ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି  ମଣିଷ  ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି।  ଇଣ୍ଟରନେଟ୍‌  ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା, କିନ୍ତୁ ଲୋକଙ୍କ କାର୍ମିକ ଜୀବନଧାରା ଭୌଗୋଳିକ ସୀମା ଅତିକ୍ରମକରି ବିଶ୍ୱବ୍ୟାପୀ ସାମଗ୍ରିକ ଜୀବନରେ ପରିବର୍ତ୍ତନ ହେଲା। ବିଶେଷକରି ଗୁଗଲ, ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌, ଆମାଜନ ଓ ଅନ୍ୟାନ୍ୟ ଡିଜିଟାଲ ସଂସ୍ଥା ତାଙ୍କ କାରିଗରିରେ  ଲୋକଙ୍କର ଦୈନନ୍ଦିନ ଜୀବନକୁ ସରଳ, ସଂଯୋଗୀକରଣ କରାଇପାରିଲେ।  ଧୀରେ ଧୀରେ ସମସ୍ତେ ଏକ ଆଭାସି ଦୁନିଆ ଆଡ଼କୁ ଅଧିକ ମୁହଁାଇଲେ।  ସବୁ ତଥ୍ୟ, ସେବା ପ୍ରଦାନକାରୀ ସଂସ୍ଥା ନିୟନ୍ତ୍ରଣରେ ରହିଲା।  ଡିଜିଟାଲ ଦିଗ୍‌ବଳୟ ସର୍ବଦା  ବିଶ୍ୱବ୍ୟାପୀ, ଏହାର ସୀମା ସନ୍ଧି କିଛି ନାହିଁ।  ଯାହା ପାଖରେ ନିୟନ୍ତ୍ରଣ ରହିଲା ସେ  ନିଜର ଇଚ୍ଛା ସାବ୍ୟସ୍ତ କରିବା ପାଇଁ ସମୟେ  ସମୟେ  ପଛାଇଲା ନାହିଁ।  ୨୦୨୫ରେ ନାୟାରା ଏନର୍ଜି ଓ ବିଦେଶୀ କମ୍ପାନୀ ଭିତରେ ସୃଷ୍ଟ ବିବାଦ ଏବଂ ପ୍ରତିବନ୍ଧକକୁ ନେଇ ନାୟାରା ଏନର୍ଜିକୁ ବାହ୍ୟ କମ୍ପାନୀ ଦ୍ୱାରା  ଡିଜିଟାଲ  ସେବା ସାମୟିକ ବନ୍ଦ କରାଯାଇଥିଲା।  ସେତେବେଳେ ଡିଜିଟାଲ  ସାର୍ବଭୌମତ୍ୱର ଆବଶ୍ୟକତା ବିଶେଷଭାବେ  ଅନୁଭବ କରିହୋଇଥିଲା। ତେଣୁ ଡିଜିଟାଲ  ପୃଥିବୀ ଭିତରେ ସୁରକ୍ଷାକୁ  ଭାରତ ସମେତ ସମସ୍ତ ଦେଶ ଅନୁଭବ କଲେଣି। ଏକ ସୁରକ୍ଷିତ ସୀମାରେଖା, ସ୍ବୟଂ ପ୍ରଯୁକ୍ତି ବିଦ୍ୟାର ପ୍ରସ୍ତୁତି ଓ ପ୍ରୟୋଗ ପାଇଁ ସମସ୍ତେ ଚିନ୍ତାକଲେଣି।
   ଗତବର୍ଷ  ଡିସେମ୍ବରରେ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍‌  ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରରେ କଟକଣା ଲଗାଇବାରେ ପ୍ରଥମ ଦେଶ।  ଚାଇନା, ଉତ୍ତର କୋରିଆ, ଇରାନ, କ୍ୟୁବା, ମ୍ୟାନ୍‌ମାର, ବହୁ ଦେଶ ବିଭିନ୍ନ ପ୍ରକାର କଟକଣା ଲଗାଇଛନ୍ତି।  ସ୍ପେନ୍‌, ଫ୍ରାନ୍ସ, ଇଟାଲୀ, ଡେନ୍‌ମାର୍କ,  ନରୱେ ଇତ୍ୟାଦି ଦେଶ ବୟସ ସୀମା, ରାଜନୈତିକ ଓ ସାମାଜିକ ଧାରା, ନାଗରିକମାନଙ୍କ ବିଶ୍ୱାସ, ସୁରକ୍ଷା  ଓ ଅନ୍ୟାନ୍ୟ ଦିଗକୁ ନେଇ ବିଭିନ୍ନ ପ୍ରକାର କଟକଣା ଜାରିକରିବା ଉପରେ ପଦକ୍ଷେପ ନେଉଛନ୍ତି। ରୁଷିଆ  ଓ ଚାଇନା ସାର୍ବଭୌମତ୍ୱ ସମ୍ପୂର୍ଣ୍ଣ ଇଣ୍ଟରନେଟ୍‌  ପ୍ରଚଳନ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିଜର ଡିଜିଟାଲ  ଭିତ୍ତିଭୂମି ତିଆରି କରୁଛନ୍ତି।  ଚାଇନା ଗ୍ରେଟ୍‌ ଫାୟାରୱାଲ୍‌  ବ୍ୟବହାର କରୁଛି। ଏହାଦ୍ୱାରା   ପାଶ୍ଚ୍ୟାତ  ସୋସିଆଲ ମିଡିଆକୁ କଟକଣା କରି ନିଜ ନିର୍ମିତ ଡିଜିଟାଲ  ଭିତ୍ତିଭୂମି ଲୋକମାନଙ୍କୁ ଯୋଗାଇ ଦିଆଯାଉଛି।  ତାଙ୍କରି ନିୟନ୍ତ୍ରିତ ଡିଜିଟାଲ ସାର୍ବଭୌମତ୍ୱ ସୀମା ଭିତରେ ଜଣେ ଯାହା ବ୍ୟବହାର କରିପାରିବ।
ବିସ୍ତାର ଭାବେ କହିବାକୁ ଗଲେ ଡିଜିଟାଲ  ସାର୍ବଭୌମତ୍ୱ ହେଲା ଏକ ଦେଶର ନିଜସ୍ବ  ସୁରକ୍ଷା ବଳୟ ଯାହା ଡିଜିଟାଲ  ସୀମା ସରହଦ, ଭିତ୍ତିଭୂମି, ତଥ୍ୟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଓ ସ୍ବାଧୀନତା ବଜାୟ ରଖେ।  ନିଜ ଦେଶର ଡିଜିଟାଲ ପରିଧିକୁ  ଅନ୍ୟ ଦେଶ ବା ବିଦେଶୀ ସଂସ୍ଥାଙ୍କ ପ୍ରଭାବରୁ ବଞ୍ଚେଇରଖେ ଏବଂ ନିଜ ଦେଶ ପାଇଁ ନିଜର ନୀତିନିୟମ ପ୍ରଣୟନକରେ।  ଆମ ଦେଶ ନାଗରିକଙ୍କ ତଥ୍ୟ ନିଜ ଦେଶର ସର୍ଭରରେ ସ୍ଥାନୀୟକରଣ, ତଥ୍ୟର ସୁରକ୍ଷା ପାଇଁ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା-ଡିପିଡିପି ଆଇନ ପ୍ରଚଳନ, କ୍ଲାଉଡ୍‌  କମ୍ପ୍ୟୁଟିଂ, ଆର୍ଥିକ ନେଣଦେଣ ପ୍ରଣାଳୀ ୟୁପିଆଇ, ଡିଜିଟାଲ  ସାର୍ବଜନୀନ ଭିତ୍ତିଭୂମି (ଡିଜିଟାଲ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର), ଆଧାର, ଡିଜି-ଲକର, ନିଜସ୍ବ୍‌ ୫ଜି/୬ଜି ନେଟ୍‌ୱର୍କ ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ସମସ୍ତ ପଦକ୍ଷେପ ନିଏ। ପ୍ରଯୁକ୍ତି ବିଦ୍ୟାରେ ଆତ୍ମନିର୍ଭରତା ଉପରେ ଧ୍ୟାନଦିଏ। ସାର୍ବଭୌମ ସମ୍ପୂର୍ଣ୍ଣ କୃତ୍ରିମ ବୁଦ୍ଧିମତ୍ତା ଓ ଆଞ୍ଚଳିକ ଭାଷାର ପ୍ରୟୋଗ ଉପରେ ବି ସମାଧାନ ତିଆରି କରେ। ଅଧୁନା ଡିଜିଟାଲ ପୃଥିବୀରେ ଭାରତର ପଦକ୍ଷେପ ଉଦାହରଣଯୋଗ୍ୟ ହୋଇଗଲାଣି। ଆଜି ଆଉ ଭାରତବର୍ଷ କେବଳ ଏକ ଡିଜିଟାଲ ଗ୍ରାହକ ବଜାର ହୋଇ ରହିନାହିଁ। ଡିଜିଟାଲ ଜଗତର ମାନଚିତ୍ରରେ ଏକ ଶ୍ରେଷ୍ଠ ସ୍ଥାନ ଗ୍ରହଣ କଲାଣି। ଏସବୁ ଆମ ବିକାଶର ଧାରା। ଏତେ ବଡ଼ ଜନବହୁଳ ରାଷ୍ଟ୍ର ସମସ୍ତ ବିଭିନ୍ନତା ମଧ୍ୟରେ ଐକ୍ୟତା ବଜାୟ ରଖି ବୈଷୟିକ ପ୍ରଗତି ପଥରେ ଆଗେଇଚାଲିଛି। ଜାତୀୟ ନିରାପତ୍ତା ଓ ସୁରକ୍ଷାକୁ ପାଦେ ପାଦେ ପ୍ରତିରକ୍ଷା ପ୍ରଦାନ କରିଛି। ଏଥି ନିମନ୍ତେ ଟିକ୍‌ଟକ୍‌ ସମେତ ଶତାଧିକ ବାହ୍ୟ ଆପ୍ଲିକେଶନ ସବୁକୁ ବ୍ୟାନ୍‌କରି ନିଜର ସାଇବର ସୁରକ୍ଷାର  ସକ୍ଷମତା ପ୍ରମାଣ କରିପାରିଛି।
ଏସବୁ ସରକାରୀ ପଦକ୍ଷେପ ସତ୍ତ୍ୱେ  ଭାରତର ଡିଜିଟାଲ ସାର୍ବଭୌମିକତାକୁ  ସଫଳ ଓ ସୁରକ୍ଷିତ କରିବା ପାଇଁ ଆମ ସମସ୍ତ ନାଗରିକଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।  କେବଳ ସରକାରୀ କାର୍ଯ୍ୟାନୁଷ୍ଠାନ, ନୀତିନିୟମ, ଆଇନକାନୁନ ଯଥେଷ୍ଟ ନୁହେଁ। ପ୍ରତ୍ୟେକ ନାଗରିକକୁ ମଧ୍ୟ ଏହି ଦିଗରେ ନ୍ୟାଯ୍ୟ ଦାୟିତ୍ୱ ସମ୍ଭାଳିବାକୁ ହେବ। ବ୍ୟକ୍ତିଗତ ତଥ୍ୟର ସୁରକ୍ଷା, ଗୋପନୀୟତା, ସଚେତନତା ଓ ବ୍ୟାବହାରିକ ଅନୁମତି ଭାବିଚିନ୍ତି କରିବା ଆବଶ୍ୟକ। ସ୍ବଦେଶୀ ଭିତ୍ତିଭୂମି, ପ୍ରଯୁକ୍ତି ବିଦ୍ୟାର ପ୍ରସାର ଓ ପ୍ରୟୋଗକୁ ପ୍ରାଧାନ୍ୟ ଦେବା ନିହାତି  ଦରକାର।  ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ସଂହତି ପ୍ରତି ଶୃଙ୍ଖଳିତ ଆଚରଣ ରଖିବା, ସୂଚନାର ସତ୍ୟାସତ୍ୟ ପ୍ରତି ଧ୍ୟାନଦେବା ଇତ୍ୟାଦି ନାଗରିକଙ୍କ କର୍ତ୍ତବ୍ୟ।  ସାଇବର ସ୍ବଚ୍ଛତା ଓ ନିୟମର ପାଳନକରିବା, ଡିଜିଟାଲ  ଶିକ୍ଷାରେ ନିଜେ ସାକ୍ଷରହୋଇ ଅନ୍ୟକୁ ମଧ୍ୟ ସାକ୍ଷର ଓ ସଚେତନ କରାଇବା ବିଧେୟ।

ସାଇବର ସୁରକ୍ଷା କ୍ଷେତ୍ରରେ ଅଧିକ ଜାଗ୍ରତ ଆଉ ଜନକଲ୍ୟାଣ ନିମନ୍ତେ ଆଜିକାଲି ପୃଥିବୀର ଅନେକ ଦେଶ ପ୍ରତିବର୍ଷ ଫେବୃଆରୀ ଦ୍ୱିତୀୟ ମଙ୍ଗଳବାର ସୁରକ୍ଷିତ ଇଣ୍ଟରନେଟ୍‌  ଦିବସ, ଏକ ଅନ୍ତର୍ଜାତୀୟ ଅଭିଯାନ ପାଳନ କରୁଛନ୍ତି। ଛାତ୍ରୀଛାତ୍ର, କର୍ମଚାରୀମାନଙ୍କଠୁ ଆରମ୍ଭ କରି ସମସ୍ତ ଜଣସାଧାରଣଙ୍କୁ ସୁରକ୍ଷିତ ଇଣ୍ଟରନେଟ୍‌  ଉପଯୋଗ କରାଇବା ହେଉଛି ଏହି କାର୍ଯ୍ୟକ୍ରମର  ମୂଳଲକ୍ଷ୍ୟ।  ଆମ ଦେଶ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ଅଭିଯାନ  ସହ ଅନେକ ନିଜସ୍ବ ଅଭିଯାନ, ପଦକ୍ଷେପ ଓ ପ୍ରୋତ୍ସାହନମୂଳକ କାର୍ଯ୍ୟକଳାପ ନିୟମିତ କରୁଛି।  ଭୌଗୋଳିକ ସାର୍ବଭୌମତ୍ୱ ଭଳି ଡିଜିଟାଲ ସାର୍ବଭୌମତ୍ୱକୁ ମଧ୍ୟ  ରକ୍ଷା ଓ ସମ୍ମାନ କରିବା ସମସ୍ତଙ୍କ ପ୍ରଧାନ ଦାୟିତ୍ୱ। ଏଥି ସକାଶେ ସରକାର ଡିଜିଟାଲ ସାର୍ବଭୌମତ୍ୱ ପାଇଁ ଯେଉଁ ବୈଷୟିକ ଓ ଆଇନଗତ ପ୍ରାଚୀର ଓ ଭିତ୍ତିଭୂମି ତିଆରି କରୁଛନ୍ତି, ପ୍ରତିଟି ନାଗରିକ ତାକୁ ଶକ୍ତିଶାଳୀ କରିବା ପାଇଁ ଯଥୋଚିତ ପ୍ରଚେଷ୍ଟା କରିବା ନିତାନ୍ତ ଆବଶ୍ୟକ।

ଡ.ପବିତ୍ରାନନ୍ଦ ପଟ୍ଟନାୟକ

ମୋ:  ୯୪୩୭୦୦୩୧୦୭

 

Dharitri – Odisha’s No.1 Odia Daily