ଡିଜିଟାଲ ଟୁଇନ୍‌

ଡ. ନରେନ୍ଦ୍ର ସେଠୀ

ଯାଁଆଳା ମଣିଷ ପିଲା କିମ୍ବା କୌଣସି ଜୀବର ଯମଜ ଦେଖିଲେ ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ନ ଥାଏ। କିନ୍ତୁ ଏବେ ବିଜ୍ଞାନ ତା’ର କରାମତି ଦେଖେଇ ଯେକୌଣସି ମଣିଷର ଅବିକଳ ତିଆରି କରିବାରେ ସମର୍ଥ ହେଲାଣି। ବଡ଼ କଥା ହେଲା ଏହି ଅବିକଳ ନିଜସ୍ବ ଯମଜ ଜଣକ ଡିଜିଟାଲ ଦୁନିଆରେ ରହିବ ବା ଏହା ଏକ ଡିଜିଟାଲ ଟୁଇନ୍‌ ହେବ। ଆମର ବାସ୍ତବ ଶରୀରର ସବୁ ଗୁଣ, ରୁଚି, ବ୍ୟବହାର, ଭଲମନ୍ଦ ଏହି ଡିଜିଟାଲ ଟୁଇନ୍‌ ଭିତରେ ଡାଟା ଆକାରରେ ରେକର୍ଡ ହୋଇ ରହିଯିବ ଓ ଆମ ଶରୀରର ଏକ ଅବିକଳ ଅଶରୀରୀ ଡିଜିଟାଲ ଦୁନିଆରେ ରହିବ।
ଡିଜିଟାଲ ଟୁଇନ୍‌ ଏକ ଗାଣିତିକ ୩ ଆୟାମୀ ବିଶିଷ୍ଟ ମଡେଲ ଯାହା ଭିତରେ ବାସ୍ତବ ମଣିଷର ସବୁ ଗୁଣ ଥାଏ ଓ ଏହା ମଣିଷ ସହ ୱାଇଫାଇ, ବ୍ଲୁ ଟୁଥ୍‌ କିମ୍ବା ଇଣ୍ଟରନେଟ ଦ୍ୱାରା ସର୍ବଦା ଯୋଗସୂତ୍ର ରକ୍ଷା କରିଥାଏ। ପ୍ରକୃତରେ କହିବାକୁ ଗଲେ ଆମେ ଧୀରେ ଧୀରେ ସମସ୍ତେ ଅଜାଣତରେ ନିଜ ନିଜର ଏକ ଡିଜିଟାଲ ଟୁଇନ୍‌ ତିଆରି କରି ଚାଲିଛୁ। ଆମେ କିପରି ଆମ ସ୍ମାର୍ଟ ଫୋନ୍‌ରେ ଇଣ୍ଟରନେଟ ସରଫ କରି କି କି ଜିନିଷ ବିଷୟରେ ଜାଣିବାକୁ ଚାଁହୁଛୁ, କୋଉ ସିନେମା ଦେଖୁଛୁ ଓ କୋଉ କୋଉ ଜିନିଷ କିଣୁଛୁ ତାହାକୁ ଆମ ଅଜାଣତରେ ଡିଜିଟାଲ ଦୁନିଆ ରେକର୍ଡ ରଖି ଭର୍ଚୁଆଲ ଦୁନିଆରେ ଆମର ଡୁପ୍ଲିକେଟ ତିଆରି କରିଥାଏ। ତେଣୁ ଆମେ ଲଗ୍‌ଇନ୍‌ କଲା ମାତ୍ରେ ଆମରି ପସନ୍ଦର ଜିନିଷର ବିଜ୍ଞାପନ, ଭିଡିଓ ଇତ୍ୟାଦି କମ୍ପ୍ୟୁଟର ପରଦାରେ ଆବିର୍ଭାବ ହୋଇଥାଏ। ତେବେ ଏହା ହେଉଛି କୃତ୍ରିମ ବୁଦ୍ଧିମତ୍ତା ବଳରେ ଜଣେ ମଣିଷର ରୁଚିକୁ ଜାଣିବା ଏକ ପ୍ରାରମ୍ଭିକ ପର୍ଯ୍ୟାୟ। ଆଗକୁ ପ୍ରତ୍ୟେକ ମଣିଷର ଅବିକଳ ଡିଜିଟାଲ ଟୁଇନ୍‌ ତିଆରି ହୋଇଯିବ। ଏପରିକି ବୟସ ସହିତ ବାସ୍ତବ ମଣିଷ ବଢ଼ିବା ସହିତ ଭର୍ଚୁଆଲ ଦୁନିଆରେ ଡିଜିଟାଲ ଟୁଇନ୍‌ ବଢ଼ିବ। ବାସ୍ତବ ମଣିଷର ଶରୀରରେ କିଛି ହଠାତ୍‌ ଅସୁବିଧା