ପରମବୀରଙ୍କ ଦିଗ

ଶାସକ ଦଳ ନେତା ଓ ପୋଲିସ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ଥାଏ। ଦେଖାଯାଏ ସରକାର ବଦଳିଲେ ଗାଦିନସୀନ ଦଳକୁ ପୂର୍ବରୁ ଯେଉଁ ପୋଲିସ ଅଧିକାରୀ ବା କର୍ମଚାରୀ ସହଯୋଗ କରିଥାଆନ୍ତି ସେମାନଙ୍କୁ ଲୋଭନୀୟ ପଦବୀ ଦିଆଯାଇଥାଏ। ପୋଲିସ ଯେହେତୁ ଗୃହ ବିଭାଗ ଅଧୀନରେ ଆସେ, ଅନେକ ବରିଷ୍ଠ ଅଧିକାରୀ ଗୃହମନ୍ତ୍ରୀଙ୍କୁ ସର୍ବମାନ୍ୟ କରିଥାଆନ୍ତି। ସଦ୍ୟ ଘଟଣା ଦେଖିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ୫ ଏପ୍ରିଲରେ ଇସ୍ତଫା ଦେଇଥିବା ଅନିଲ ଦେଶମୁଖ ଓ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିଯିବାଠାରୁ ନାଟକ ଭିନ୍ନ ମୋଡ଼ ନେଇ ଚାଲିଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ହୋଟେଲ ଓ ରେଷ୍ଟୁରାଣ୍ଟରୁ ମାସକୁ ୧୦୦ କୋଟି ଟଙ୍କା ବଟି ଆଦାୟ ଲାଗି ଦେଶମୁଖ ପୋଲିସ ଅଧିକାରୀ ସଚିନ ଭାଜେ ଓ ଅନ୍ୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ ବୋଲି ପରମବୀର ଅଭିଯୋଗ ଆଣିଥିଲେ। ସେହି ଅଭିଯୋଗ ଆଧାରରେ ବମ୍ବେ ହାଇକୋର୍ଟ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ୬ ଏପ୍ରିଲରେ ମହାରାଷ୍ଟ୍ର ସରକାର ବମ୍ବେ ହାଇକୋର୍ଟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଆଶ୍ଚର୍ଯ୍ୟର ବିଷୟ, ୨୯ ଫେବୃୟାରୀ ୨୦୨୦ରୁ ୧୮ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ କମିଶନର ଦାୟିତ୍ୱ ତୁଲାଉଥିବା ପରମବୀର କ୍ଷମତାରେ ଥିବାବେଳେ କେବେହେଲେ ଏଭଳି ବିରାଟକାୟ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିଥିବାର ପ୍ରମାଣ ଦେଖିବାକୁ ମିଳୁନାହିଁ। ଡକାୟତ ଗୋଷ୍ଠୀରେ ଭାଗବଣ୍ଟା ନ ଛିଣ୍ଡିଲେ ଯେମିତି ଅପଡ଼ ହୋଇ ପରସ୍ପରକୁ ପୋଲିସରେ ଧରାଇ ଦିଅନ୍ତି, ପରମବୀରଙ୍କ କ୍ଷେତ୍ରରେ ସେହିଭଳି ଘଟଣା ଘଟିଥିବା ଭଳି ମନେହେଉଛି। ପୂର୍ବତନ ପୋଲିସ କମିଶନରଙ୍କ ବୟାନ ପରେ ପୂର୍ବତନ ଗୃହମନ୍ତ୍ରୀଙ୍କ ବିରୋଧରେ ଅନେକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ସାମାଜିକ ଚାପ ଓ ବିଶେଷକରି ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟକୁ ବୁଝିପାରୁଥିବା ବମ୍ବେ ହାଇକୋର୍ଟ ବିଚାରପତିମାନେ ନିଜ ସ୍ବାର୍ଥରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥାଇପାରନ୍ତି। ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଗଲେ ମଧ୍ୟ ସଫଳତା ହାସଲ କରିବାର ପ୍ରତିଶତ ଅତ୍ୟନ୍ତ ନଗଣ୍ୟ। କାରଣ ସୁପ୍ରିମକୋର୍ଟ ଏବେ କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ମହାରାଷ୍ଟ୍ରର ଶିବସେନା ସରକାର ବିରୋଧରେ ରାୟ ଦେବାର ଅଧିକ ସମ୍ଭାବନା ରହିଛି। ପରମବୀର ଯେତିକି ଦିନ କମିଶନର ରହିପାରିଲେ, ସେହି ସମୟରେ ମୁମ୍ବାଇ ପୋଲିସର ଦୁର୍ନୀତିକୁ ରୋକିବାର କୌଣସି ଆଖିଦୃଶିଆ ପ୍ରସ୍ତାବ କାର୍ଯ୍ୟକାରୀ କରିଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳୁନାହିଁ। ଏହାବ୍ୟତୀତ ଯଦି ବଟି ଆଦାୟ ଲାଗି ବିପୁଳ ଅର୍ଥ ସଂଗ୍ରହ ଦାୟିତ୍ୱ ପୋଲିସ ବିଭାଗକୁ ଦିଆଯାଇଥିଲା, ତେବେ ପରମବୀର ନୀରବ ରହିବା ପଛରେ ତାଙ୍କର ଏହି କାର୍ଯ୍ୟରେ ସମ୍ପୃକ୍ତି ନିଶ୍ଚିତ ଭାବେ ଥିବ। ସମସ୍ତେ ଜାଣନ୍ତି, ମନ୍ତ୍ରୀଙ୍କୁ ଯଦି ୧୦୦ କୋଟି ଟଙ୍କା ଯାଇଥିବ ତେବେ ସରକାରୀ କର୍ମଚାରୀ ତା’ର ଦୁଇ ତିନିଗୁଣ ନିଜ ପାଖରେ ରଖିଥିବେ।
ଆଜିର ସ୍ଥିତି ଦେଖିଲେ ନ୍ୟାୟାଳୟ ମଧ୍ୟ ଏକତରଫା ନ୍ୟାୟ ଦେବା ପାଇଁ ପସନ୍ଦ କରୁଛନ୍ତି। ନଚେତ୍‌ ବମ୍ବେ ହାଇକୋର୍ଟ ପ୍ରଥମେ ପରମବୀରଙ୍କ ସାଧୁତା ପରୀକ୍ଷା କରିବାର ପ୍ରୟାସ କରିଥାଆନ୍ତେ। ତାହା କରାଯାଇଥିଲେ ଅଦାଲତର ମାନ ବୃଦ୍ଧି ପାଇଥାନ୍ତା। ଅନ୍ୟପଟେ କୁହାଯାଉଛି, ବମ୍ବେ ହାଇକୋର୍ଟରେ କାର୍ଯ୍ୟରତ ବିଚାରପତିମାନେ ପଦୋନ୍ନତିକୁ ଅନିଶା କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥାଇ ପାରନ୍ତି। ଏହା ସୁନିଶ୍ଚିତ ଯେ ରାଜନେତାମାନେ ଦୁର୍ନୀତିଗ୍ରସ୍ତ। ଅପରପକ୍ଷରେ ଏହା ମଧ୍ୟ ପ୍ରମାଣିତ ହେଉଛି ସଚିନ ଭାଜେଙ୍କ ଭଳି ଭାରତର ଅଧିକାଂଶ ସରକାରୀ କର୍ମଚାରୀ ଦୁର୍ନୀତିଗ୍ରସ୍ତ। ଏମାନଙ୍କ ସହଯୋଗ ବିନା କୌଣସି ରାଜନେତା ଦୁର୍ନୀତିଗ୍ରସ୍ତ ହୋଇପାରିବେ ନାହିଁ। ତୃଣମୂଳ ସ୍ତରରୁ ସବୁ କାର୍ଯ୍ୟ ସେମାନଙ୍କ ଦ୍ୱାରା କରାଯାଏ। ରାଜନେତା କେବଳ ମୁଣ୍ଡି ଭାବେ ବସିରହନ୍ତି। ଆଜି ଲାଲୁଙ୍କ ଭଳି ଦୁର୍ନୀତିଗ୍ରସ୍ତ ରାଜନେତା କାରାଗାରରେ ଶଢ଼ୁଥିବା ବେଳେ ତାଙ୍କଠାରୁ ଅଧିକ ଗୋଖାଦ୍ୟ ଦୁର୍ନୀତିରୁ ଲାଭ ଉଠାଇଥିବା ଅଫିସର ପଦୋନ୍ନତି ପାଇ ଜେଲ ବାହାରେ ରହିଛନ୍ତି। ଭାରତୀୟ ଆଇନ ବ୍ୟବସ୍ଥାର ଏଭଳି ମୌଳିକ ଅନ୍ୟାୟ ସୁଧୁରିବା କଷ୍ଟକର, କାରଣ ‘ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌’ ନୀତିରେ ଆମେ ସମସ୍ତେ ଲୋକପ୍ରତିନିଧିଙ୍କୁ କେବଳ ମାତ୍ର ଚୋର ଭାବୁଥିବା ବେଳେ ଦୀର୍ଘସ୍ଥାୟୀ ସାଂଘାତିକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ମୁଣ୍ଡରେ ବସାଇଥାଉ।