ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ୧୯୮୨ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରସଂଘର ଆଲୋଚନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ପରିସରରେ ଆୟୋଜିତ ସଭାରେ ସଂଘର ସଭାପତି ରାଜେନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ସଭାରେ ପ୍ରଥମ ବୈଠକର ବିବରଣୀ ପାଠ କରାଯିବା ପରେ ସଂଘର ନୂତନ ସଭ୍ୟା ସଭ୍ୟ ସଂଗ୍ରହ ଏବଂ ସାଙ୍ଗଠନିକ ଅଭିବୃଦ୍ଧି ନେଇ ବିସ୍ତୃତ ଆଲୋଚନା କରାଯିବା ପରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା।
ସଂଘ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ମଠ, ମନ୍ଦିର ସଫେଇ, ଆଗାମୀ ବର୍ଷା ଋତୁରେ ଛାୟା ପ୍ରଦାନକାରୀ ଏବଂ ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ, ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ଅସହାୟ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ଉପକରଣ ବଣ୍ଟନ ପାଇଁ ସଂଘର ଉପଦେଷ୍ଟା ପୂର୍ବତନ କାଉନସିଲର ଅଳକ ନାଥ ମିଶ୍ର ପ୍ରସ୍ତାବ ଦେଇଥିଲେ । ସଂଘ ପକ୍ଷରୁ ବିଭିନ୍ନ ସରକାରୀ ସ୍କୁଲର ଅଭାବ ଅସୁବିଧା ତଥ୍ୟ ସଂଗ୍ରହ କରାଯାଇ ଶିକ୍ଷା ବିଭାଗ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ସଭାରେ ସବିଶେଷ ଆଲୋଚନା କରାଯାଇଥିଲା।
ଆସନ୍ତା ଅଗଷ୍ଟ ଶେଷ ସପ୍ତାହରେ ସଂଘ ପକ୍ଷରୁ ଉତ୍ସବ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ସଭାରେ ସଂଘ ସମ୍ପାଦକ ଶିକ୍ଷକ କାଳୁ ଚରଣ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଆଦିତ୍ୟ ମହାରଣା, ସହ କୋଷାଧ୍ୟକ୍ଷ ପ୍ରଭାକର ସେଠୀ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ବୃନ୍ଦ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାରେ ସଂଘର ସଂଖ୍ୟାଧିକ ସଦସ୍ୟ ଉପସ୍ଥିତ ଥିଲେ।