ହେବା ପୂର୍ବରୁ ଡିଜିଟାଲ ଟୁଇନ୍‌ ଆଗରୁ ସତର୍କ କରିଦେବ ଓ ମଣିଷ ତୁରନ୍ତ ତା’ ପାଇଁ ଉଚିତ ପଦକ୍ଷେପ ନେବ। ବାସ୍ତବିକ ମଣିଷର ବୟସ, ବ୍ୟବହାର, ଓଜନ, ଶାରୀରିକ ଗତିବିଧି, ଖାଦ୍ୟ ଅଭ୍ୟାସ, ନିଦ୍ରା, ରକ୍ତଚାପ, ହୃଦ୍‌ସ୍ପନ୍ଦନ ଇତ୍ୟାଦି ସବୁ ଡାଟା ଭର୍ଚୁଆଲ ଡିଜିଟାଲ ଟୁଇନ୍‌ ପାଖରେ ଥିବ ଓ ବାସ୍ତବିକ ମଣିଷର ଗତିବିଧି ଓ ଯେକୌଣସି ଶାରୀରିକ ପରିବର୍ତ୍ତନକୁ ଖୁବ୍‌ ଶୀଘ୍ର ଧରିନେଇ ଆଗୁଆ ସ୍ମାର୍ଟଫୋନରେ ଜଣେଇଦେବ। ଏପରିକି ଘର ପରିବାରର ସମ୍ପର୍କୀୟ ଓ ନିଜସ୍ବ ଡାକ୍ତର ଏ ବିଷୟରେ ଅବଗତ ହୋଇଯିବେ। ତେବେ ଡିଜିଟାଲ ଟୁଇନ୍‌ର ଆହୁରି ଅନେକ ଉପଯୋଗିତା ଅଛି।
ଏହି ଡିଜିଟାଲ ଯମଜ ମଣିଷର ଅନେକ କାମ କରିପାରିବ। ଏହା ଫଳରେ ଜଣେ ମଣିଷ ଏକାଧିକ ଜାଗାରେ ଏକ ସମୟରେ କାମ କରିପାରିବ ଯାହା ଜଣେ ମଣିଷ ପାଖରେ ସମ୍ଭବ ନୁହେଁ। ଏପରିକି ଜଣେ ମଣିଷ ମରିଗଲା ପରେ ତା’ର ଡିଜିଟାଲ ଯମଜ ସହ ଯୋଗସୂତ୍ର ରକ୍ଷାକରି ଦିଂବଗତ ବାସ୍ତବ ମଣିଷର କାର୍ଯ୍ୟକୁଶଳତାକୁ ବ୍ୟବହାର କରାଯାଇପାରିବ। ଅର୍ଥାତ୍‌ ଜଣେ ମରିଗଲା ପରେ ମଧ୍ୟ ତା’ର ଜ୍ଞାନ ଡିଜିଟାଲ ଯମଜ ସାହାଯ୍ୟରେ ଲୋକ କଲ୍ୟାଣରେ ଉପଯୋଗ ହେଇପାରିବ। ଅନ୍ୟ ଅର୍ଥରେ ଆମେ ନିଜର ଅତୀତ ଓ ଭବିଷ୍ୟତ ସହ ଏହି ଡିଜିଟାଲ ଟୁଇନ୍‌ ସାହାଯ୍ୟରେ ସମ୍ପର୍କ କରିପାରିବା ଯାହା ବାସ୍ତବ ଦୁନିଆରେ ଅସମ୍ଭବ। ବିଜ୍ଞାନର ଏହି ବିଚକ୍ଷଣ ସଫଳତା ମଣିଷକୁ ଆଗାମୀ ଦିନରେ ଅନେକ ଅସାଧ୍ୟ କାମ କରିବାରେ ସହାୟକ ହେବ। ଜଣେ ମଣିଷ ତା’ର ଡିଜିଟାଲ ଟୁଇନ୍‌ ସହିତ ଅନ୍ୟ କିଛି ନୂଆ ଜ୍ଞାନକୌଶଳ ଯଥା ନୂଆ ଭାଷା, ଯାନ୍ତ୍ରିକ ଜ୍ଞାନ ଇତ୍ୟାଦି ଯୋଡ଼ି ନିଜଠୁ ଅଧିକ ବିଚକ୍ଷଣ ଓ ଜ୍ଞାନୀ ଡିଜିଟାଲ ଆଉ ଏକ ଟୁଇନ୍‌ ତିଆରି କରି କାମରେ ଲଗେଇ ପାରିବ। ମଣିଷ ଡିଜିଟାଲ ଟୁଇନ୍‌ ତିଆରି ହେବା ପୂର୍ବରୁ ଶିଳ୍ପଜଗତରେ ଏହାର ବ୍ୟାପକ ବ୍ୟବହାର ହୋଇ ଆସିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ର ଯେମିତି