ଯୁକ୍ତିଯୁକ୍ତ ଦଣ୍ଡଦେବା ଏକ ଅପରାଧ ନୁହେଁ ବୋଲି ନିକଟରେ ବମ୍ବେ ହାଇକୋର୍ଟ ଗୋଆ ବେଞ୍ଚ ରାୟ ଦେଇଛନ୍ତି। ଏଥିସହ ଦୁଇଜଣ ସ୍କୁଲପିଲାଙ୍କୁ ବାଡ଼ିରେ ବାଡ଼େଇବା ଅଭିଯୋଗରେ ଦିନକ ପାଇଁ ଜେଲ ଦଣ୍ଡ ଓ ୧ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ ହୋଇଥିବା ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଦଣ୍ଡାଦେଶକୁ ଖାରଜ କରିଦେଇଛନ୍ତି କୋର୍ଟ। ଏକ ପ୍ରାଥମିକ ବିଦ୍ୟାଳୟରେ ଘଟିଥିବା ଏହି ଘଟଣା ସମ୍ପୂର୍ଣ୍ଣ ସ୍ବାଭାବିକ। ଛାତ୍ରମାନଙ୍କୁ ଶୃଙ୍ଖଳିତ କାରିବା ଓ ସେମାନଙ୍କ ମଧ୍ୟରେ ଭଲ ଅଭ୍ୟାସ ସୃଷ୍ଟି କରିବା ପାଇଁ ଶିକ୍ଷକ ସେହି ଅନୁସାରେ କାର୍ଯ୍ୟ କରିବାକୁ ବାଧ୍ୟ ବୋଲି ବମ୍ବେ ହାଇକୋର୍ଟ ଗୋଆ ବେଞ୍ଚର ଏକକ ବିଚାରପତି ଜଷ୍ଟିସ ଭାରତ ଦେଶ ପାଣ୍ଡେ ରାୟ ଦେଇଛନ୍ତି। ଛାତ୍ରମାନଙ୍କୁ କେବଳ ଶିକ୍ଷାଦାନ ଉଦ୍ଦେଶ୍ୟରେ ନୁହେଁ ବରଂ ଜୀବନର ଅନ୍ୟାନ୍ୟ ଦିଗ ଶିଖିବା ପାଇଁ ବିଦ୍ୟାଳୟରେ ଭର୍ତ୍ତି କରାଯାଏ। ଯେଉଁଥିରେ ଅନୁଶାସନ ଅନ୍ତର୍ଭୁକ୍ତ। ବିଦ୍ୟାଳୟର ଉଦ୍ଦେଶ୍ୟ ମାତ୍ର ଶୈକ୍ଷିକ ବିଷୟ ଶିକ୍ଷା ଦେବା ନୁହେଁ ବରଂ ଜୀବନର ସମସ୍ତ ଦିଗରେ ଏହିପରି ଛାତ୍ରୀଛାତ୍ରମାନଙ୍କୁ ପ୍ରସ୍ତୁତ କରିବା ଯାହାଦ୍ୱାରା ଭବିଷ୍ୟତରେ ସେ ଜଣେ ଉପଯୁକ୍ତ ଓ ଆଦର୍ଶ ବ୍ୟକ୍ତି ହେବେ ଓ ଭଲ ଆଚରଣ ପ୍ରଦର୍ଶନ କରିବେ ବୋଲି ହାଇକୋର୍ଟ ଦର୍ଶାଇଛନ୍ତି। ଆଜିକାଲି କେବଳ ପ୍ରାଥମିକ କି ମାଧ୍ୟମିକ ବିଦ୍ୟାଳୟର ପିଲାମାନେ ଯେ ଉଚ୍ଛୃଙ୍ଖଳିତ ହୋଇ ପଡିଛନ୍ତି ତା’ ନୁହେଁ ବରଂ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଅଧିକାଂଶ ଛାତ୍ରୀଛାତ୍ରମାନେ ବି ଏଥିରୁ ବାଦ୍‌ ପଡିନାହାନ୍ତି। ଏସବୁ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କ ଚାଲିଚଳନ, ଆଚରଣ ଓ କାର୍ଯ୍ୟକଳାପ ଏବେ ଏତେ ବିଶୃଙ୍ଖଳିତ ହୋଇ ପଡିଛି ଯେ, ଯାହାକୁ ନେଇ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ମାତାପିତା ଓ ଅଭିଭାବକମାନେ ବେଶ୍‌ ବିବ୍ରତ ଓ ଚିନ୍ତିତ ମଧ୍ୟ। ଆବଶ୍ୟକ ଅନୁଶାସନ ଅଭାବରୁ ପିଲାଏ ଆଉ କାହାକୁ ମାନିବା ଅବସ୍ଥାରେ ନାହାନ୍ତି। ଏଭଳି ବୟସର ପିଲାମାନଙ୍କ କ୍ଷେତ୍ରରେ ଶିକ୍ଷକମାନେ ସେମାନଙ୍କୁ ତାଗିଦ କରିବା କିମ୍ବା ସେମାନଙ୍କ ବିରୋଧରେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବ୍ୟତୀତ ଆଉ କ’ଣ ବା ପଦକ୍ଷେପ ନେଇପାରିବେ।
ଏବେ ତ ପରିବାର ଭିତରେ ବି ପିଲାମାନେ ଆଉ ମାତାପିତା ଓ ଅଭିଭାବକଙ୍କ ନିୟନ୍ତ୍ରଣରେ ନ ରହି ମୁକ୍ତ ଓ ଅବାଧ ଜୀବନ ଜିଇବାକୁ ଇଚ୍ଛାପ୍ରକଟ କରୁଛନ୍ତି। ତେଣୁ କେବଳ ବିଦ୍ୟାଳୟ ନୁହେଁ ବରଂ ପରିବାରରେ ପିଲାମାନଙ୍କୁ ଯୁକ୍ତିଯୁକ୍ତ ଅନୁଶାସନର ଆବଶ୍ୟକତା ରହିଛି। ମାତାପିତା ଓ ଗୁରୁଜନ ଭିତରେ ନରମ ରହି ବାହାରକୁ କଠୋର ମନୋଭାବ ପୋଷଣ କରିବା ଉଚିତ। ଛୋଟ ବୟସରୁ ସେମାନଙ୍କୁ ଶୃଙ୍ଖଳା ଓ ସଂସ୍କାରର ଶିକ୍ଷା ଦିଆ ନ ଗଲେ ବଡ଼ ହେଲେ ସେମାନଙ୍କ ପାଖରୁ ଆମେ ଆଉ କି ଆଶା କରିବା। ତେଣୁ ଘରେ ମାତାପିତା ଓ ଗୁରୁଜନ ଏବଂ ବିଦ୍ୟାଳୟରେ ଶିକ୍ଷକଙ୍କ ପ୍ରତି ସେମାନଙ୍କ ମନରେ ଭୟ ଓ ସମ୍ମାନ ରହିବା ଏକାନ୍ତ ଅପରିହାର୍ଯ୍ୟ। ଏଥିପ୍ରତି ସମସ୍ତେ ସଚେତନ ଓ ଯତ୍ନବାନ୍‌ ହେବା ବର୍ତ୍ତମାନ ସମୟରେ ଏକ ଆହ୍ବାନ।
ଶଂଖିଡ଼ା, ତିହିଡ଼ି, ଭଦ୍ରକ
ମୋ-୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri