ନୂଆପଡ଼ା,୧୬ା୫ (ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଅସହାୟ, ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ କୋମନା ବ୍ଲକ କୁରୁମପୁରି ଗାଁରେ ଦେଖିବାକୁ ମିଳିଛି। ପ୍ରାୟ ୨୦ବର୍ଷ ପୂର୍ବରୁ ଗ୍ରାମର ଧନସିଂ ମାଝୀ (୫୦)ଙ୍କ ଡାହାଣ ଗୋଡ ଆଣ୍ଠୁ ତଳକୁ ଏକ ଫୋଟକା ହୋଇଥିଲା। ଏହା ଧୀରେ ଧୀରେ ବଡ଼ ହେବାରୁ ଖରିଆର ରୋଡ୍ର ଏକ ଘରୋଇ ହସ୍ପିଟାଲ ଯାଇ ଚିକିତ୍ସା କରାଇଥିଲେ। ଦୀର୍ଘ ୩ମାସ କାଳ ଚିକିତ୍ସିତ ହୋଇଥିଲେ ମଧ୍ୟ ଆରୋଗ୍ୟ ହେଲେ ନାହିଁ। ସେଠାରୁ ଫେରି ସୁନା ଗହଣା, ଜମିବାଡ଼ି ବିକ୍ରୟ କରି ଅନ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ ମଧ୍ୟ ଭଲ ହେଲେନାହିଁ। ସବୁଆଡୁ ନିରାଶ ହୋଇ ସେ ଘରେ ପଡିରହିଛନ୍ତି। ସ୍ତ୍ରୀ ଯମୁନା ସ୍ବାମୀଙ୍କ ଦେଖାରଖା କରୁଥିବାବେଳେ ୨୦୨୫ ଡିସେମ୍ବର ୭ରେ ଜ୍ୱରରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ପରିବାର ସଦସ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧନସିଂଙ୍କ ଡାହାଣ ଗୋଡ଼ ଅଚଳ ହୋଇ ଶଯ୍ୟାଶାୟୀ ଥିବାବେଳେ ବାମ ଗୋଡ ଓ ହାତ ପକ୍ଷାଘାତ ରୋଗରେ ଅଚଳ ହୋଇଯାଇଛି। ଏବେ ସେ ଶଯ୍ୟାଶାୟୀ ଅଛନ୍ତି। ସେ ଅନେକ ଥର ଆବାସ ଗୃହ, ହୁଇଲ ଚେୟାର ଓ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ପାଇପାରି ନାହାନ୍ତି। ସମ୍ପୂର୍ଣ୍ଣ ବିକଳାଙ୍ଗ ହେତୁ ଚଲାବୁଲା କରିପାରୁ ନାହାନ୍ତି। ଡାକ୍ତର ୩୫% ବିକଳାଙ୍ଗ ପ୍ରମାଣ ପତ୍ର ଦେଇଥିବାରୁ ଭତ୍ତା ହୋଇ ପାରୁନାହିଁ ବୋଲି ଧନସିଂ ପ୍ରକାଶ କରିଛନ୍ତି। ଧନସିଂଙ୍କ ୬ ଝିଅପୁଅ ମଧ୍ୟରୁ ୪ ଝିଅଙ୍କୁ ବିବାହ ଦେଇଥିବା ବେଳେ ବର୍ତ୍ତମାନ ଘରେ ୨ ଝିଅପୁଅ ଅଛନ୍ତି। ସେ ଘରର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଶଯ୍ୟାଶାୟୀ ହେଲା ପରେ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି। ରାଶନ କାର୍ଡ଼ରେ ମାସକୁ ୩ ଜଣଙ୍କ ୧୫ କିଲୋଗ୍ରାମ ଚାଉଳରେ କଷ୍ଟେମଷ୍ଟେ ଚଳୁଛନ୍ତି। ଅକ୍ଷମ ସେବା ସମିତି ଜିଲା ସଭାପତି ଭକ୍ତବନ୍ଧୁ ଧରୁଆ ଧନସିଂଙ୍କ ଘରକୁ ଯାଇ ଦିବ୍ୟାଙ୍ଗମାନଙ୍କୁ ମିଳୁଥିବା ସରକାରୀ ସୁବିଧା ଯୋଗାଇଦେବାକୁ ଜିଲା ପ୍ରଶାସନକୁ ଅବଗତ କରାଇବୁ ବୋଲି କହିଛନ୍ତି।