ଯୁଦ୍ଧଜାହାଜ, ସ୍ପେସ୍‌ କ୍ରାଫ୍ଟ , କାର୍‌ ଇତ୍ୟାଦିର ନିର୍ମାଣ ପୂର୍ବରୁ ଏହାର ଡିଜିଟାଲ ଟୁଇନ୍‌ ପ୍ରସ୍ତୁତକରି ପରୀକ୍ଷା କରାଯାଇଥାଏ। ଏହାଦ୍ୱାରା ଅନେକ କାର୍ଯ୍ୟ କରାଯାଇପାରେ ଯାହା ବାସ୍ତବ ମଣିଷ ପାଖରେ କଷ୍ଟକର। ଉଦାହରଣ ସ୍ବରୂପ ଏକ କାର୍‌ କ୍ରାସ୍‌ ଟେଷ୍ଟ କରିବା ପାଇଁ ଭର୍ଚୁଆଲ ଦୁନିଆରେ ଡିଜିଟାଲ ଟୁଇନ୍‌ ସାହାଯ୍ୟରେ ଅନେକ ଥର କରି ଏହାର ପରିଣାମ ବିଷୟରେ ସହଜରେ ଜାଣିହୁଏ ଯାହା ବାସ୍ତବ ମଣିଷ ପକ୍ଷରେ ଅସମ୍ଭବ। ଏହି ଯୁଗାନ୍ତକାରୀ ଜ୍ଞାନକୌଶଳକୁ ଆମେରିକାର ମିଶିଗାନ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଇକେଲ ଗ୍ରୀବସ୍‌ ୨୦୦୨ରେ ପ୍ରଥମ କରି ଶିଳ୍ପଜଗତରେ ଉତ୍ପାଦନ ବଢ଼େଇବା ଲକ୍ଷ୍ୟରେ ଡିଜିଟାଲ ଟୁଇନ୍‌ ସଫ୍ଟଓ୍ବେରକୁ ଲୋକ ଲୋଚନକୁ ଆଣିଥିଲେ। କିନ୍ତୁ ଏହା ପୂର୍ବରୁ ନାସା ୧୯୬୦ ଦଶକରେ ମହାକାଶ ଉକ୍ଷେପଣ କାର୍ଯ୍ୟକ୍ରମରେ ବ୍ୟାପକ ଭାବରେ ଡିଜିଟାଲ ଟୁଇନ୍‌ ଜ୍ଞାନକୌଶଳକୁ ବ୍ୟବହାର କରିଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଏହି ଡିଜିଟାଲ ଟୁଇନ୍‌ର ବଜାର ଚାହିଦା ବିଶ୍ୱରେ ୩.୧ ବିଲିୟନ ଡଲାର ଯାହା ୨୦୨୬ ସୁଦ୍ଧା ୪୮ ବିଲିୟନ ଡଲାରରେ ପହଞ୍ଚିବ। ତେବେ ଏତିକି କୁହାଯାଇପାରେ ଯେ ଏହି ଡିଜିଟାଲ ଟୁଇନ୍‌ର ଭବିଷ୍ୟତ ଅସୀମିତ ଓ ଏହା ସମଗ୍ର ଦୁନିଆରେ ଏକ ଚହଳ ସୃଷ୍ଟି କରି ଆମର ଦୈନଦିନ ଜୀବନକୁ ବ୍ୟାପକ ଭାବରେ ପ୍ରଭାବିତ କରିବାକୁ ଯାଉଛି। ତେବେ ଭବିଷ୍ୟତରେ ଏହି ଡିଜିଟାଲ ଟୁଇନ୍‌ ଜ୍ଞାନକୌଶଳର ବ୍ୟାପକ ବ୍ୟବହାରକୁ ଆଖି ଆଗରେ ରଖି ବୃହତ୍‌ ଡାଟାର ସୁରକ୍ଷା ଓ ସଂରକ୍ଷଣ କରିବା ମଧ୍ୟ ଏକ ଚିନ୍ତାର ବିଷୟ। କୌଣସି ବ୍ୟକ୍ତି, ଅନୁଷ୍ଠାନ କିମ୍ବା ଦେଶର ଗୁରୁତ୍ୱପୂର୍ଣ୍ଣ ଡାଟା ଏହି ଯୁଗାନ୍ତକାରୀ ବିଜ୍ଞାନ ଚମତ୍କାର ବଳରେ ଭୁଲ୍‌ ହାତରେ ନ ପଡ଼ୁ ଏଥିପ୍ରତି ଧ୍ୟାନଦେବାକୁ ପଡ଼ିବ।
ମୋ- ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri